ବର୍ତ୍ତମାନ ସମୟରେ କାଜୁବାଦାମର ବଜାର ଚାହିଦା ବହୁତ ଭଲ ଅଛି l କାଜୁବାଦାମକୁ ବ୍ୟବସାୟିକ ଭିତିରେ ଚାଷ କରି ଜଣେ ବ୍ୟକ୍ତି ନିଶ୍ଚିତ ଭାବରେ ଆର୍ଥିକ ଲାଭ କରିପାରିବେ l କାଜୁବାଦାମ ଚାଷ ବିଷୟରେ କେତେଗୁଡ଼ିଏ ଉପାଦେୟ ତଥ୍ୟକୁ ଆଜି ଆଲୋଚନା କରାଯାଇଛି l ଓଡ଼ିଶାର ସବୁ ଜିଲ୍ଲାରେ ଏହି ଚାଷ କରାଯାଇପାରିବ । ଉର୍ବର ଜମି ଠାରୁ ଆରମ୍ଭ କରି ଅନୁର୍ବର ପାହାଡିଆ ଜମିରେ ମଧ୍ୟ ଲଗାଯାଇପାରିବ । କାଜୁ ଅତ୍ୟନ୍ତ ସ୍ଵାଦିଷ୍ଟ । ଏଥିରେ ପ୍ରଚୁର ପରିମାଣର ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ସହିତ ଲୌହ, କ୍ୟାଲସିୟମ, ଫସଫରସ୍ ଆଦି ଲବଣ ଏବଂ ଅନେକ ଖାଦ୍ୟପ୍ରାଣ ରହିଛି । କାଜୁ ମଞ୍ଜି ଚୋପା ତେଲରୁ ବ୍ରେକ୍ ଲାଇନିଙ୍ଗ, କାଳି ପ୍ରଭୃତି କରାଯାଏ । କାଜୁ ଫସଲ ପାହାଡରେ ଗଡାଣିଆ ସ୍ଥାନରେ ଲଗାଯାଇ ମୃତ୍ତିକା ସଂରକ୍ଷଣ କରାଯାଏ ।
ମୃତ୍ତିକା ଓ ଜଳବାୟୁ
କାଜୁ ଏକ ଗ୍ରୀଷ୍ମମଣ୍ଡଳୀୟ ଫସଲ । ଏହା ଆର୍ଦ୍ର ଏବଂ ନୀତିଶୀତୋଷ୍ଣ ଅଞ୍ଚଳରେ ଭଲ ହୁଏ । କୁହୁଡି ଏବଂ ଅତ୍ୟଧିକ ଶୀତପ୍ରବାହ ସହିପାରେ ନାହିଁ । ଅଧିକ ସମୟରେ ଗ୍ରୀଷ୍ମପ୍ରବାହ ମଧ୍ୟ ଗଛ ପ୍ରତି କ୍ଷତିକାରକ । ବିଭିନ୍ନ ପ୍ରକାର ମାଟିରେ କାଜୁ ଚାଷ କରାଯାଇ ପାରିଲେ ମଧ୍ୟ ନିଗିଡା ନାଲି ଓ ଉପକୂଳ ମାଟି କାଜୁ ଚାଷ ପାଇଁ ଉପଯୁକ୍ତ । ମଟାଳ ମାଟି ଏବଂ ଜଳ ନିଷ୍କାସନ ହେଉନ’ଥିବା ଜମିରୁ ଫସଲ ଅମଳ ବହୁତ କମ ହୁଏ । ଅତ୍ୟଧିକ ଅମ୍ଳମାଟି, ପଥୁରିଆ ମାଟି, ମାଟିତଳେ ଥିବା ଚଟାଣ (ହାର୍ଡପାନ),ଆଦି ସ୍ଥାନରେ ଫସଲ ଭଲ ହୁଏ ନାହିଁ ।
