Agripedia

ଜାଣନ୍ତୁ ବେଲ ଚାଷ କରି କିପରି ହୋଇପାରିବେ ଧନୀ....

ବେଲ ଫଳ(Indian Bael) ଏକ ଜଣାଶୁଣା ଓ ଉତ୍କୃଷ୍ଟ ଫଳ ଭାବେ ସାରା ଭାରତରେ ପରିଚିତ । ଭାରତରେ ଏମିତି ଗ୍ରାମ ନାହିଁ ଯେଉଁଠି ବେଲ ଗଛ ନାହିଁ । ଏହା ମହାଦେବଙ୍କର ଅତି ପ୍ରିୟ ଗଛ । ତେଣୁ ଶିବ ମନ୍ଦିର ବେଢାରେ ନିଶ୍ଚୟ ବେଲ ଗଛଟି ଥିବ । ଏହି ଗଛର ପତ୍ର ପୂଜାରେ ବ୍ୟବହୃତ ହୁଏ । ଏହାର ଔଷଧୀୟ ଗୁଣ ପାଇଁ ମଧ୍ୟ ଏହା ପରିଚିତ । ତୁଳସୀ ପରେ ବେଲର ଫଳ,ଫୁଲ ଓ ପତ୍ର ମହୌଷଧି କହିଲେ ଚଳିବ । ପାଚିଲା ଫଳ ଟନିକ, ସ୍ଵାସ୍ଥ୍ୟରେ ଉନ୍ନତି, କୋଷ୍ଠ ସଫାକରେ ଏବଂ ମୁଣ୍ଡ ଓ ପେଟକୁ ଥଣ୍ଡା କରେ ।

26 January, 2023 2:29 PM IST By: Priyambada Rana

ବେଲ ଫଳ(Indian Bael) ଏକ ଜଣାଶୁଣା ଓ ଉତ୍କୃଷ୍ଟ ଫଳ ଭାବେ ସାରା ଭାରତରେ ପରିଚିତ । ଭାରତରେ ଏମିତି ଗ୍ରାମ ନାହିଁ ଯେଉଁଠି ବେଲ ଗଛ ନାହିଁ । ଏହା ମହାଦେବଙ୍କର ଅତି ପ୍ରିୟ ଗଛ । ତେଣୁ ଶିବ ମନ୍ଦିର ବେଢାରେ ନିଶ୍ଚୟ ବେଲ ଗଛଟି ଥିବ । ଏହି ଗଛର ପତ୍ର ପୂଜାରେ ବ୍ୟବହୃତ ହୁଏ । ଏହାର ଔଷଧୀୟ ଗୁଣ ପାଇଁ ମଧ୍ୟ ଏହା ପରିଚିତ । ତୁଳସୀ ପରେ ବେଲର ଫଳ,ଫୁଲ ଓ ପତ୍ର ମହୌଷଧି କହିଲେ ଚଳିବ । ପାଚିଲା ଫଳ ଟନିକ, ସ୍ଵାସ୍ଥ୍ୟରେ ଉନ୍ନତି, କୋଷ୍ଠ ସଫାକରେ ଏବଂ ମୁଣ୍ଡ ଓ ପେଟକୁ ଥଣ୍ଡା କରେ ।

ଜଳବାୟୁ:

ଗ୍ରୀଷ୍ମ ଓ ସମଶୀତୋଷ୍ମ ମଣ୍ଡଳୀୟ ଫଳ । ଓଡିଶାର ଅଧିକାଂଶ ଯାଗାରେ ଏ ଗଛ ଦେଖାଯାଏ । ସମୁଦ୍ରପତ୍ତନ ଠାରୁ ୧୨୦୦ ମିଟର ଉଚ୍ଚତା ଯାଗା ପର୍ଯ୍ୟନ୍ତ ଏହାର ଚାଷ କରାଯାଇ ପାରିବ । ବେଲ ଗଛ ଅତିଶୟ ଥଣ୍ଡା ମଧ୍ୟ ସମ୍ଭାଳିପାରେ । ୦ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପରେ ମଧ୍ୟ ଗଛର କିଛି କ୍ଷତି ହୁଏନି ।

