ସହରାଞ୍ଚଳରେ କେଉଁଠି ଟିକେ ଖାଲି ସ୍ଥାନ ମିଳେ ନାହିଁ l ଯଦି ବା କେବେ ଆପଣଙ୍କ ଇଛା ହୁଏ କିଛି ପନିପରିବା କିମ୍ବା ଫୁଲ ଫଳ ଗଛ ଲଗାଇବା ପାଇଁ ତେବେ ଏହାର ମୁଖ୍ୟ ପ୍ରତିବନ୍ଧକ ହେଉଛି ସ୍ଥାନର ଅଭାବ l ଏପରି କ୍ଷେତ୍ରରେ ଆପଣ ନିଜର ଛାତ ଉପରେ ମଧ୍ୟ ଉପଯୁକ୍ତ ଭାବରେ ବିଭିନ୍ନ ପ୍ରକାରର ଗଛ ପତ୍ର ଲଗାଇପାରିବେ l ବିଭିନ୍ନ ପାତ୍ର କିମ୍ବା ଅବ୍ୟବହୃତ ଜରି ବସ୍ତା ବ୍ୟବହାର କରି ଆପଣ ନିଶ୍ଚିତ ଭାବରେ ଭଲ ଭାବରେ ଗଛ ଏବଂ ପନିପରିବା ଲଗାଇ ପାରିବେ l ଏହି ପରି ଭାବରେ ଗଛ ଲଗାଇ ବିଭିନ୍ନ ଅଞ୍ଚଳରେ ବିଭିନ ଲୋକ ସଫଳତା ହାସଲ କରିଛନ୍ତି l ଆଜି ଆମେ ଛାତ ଉପରେ କିପରି ସଫଳତାର ସହିତ ବଗିଚା ସୃଷ୍ଟି କରିପାରିବ ସେ ବିଷୟରେ କିଛି ଆଲୋଚନା କରିବା l
ଛାତ ଉପରେ ବଗିଚା ଏକ କୌଶଳପୂର୍ଣ୍ଣ କାର୍ଯ୍ୟ । ଏଥିରେ ବିଭିନ୍ନ ପାତ୍ର ଯଥା- ସାର ଅଖା, ସିମେଣ୍ଟ ମୁଣି, ପଲିଥିନ୍, ବ୍ୟାଗ, ଫଳ, ପେଟି, ପ୍ଲାଷ୍ଟିକ୍ ଟ୍ରେ, ମାଟି କିମ୍ବା ସିମେଣ୍ଟ କୁଣ୍ଡରେ ମାଟି କରି ବଗିଚା କରାଯାଏ । ଏହି ବଗିଚା କରିବା ପୂର୍ବରୁ ନିମ୍ନଲିଖିତ କେତୋଟି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ । ଛାତ ମଜବୁତ ଓ ଜଳ ନିରୋଧକ ହେବା ଦରକାର । ପାଣି ଭେଦିବାର ଆଶଙ୍କା ଥିଲେ ପଲିଥିନର ଆବରଣ ଦିଆଯାଏ । ଛାତ ଉପରେ ଅତି କମରେ ୬-୮ ଘଣ୍ଟା ଖରା ପଡୁଥିବା ଭଲ । ଛାତରୁ ପାଣି ସମ୍ପୂର୍ଣ୍ଣ ଭାବରେ ନିଗିଡ଼ି ଯିବାର ସୁବନ୍ଦୋବସ୍ତ ଥିବା ଆବଶ୍ୟକ । ଖରାଦିନେ ପ୍ରବଳ ଖରାରୁ ବୃକ୍ଷଲତାମାନଙ୍କୁ ରକ୍ଷା କରିବା ପାଇଁ ‘ସେଡ୍ ନେଟ୍'ର ବ୍ୟବସ୍ଥା କରାଯାଏ । ଗଛଗୁଡ଼ିକରେ ପାଣି ଦେବା ପାଇଁ ପାଣିର ବନ୍ଦୋବସ୍ତ କରାଯାଏ । ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା, ଶାଗ, ଫୁଲ ଓ ଫଳ ଗଛସବୁ ଲଗାଇପାରିବେ ଯେମିତିକି; ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କୋବି, ଗୁଆଁର, କଖାରୁ, ମକା, କଲରା, ଲାଉ, ଜହ୍ନି, ଶିମ୍ବ, କୋଶଳା, ଖଡ଼ା, ଲେଉଟିଆ, ପାଳଙ୍ଗ, ଧନିଆଁ, ମେଥି, ଗାଜର, ମୂଳା, ଓଲକୋବି, ଖମ୍ବଆଳୁ, ଓଲୁଅ, ପାଳୁଅ, ଅଦା, ହଳଦୀ, ଆମ୍ବଅଦା, ଆମ୍ବ, ସପେଟା, ପିଜୁଳି, ଡାଳିମ୍ବ, ସଜନା, ଅମୃତଭଣ୍ଡା, ଆଖୁ, ଟଗର, ମନ୍ଦାର, କନିଅର, କାଠ ଚମ୍ପା, ଇତ୍ୟାଦି ଗଛ ଲଗାଇପାରିବେ। ଆପଣ ନିଜର ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ସିମେଣ୍ଟ ବସ୍ତା କିମ୍ବା ପଲିଥିନ ମୁଣି ବ୍ୟବହାର କରିପାରିବେ l
ବାଲିଆ ଦୋରସା ମାଟି, ତାହାର ଅଧା ପରିମାଣର ଶଢା ଗୋବର ଖତ କିମ୍ବା କମୋଷ୍ଟ), ଏକ ଚତୁର୍ଥାଂଶ ଜିଆ ଖତ, ଏକ ଚତୁର୍ଥାଂଶ ଶଢା ପତ୍ର ଗୁଣ୍ଡ, ଏକ ଚତୁର୍ଥାଂଶ ଘସି ପାଉଁଶ ମିଶାଇ ମାଟିର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଆବଶ୍ୟକ ସ୍ଥଳେ କିଛି ପରିମାଣର ନିମ୍ବା ବା କରଞ୍ଜ ପିଡ଼ିଆ ମିଶା ଯାଇପାରେ । ବିଭିନ୍ନ ପାତ୍ର ମଝିରେ ପ୍ରଥମେ ଦୁଇରୁ ତିନି ଇଞ୍ଚ ବହଳର କାଠଗୁଣ୍ଡ, କରତ କଳ ଗୁଣ୍ଡ, ଶଢ଼ା ବିଲାତି ଦଳ ଦେଲେ ତାହା ଜଳ ଧାରଣାରେ ସାହାଯ୍ୟ କରେ । ତା'ପରେ ପ୍ରସ୍ତୁତ ହୋଇଥିବା ମାଟିର ମିଶ୍ରଣକୁ ନେଇ ପାତ୍ରର ତିନି-ଚତୁର୍ଥାଂଶ ପୂରଣ କରାଯାଏ । ପ୍ରସ୍ତୁତ ପାତ୍ରରେ ଯତ୍ନର ସହିତ ଯୋଗାଡ଼ କରିଥିବା ଚାରା ରୋପଣ କରାଯାଏ ବା ମଞ୍ଜି ବୁଣାଯାଏ । ପରେ ପରେ ପାଣି ଦିଆଯାଏ । ଛାତ ଉପର ବଗିଚାରେ ଅତ୍ୟଧକ ମାତ୍ରାର ରାସାୟନିକ ସାର ପ୍ରୟୋଗ କରାଯାଏ ନାହିଁ । ପ୍ରାରମ୍ଭିକ ଅବସ୍ଥାରେ ଗଛର ଅଙ୍ଗୀୟ ବୃଦ୍ଧି ପାଇଁ ୟୁରିଆ ବା ଡି.ଏ.ପି. ଆଦି ସାର ଅଳ୍ପ ମାତ୍ରାରେ ଖତ ସହ ମିଶାଇ ପ୍ରୟୋଗ କରାଯାଏ । ପରବର୍ତ୍ତୀ ଅବସ୍ଥାରେ କେବଳ ଗୋବର ଓ ସୋରିଷ ପିଡ଼ିଆର ପୋଚ ସପ୍ତାହ ଅନ୍ତରରେ ପ୍ରୟୋଗ କରାଯାଏ । ଗୋଟିଏ ବଡ଼ ପାତ୍ରରେ ୫ କି.