ଆମ ରାଜ୍ୟରେ ଚାଷ ହେଉଥିବା ପ୍ରମୁଖ ଅର୍ଥକାରୀ ଫସଲ ମଧ୍ୟ ରୁ ନଳିତା ଅନ୍ୟତମ l ଏହା ଆମ ରାଜ୍ୟର କେନ୍ଦ୍ରାପଡା,ଯାଜପୁର,କେନ୍ଦୁଝର,କଟକ,ଜଗତସିଂହପୁର ,ଭଦ୍ରକ ଓ ବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଖରିଫ ଋତୁର ପ୍ରଥମ ତଥା ମୁଖ୍ୟ ତନ୍ତୁଜାତୀୟ ଫସଲ ଭାବେ ଚାଷ କରାଯାଏ ୲ ନଳିତା ପଟରୁ ଅଖା ,କପଡା,ପ୍ୟାକିଂ ବସ୍ତୁ ଓ ବିଭିନ୍ନ ଘରସଜ୍ଜା ଉପକରଣ ପ୍ରସ୍ତୁତ ହୁଏ ୲ ଏତଦ ବ୍ଯତିତ ଦୀପାବଳି ସମୟରେ ପୂର୍ବପୁରୁଷ ଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳିବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି ୲ ପୂର୍ବରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ବ୍ୟାପକ ପରିମାଣରେ ହେଉଥିଲା ଓ ଏଥିପାଇଁ ଅବିଭକ୍ତ କଟକ ଜିଲ୍ଲା ର ଧର୍ମଶାଳା ଠାରେ ଏକ ଚଟକଳ ସ୍ଥାପିତ ହୋଇଥିଲା ୲
ସମୟ କ୍ରମେ ଚଟକଳ ବନ୍ଦ ହେବାରୁ ଓ ଝୋଟ ର ଚାହିଦା କମିବାରୁ ଚାଷୀମାନେ ଏହାର ଚାଷ ପ୍ରତି ବିମୁଖ ହେଲେ ଓ ଏହାର ଚାଷ କମିବାକୁ ଲାଗିଲା । କିନ୍ତୁ ଏବେ ପଲିଥିନ ଜନିତ ପରିବେଶ ପ୍ରଦୂଷଣ ଓ ଏହାର ଅପକାରିତା କୁ ଲକ୍ଷ୍ୟ କରି ପୁନର୍ବାର କପଡା ଓ ଝୋଟ ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢ଼ିବାରୁ ନଳିତା ଚାଷ ର ଆଦର ବଢ଼ିବାରେ ଲାଗିଲାଣି । କିନ୍ତୁ ପରିଲକ୍ଷିତ ହୁଏ ଯେ ରୋଗ ପୋକ ଦ୍ୱାରା ସଂକ୍ରମିତ ପଟ ର ମାନ ଉତ୍କୃଷ୍ଟ ନ ରହିବାରୁ ଚାଷୀ ଭାଇ ମାନେ ଆର୍ଥିକ କ୍ଷତି ସହିଥାନ୍ତି । ତେଣୁ ଆମେ ଏଠାରେ ନଳିତା ଫସଲ କୁ ସଂକ୍ରମିତ କରୁଥିବା କେତେକ ପ୍ରମୁଖ ରୋଗ ଓ ଏହାର ସମନ୍ବିତ ନିରାକରଣ ବିଷୟରେ ଆଲୋଚନା କରିବା ।
ପ୍ରମୁଖ ରୋଗ
କାଣ୍ଡସଢ଼ା ରୋଗ (Stem rot disease - Macrophomina phaseoli )
