ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ପ୍ରତ୍ୟେକ ଲୋକ ବର୍ଷାଦିନେ ଓ ଶୀତଦିନେ ସେମାନଙ୍କର ଚାଳଛପର ବା କୋଠାଘର ଛାତ ଉପରକୁ ଲାଉ ଲତା ମଡ଼ାଇଥାଆନ୍ତି । କେହି କେହି ମଞ୍ଚା କରି(ବା) କେହି ଗଛ ଉପରକୁ ଲଟାଇ ଦେଇଥାଆନ୍ତି । ବର୍ଷାଋତୁ ସମୟରେ ଗାତ କରି ସେଥିରେ କମ୍ପୋଷ୍ଟ, ଗୋବର ଖତ, ଛେଳିଲଣ୍ଡି, ପାଉଁଶ ଇତ୍ୟାଦି ଭର୍ତ୍ତି କରି ଦୁଇ ତିନୋଟି ମଞ୍ଜି ଲଗାଇଥାଆନ୍ତି । ଗଛ ବଡ଼ ହେଲେ ଗୋଟିଏ ବା ଦୁଇଟି ଗଛ ରଖିଥାଆନ୍ତି । ଶୀତଦିନେ ମଳାକରି ପାଣି ଦିଆଯାଏ । କେହି କେହି ହାଣ୍ଡି ଧୂଆ ପାଣି, ଆଇଁଷପାଣି, ଥଣ୍ଡାପେଜ ମୂଳରେ ଦିଅନ୍ତି । ଗଛ ମୋଟା ହୋଇ ଫୁଲଫଳ ଧରିଲାବେଳକୁ କେହି କେହି ଗଛର ମୂଳ କାଣ୍ଡକୁ ଚିରି ଟିକିଏ ଅଫିମ ପ୍ରୟୋଗ କରି କପଡ଼ା ଓ ଜରିରେ ବାନ୍ଧିଦିଅନ୍ତି । ଗଛରେ ପ୍ରଚୁର ଫଳଧରେ । ଏହି ଲାଉ ନରମ ଓ ଖାଇବାକୁ ଭଲ ଲାଗେ । ଗ୍ରାମର ଲୋକେ ସ୍ଥାନୀୟ ବିହନ ବ୍ୟବହାର କରିଥାନ୍ତି । କିନ୍ତୁ ଆମ ରାଜ୍ୟରେ ଲାଉଚାଷ ବର୍ଷା ଓ ଗ୍ରୀଷ୍ମ ଋତୁରେ ଲାଭଦାୟକ ଭାବେ ଚାଷ କରାଯାଏ ।
ଲାଉର ପ୍ରକାର ଭେଦ: ଲାଉ ବିଭିନ୍ନ ଆକାର ଓ ରଙ୍ଗର ଆମରାଜ୍ୟରେ ଲମ୍ବାଳିଆ, ସାମାନ୍ୟ ଲମ୍ବାଳିଆ, ଢେଙ୍କିଆ ଲାଉ ଲମ୍ବା ଓ ବଡ଼ । ସବୁଜବର୍ଣ୍ଣର ଗୋଲ ଲାଉ ମିଠା ଓ ସୁସ୍ୱାଦୁ ।
ଜଳବାୟୁ: ଶୁଷ୍କ ଆର୍ଦ୍ର ଜଳବାୟୁରେ ଲାଉଭଲ ହୁଏ । ଦିନର ତାପମାତ୍ରା ୩୦-୩୫ ଏବଂ ରାତ୍ରିର ତାପମାତ୍ରା ୧୮-୨୨ ଡ଼ିଗ୍ରୀ ସେଲସିୟସ୍ ରହିଲେ ଗଛରେ ଅଧିକ ମାଇଫୁଲ ଆସି ଭଲ ଅମଳ ଦିଏ । ଅଧିକ ତାପମାତ୍ରାରେ ଫଳ ଧାରଣ ହ୍ରାସ ପାଇଥାଏ ।
ମୃତ୍ତିକା: ନିଗିଡ଼ା, ଉର୍ବର, ଦୋରସା, ବାଲି ଦୋରସା ମାଟିରେ ଲାଉଚାଷ କରାଯାଏ, ମାଟିର ଅମ୍ଳତା ୫.୦-୭.୫ ମଧ୍ୟରେ ରହିଲେ ଲାଉ ଫସଲ ଭଲ ହୁଏ ।
