ଦିନଥିଲା ଫଳ ଚାଷ କହିଲେ କାଶ୍ମୀରକୁ ବୁଝାଉଥିଲା । ସେଓ, ଅଙ୍ଗୁର ଠାରୁ ଆରମ୍ଭକରି ନାମୀଦାମୀ ଫଳ କାଶ୍ମୀରରୁ ଆମଦାନୀ ହେଉଥିଲା। କିନ୍ତୁ ଯୁଗ ଏବେ ବଦଳିଛି, ବଦଳିଛି ଚାଷ କରିବାର ଜ୍ଞାନ କୌଶଳ । କାଶ୍ମୀରର ନାମୀଦାମୀ ଫଳ ଚାଷ ଏବେ ଓଡ଼ିଶାର ଗାଁ ମାଟିରେ ଚାଷ ହେଉଛି ।
ଓଡ଼ିଶାରେ କାଶ୍ମୀର ରେଡ ବେରୀ ଚାଷ । କାଶ୍ମୀର ନାମିଦାମୀ ଫଳ ଚାଷ ଏବେ ଗାଁ ମାଟିରେ ହେଉଛି । କେତେବେଳେ ବଜାର ଦର ତ ଆଉ କେତେବେଳେ ସରକାରଙ୍କ ଉଦାସୀନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ । ହେଲେ ଅଧ୍ୟାପକ ହେବାର ନିଶା ଛାଡ଼ି ଚାଷ ମୋହର ପଡ଼ିଛନ୍ତି ଉପେନ୍ଦ୍ର ବିଶ୍ୱାଳ । ନିଜ ବାଡ଼ିରେ ଥାଇ କଶ୍ମୀର ରେଡ୍ ବେରୀ (ଏକ ପ୍ରକାର ବର କୋଳି) ଫଳାଇ ଚର୍ଚ୍ଚାକୁ ଆସିଛନ୍ତି । ଉପେନ୍ଦ୍ରଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଆରୁହା ପଞ୍ଚାୟତ ତୁଳମତୁଳା ଗ୍ରାମରେ।
ସୂଚନା ଅନୁଯାୟୀ, ୧୯୯୭ ମସିହାରେ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଉପେନ୍ଦ୍ର । ପରେ ଅଧ୍ୟାପକ ହେବା ପାଇଁ ସୁଯୋଗ ମଧ୍ୟ ପାଇଥିଲେ । ହେଲେ ଅଧ୍ୟାପକ ଚାକିରି ପାଇଁ ଲାଞ୍ଚ ମଗା ଯିବାରୁ ସ୍ୱାଭିମାନୀ ଉପେନ୍ଦ୍ର ଚାକି଼ରି ମୋହ ଛାଡ଼ି ଘରକୁ ଫେରି ଆସିଥିଲେ । ଏନେଇ ଘରେ କିଛିଦିନ ବସିବା ପରେ ନିଜେ ସ୍ୱାଧୀନ ଭାବେ କିଛି କରିବାକୁ ସେ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ସରକାରୀ ପୋଖରୀକୁ ଲିଜ୍ ସୁତ୍ରରେ ନେଇ ମାଛ ଚାଷ ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସ୍ଥାନୀୟ ଏକ ଟ୍ରଷ୍ଟ ଅଧୀନରେ ଥିବା ୭ ଏକର ଜମିକୁ ସେ ଲିଜ୍ରେ ନେଇଥିଲେ । ଆଉ ଏହି ଜମିରେ ମାଛ, ପନିପରିବା ଓ ହଳଦୀ ଚାଷ ସହିତ କୁକୁଡ଼ା ଓ ଗୋପାଳ ଆରମ୍ଭ କରିଥିଲେ ଉପେନ୍ଦ୍ର । ଏଥରୁ ଭଲ ଲାଭ ପାଇବା ସହ ଆଉ କିଛି ନୂଆ ଚାଷ କରିବାର ଯୋଜନା ମଧ୍ଯ କରିଥିଲେ ।
