ବର୍ତ୍ତମାନର କୃଷିକାର୍ଯ୍ୟ ମୁଖ୍ୟତଃ ଆଧୁନିକ ତଥା ଉନ୍ନତ ମୋଟରଚାଳିତ ଜଳସେଚନ ପଦ୍ଧତିଗୁଡ଼ିକ ଉପରେ ନିର୍ଭର କରୁଛି l ଏଥିରେ ବୋରୱେଲ, ହାଣ୍ଡ ପମ୍ପ, ମୋଟର ପମ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ l କିନ୍ତୁ କିଛି ବର୍ଷ ପଛକୁ ଫେରିଲେ, ଆମେ ଜାଣିବାକୁ ପାଇପାରିବା ଯେ ସମସ୍ତ କୃଷିକାର୍ଯ୍ୟକୁ ପାରମ୍ପରିକ ପ୍ରଣାଳୀରେ ଜଳସେଚନ କରାଯାଉଥିଲା l ସମୟ କ୍ରମେ ସେହି ସବୁ ପଦ୍ଧତି ଏବଂ ସେଥିରେ ବ୍ୟବହୃତ ସାମଗ୍ରୀ ଆଜି ବିଲୁପ୍ତ ହୋଇଯାଇଛି l ପାରମ୍ପରିକ ଜଳସେଚନ ପଦ୍ଧତିଗୁଡ଼ିକରେ ସମୟ ଏବଂ ଶ୍ରମର ଅଧିକ ଖର୍ଚ୍ଚ ହେଉଥିଲା l ଆସନ୍ତୁ ଆଜି ଏଠାରେ ସେହି ବିଷୟରେ କିଛି ଆଲୋଚନା କରିବା l ବୃଷ୍ଟି ଜଳର କିଛି ଅଂଶ ମୃତ୍ତିକା ଭେଦକରି ମୃତ୍ତିକା ତଳେ ଥିବା ଜଳସ୍ତର ସହିତ ମିଶିଯାଏ । ଏହି ଜଳକୁ ଭୂନିମ୍ନ ଜଳ କୁହାଯାଏ । ଏହି ଜଳକୁ ମାଟି ଉପରକୁ ଉଠାଇ ସେଚନ ଲାଗି ବ୍ୟବହାର କରାଯାଇପାରେ । ମାଟିତଳୁ ଏହି ଜଳକୁ ବିଭିନ୍ନ ଉପାୟରେ ଉପରକୁ ଉଠାଇ ସେଚନ କରାଯାଉଥିବାରୁ ଏହାକୁ ଉଠାଜଳସେଚନ କହନ୍ତି । ଭୂନିମ୍ନ ଜଳସ୍ତରର ପତ୍ତନ ଅନୁସାରେ ସ୍ଥାନେ ସ୍ଥାନେ ଗଭୀର ନଳକୂପ, ଅଗଭୀର ନଳକୂପ, ସାଧା କୂପ ଓ ବଡ ବଡ କୂଅ ଖୋଳି ଜଳ ଉତ୍ତୋଳନ କରାଯାଏ । ଏପରି ଜଳସେଚନ ମଧ୍ୟ ଉଠାଜଳସେଚନର ଅନ୍ତର୍ଗତ । ଜଳର ଉତ୍ସ, ଉତ୍ତୋଳନ କରାଯାଉଥିବା ଜଳର ପରିମାଣ, ଜଳର ଗଭୀରତା, ମିଳୁଥିବା ଶକ୍ତିର ପ୍ରକାର ଓ ପରିମାଣ ଏବଂ ଚାଷୀର ଆର୍ଥିକ ଅବସ୍ଥା ଅନୁସାରେ ବିଭିନ୍ନ ପ୍ରକାର ଜଳ ଉତ୍ତୋଳନ ଯନ୍ତ୍ର ବ୍ୟବହାର କରାଯାଏ ।
ସେଣା