କିସମ : ୧. ଉନ୍ନତ କିସମ: ଗୋଲଲାଉର ଉନ୍ନତ କିସମ ହେଉଛି (ପିଏସପିଆର), ଓପଞ୍ଜାବ ରାଉଣ୍ଡ । ଲମ୍ବା ଉନ୍ନତ କିସମ ହେଉଛି ପିଏସପିଏଲ, ଆର୍କାବାହାର, ପଞ୍ଜାବ ଲଙ୍ଗ୍, ପୁଷାନବୀନ ।
୨. ଶଙ୍କର କିସମ: ଲମ୍ବାଶଙ୍କର କିସମ ହେଉଛି ପୁଷା ମେପଦୂତ, ଗୋରୀ, ନରଗିସ୍ । ଗୋଲଶଙ୍କର କିସମ ହେଉଛି ପୁଷାମଞ୍ଜରୀ ।
ବିହନ: ୧. ମଞ୍ଜି ସଂଗ୍ରହ ଏବଂ ମଞ୍ଜି ଲଗାଇବା ମଧ୍ୟରେ ଅତିକମରେ ତିନିମାସ ବ୍ୟବଧାନ ରହିବା ଦରକାର । ୨. ଏକର ପ୍ରତି ୧.୫-୨ କି.ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।
୩. ଧଳା ମଞ୍ଜି ଅପେକ୍ଷା ମାଟିଆ ମଞ୍ଜିଗୁଡ଼ିକ ଅଧିକଗଜା ଦେଇଥାଆନ୍ତି ।
୪. ୧.କିଗ୍ରା. ମଞ୍ଜିକୁ ୨ଗ୍ରାମ୍ ଥିରାମ୍ ଏବଂ ୧ଗ୍ରାମ୍ ବାଭିଷ୍ଟିନ୍ରେ ବିଶୋଧନ କରାଯାଏ ।
୫. ମଞ୍ଜିକୁ ଲଗାଇବା ପୂର୍ବରୁ ୨୦.୨୪ ଘଣ୍ଟା ବତୁରାଇଲେ ଅଧିକ ଅଙ୍କୁରୋଦଗମ୍ ଅଧିକ ହୋଇଥାଏ ।
୬. ପାଣିରେ ବୁଡ଼ିଯାଉଥିବା ମଞ୍ଜିଗୁଡ଼ିକ ଉତ୍କୃଷ୍ଟ ଧରଣ । ଏହି ମଞ୍ଜିଗୁଡ଼ିକୁ ଲଗାଇବା ଉଚିତ ।
ଜମି ପ୍ରସ୍ତୁତି: ଜମିକୁ ୨-୩ ଓଡ଼ଚାଷ କରି ଅନାବନା ଘାସ ମାରି ଦିଆଯାଏ । ଧାଡ଼ିକୁ ଧାଡ଼ି ୨-୨.୫ ମିଟର ଏବଂ ମନ୍ଦାକୁ ମନ୍ଦା ୧-୧.୫ ମିଟର ବ୍ୟବଧାନରେ ୪୫ସେ.ମି ଲମ୍ବ, ପ୍ରସ୍ଥ ଓ ଭଗୀରରେ ଗାତମାନ ଖୋଳାଯାଏ । ବର୍ଷା ଋତୁରେ ଜମିରେ ମାଟିଗଦା କରିମଳା କରାଯାଏ ।
ବିହନ ବୁଣିବା: ଗାତରେ ଏକର ପ୍ରତି ୮-୧୦ଟନ୍ କମ୍ପୋଷ୍ଟ, ମୂଳସାର ଏବଂ ଉପରମାଟି ପୂରଣ କରି ମନ୍ଦା ପ୍ରତି ୨ଟି ଗଜା ହୋଇଥିବା ମଞ୍ଜି ଲଗାଯାଏ, ଖରାଦିନେ ମନ୍ଦାକୁ ଛାଦିକରତା କଲେ ଦୀର୍ଘ ଚାରା ହୋଇଥାଏ । ଜମି ପ୍ରସ୍ତୁତିରେ ବିଳମ୍ବ ଘଟିଲେ ପଲିଥିନରେ ଚାରା କରିଲଗାଯାଏ ।