ଗ୍ରା. ତାଜା ଗୋବରକୁ ନେଇ ସେଥରେ ୧-୨ କି.ଗ୍ରା. ସୋରିଷ ପିଡ଼ିଆ କିମ୍ବା ବାଦାମ ପିଡ଼ିଆ ମିଶାଯାଏ । ତହିଁରେ ୧୦୦-୧୫୦ ଗ୍ରାମ୍ ୟୁରିଆ ସାର ମିଶାଯାଏ । ଉପରୋକ୍ତ ସବୁ ମିଶି ଯେତିକି ପରିମାଣ ହେଲା, ତା’ର ଦୁଇଗୁଣ ପାଣି ମିଶାଯାଏ । ଶେଷରେ ଯାତ୍ରର ମୁହଁକୁ ଏକ ଧଳା ପଲିଅନ୍ରେ ବାନ୍ଧି ଖରାରେ ୩ ସପ୍ତାହ ଶଢ଼ିବାକୁ ଦିଆଯାଏ । ଆବଶ୍ୟକ ହେଲେ ମଝିରେ ଥରେ ଦୁଇଥର ଜରି ଖୋଲି ପାଣି ଦିଆଯାଏ । ତିନି ସପ୍ତାହ ପରେ ଉକ୍ତ ପାତ୍ରରେ ୨୫୦ ଗ୍ରାମ୍ ଯେକୌଣସି ଏନ୍.ପି.କେ. ସାର ଓ ୨୫ ଗ୍ରାମ୍, ଅଣୁସାର ମିଶ୍ରଣ ଢାଳି ଭଲ ଭାବରେ ଘାଣ୍ଟି ଓ ଆବଶ୍ୟକ ସ୍ଥଳେ ପାଣି ଦେଇ ଆଉ ଏକ ସପ୍ତାହ ଶଢ଼ାଯାଏ ।
ଚାରି ସପ୍ତାହ ପରେ ପୋଚ ପ୍ରସ୍ତୁତି ହୋଇଗଲେ, ଯେତିକି ପୋଚ ଆଣିବେ ସେଥିରେ ତା’ର ୨-୩ ଗୁଣ ପାଣି ମିଶାଇ ପତଳା କରାଯାଏ ଓ ପ୍ରତି ଗଛ ମୂଳରେ ଏକ ସପ୍ତାହ ଅନ୍ତରରେ ନିୟମିତ ପ୍ରୟୋଗ କରାଯାଏ। ପ୍ରତି ସପ୍ତାହ କି ଦୁଇ ସପ୍ତାହ ଅନ୍ତରରେ ଅନାବନା ଘାସ ବାଛି ଦା' କିମ୍ବା ଖୁରୁପି ସାହାଯ୍ୟରେ କୋଡ଼ା ଖୁସା କରାଯାଏ । ସବୁ ଦିନିଆ ଫଳ କିମ୍ବା ଫୁଲ ଗଛ ମୂଳ ଚାରି ପାଖରେ ଧାରୁଆ ଦାଆ ଭଉଁ କରି ତଳ ଉପର କରି ପ୍ରତି ୩ ମାସରେ ଥରେ ଚେର ଛେଦନ କରାଯାଏ । ଛାତ ଉପର ବଗିଚାରେ ଜଳସେଚନ ନିୟମିତ କରାଯାଏ । ବିଶେଷ କରି ଖରାଦିନମାନଙ୍କରେ ଏ ବାବଦରେ ବିଶେଷ ଧ୍ୟାନ ଦେଇ ଦୁଇଥର ଜଳସେଚନ କରାଯାଏ । ପାରିଲେ ଫୁଆରା ବା ସିଞ୍ଚନ ଜଳସେଚନର ବ୍ୟବସ୍ଥା କରାଯାଏ । ଜରି ମୁଣି ହେଉ ବା କାଠ ପେଟି ହେଉ, ଏସବୁ ଏକ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଏ । ନଷ୍ଟ ହୋଇଗଲେ ସେ ସବୁକୁ ଭିଡ଼ି ବାହାର କରି ମାଟି ସହ ଚେର ଛେଦନ କରି ଓ ଭଲ ଖତମାଟି ଦେଇ ନୂଆ ପାତ୍ରରେ ପୁନଃ ରୋପଣ କରିବା ଦରକାର l