ଏହା ଏକ ଅତି ପୁରାତନ ଜଳ ଉତ୍ତୋଳନ ଯନ୍ତ୍ର । ଏହା ବାଉଁଶ ପାତିଆରେ ବୁଣା ଯାଇଥାଏ । ଏହାର ଆଗ ପଟ ମେଲା ଓ ଓସାରିଆ ଏବଂ ପଛପଟ ଗୋଜିଆ ଓ ବନ୍ଦ । ତେଲଟିଣକୁ କାଟି ମଧ୍ୟ ସେଣା ତିଆରି କରାଯାଇଥାଏ । ସେଣାର ଦୁଇ ପାର୍ଶ୍ଵରେ ଦୁଇଖଣ୍ଡ ଲେଖାଏଁ ଦଉଡି ବନ୍ଧାଯାଇଥାଏ । ପାଣି ନାଳର ଦୁଇପଟେ ଦୁଇଜଣ ଲୋକ ସାମନା ସାମନି ଛିଡା ହୋଇ ସେଣାର ଦଉଡିକୁ ହାତରେ ଧରି ସେଣାକୁ ଝୁଲାଇ ପାଣି ଭରି କରନ୍ତି ଏବଂ ଉପରକୁ ଉଠାଇ କିଆରୀ ବା ନଳୀକୁ ପାଣି ଛାଡନ୍ତି । ସେଣା ଦ୍ଵାରା ୦.୮ରୁ ୧.୫ ମିଟର ଗଭୀରତାରୁ ପାଣି ଉଠାଯାଏ । ଅନେକ ସମୟରେ ଦୋହରା ସେଣା ବ୍ୟବହାର କରି ମଧ୍ୟ ଜଳ ଉତ୍ତୋଳନ କରାଯାଏ । ସେଣାରେ ଥରକୁ ୮ରୁ ୧୨ ଲିଟର ଏବଂ ଘଣ୍ଟାକୁ ୧,୪୦୦ -୪,୮୦୦ ଲିଟର ପାଣି ଉଠେ ।
ସୋଢୁଅ
ଏହା କାଠରେ ତିଆରି ଖଣ୍ଡେ ଲମ୍ବ ଅଳ୍ପ ଚଉଡା କାଠକୁ ଖୋଳାଯାଇ ପ୍ରାୟ ୧୫ ସେ.ମି. ଗଭୀର କରି ସୋଢୁଅ ତିଆରି କରାଯାଏ । ସୋଢୁଅର ଆଗପଟ ମେଲା ଓ ଓସାରିଆ ଏବଂ ପଛପଟ ଗୋଜିଆ ଓ ବନ୍ଦ । ସୋଢୁଅରେ ଗୋଟିଏ ଦଉଡି ଲାଗିଥାଏ । ଗୋଟିଏ ହାତରେ ଦଉଡି ଓ ଅନ୍ୟ ହାତରେ ସୋଢୁଅର ବେଣ୍ଟକୁ ଧରି ଗୋଟିଏ ଜାଗାରୁ ପାଣି ସୋଢୁଅରେ ଭରି କରି ଅନ୍ୟ ଜାଗାକୁ ଛାଟି ଦିଆଯାଏ । ଫସଲ ବୁଣା ପରେ ଗଜା ହେବା ପାଇଁ ପାଣି ନମଡାଇ ଅନେକ ସମୟରେ ଛୋଟ ଛୋଟ ନାଳୀରେ ପାଣି କିଆରୀ ଭିତରକୁ ନେଇ ସୋଢୁଅ ଦ୍ଵାରା ଛଟାଯାଏ । ଏହାଦ୍ଵାରା ୧୦ – ୧୫ ସେଣ୍ଟିମିଟର ଗଭୀର ଖାଲରୁ ୬-୭ ମିଟର ଦୂରତା ପର୍ଯ୍ୟନ୍ତ ପାଣି ଛଟା ଯାଇପାରେ ।
ତେଣ୍ଡା
କୂପ, ପୁଷ୍କରିଣୀ ନଦୀ ତଥା କେନାଲରୁ ତେଣ୍ଡା ସାହାଯ୍ୟରେ ପାଣି ଉଠାଯାଏ । ତେଣ୍ଡା ତିଆରି କରିବା ପାଇଁ ଭୂମି ଉପରେ ଗୋଟିଏ କେନା ଥିବା ବା କେନା କରାଯାଇଥିବା ଖୁଣ୍ଟ ପୋତାଯାଏ । ଖୁଣ୍ଟ ଉପରେ ତେଣ୍ଡା ବାହାଲ ରଖାଯାଏ । ବାହାଲର ଜମି ପଟକୁ ଥିବା ମୁଣ୍ଡରେ କାଠ ବା