ଚାରାପୋଡା ରୋଗ (Seedling blight - Macrophomina phaseolina )
ଚେରସଢା ରୋଗ (Root rot disease -Macrophomina phaseolina )
ବେକସଢା ରୋଗ( Collar rot disease -Macrophomina phaseolina )
କୋମଳ ସଢା ରୋଗ ( Soft rot disease - Sclerotium rolfsii )
ଆନ୍ଥ୍ରାକନୋଜ ରୋଗ (Anthracnose disease - Colletotrichum corchorum /C .gleosporides )
ଅଗମରା ରୋଗ -(Die Back - Diplodia corchori )
କାଣ୍ଡସଢ଼ା ରୋଗ (Stem rot disease - Macrophomina phaseoli )
ଏହା ଏକ ବିହନଵାହୀ ଓ ମୃତ୍ତିକାଵାହୀ କବକ ଜନିତ ରୋଗ । ନଳିତା ଅଧିକ ପାଣି ଜମିରହିଲେ କିମ୍ବା ପରିବେଶରେ ଜଳୀୟ ଅଂଶ ବୃଦ୍ଧି ପାଇଲେ ଏହି ରୋଗ ବେଶୀମାତ୍ରାରେ ହୁଏ ।ଚାରା ଅବସ୍ଥାରେ ଏହି ରୋଗ ଦ୍ୱାରା ଫସଲ ଆକ୍ରାନ୍ତ ହେଲେ ଭୃଣପତ୍ର ଓ ବୀଜପତ୍ର ଉପରେ ବାଦାମୀ ମିଶା ଦାଗ ମାନ ପରିଲକ୍ଷିତ ହୁଏ ଓ ଏହି ଚାରାଗଛ ଘରକତ ରୋଗର ଶିକାର ହୁଏ । ବୟସ୍କ ଗଛର ପତ୍ର ଝଡ଼ିପଡ଼େ ଓ କାଣ୍ଡ କଳାପଡ଼ି ପଚି ମରିଯାଏ । ରୋଗାକ୍ରାନ୍ତ ଗଛର ପତ୍ରରେ ଓ କାଣ୍ଡରେ ପ୍ରଥମେ କଳା କଳା ଦାଗ ଦେଖାଯାଏ । ଏହି ଦାଗ କ୍ରମଶଃ ବୃଦ୍ଧିପାଇ କାଣ୍ଡର ବହୁଭାଗ ମାଡିଯାଏ । ରୋଗ ର ପ୍ରାଦ୍ରୁଭାବ ଅଧିକ ହେଲେ କଳା କଳା ଦାଗ ଉପରେ କଳବିନ୍ଦୁ ପରି କବକ ଫଳକ ବହୁସଂଖ୍ୟାରେ ପରିଲକ୍ଷିତ ହୁଏ । ରୋଗାକ୍ରାନ୍ତ ଗଛର ଚେର ସଢ଼ିଯାଏ ଓ ଏହା ଉପରେ କବକ ପିଣ୍ଡ ଥିବାର ଦେଖାଯାଏ । ମରିଯାଇଥିବା ଗଛ କଳାରଙ୍ଗର ଶୁଖିଲା ଦଙ୍ଗା ପରି ଦିଶେ ଓ କିଆରୀ ମୁଣ୍ଡରୁ ବାରି ହୋଇପଡେ ।
ଚାରାପୋଡା ରୋଗ (Seedling blight - Macrophomina phaseolina )
