ଆଳୁର ଇତିହାସ ଆଲୋଚନା କରିଲେ ଜଣାପଡ଼େ ଯେ, ଏହା ଏକ ବିଦେଶୀ ପରିବା l ଭାରତ ବାହାରୁ ଆସି ଭାରତରେ ଲୋକପ୍ରିୟତା ହାସଲ କରିଥିବା ପରିବା ହେଉଛି ଆଳୁ l ପ୍ରଥମେ ଦକ୍ଷିଣ ଆମେରିକାରେ ଆଳୁ ଚାଷ ହେଉଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ସେଠାରୁ ଏହା ଅନ୍ୟ ଦେଶମାନଙ୍କୁ ଯାଇଥିଲା । ଆମ ଭାରତବର୍ଷକୁ ସପ୍ତଦଶ ଶତାବ୍ଦୀରେ ଇଉରୋପୀୟ ମାନଙ୍କ ଦ୍ଵାରା ଆଳୁ ଆସିଥିଲା । ଅବଶ୍ୟ ଆଜି କାଲି ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ଆଳୁ ଚାଷ କରାଯାଉଅଛି । ଯଦିଓ ମୁଖ୍ୟତଃ ଏହା ପରିବା ଭାବରେ ବ୍ୟବହାର କରାଯାଏ, ତଥାପି ଆ ଏହା ଏମିତି ଏକ ପରିବା ଯାହାକୁ ସମସ୍ତ ପ୍ରକାରର ତରକାରୀରେ ମିଶାଯାଇପାରିବ l ସମୟର ତାଳେ ତାଳେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଆଳୁରୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି l ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଳୁରୁ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ । ଅନେକ ସ୍ଥାନରେ ଆଳୁରୁ ଷ୍ଟାର୍ଚ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଆସନ୍ତୁ ଆଜି ଆମେ ସେହି ଆଳୁର ବ୍ୟବସାୟିକ ଭିତିକ ଚାଷ ଉପରେ ଏକ ବିଶେଷ ଆଲୋଚନା କରିବା, ଯାହା ଫଳରେ ଆମର ଚାଷୀଭାଇମାନେ ବିଶେଷ ଭାବରେ ଉପକାର ପାଇପାରିବେ l
ଆଳୁ ଏକ ଶୀତଦିନିଆ ଫସଲ । ଅଧିକ ଉତ୍ତାପ ହେଲେ ଫଳ ଭଲ ହୁଏ ନାହିଁ। ତେଣୁ ଶୀତଦିନେ ଏହା ଭଲ ଅମଳ ଦେଇଥାଏ । ଆଳୁର ଉନ୍ନତ କିସମ ଆଳୁ ଚାଷର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ନିର୍ଭର କରେ । ଆମ ରାଜ୍ୟ ପାଇଁ ଉପଯୋଗୀ ହେଉଥିବା କେତେକ ଉନ୍ନତ କିସମ କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର, ଶିମଲା ତରଫରୁ ବିକଶିତ ହୋଇଅଛି । ସେଗୁଡ଼ିକ ସାଧାରଣତଃ ଅଧିକ ଅମଳକ୍ଷମ ହେବା ସହ ରୋଗ ଓ ପୋକ ପ୍ରତିରୋଧକ ଗୁଣସମ୍ପନ୍ନ । ଅବଧି ଅନୁଯାୟୀ କିସମଗୁଡ଼ିକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି l ଶୀତ ସ୍ୱଳ୍ପ ଅବଧି ଦୃଷ୍ଟିରୁ ସଅଳ ଓ ମଧ୍ୟମ କିସମ ଗୁଡ଼ିକ ଚାଷ ପାଇଁ ଅଧିକ ଉପଯୁକ୍ତ । ଆଳୁର ବିଭିନ୍ନ କିସମର ମୁଖ୍ୟ ଗୁଣଗୁଡ଼ିକ ନିମ୍ନରେ ବର୍ଣ୍ଣିତ ହୋଇଅଛି । କୁଫ୍ରି ଚନ୍ଦ୍ରମୁଖୀ – ଏହାର ଫୁଲ ନାଲି-ବାଇଗଣୀ ରଙ୍ଗର । ଆଳୁଗୁଡ଼ିକ ଟିକିଏ ଲମ୍ବାଳିଆ ଓ ଧଳା କ୍ରିମ୍ ବା ସର ରଙ୍ଗର । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୨୦୦- ୨୫୦ କ୍ଵିଣ୍ଟାଲ । ଏହାକୁ ଭଲରୂପେ ସାଇତି ହୁଏ । ଏହା ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ସମେତ ଅନେକ ରୋଗର ପ୍ରତିରୋଧ କରିପାରେ ନାହିଁ । ଏହା ରାନ୍ଧିବା ପାଇଁ ସହଜ ଏବଂ ସୁସ୍ଵାଦୁ । ତେଣୁ ଘରେ ଘରେ ଏହା ବିଶେଷ ଭାବରେ ଆଦୃତ ।
କୁଫ୍ରି ଅଶୋକ
ଏହାର ଫୁଲର ରଙ୍ଗ ନାଲି-ବାଇଗଣୀ । ଧଳା ସର ରଙ୍ଗର ଆଳୁଗୁଡ଼ିକ ଟିକିଏ ଲମ୍ବାଳିଆ । ଆଖିଗୁଡ଼ିକ ଅଗଭୀର ଏବଂ ଆଳୁ ଭିତରର ରଙ୍ଗ ଧଳା । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୨୫୦-୩୦୦ କ୍ଵିଣ୍ଟାଲ । ଏହା ରାନ୍ଧିବା ପାଇଁ ଏହା ସହଜ ।
କୁଫ୍ରି ଜୱାହର
ଫୁଲର ରଙ୍ଗ ଧଳା । ଆଳୁ ଗୁଡ଼ିକର ଉପର ରଙ୍ଗ ଧଳା କର ଓ ଭିତର ରଙ୍ଗ ଧଳା । ଆଳୁର ଆକୃତି ଇସତ୍ ଲମ୍ବାଳିଆ ଏବଂ ଆଖି ଗୁଡ଼ିକ ଅଗଭୀର । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ କ୍ଵିଣ୍ଟାଲ । ବିଳମ୍ବ ପତ୍ର ପୋଡ଼ା ରୋଗ ପ୍ରତି ଏହାର ମଧ୍ୟମ ଧରଣର ଓ ଭାତୁଡ଼ି ରୋଗ ପ୍ରତି ସମ୍ପୂର୍ଣ୍ଣ ପ୍ରତିରୋଧକ ଶକ୍ତି ରହିଅଛି । ଅନ୍ତଃଫସଲ ପାଇଁ ଏହା ଅଧିକ ଉପଯୁକ୍ତ ।
ପୁଖରାଜ
ଏହାର ଫୁଲର ରଙ୍ଗ ଧଳା । ଆଳୁର ଉପର ରଙ୍ଗ ଧଳା ସର ଓ ଭିତର ରଙ୍ଗ ହଳଦିଆ । ଆଳୁଗୁଡ଼ିକ ଟିକିଏ ଲମ୍ବା ଓ ଆଖି ଗୁଡ଼ିକ ଅଗଭୀର । ଏହି କିସମର ଅବଧି ୮୦-୯୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୩୫ ୦-୪୦୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ । ଏହି କିସମ ଅଳ୍ପ ଦିନରେ ଏବଂ କମ୍ ସମ୍ବଳ ଉପଯୋଗ ହେଉଥିବା ଅବସ୍ଥାରେ ଅପେକ୍ଷାକୃତ ଅଧିକ ଅମଳ ଦେଇଥାଏ ।
କୁଫ୍ରି ସୂର୍ଯ୍ୟ