ପଥର ବାନ୍ଧି ଓଜନିଆ କରାଯାଏ । ଅନ୍ୟ ମୁଣ୍ଡରେ ପାଣି ଉଠାଇବା ପାଇଁ ତେଣ୍ଡା ବାଉଁଶ ବନ୍ଧାଯାଏ । ବାଉଁଶ ଅଗରେ ଟିଣ ବା ବାଲଟି ବନ୍ଧାଯାଏ । ତେଣ୍ଡା ବାଉଁଶକୁ ତଳ ଉପର କରି ଜଳାଶୟରୁ ପାଣି ଉଠାଯାଏ । ଗାଁ ଗହଳିରେ ଏହାକୁ ତେଣ୍ଡା ସଜ କୁହାଯାଏ l ତେଣ୍ଡା ଦ୍ଵାରା ୫-୬ ମିଟର ଗଭୀରରୁ ଜଳ ଉତ୍ତୋଳନ କରାଯାଇପାରେ । ଟିଣ ବା ବାଲଟିର ଆୟତନ ଅନୁସାରେ ତେଣ୍ଡା ଦ୍ଵାରା ଥରକେ ୧୦-୨୫ ଲିଟର ଓ ଘଣ୍ଟାକୁ ୬,୦୦୦-୧୦,୦୦୦ ଲିଟର ପାଣି ପଠାଯାଏ ।
ଯନ୍ତ
ଏହା କାଠ ନିର୍ମିତ ଡଙ୍ଗା ସଦୃଶ ଏକ ଲମ୍ବ ନାଳିଆ ପାତ୍ର । ଏହାର ଗୋଟିଏ ମୁଣ୍ଡ ଖୋଲା ଓ ଅନ୍ୟ ମୁଣ୍ଡଟି ବନ୍ଦ। ଖୋଲା ମୁଣ୍ଡଟି ବିଲ ଆଡକୁ ଓ ବନ୍ଦ ମୁଣ୍ଡଟି ଜଳାଶୟ ଆଡକୁ ଥାଏ । ଜଳାଶୟ ନିକଟରେ ଗୋଟିଏ ଖୁଣ୍ଟ ପୋତାଯାଏ ଏବଂ ଏହା ଉପରେ ଗୋଟିଏ ବାଉଁଶ ଗୋଟିଏ ଲମ୍ବ ବାହାଲ ରଖାଯାଏ ବାହାଲର ଜମିପଟିକୁ ଥିବା ଅଂଶଟି କମ୍ ଲମ୍ବ ରଖାଯାଏ ଏବଂ ତା’ର ମୁଣ୍ଡରେ ଓଜନିଆ ଜିନିଷ ବାନ୍ଧି ଦିଆଯାଏ । ଅନ୍ୟ ମୁଣ୍ଡଟିକୁ ଦଉଡି ସାହାଯ୍ୟରେ ଯନ୍ତର ମୁଦା ମୁଣ୍ଡ ସହିତ ସଂଯୁକ୍ତ କରାଯାଏ । ଜଣେ ଲୋକ ଜଳାଶୟ ପାଖରେ ଠିଆ ହୋଇ ଯନ୍ତର ମୁଦା ମଙ୍ଗଟିକୁ ଗୋଡରେ ପାଣି ଭିତରକୁ ଦାବି ଦିଏ ଏବଂ ଯନ୍ତରେ ପାଣି ଭର୍ତ୍ତି ହୋଇଗଲେ ଦଉଡି ସାହାଯ୍ୟରେ ମୁଦା ମଙ୍ଗଟିକୁ ଉପରକୁ ଟେକି ଦିଏ ଫଳରେ ପାଣି ଜମି ଉପରକୁ ଅଜାଡି ହୋଇଯାଏ । ଏହିପରି ବାରମ୍ବାର ତଳ ଉପର କରି ଜମିକୁ ପାଣି ମଡାଯାଏ । ଅନେକ ଜାଗାରେ ତାଳ ଓ ନଡିଆ ଗଛର ଗଣ୍ଡିକୁ ଖୋଳି ଯନ୍ତ ତିଆରି କରାଯାଏ । ଯନ୍ତଦ୍ଵାରା ୦.୬ ରୁ ୦.୯ ମିଟର ଗଭୀରତାର ପାଣି ଉଠାଯାଏ ଥରକୁ ୩୦ – ୪୦ ଲିଟର ଏବଂ ଘଣ୍ଟାକୁ ୨୦୦୦ – ୩୦୦୦ ଲିଟର ପାଣି ଯନ୍ତ ସାହାଯ୍ୟରେ ଉଠାଯାଏ ।