କାଣ୍ଡସଢା ରୋଗର କବକ ଏହି ରୋଗ ସୃଷ୍ଟି କରିଥାଏ । ଏହି କବକମାନେ ଚାରା ଅବସ୍ଥାରେ ସଂକ୍ରମଣ କରିଥାନ୍ତି । ଭୃଣପତ୍ର ଓ ବୀଜପତ୍ର ଉପରେ ଏହି ରୋଗର ଲକ୍ଷଣ ପରିପ୍ରକାଶ ହୁଏ । ରୋଗର ସଂକ୍ରମଣ ଅଧିକ ହେଲେ ଆକ୍ରାନ୍ତ ଚାରାଗଛ ମରିଯାଏ ।
ଚେରସଢା ରୋଗ (Root rot disease -Macrophomina phaseolina )
ଏହି ରୋଗ ମଧ୍ୟ କାଣ୍ଡ ସଢ଼ାରୋଗ ସୃଷ୍ଟି କରୁଥିବା କବକ ଯୋଗୁଁ ହୋଇଥାଏ । ଏହି ରୋଗର କବକ ଗଛର ମୂଳକୁ ସଂକ୍ରମଣ କରିଥାଏ ଯଦ୍ୱାରା ସଂକ୍ରମିତ ଗଛଟି ପ୍ରଥମେ ଝାଉଁଳିବା ଆରମ୍ଭ କରେ । ପ୍ରାଥମିକ ଅବସ୍ଥା ରେ ଗଛର ସବୁଜ ଅଂଶ କ୍ରମେ କ୍ରମେ ବଦଳି ପରେ ବାଦାମୀ ଏବଂ କଳାରଙ୍ଗ କୁ ରୂପାନ୍ତରିତ ହୋଇ ପରବର୍ତ୍ତୀ ଅବସ୍ଥାରେ ଆକ୍ରାନ୍ତ ଗଛ ଝାଉଁଳି ମରିଯାଏ । ଏହି ରୋଗ ଜୁଲାଇ ମାସର ପ୍ରଥମ ସପ୍ତାହ ରୁ ଆରମ୍ଭ ହୋଇ ଫସଲ ଅମଳ ପର୍ଯ୍ୟନ୍ତ ଦେଖାଯାଇଥାଏ ।
ବେକସଢା ରୋଗ ( Collar rot disease -Macrophomina phaseolina )
ଏହି ରୋଗ ମଧ୍ୟ କାଣ୍ଡ ସଢ଼ା ରୋଗର କବକ ଯୋଗୁଁ ସଙ୍ଗଠିତ ହୋଇଥାଏ । ଏହି କବକ ର ସଂକ୍ରମଣ ଯୋଗୁଁ ନଳିତା ଗଛର ମୃତ୍ତିକା ଉପରିସ୍ଥ ଅଂଶ ପ୍ରଥମେ ବାଦାମୀ ରଙ୍ଗ ହୋଇ ପରେ ପରେ କଳାପଡ଼ି ତନ୍ତୁକୁ ସଂକ୍ରମିତ କରେ ଓ ସଂକ୍ରମଣ ଅଧିକ ହେଲେ ସଂକ୍ରମିତ ସ୍ଥାନରୁ ଆକ୍ରାନ୍ତ ଗଛଟି ଭାଙ୍ଗିପଡ଼େ । ଫଳରେ ଏହାର ପ୍ରଭାବ ନଳିତା ଅମଳ ଉପରେ ପଡେ ଓ ଉତ୍ପାଦନ କମି ଯାଇ ଆର୍ଥିକ କ୍ଷତି ଚାଷୀ ମାନଙ୍କୁ ସହିବାକୁ ପଡେ । ଏହି ରୋଗ ଜୁଲାଇ ଶେଷ ଭାଗରୁ ଆରମ୍ଭ ହୋଇ ଫସଲ ଅମଳ ହେବା ପର୍ଯ୍ୟନ୍ତ ପରିଲକ୍ଷିତ ହୁଏ ।
କୋମଳ ସଢା ରୋଗ ( Soft rot disease - Sclerotium rolfsii )
