Agripedia

ମକା ଫସଲରେ କୀଟ ନିୟନ୍ତ୍ରଣ

ମକା ଫସଲରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରି ମାତ୍ରାଧିକ କ୍ଷତି ପହଞ୍ଚାନ୍ତି । ତେଣୁ ଏହି ଅନିଷ୍ଟକାରୀ କାଣ୍ଡବିନ୍ଧା ପୋକ ଓ ଏହାର ନିୟନ୍ତ୍ରଣ ସମ୍ବନ୍ଧରେ ଆସନ୍ତୁ ସମ୍ୟକ ଜାଣିବା ପ୍ରଜାପତି ଜାତୀୟ ଏହି କୀଟର ପୂର୍ଣ୍ଣାଙ୍ଗ ଅବସ୍ଥାଟିର ଆଗ ଡେ଼ଣା ଦୁଇଟି ନଡ଼ା ରଙ୍ଗ ଓ ଏଥିରେ ବାଦାମୀ ରଙ୍ଗର ଦାଗ ରହିଥାଏ । ପଛ ଡେଣା ଦୁଇଟି ଧଳା ଓ ଦେଖିବାକୁ କାଗଜ ପରି ହୋଇଥାଏ । ଏହି ପୋକର ସଅଁବାଳୁଆ ଅବସ୍ଥାଟି ୨୦-୨୫ ମିଲିମିଟର ଲମ୍ବର ପାଉଁଶିଆ ରଙ୍ଗର ହୋଇଥାଏ ଓ ଏହାର ମୁଣ୍ଡକଳା, ପଛରେ ବାଦାମୀ ରଙ୍ଗ ଗାର ପଡ଼ିଥାଏ ।

24 May, 2021 3:06 PM IST By: Sugyan Kumar Nayak

ମକା ଫସଲରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରି ମାତ୍ରାଧିକ କ୍ଷତି ପହଞ୍ଚାନ୍ତି । ତେଣୁ ଏହି ଅନିଷ୍ଟକାରୀ କାଣ୍ଡବିନ୍ଧା ପୋକ ଓ ଏହାର ନିୟନ୍ତ୍ରଣ ସମ୍ବନ୍ଧରେ ଆସନ୍ତୁ ସମ୍ୟକ ଜାଣିବା ପ୍ରଜାପତି ଜାତୀୟ ଏହି କୀଟର ପୂର୍ଣ୍ଣାଙ୍ଗ ଅବସ୍ଥାଟିର ଆଗ ଡେ଼ଣା ଦୁଇଟି ନଡ଼ା ରଙ୍ଗ ଓ ଏଥିରେ ବାଦାମୀ ରଙ୍ଗର ଦାଗ ରହିଥାଏ । ପଛ ଡେଣା ଦୁଇଟି ଧଳା ଓ ଦେଖିବାକୁ କାଗଜ ପରି ହୋଇଥାଏ । ଏହି ପୋକର ସଅଁବାଳୁଆ ଅବସ୍ଥାଟି ୨୦-୨୫ ମିଲିମିଟର ଲମ୍ବର ପାଉଁଶିଆ ରଙ୍ଗର ହୋଇଥାଏ ଓ ଏହାର ମୁଣ୍ଡକଳା, ପଛରେ ବାଦାମୀ ରଙ୍ଗ ଗାର ପଡ଼ିଥାଏ । ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ମକାଗଛର ପତ୍ରର ଜଳଭାଗରେ ମେଞ୍ଚା ମେଞ୍ଚା କରି (୫୦-୧୦୦) ଅଣ୍ଡା ଦେଇଥାଏ । ଅଣ୍ଡା ଦେବା କାର୍ଯ୍ୟ ମୁଖ୍ୟତଃ ଖରାଦିନେ ଅଧିକ ହୋଇଥାଏ । ୪-୫ ଦିନ ମଧ୍ୟରେ ଅଣ୍ଡା ଗୁଡ଼ିକ ମଧ୍ୟରୁ ଶୁକଗୁଡ଼ିକ ବାହାରି ଥାଆନ୍ତି । ପ୍ରଥମେ ଶୁକଗୁଡ଼ିକ ପତ୍ର ଖାଇବା ସହିତ କାଣ୍ଡରେ କଣା କରି ଦେଇ ଥାଆନ୍ତି । ଏହି କଣା ଭିତରେ ପ୍ରବେଶ କରି କାଣ୍ଡକୁ ଭିତରୁ ଖାଇଥାଆନ୍ତି । ଏହି କୀଟର ପ୍ୟୁପା ଅବସ୍ଥା କାଣ୍ଡ ଭିତରେ ହିଁ ସମ୍ପାଦିତ ଓ ସମ୍ପୂର୍ଣ୍ଣ ହୋଇଥାଏ । ଶେଷ ପର୍ଯ୍ୟାୟ ସଅଁବାଳୁଆଗୁଡ଼ିକ ଫସଲର ଅବଶେଷ ମଧ୍ୟରେ ସୁପ୍ତ ଅବସ୍ଥାରେ ଆଗାମୀ ବସନ୍ତ ପର୍ଯ୍ୟନ୍ତ ରହିପାରନ୍ତି । ଏହି କୀଟଗୁଡ଼ିକ ସଅଁବାଳୁଆ ଅବସ୍ଥା ବା ଶୁକ ଅବସ୍ଥାରେ କାଣ୍ଡର ଭିତର କଣା କରି ଖାଇ ଦେଇଥାନ୍ତି । ଯଦ୍ୱାରା କାଣ୍ଡଟି ସାମାନ୍ୟ ବଳପ୍ରୟୋଗ କଲେ ବାହାରି ଆସେ । ୨୫ରୁ ୫୦ ପ୍ରତିଶତ ମକା ଫସଲ ଏହି କାଣ୍ଡବିନ୍ଧା ପୋକ ଆକ୍ରମଣରେ ନଷ୍ଟ ହେଉଥିବାର ନଜିର ରହିଛି ।