କହିବାକୁ ଗଲେ, ଦିନେ ଉପେନ୍ଦ୍ରଙ୍କ ସ୍ତ୍ରୀ ପ୍ରଜ୍ଞା ଫେସବୁକରୁ ଥାଇ କଶ୍ମୀର ରେଡ ବେରୀ ଚାଷ ସଂପର୍କିତ ଏକ ରିପୋର୍ଟ ଦେଖିଥିଲେ । ଆଉ ଏ ସମ୍ପର୍କରେ ସେ ସ୍ୱାମୀ ଉପେନ୍ଦ୍ରଙ୍କୁ କହିଥିଲେ । ଏହାପରେ ଉଭୟେ ସ୍ୱାମୀ ସ୍ତ୍ରୀ ମିଳିତ ଭାବେ ଏହି ନିଆରା କୋଳିକୁ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ସମ୍ପର୍କରେ ୟୁଟ୍ୟୁବରୁ ସେମାନେ ଆହୁରି ଅଧିକ ତଥ୍ୟ ମଧ୍ୟ ଯୋଗାଡ଼ କରିଥିଲେ । ଏହା ପରେ କୋଲକାତାକୁ ଯାଇ ୪ଟି କିସମର ୨୦୦ ଚାରା ସଂଗ୍ରହ କରିଥିଲେ ଓ ନିଜ କ୍ଷେତରେ ଲଗାଇଥିଲେ ।
ଗତ ଏପ୍ରିଲ ମସିହା ୨୨ ତାରିଖରେ ନିଜ ବଗିଚାରେ ସେମାନେ ଚାରା ଲଗାଇଥିଲେ । ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ହିଁ ଏହି ଚାଷ କରିଥିଲେ । ଏହି ଗଛରେ ଜୁଲାଇରେ ଫୁଲ ଆସିଥିଲା । ଆଉ ଏବେ ସବୁ ଗଛରେ ଫଳ ଭର୍ତ୍ତି ହୋଇଯାଇଛି । ଥାକ ଥାକ ହୋଇ ଥାଇ କଶ୍ମୀର ରେଡ ଲାଲ ଟହଟହ ବେରୀ ଓହଳିଛି ।
ଏହି ସୁଆଦିଆ କୋଳିର ବଜାର ଚାହିଦା ବହୁତ ଅଧିକ । ଏହା କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଥିବା ଉପେନ୍ଦ୍ର କହିଛନ୍ତି । ଏହି କୋଳି ଚାଷ ଦେଖିବାକୁ ଉପେନ୍ଦ୍ରଙ୍କ ଫାର୍ମରେ ଲୋକମାନଙ୍କ ଭିଡ଼ ଜମୁଛି । ଉପେନ୍ଦ୍ରଙ୍କ ଫାର୍ମରେ କିଛି ଲୋକ କାମ କରି ଆୟର ପନ୍ଥା ମଧ୍ଯ ପାଇଛନ୍ତି ।
ଯାହାକୁ ନେଇ ଉପେନ୍ଦ୍ର କହିଛନ୍ତି, ପ୍ରଥମ ଥର ପାଇଁ ଆମେ ଥାଇ କଶ୍ମୀର ରେଡ୍ ବେରୀର ଚରୋଟି ଭେରାଇଟ୍ ଲଗାଇଛୁ । ଥାଇ କଶ୍ମୀର ରେଡ୍ ବେରୀ ଗଛ ୧୫ ବର୍ଷ ଯାଏଁ ବଞ୍ଚିବ । ପ୍ରଥମ ବର୍ଷ ପ୍ରତି ଗଛରୁ ୨୦ କେଜି ଫଳ ଅମଳ ହେବ । ପରେ ପ୍ରତିବର୍ଷ ଏହା ଅମଳ ବଢ଼ିବ। ପ୍ରତି ଗଛରୁ ୧୦୦ କେଜି ପର୍ଯ୍ୟନ୍ତ ଫଳ ଅମଳ ହେବ ।
Share your comments