ଏହା ଏକ ମୃତ୍ତିକାଵାହୀ କବକ ଜନିତ ରୋଗ । ଏହି ରୋଗ ହେଲେ ଗଛର ମୂଳଭାଗରେ କଅଁଳ ବାଦାମୀ ରଙ୍ଗ ଦାଗମାନ ଦେଖାଯାଏ । ସଂକ୍ରମିତ ଗଛର ଚୋପା ଆକ୍ରାନ୍ତ ସ୍ଥାନରୁ ଛାଡ଼ି ତନ୍ତୁଗୁଡ଼ିକ ବାହାରକୁ ଦେଖାଯାଏ ଏବଂ ଏହି ତନ୍ତୁ ବାଦାମୀ ରଙ୍ଗର ଦିଶେ ଓ ଏଥିରେ ଧଳାରଙ୍ଗର କବକ ଜାଲ ଥିବାର ମଧ୍ୟ ପରିଲକ୍ଷିତ ହୁଏ । ଏହାଛଡା ସଂକ୍ରମିତ କାଣ୍ଡରେ ଗାଢ଼ ବାଦାମୀ ରଙ୍ଗର ଚିହ୍ନ ମାନ ଦୃଷ୍ଟିଗୋଚର ହୁଏ । ଏହି ଦାଗ ସଢା ରୋଗର ବିଶେଷ ଲକ୍ଷଣ ଅଟେ ।
ଆନ୍ଥ୍ରାକନୋଜ ରୋଗ (Anthracnose disease - Colletotrichum corchorum /C .gleosporides )
ଏହା ଏକ କବକ ଜନିତ ରୋଗ ଅଟେ । ଏହି ରୋଗ ହେଲେ ସଂକ୍ରମିତ ଗଛର କାଣ୍ଡ ଦେହରେ ବାଦାମୀ ରଙ୍ଗର ଦାଗମାନ ପରିଲକ୍ଷିତ ହୁଏ । ପରେ ପରେ ଦାଗ ଗୁଡ଼ିକର ଆୟତନ ବୃଦ୍ଧି ଘଟି ବଡ ବଡ ଦାଗ ସୃଷ୍ଟି ହୁଏ । ରୋଗ ସଂକ୍ରମଣ ଅଧିକ ଦିନର ବା ବେଶି ଦିନର ହେଲେ ବାଦାମୀ ରଙ୍ଗର ଦାଗ ଗୁଡିକ କଳାପଡି ଟାଣ ହୋଇଯାଏ ଏବଂ ସଂକ୍ରମିତ ଅଂଶ କୁଞ୍ଚିତ ହୋଇଯାଏ । ଅଧିକ ଉତ୍ତାପ (୩୩ ୦ ସେଲସିୟସ ରୁ ଅଧିକ ) ଏବଂ ଶତକଡା ୮୪ ଭାଗରୁ ଅଧିକ ଆପେକ୍ଷିକ ଆଦ୍ରତା ତଥା ହେକ୍ଟର ପ୍ରତି ୬୦ କେଜି ରୁ ଅଧିକ ଯବକ୍ଷାରଜାନ ପ୍ରୟୋଗ ସ୍ଥଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖାଯାଏ ।
ଅଗମରା ରୋଗ -(Die Back - Diplodia corchori )
ଏହା ଏକ କବକ ଜନିତ ରୋଗ । ଏହି ରୋଗ ହେଲେ ସଂକ୍ରମିତ ଗଛର ଅଗଆଡୁ ତଳ ଆଡକୁ ବାଦାମୀ ରଙ୍ଗ ହୋଇ ପରେ କଳାପଡ଼ି ଶୁଖି ମରିଯାଏ । ସଂକ୍ରମିତ ଗଛରେ ଆଦୌ ପତ୍ର ନ ରହି ଝଡ଼ିପଡ଼େ । ଗଛ ଫୁଲଧରି ଆସିବାବେଳକୁ ଏହି ରୋଗ ସଂକ୍ରମିତ କରି ଫସଲର ପ୍ରଭୂତ କ୍ଷତି ଘଟାଏ।
ସମନ୍ବିତ ରୋଗ ପରିଚାଳନା
ଉନ୍ନତ ଚାଷ ପ୍ରଣାଳୀ
- ନଳିତା ବୁଣିବାର ଏକମାସ ପୂର୍ବର ଜମିକୁ ଭଲଭାବେ ଗହିରିଆ ଖରଟିଏ ଚାଷ କରନ୍ତୁ । ଏହା ଦ୍ୱାରା ଜମିରେ ଥିବା ପୂର୍ବ ଫସଲର ମୂଳୀ ,ଅନାବନା ଘାସ ଓ ଏଥିରେ ଥିବା ରୋଗ ଜୀବାଣୁ ସୂର୍ଯ୍ୟାଲୋକ ସଂସ୍ପର୍ଶ ରେ ଆସି ନଷ୍ଟ ହୋଇ ଥାନ୍ତି ।