ଜମି ଚାଷ କରିବା ପରେ ସମତୁଲ କରାଯାଇ ଚାରା ରୋପଣ ପାଇଁ ଗାତ କରାଯାଏ । ଜମିରେ ୭ ମିଟର ବ୍ୟବଧାନରେ ଚାରା ଲଗାଯାଏ । ଗାତ ଖୋଳାଗଲା ବେଳେ ଉପର ଓ ତଳ ମାଟିକୁ ଅଲଗା ରଖାଯାଏ । ଗାତ ଗୁଡିକୁ ୬୦ *୬୦*୬୦ ସେ.ମି ଆକାରରେ ଖୋଳାଯାଏ । ଉପର ମାଟିରେ ଅନୁମୋଦିତ ପରିମାଣର ଖତ ସାର, ଔଷଧ ମିଶାଇ ଗାତର ତଳ ଭାଗକୁ ପୂରଣ କରାଯାଏ । ଏହାପରେ ଗାତର ଅବଶିଷ୍ଟ ଉପରେ ଅଂଶକୁ ତଳମାଟି ଦ୍ଵାରା ପୂରଣ କରାଯାଏ । ପୂର୍ବରୁ ପଲିଥିନ୍ ବ୍ୟାଗରେ କାଜୁ କଲମୀ ଚାରା ଯତ୍ନର ସହିତ ପଲିଥିନ୍ନରୁ ବାହାର କରି ଗାତ ମଝିରେ ପୋତାଯାଏ।ଚାରା ରୋପଣ ବେଳେ କଲମୀ ଯୋଡଟି ଯେପରି ମାଟି ଉପରେ ରହେ ସେଥିପ୍ରତି ଧ୍ୟାନ ଦିଆଯାଏ । ଗଛ ସିଧା ରହିବା ପାଇଁ ଗୋଟିଏ କାଠି ପୋତି ଗଛକୁ ସିଧା ରଖାଯାଏ । କାଜୁ ମଞ୍ଜିରୁ ଚାରା ପ୍ରସ୍ତୁତି କରି ଲଗାଯାଉଥିବାରୁ ଗଛରେ ବିଭିନ୍ନତା ପରିଲକ୍ଷିତ ହୁଏ । ବଗିଚାରୁ ଅଧିକ ଅମଳ ଓ ବଡଫଳ ହେଉଥିବା, ଭଲ ବୃକ୍ଷକୁ ଚିହ୍ନଟ କରାଯାଇ ସେହି ଗଛର ଡାଳରୁ କଲମୀ ପ୍ରସ୍ତୁତ କରାଯାଏ । ଏହା ବ୍ୟତୀତ ଅନେକ ସଙ୍କର ଜାତୀୟ କିସମ ମଧ୍ୟ ଉଦ୍ଭାବନ ହୋଇଛି । ଏଗୁଡ଼ିକୁ ଭୁବନେଶ୍ଵର ସ୍ଥିତ କାଜୁ ଗବେଷଣା କେନ୍ଦ୍ର ଓ.ୟୁ.ଏ.ଟି ଏବଂ ରାଜ୍ୟ କାଜୁ ଉନ୍ନୟନ ନିଗମକୁ ଉପଲବ୍ଧ ।
ମଞ୍ଜି ଚାରା ଓ କଲମୀ
ମଞ୍ଜିରୁ ଚାରା ପ୍ରସ୍ତୁତି କରି ଲଗାଯାଇପାରେ କିମ୍ବା ଯୋଡ କଲମୀରୁ ପ୍ରସ୍ତୁତ ଗଛ ଲଗାଯାଇ ପାରେ । କଲମୀ ଗଛରୁ ଉନ୍ନତ ମାନବ ଅଧିକ ଫଳ ଅମଳ ହୁଏ । କଲମୀ ଫସଲରେ ଶୀଘ୍ର ଫଳଆସେ । କଲମୀ ଗଛ ଛୋଟ ଆକାର ହୋଇଥିବାରୁ ଅଧିକ ସଂଖ୍ୟକ ଗଛ ଜମିରେ ଲାଗିପାରେ । ଜମିରେ ଅଧିକ ଗଛ ଲଗାଯାଉଥିବାରୁ ଅଧିକ ଅମଳ ମିଳେ ।
ଚାରାରୋପଣ