ଖତ ଓ ସାର: ମଞ୍ଜି ଲଗାଇବା ସମୟରେ ଏକର ପ୍ରତି ୧୦ କି.ଗ୍ରା ଯବକ୍ଷାରଜାନ ପ୍ରୟୋଗ କରାଯାଏ, ଅଧିକ ଯବକ୍ଷାରଜାନ ପ୍ରୟୋଗ କଲେ ଅଣ୍ଡିରା ପୁଲ ଅଧିକ ହୋଇଥାଏ, କମ୍ ଯବକ୍ଷାରଜାନ ପ୍ରୟୋଗ କଲେ ଗଛଦୁର୍ବଳ ହୁଏ । ପୋଟାସିୟମ୍ ସାର କମିଗଲେ ଫୁଲ ଝଡ଼ିବାର ସମ୍ଭାବନାଥାଏ । ତେଣୁ ଅନୁମୋଦିତ ସୁଷମ ସାର ପ୍ରୟୋଗ ଅନିବାର୍ଯ୍ୟ, ମଞ୍ଜିଲଗାଇବାର ୨୫-୩୦ ଦିନରେ ୧୦କି.ଗ୍ରା ଯବକ୍ଷାରଜାନ ପ୍ରୟୋଗ କରାଯାଏ, ମାଗ୍ନେସିୟମ୍ ଅଭାବ ହେଲେ ପତ୍ରର ଧାର ଉପରକୁ ମୋଡ଼ିହୁଏ, ମୂଳସାର ସହିତ ୮-୧୦ କି.ଗ୍ରା ମାଗ୍ନେସିୟମ୍ ସଲଫେଟ୍ ମାଟିରେ ପ୍ରୟୋଗ କରିବା ଉଚିତ ।
ପରବର୍ତ୍ତୀ ଯତ୍ନ: ସାର ପ୍ରୟୋଗ ସମୟରେ କୋଡ଼ାଖୋସା କରି ଅନାବନା ଗଛ ନଷ୍ଟ କରିଦିଆଯାଏ । ଖରାଦିନେ ଡ଼ଙ୍କକୁ ମାଟିରେ ଓ ବର୍ଷାଦିନେ ଭାଡ଼ି କରି ମଡ଼ାଯାଏ । ଖରାଦିନେ ଛେଦୀକରତା କରାଯାଏ । ଦୁଇପତ୍ର ଅବସ୍ଥାରେ ଗଛରେ ଇଥେଫନ୍ (୧୦୦ମିଗ୍ରା/ଲିଟର) ସ୍ପ୍ରେ କଲେ ମାଇଫୁଲ, ସଂଖ୍ୟା ବଢି ଅମଳ ବଢିଥାଏ ।
ଜଳସେଚନ: ବର୍ଷାଦିନେ ଜଳସେଚନ ଆବଶ୍ୟକ ପଡ଼ିନଥାଏ, ବର୍ଷା ଦିନେ ପାଣି ଜମିରେ ନରହିବା ଦରକାର । ଅନ୍ୟଋତୁରେ ପାଗଦେଖି ୫-୧୦ ଦିନ ବ୍ୟବଧାନରେ ଜଳସେଚନ କରାଯାଏ ।
ଅମଳ: କଅଁଳ ଅବସ୍ଥାରେ ଲାଉକୁ ତୋଳାଯାଏ, ସାଧାରଣତଃ ଫଳ ଉପରୁ ଆଂଶୁଆ ଝଡ଼ିବାର ୩ଦିନ ମଧ୍ୟରେ ଏହା ତୋଳିବା ଉଚିତ । ମଞ୍ଜି ଲଗାଇବାର ୫୫-୭୫ ଦିନ ମଧ୍ୟରେ ପ୍ରଥମଫଳ ଅମଳ କରାଯାଏ, ହାତରେ ଫଳ ନଛିଣ୍ଡାଇ ଛୁରି ଦ୍ୱାରା କାଟିବା ଉଚିତ୍ । ତୋଳିବା ସମୟରେ ଫଳ ଉପରେ ଯେପରି କୌଣସି ଦାଗ ନରହିବା ଉଚିତ୍ । ଦାଗ ଲାଗିଲେ ଲାଉର ଦର ହ୍ରାସ ପାଇଥାଏ । ଉନ୍ନତ କିସମଗୁଡ଼ିକ ଏକର ପିଛା ୧୦୦କ୍ୱିଣ୍ଟାଲ ଓ ଶଙ୍କର କିସମରୁ ୧୫୦କ୍ୱିଣ୍ଟାଲ୍ ଅମଳ ମିଳିଥାଏ ।