ସମନ୍ୱିତ କୀଟ ନିୟନ୍ତ୍ରଣ:

ସମନ୍ୱିତ କୀଟ ନିୟନ୍ତ୍ରଣର ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ସର୍ବେକ୍ଷଣ । ନିୟମିତ କ୍ଷେତ୍ର ପରିଦର୍ଶନ କରି ଗଛଗୁଡ଼ିକୁ ଭଲଭାବେ ନିରୀକ୍ଷଣ ତଥା କୀଟର ଅଧିକ ସୀମା ଉପରେ ଜ୍ଞାନ ଆହରଣ କରିବା ନିତାନ୍ତ ଜରୁରୀ । ପ୍ରତ୍ୟେକ କୀଟର ଗୋଟିଏ ଗୋଟିଏ ସୀମା ରହିଥାଏ । ଅର୍ଥାତ ସେହି କୀଟ ଫସଲର ଏକ ନିର୍ଦ୍ଧିଷ୍ଟ ମାତ୍ରାରେ ଦେଖାଦେଲେ ଏହାକୁ ଅନିଷ୍ଟକାରୀର ଆଖ୍ୟା ଦିଆଯାଇଥାଏ । ଏହି କୀଟ ଆକ୍ରମଣ ଦ୍ୱାରା କେତୋଟି ଗଛର କାଣ୍ଡ ବା ଫଳର କ୍ଷତି ହୋଇଛି ଏହାକୁ ଲକ୍ଷ୍ୟ କରାଯାଏ । ଅଣରସାୟନିକ ନିୟନ୍ତ୍ରଣ ପ୍ରମୁଖ ଦିଗସ୍ୱରୁପ ଖରାଟିଆ ଚାଷ । ଏହାଦ୍ୱାରା ମାଟିତଳେ ଥିବା କୀଟର ବିଭିନ୍ନ ଅବସ୍ଥା ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯାଏ । ଏହା ବ୍ୟତୀତ ମକାକୁ ମୁଖ୍ୟ ଫସଲ ଭାବେ ନେଇ ଅନ୍ତଃଚାଷ ରୂପେ ଡାଲି ଜାତୀୟ ଫସଲକୁ ଚାଷ କଲେ କୀଟ ଆକ୍ରମଣକୁ ପ୍ରତିହିତ କରାଯାଇପାରେ । ମକା, ସହିତ ସୋୟାବିନ୍ ବା ଝୁଡ଼ଙ୍ଗ, ମୁଗକୁ ଅନ୍ତଃଫସଲ ଭାବେ ହେବାର ନଜିର ରହିଛି । ଧାଡ଼ିକୁ ଧାଡ଼ି ଓ ପଛକୁ ଗଛ ଉପଯୁକ୍ତ ବ୍ୟବଧାନ ରକ୍ଷା କରିବା ଉଚିତ୍ । ସନ୍ତୁଳିତ ପୋଷକ ପ୍ରୟୋଗ ବା ସାର ପ୍ରୟୋଗ କରିବା ଜରୁରୀ । ଅଣରସାୟନିକ ନିୟନ୍ତ୍ରଣର ଅନ୍ୟ ଏକ ଦିଗ ହେଲା ସହଣୀ ଶକ୍ତିଥିବା ମକା କିସମ ଚାଷ । ଏହି ଅନିଷ୍ଟକାରୀ କୀଟ ଆକ୍ରମଣକୁ ସହି ପାରୁଥିବା ମକା କିସମ ଯଥା- ପୁଷା କମ୍ପୋଜିଟ୍-୩, ପୁଷା କମ୍ପୋଜିଟ୍-୪, ଅମର, ଆଜାଦ, କମଲ ଇତ୍ୟାଦିକୁ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଚାଷ କରିବା ଉଚିତ୍ l 

