ତେଲ ପାଇବା ପାଇଁ ମୁଖ୍ୟତ ସୂର୍ଯ୍ୟମୁଖୀ ଚାଷ କରାଯାଏ । ଏହାର ତେଲ ରଙ୍ଗରେ ହାଲୁକା ଏବଂ ଖାଇବା ସ୍ୱାଦିଷ୍ଟ । ସୂର୍ଯ୍ୟମୁଖୀ ତେଲରେ ଲିନୋଲିକ୍ ଏସିଡ୍ ଭରପୂର ଅଟେ, ଯାହା ହୃଦରୋଗରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ଅଟେ । ଏହାକୁ ଚାଷ କରୁଥିବା କୃଷକମାନେ ଅଳ୍ପ ସମୟ ମଧ୍ୟରେ ଭଲ ଲାଭ କରିପାରିବେ । ସୂର୍ଯ୍ୟମୁଖୀ ଚାଷ କରିବା ପୂର୍ବରୁ ଏହାର କେତେକ ପ୍ରମୁଖ କିସମ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବକାଳରେ ବଗିଚାର ଶୋଭାବର୍ଦ୍ଧନ ପାଇଁ ଆଳଙ୍କାରିକ ବୃକ୍ଷ ଭାବେ ସୂର୍ଯ୍ୟମୁଖୀକୁ ବ୍ୟବହାର କରାଯାଉଥିଲା ।
ସୂର୍ଯ୍ୟମୁଖୀ ଭାରତବର୍ଷର ମୁଖ୍ୟ ତୈଳବୀଜ ଭାବରେ ଚତୁର୍ଥସ୍ଥାନ ଅଧିକାର କରିଛି । ଏହି ତେଲରେ ଭିଟାମିନ ଏ, ଡି ଏବଂ ଇ ରହିଥାଏ । ମଧୁମେହ ଏବଂ ହୃଦରୋଗୀମାନଙ୍କ ପାଇଁ ଏହି ତେଲର ଚାହିଦା ଅଧିକ । ଏହାର ପିଡ଼ିଆକୁ ଗୋଖାଦ୍ୟ, କୁକୁଡା ଖାଦ୍ୟ ଏବଂ ସାର ରୂପେ ବ୍ୟବହାର କରାଯାଇଥାଏ । ସୂର୍ଯ୍ୟମୁଖୀ ଚାଷ କରାଯାଉଥିବା ଜମିରେ ମହୁ ବାକ୍ସ ରଖିଲେ ଅମଳ ୩୦ -୪୦ ପ୍ରତିଶତ ବୃଦ୍ଧିପାଏ ।
ସୂର୍ଯ୍ୟମୁଖୀ ତେଲକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି, ସାବୁନ୍ ଇତ୍ୟାଦି ତିଆରି କରିବାପାଇଁ ବ୍ୟବହାର କରାଯାଇଥାଏ । ତୈଳବୀଜ ଫସଲ ହିସାବରେ ସୂର୍ଯ୍ୟମୁଖୀର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ସୂର୍ଯ୍ୟମୁଖୀ ତେଲରେ କୋଲେଷ୍ଟେରୋଲର ପରିମାଣ କମ ଥିବାରୁ ଏହାର ଚାହିଦା ମଧ୍ୟ ଅଧିକ ।
ଜଳବାୟୁ: ମଞ୍ଜିରୁ ଗଜା ହେବା ଓ ଚାରା ଗଛ ବଢିବା ସମୟରେ ଏହି ଫସଲ ସାଧାରଣତଃ ଥଣ୍ଡା ଜଳବାୟୁ ଆବଶ୍ୟକ କରେ । ଶୀତ ଦିନିଆ ସୂର୍ଯ୍ୟମୁଖୀ ଚାଷ କରୁଥିଲେ, ଅକ୍ଟୋବର ମଧ୍ୟ ଭାଗରୁ ନଭେମ୍ବର ମଧ୍ୟ ଭାଗ ସୁଦ୍ଧା ବୁଣା କାମ ଶେଷ କରନ୍ତୁ। ଖରାଟିଆ ଚାଷ ପାଇଁ ଜାନୁଆରୀ ଦ୍ଵିତୀୟ ସପ୍ତାହ ସୁଦ୍ଧା ବିହନ ବୁଣିଦେବା ଭଲ ।
ଖାଦ୍ୟସାର ପରିଚାଳନା: ବିହନ ବୁଣିବା ପୂର୍ବରୁ ହେକ୍ଟର ପ୍ରତି ୧୦ ଟନ୍ ହିସାବରେ ଶଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ ।
ମୃତ୍ତିକା: ସୂର୍ଯ୍ୟମୁଖୀ ଫସଲଉଭୟ ହାଲୁକା ନିଗିଡ଼ା ଏବଂ ମଟାଳ ମାଟିରେ ଚାଷ କରାଯାଇଥାଏ ।
ଅମଳ: ଫୁଲ ପାକଳ ହେଲେ ଗଛରୁ ପତ୍ର ଶୁଖି ଝଡ଼ିପଡ଼େ, ଏବଂ ଫୁଲର ପଛପାଖ ହଳଦିଆ ପଡ଼ିଯାଏ । ଫୁଲର ମଧ୍ୟଭାଗରେ ଥିବା ମଞ୍ଜି ସବୁ ଗାଢ଼ ବାଦାମୀ ରଙ୍ଗ ହେଲେ ଫୁଲଗୁଡ଼ିକୁ ଦା’ରେ କାଟି ଆଣି ଚଟାଣରେ ଉପରକୁ ମୁହଁକରି ୪-୫ ଦିନ ଶୁଖାଇବା ପରେ ଠେଙ୍ଗାରେ ବାଡ଼େଇ ଅମଳ କରାଯାଏ ।
ଜମି ପ୍ରସ୍ତୁତି : ବୁଣିବା ପୂର୍ବରୁ ମାଟି ଭଲ ଭାବେ ବର୍ଷା ଜଳ କିମ୍ବା ଜଳସେଚନ ଦ୍ଵାରା ପାଣି ଟାଣିଥିଲେ ଆର୍ଦ୍ରତା ବଜାୟ ରହିଥାଏ । ଜମିରେ ବୁଣିବା ସ୍ତର ଠାରୁ ୧୦ ସେ.ମି. ଗଭୀର ଯାଏ ବତର ରହିବା ଭଲ ।
ରୋଗ ପୋକ ପରିଚାଳନା : ଉକୁଣିଆ ପୋକ, ପତ୍ର ଡିଆଁ ପୋକ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୦.୩ ମି.ଲି. ଇମିଡାକ୍ଲୋପ୍ରିଡ ୧୭.୮% ଏସ.ଏଲ. ମିଶାଇ ସ୍ପ୍ରେ କରନ୍ତୁ ।
ଯତ୍ନ : ବୁଣିବାର ୨୦ ଏବଂ ୪୦ ଦିନରେ କୋଡ଼ାଖେସା କରି ଏବଂ ଅନାବନା ଗଛ ସଫା କରି ଗଛ ମୂଳକୁ ମାଟି ଟେକିଦିଆଯାଏ ।