ଆଳୁଗୁଡ଼ିକର ଉପର ଅଂଶର ରଙ୍ଗ ଧଳା ସର ହୋଇଥିବା ବେଳେ ଭିତରର ରଙ୍ଗ କ୍ରିମ୍ ବା ସର ପରି ହୋଇଥାଏ । ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦- ୩୫୦ ବିଲ୍ । ଏହି କିସମରେ ଛୋଟ ଆଳୁ ଅପେକ୍ଷା ବଡ଼ ଆଳୁ ଅଧିକ ସଂଖ୍ୟାରେ ହେଉଥିବାରୁ ଏହା ଫ୍ରେଞ୍ଚ ଫ୍ରାଏ ତିଆରି ପାଇଁ ଅଧିକ ଉପଯୁକ୍ତ । କମ୍ ଶୀତରେ ଭଲ ଆଳୁ ହେଉଥିବାରୁ ଏହି କିସମ ଆଳୁ ସଅଳ ଲଗାଇବା ପାଇଁ ଅଧିକ ଉପଯୁକ୍ତ ।
କଫ୍ରି ଜ୍ୟୋତି
ଏହା ଏକ ପୁରୁଣା କିସମ ହୋଇଥିବା ସତ୍ତ୍ୱେ ଚାଷୀମାନଙ୍କ ମଧ୍ୟରେ ବିଶେଷ ଭାବେ ଆଦୃତ । ଏହାର ଫୁଲର ରଙ୍ଗ ଧଳା । ଆଳୁର ଉପର ଅଂଶର ରଙ୍ଗ ଧଳା ସର ଓ ଭିତରର ରଙ୍ଗ ଧଳା ଅଟେ । ଏହା ଉଭୟ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଭଲ ଭାବରେ ଚାଷ କରାଯାଇପାରେ । ଆଖିଗୁଡ଼ିକ ଅଗଭୀର ଓ ଆଳୁର ଆକୃତି ସାମାନ୍ୟ ଲମ୍ବାଳିଆ। ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ କ୍ୱିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧି ।
କୁଫ୍ରି ଲାଲିମା
ଗଛର କାଣ୍ଡର ରଙ୍ଗ ପ୍ରାୟ ପାଟଳ । ଫୁଲର ରଙ୍ଗ ନାଲିବାଇଗଣୀ । ଆଳୁର ଉପର ଅଂଶ ଇସତ୍ ନାଲି କିନ୍ତୁ ଭିତରଟି ଧଳା । ଆଖୁଗୁଡ଼ିକ ମଧ୍ୟମ ଧରଣର ଗଭୀରିଆ । ଏହାର ଅବଧି ୯୦-୧୦୦ ଦିନ ଓ ହାରାହାରି ଉତ୍ପାଦନ କ୍ଷମତା ୨୦୦- ୨୫୦ କ୍ଵିଣ୍ଟାଲ। ଏହା ସଅଳ ପତ୍ରପୋଡ଼ା ରୋଗ ପ୍ରତିରୋଧ କରିପାରେ । ଆଳଗୁଡ଼ିକ ସିଝିବା ପାଇଁ ଅଧିକ ସମୟ ଦରକାର କରିଥାନ୍ତି ।
କୁଫ୍ରି ଅରୁଣ
ଗଛର କାଣ୍ଡ ପାଟଳ ରଙ୍ଗର । ଆଳୁଗୁଡ଼ିକ ନାଲି, ସାମାନ୍ୟ ଲମ୍ବାଳିଆ ଓ ଆଖୁ ମଧ୍ୟମ ଧରଣର ଗଭୀରିଆ । ଆଳୁ ଭିତରଟି ସର ରଙ୍ଗର । କିସମର ଅବଧି ୯୦- ୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩ ୦୦– ୩୫୦ କ୍ଵିଣ୍ଟାଲ । ଏହା ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ କରିପାରେ । ଆଳୁଗୁଡ଼ିକ ଘରେ ସାଇତିଲେ ଜଲଦି ପଚି ଯାଉଥିବାରୁ ଶୀତଳ ଭଣ୍ଡାରରେ ରଖିବା ଏତେଟା ଉତ୍ସାହ ଜନକ ନୁହେଁ ।
କୁଫ୍ରି ବାଦଶାହ
ଗଛର କାଣ୍ଡ ପାଟଳ ରଙ୍ଗର ଓ ଫୁଲ ଧଳା । ଆଳୁଗୁଡ଼ିକ ଧଳାସର ରଙ୍ଗର ଓ ଭିତରଟି ସଂପୂର୍ଣ୍ଣ ଧଳା । ଆଳୁର ଆକୃତି ଲମ୍ବାଳିଆ ଓ ଆଖି ଗୁଡ଼ିକ ଅଗଭୀର । ଏହାର ଅବଧି ୧୦୦-୧୧୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦- ୩୫୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ କରିପାରେ ।