- ଜମିରେ ଗଛ ସଂଖ୍ୟା ସଠିକ ରଖନ୍ତୁ । ପିତା ନଳିତା ହେକ୍ଟର ପିଛା ୫ ରୁ ୬ ଲକ୍ଷ ଓ ମଧୁର ନଳିତା ହେକ୍ଟର ପିଛା ୬ ରୁ ୭ ଲକ୍ଷ ରହିବା ଆବଶ୍ୟକ ।
- ଅଧିକ ପରିମାଣ ର ଯବକ୍ଷାରଜାନ ସାର ପ୍ରୟୋଗ ନକରି ସନ୍ତୁଳିତ ପୋଷାକ ତତ୍ତ୍ୱ ବ୍ୟାବହାର କରିବା ଉଚିତ ।
- ଜମିକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଜମିରୁ ପୂର୍ବ ଫସଲ ର ମୂଳୀ ,ଅନାବନା ଘାସ ଓ ଶୁଖିଲା ପତ୍ର ଇତ୍ୟାଦି ସଂଗ୍ରହ କରି ଅନ୍ୟତ୍ର ପୋଡି ଦିଅନ୍ତୁ।
- ନିରୋଗ ସୁସ୍ଥ ସବଳ ବିହନ ବ୍ୟବହାର କରନ୍ତୁ । ବୁଣିବା ପୂର୍ବରୁ ବିହନ କୁ ୩ ଗ୍ରାମ କ୍ୟାପଟାନ ବା ୩ ଗ୍ରାମ ଥିରାମ ବା 2 ଗ୍ରାମ କାରବେଣ୍ଡାଜିମ ବା ୧ ଗ୍ରାମ କାର୍ବୋକ୍ସିନ ବା ୫ ଗ୍ରାମ ଟ୍ରାଇକୋଡର୍ମା ଭିରିଡେ ଦ୍ୱାରା ବିହନ ବିଶୋଧନ କରନ୍ତୁ ।
- ଫସଲ ପାର୍ଯ୍ୟାୟ ଅବଲମ୍ବନ କରନ୍ତୁ ।
- ଜମିରେ ପାଣି ଜମିବାକୁ ଦିଅଣୁ ନାହିଁ ।
- ପ୍ରଚୁର ପରିମାଣରେ ଜୈବିକ ଖତ ଓ ୫ କ୍ୱିଣ୍ଟାଲ ନିମ ପିଡିଆ ବା କରଞ୍ଜ ପିଡିଆ ବ୍ୟବହାର କରନ୍ତୁ ।
ଯାନ୍ତ୍ରିକ ପ୍ରଣାଳୀ
- ଫସଲରୁ ସଂକ୍ରମିତ ପତ୍ର,କାଣ୍ଡ ତଥା ରୋଗାକ୍ରାନ୍ତ ଗଛ ଇତ୍ୟାଦି ହାତରେ ସଂଗ୍ରହ କରି ଖେତ ବାହାରେ ନଷ୍ଟ କରିଦିଅନ୍ତୁ ।
ଜୈବିକ ପ୍ରଣାଳୀ
- ରୋଗର ପ୍ରାଦୁର୍ଭାବ ଦେଖାଗଲେ ପାଣି ଲିଟର ପିଛା ୫ ଗ୍ରାମ ଟ୍ରାଇକୋର୍ଡ଼ମା ଭିରିଡ଼ି ୫ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ ।
ବିପିନ କୁମାର ପ୍ରଧାନ
ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )
ଅମିତ ଫୋଂଗଲ୍ସା
ଉପନିର୍ଦେଶକ ସମ୍ପ୍ରସାରଣ (ମୂର୍ତ୍ତିକା ବିଜ୍ଞାନ )
ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