ମୁଖ୍ୟ ଫସଲ କିଆରୀରେ ଥିବା ଅନାବନା ଘାସ ତଥା ଅନ୍ୟାନ୍ୟ ଗଛକୁ ଉପାଡ଼ି ଦେବା ଉଚିତ୍ । କାରଣ ଏଗୁଡ଼ିକ ଏହି କାଣ୍ଡବିନ୍ଧା ପୋକର ପୋଷକ ଗଛ ଭାବେ କାର୍ଯ୍ୟକରେ ଏବଂ ସେମାନଙ୍କ ବଂଶକୁ ବହୁଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣକାରଣ ଏହା ମଧ୍ୟରେ ସୁପ୍ତ ଅବସ୍ଥାରେ ଥିବା କୀଟ ନଷ୍ଟ ହୋଇଯାଏ । ଅନୁସନ୍ଧାନରୁ ଜଣାଯାଇଛି ଯେ ମକାଫସଲ ପାଖରେ ସୂର୍ଯ୍ୟମୁଖୀ ବା ଗାଜର ଇତ୍ୟାଦି ଗଛ ଥିଲେ ଏହା କୀଟମାନଙ୍କ ପ୍ରାକୃତିକ ଶତୃମାନଙ୍କର ବଂଶବିସ୍ତାର କରିବାରେ ସାହାଯ୍ୟ କରେ । ଅଣରସାୟନିକ ନିୟନ୍ତ୍ରଣର ଆଉ ଏକ ପ୍ରମୁଖ ଉପାଦାନ ସ୍ୱରୁପ ନିମ୍ବତେଲ ସିଞ୍ଚନ, ମାଟିରେ ନିମ୍ବ ପିଡ଼ିଆ ପ୍ରୟୋଗ ବା ଏନ୍.ଏସ୍ କେଇ (ନିମ୍ନ ମଞ୍ଜିରୁ ଜାତ ଉତ୍ପାଦ) ଶତକଡ଼ା ୫ ପ୍ରତିଶତ ପ୍ରୟୋଗ କଲେ ସୁଫଳ ମିଳିଥାଏ ।

ରସାୟନିକ ପଦ୍ଧତିରେ ନିୟନ୍ତ୍ରଣ

ଉପରୋକ୍ତ ନିୟନ୍ତ୍ରଣ ପଦ୍ଧତିରେ ଯଦି କୀଟ ଆକ୍ରମଣ ପ୍ରତିହିତ ନହୁଏ ଏବଂ କୀଟର ସୀମା ଉଲଙ୍ଘନ କରେ, ତେବେ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ରସାୟନିକ ପ୍ରୟୋଗ କରନ୍ତୁ l ସେଗୁଡ଼ିକ ହେଉଛି, ଫେନ୍ହାଲରେଟ୍ ୨୦ ଇସି, ୧୦୦ ମିଲି/ହେକ୍ଟର, ଫେନିଟ୍ରୋଥିଅନ୍ ୫୦ ଇସି, ୪୪୦ ମି.ଲି/ହେକ୍ଟର, କାର୍ବାରିଲ ୫୦ ଡବ୍ଲୁ.ପି ୨୫୦ ଗ୍ରା / ହେକ୍ଟର, କାର୍ବୋଫୁରାନ୍ ଶତକଡ଼ା ୩ ପ୍ରତିଶତ ଗୁଣ୍ଡ ଗଛର ଉପର ଅଂଶରେ ପ୍ରୟୋଗ କରିବା ଉଚିତ୍ ।

ମକା ଚାଷୀମାନେ ଉପରୋକ୍ତ ପ୍ରଣାଳୀରେ ଚାଷ କରିଲେ ନିଶ୍ଚିତ ଭାବରେ ସୁଫଳ ପାଇପାରିବେ ଏବଂ ସେମାନଙ୍କର ଫସଲ ହାନୀରେ ହ୍ରାସ ଘଟିବ l