ମୃତ୍ତିକା:

ବେଲ ସବୁପ୍ରକାର ମାଟିରେ ବଢେ । ଏପରିକି ପଥୁରିଆ ଚିକିଟା ଓ ସନ୍ତସନ୍ତିଆ ମାଟିରେ ମଧ୍ୟ ଏଗଛ ବଢିପାରେ । ମାଟିର ଅମ୍ଳତା ୫ ରୁ ୧୦ ଭିତରେ ଏହାର ଚାଷ କରାଯାଇପାରେ । ଯେଉଁ ମାଟିରେ ଅନ୍ୟ କୌଣସି ଫଳାଗଛ ଭଲ ହୁଏନି ସେ ଜମିରେ ବେଲ ଚାଷ କରାଯାଇପାରେ।

କିସମ:

ବେଲର ସେପରି ଉନ୍ନତ କିସମ ବାହାରି ତା’ର ବଂଶବିସ୍ତାର କରିବା ଦିଗରେ ବୈଜ୍ଞାନିକମାନେ ଚେଷ୍ଟା କରିନାହାନ୍ତି । ତେବେ ଗଛ ଗଛ ଭିତରେ ବିଭିନ୍ନ ପ୍ରକାରର ବେଲ ହୁଏ । କିଏ ଲାମ୍ବା ତ କିଏ ଗୋଲ । କାହାର ମଞ୍ଜି କମ ତ କାହାର ଶସ ବେଶି । ଉତ୍ତରପ୍ରଦେଶରେ ୭କିସମର ବେଲ ବାଛିଛନ୍ତି । ସେଗୁଡିକ ହେଲା- ମିର୍ଜାପୁରୀ,କାଘଜିଗଣ୍ଡା, ଦାରୋଗାଜି,ଓଝା,ରାମପୁରୀ, ଆଜମତି,ଖମାରିଆ । ଏହି ୭କିସମ ଭିତରେ ମିର୍ଜାପୁରୀ,କାଘଜିଗଣ୍ଡା ସବୁଠାରୁ ଭଲ କିସମ । ଏବେ ଦୁଇ କିସମର ବେଲ ବଛାଯାଇଛି, ତା’ହେଲା ନରେନ୍ଦ୍ରବେଲ-୧ (ଲମ୍ବାଳିଆ) ଓ ନରେନ୍ଦ୍ରବେଲ-୨(ଗୋଲ), ଯାହାକି ସବୁଠାରୁ ଉତ୍କୃଷ୍ଟ ବେଲ ବୋଲି ଗଣାଯାଏ ।

ବଂଶବିସ୍ତାର:

ସାଧାରଣତଃ ମଞ୍ଜିରୁ ହୁଏ । କିନ୍ତୁ ମଞ୍ଜିରୁ ଯେଉଁ ଗଛ ହୁଏ ତା ଅଧିକାଂଶ ସମୟ ମା ଗଛ ଭଳି ହୁଏନି । ତେଣୁ ମା ଗଛର ଗୁଣ ଆଣିବା ପାଇଁ ଚେରରୁ ବାହାରୁଥିବା ଗଛ ବା ପ୍ୟାଚ ବଡିଙ୍ଗ ଦ୍ଵାରା ବେଲର ବଂଶବିସ୍ତାର କରାଯାଇପାରିବ । ସାଧାରଣତଃ ଜୁନ-ଜୁଲାଇ ମାସରେ ବେଲ କଲମୀ କଲେ ଭଲ ହୁଏ ।

ରୋପଣ:

୬ରୁ ୭ମିଟର ବ୍ୟବଧାନରେ ବେଲ ଗଛ ଲଗାଯାଏ । ଗଛ ଲଗାଇବା ପାଇଁ ୬୦ସେମିରେ ୬୦ସେମି ଓ ୬୦ ସେମି ଗଭୀରରେ ଗାତ କରାଯାଏ । ପ୍ରତି ଗାତରେ ଝୁଡିଏ ଝୁଡିଏ ଖତ ସହ ଏକ କେଜି ଜୈବିକ ସାର ଦେଇ ବର୍ଷିକିଆ ବା ୨ବର୍ଷିଆ ବେଲ ଗଛ ଲଗାଯାଏ । ବର୍ଷା ଆରମ୍ଭରେ ବେଲ ଗଛ ଲଗାଇବାରେ ସବୁଠୁ ଭଲ ।

ଖତ ସାର:

ସାଧାରଣତଃ ବେଲ ଗଛରେ କେହି ଖତସାର ଦିଅନ୍ତିନି । ତେବେ ବର୍ଷା ଆରମ୍ଭରେ ୨/୩ ଟୋକେଇ ଖତସାର ଏକ କେଜି ଜୈବିକସାର ଦେଲେ ଗଛରେ ଭଲ ପତ୍ର ଫୁଲ ଆସି ଫଳ ଆସେ। ବର୍ଷିକିଆ ଗଛ ପିଛା ୫୦ଗ୍ରାମ ଯବକ୍ଷାରଜା, ୨୫ଗ୍ରାମ ଫସଫରସ ଓ ୨୫ଗ୍ରାମ ପଟାସ ଦେଇ ପ୍ରତିବର୍ଷ ସେହି ପରିମାଣ ବଢାଇ ପାଞ୍ଚବର୍ଷ ପର୍ଯ୍ୟନ୍ତ ଦେଲେ ଭଲ ଫଳ ଅମଳ ମିଳେ ।

ଜଳସେଚନ:

ଗଛଥରେ ଭଲଭାବରେ ବଞ୍ଚିଗଲାପରେ ଆଉ ଜଳସେଚନ ଦର୍କାର କରେନି । ତେଣୁ ପ୍ରଥମ ବର୍ଷେ,୨ ବର୍ଷ ଦରକାର ଅନୁଯାୟୀ ଜଳସେଚନ କରିବ ।

କାଟଛାଣ୍ଟ:

ବେଲଗଛ କାଟଛାଣ୍ଟ ଦର୍କାର କରେନି । ତେବେ ମଲା ଶୁଖିଲା ଡାଳକୁ ମଝିରେ ମଝିରେ କାଟିଦେବା ଉଚିତ ।

ରୋଗ ପୋକ:

ବେଲରେ ସେପରି ବିଶେଷ ରୋଗ ଓ ପୋକ ନାହିଁ । ତେବେ ବେଳେ ବେଳେ ବାକ୍ଟେରିଆସଟ-ହୋଲ ଓ ଫଳରେ କାଙ୍କର ରୋଗ ଦେଖାଯାଏ । ପ୍ଲାଣ୍ଟୋମାଇସିନ ଓ ବୋର୍ଡୋ ମିକଶ୍ଚର ସ୍ପ୍ରେ କଲେ ରୋଗ ଭଲ ହୁଏ ।

ଅମଳ:

ମଞ୍ଜିରୁ ହେଉଥିବା ଗଛରେ ୭/୮ ବର୍ଷପରେ ଓ କଲମୀ ଗଛରେ ୪/୫ ବର୍ଷପରେ ଫଳ ଆସେ । ଗୋଟିଏ ଗଛରୁ ହାରାହାରି ୨୦୦ ରୁ ୪୦୦ ପର୍ଯ୍ୟନ୍ତ ଫଳ ଆସେ । ହେକ୍ଟର ପିଛା ଆୟ ଟ ୨୦,୦୦୦ ।

ମଟରର ପ୍ରାରମ୍ଭିକ ଫସଲ ମାତ୍ର 50 ଦିନ ମଧ୍ୟରେ ପ୍ରସ୍ତୁତ, ଆପଣଙ୍କୁ ଦେବ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)