ପଲିଥିନ୍ ବ୍ୟାଗରେ ଚାରା ଉତ୍ତରାଯାଇ ଚାରା କିମ୍ବା କଲମୀ ଗଛ ୪ – ୫ ମାସ ହେଲେ ଜମିରେ ଲଗାଯାଇଥାଏ । ଜମିରେ କାଜୁ ଫସଲ ପାଇଁ ଆବଶ୍ୟକ ବ୍ୟବଧାନରେ ଗାତଖୋଳି ସେଥିରେ ଖତ ସାର ଓ ମାଟି ପୂରଣ କରି ସିଧା ୨/୩ଟି ଉନ୍ନତ କିସମର ବିହନ ଦିନେ ବା ଦୁଇଦିନ ପାଣିରେ ବତୁରାଇ ଲଗାଗଲେ ଶୀଘ୍ର ଗଛ ବାହାରେ । ପ୍ରତି ଗାତରେ ଗୋଟିଏ ସବଳ ଗଛ ରଖି ଅନ୍ୟ ଗଛ ଗୁଡ଼ିକୁ ଉପାଡି ଦିଆଯାଏ ।
ଗୋଟିଏ ଗୋଟିଏ ପ୍ରାପ୍ତ ବୟସ୍କ ଗଛ ୫୦୦ଗ୍ରା. ଯବକ୍ଷାରଜାନ, (N2 ) ୧୨୫ ଗ୍ରାମ ଫସଫରସ (P2O5) ଏବଂ ୧୨୫ ଗ୍ରା. ପଟାସ (K2O) ଦରକାର କରିଥାଏ । ଗାତ ପ୍ରତି ୫୦ କି.ଗ୍ରା. ଗୋବର ଖତ ଓ ୫ କି.ଗ୍ରା ନିମ୍ବ ପିଡିଆ, ୨୦୦ ଗ୍ରାମ୍ ରକ୍ ଫସଫେଟ ଦିଆଯାଇପାରେ ।
କାଜୁ ଚାରା ଲଗାଯିବାପରେ ପ୍ରଥମରୁ ତାକୁ ସିଧା ବଢାଇବା ପାଇଁ ତଳୁ ବାହାରୁଥିବା ଶାଖା ପ୍ରଶାଖାକୁ କାଟି ବାହାର କରିଦିଆଯାଏ । ସେହିପରି ରୁଗଣ ଅଦରକାରୀ ଡାଳଗୁଡ଼ିକୁ ମଧ୍ୟ କାଟି ବାହାର କରିଦିଆଯାଏ । କାଜୁ ଗଛରେ ୩ ବର୍ଷ ମଧ୍ୟରେ ଫଳ ଆସେ । ଓଡ଼ିଶାରେ ନଭେମ୍ବର ମାସରୁ ଫ୍ରେବୃୟାରୀ ମଧ୍ୟରେ ଫୁଲ ଧରେ । ମାର୍ଚ୍ଚରୁ ମେ ମାସ ମଧ୍ୟରେ ଫଳଗୁଡ଼ିକୁ ଅମଳ କରାଯାଏ । ଫଳ ପାକଳ ହେବାକୁ ପ୍ରାୟ ୬୦ ଦିନ ଲାଗିଯାଏ । ମଞ୍ଜି ଗଛରୁ ହାରାହାରି ୨.୧ କେଜି ମଞ୍ଜି ଅମଳ ମିଳିଥାଏ କିନ୍ତୁ ଉନ୍ନତ ଓ ସଙ୍କର କିସମରେ ଗଛ ପ୍ରତି ୧୦ କିଲୋଗ୍ରାମ ଫଳ ମିଳିଥାଏ ।
ଜମିକୁ କୋଡା ଖୁସା କରି ଗଛ ଚତୁଃପାର୍ଶ୍ଵର ଥିବା ଅନାବନା ଗଛ ସଫାକରି ଜମିକୁ ପରିଷ୍କାର ରଖାଯାଏ । ଏହାଦ୍ୱାରା ମାଟିର ଆର୍ଦ୍ରତା ବେଶିଦିନ ରହେ, ମାଟିର ଉର୍ବରତା ବଢିଥାଏ । ଭଲଭାବେ ଜମିକୁ କମଣ କରି କାଜୁ ବଗିଚା ମଧ୍ୟରେ ପ୍ରଥମ ୨ – ୩ ବର୍ଷ ଅନ୍ତଃଫସଲ କରାଯାଏ । ଅନ୍ତଃ ଫସଲ ରୂପେ ଅଦା, ହଳଦୀ, ଝୁଡୁଙ୍ଗ, କୋଳଥ, ମୁଗ, ବିରି ଓ ଅନ୍ୟାନ୍ୟ ପନିପରିବା ଚାଷ କରାଯାଇଥାଏ ।