ଆମ ଓଡ଼ିଶାରେ ଧାନ ହେଉଛି ଏକ ମୁଖ୍ୟ ଫସଲ l ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବହୁଳ ପରିମାଣରେ ଧାନ ଚାଷ କରାଯାଏ l ବେଳେ ବେଳେ ଚାଷୀ ସମସ୍ତ ପ୍ରକାରର ପ୍ରୟାସ କରି ଭଲ ଫସଲ କରିବା ବେଳକୁ କେତେକ କୀଟ ପୋକ ଫସଲକୁ ଆକ୍ରମଣ କରିଥାନ୍ତି ଏବଂ ଚଷା ପୁଅର ସମସ୍ତ ଆଶା ଧୂଳିସାତ ହୋଇଯାଏ l କୀଟ ଏବଂ ପୋକ ଆକ୍ରମଣରେ ଫସଲର ପ୍ରଭୁତ୍ୱ କ୍ଷତି ସାଧନ ହୋଇଥାଏ l ଏହି ପରି ଅବସ୍ଥା ମଧ୍ୟ ଧାନ ଫସଲରେ ଦେଖାଦେଇ ଥାଏ, ତେଣୁ ଏ ସମ୍ପର୍କରେ ପୂର୍ବରୁ ସାବଧାନ ହୋଇଯିବା ଦ୍ୱାରା ଆମେ ଧାନ ଫସଲରେ ଉପଯୁକ୍ତ ଭାବରେ କୀଟ ପୋକର ନିୟନ୍ତ୍ରଣ କରିପାରିବା ଏବଂ ବେଶ ଲାଭବାନ ହୋଇପାରିବା l ତେବେ ଆସନ୍ତୁ ଆଜି ଆମେ ଧାନ ଫସଲର କୀଟ ପୋକ ନିୟନ୍ତ୍ରଣ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଏଠାରେ ଆଲୋଚନା କରିବା l
ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (Oryza sativa)। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବିଳମ୍ବ କିସମର ଅଟେ। ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । ଭାରତରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲରେ ଖାଦ୍ୟ ସାରର ସୁପରିଚାଳନା ଦ୍ଵାରା ଅଧିକ ଅମଳ ମିଳେ ଓ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୁଏ। ସଠିକ ସମୟରେ ଏହି ସାରର ପ୍ରୟୋଗ ଦ୍ଵାରା ଧାନରେ ଅଧିକ ଅମଳ ମିଳିଥାଏ। ସାରର ମାତ୍ରା ତଥା ପ୍ରୟୋଗର ସମୟ ଧାନରେ ଅମଳକୁ ପ୍ରଭାବିତ କରେ। ଧାନ ପାଇଁ ଆବଶ୍ୟକ ମୁଖ୍ୟ ଖାଦ୍ୟ ସାରଗୁଡିକ ହେଲା: ଯବକ୍ଷାରଜାନ, ଫସଫରସ, ପଟାସ, ଜିଙ୍କ ଓ ସଲଫର।
ମଞ୍ଜି ଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥାରେ ଧାନ ଫସଲରେ ସାରର ଆବଶ୍ୟକତା ଭିନ୍ନ ଏବଂ ପ୍ରତି ସମୟରେ ଏହି ଖାଦ୍ୟସାର ଧାନର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର । ଅଙ୍କୁରୋଦଗମ ଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନର ଅଭିବୃଦ୍ଧି ଅତି ଧୀର ଗତିରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ । ଏହି ଅବସ୍ଥାରେ ଫସଫରସ, ପଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର । କିନ୍ତୁ, ଯବକ୍ଷାରଜାନର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ । ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫରସର ମାତ୍ରା ଏହି ଅବସ୍ଥାରେ ହିଁ ପ୍ରୟୋଗ କରାଯିବ ଦରକାର । ଏହା ଧାନ ଗଛର ଚେରକୁ ମଜବୁତ କରିଥାଏ ଏବଂ ଗଛକୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ। ଏହା ଦ୍ଵାରା ଅଧିକ କେଣ୍ଡା ବାହାରେ ଯାହା ଅଧିକ ଅମଳ ଦେଇଥାଏ।
ଧାନ ଫସଲର ମୁଖ୍ୟ ପୋକଗୁଡ଼ିକ ହେଲା କାଣ୍ଡବିନ୍ଧା ପୋକ, ବଙ୍ଗୀ ପୋକ, ଚକଡ଼ା ପୋକ, ପତ୍ର ମୋଡ଼ା ପୋକ, ବଙ୍କି ପୋକ, ବିରିହା ପୋକ, ପତ୍ର ଡିଆଁ ପୋକ, ଲେଡ଼ା ପୋକ, କେଣ୍ଡାକଟା ପୋକ ଓ ଗନ୍ଧି ପୋକ ।
କାଣ୍ଡବିନ୍ଧା ପୋକ ହଳଦିଆ ରଙ୍ଗର ଅଟେ । ଏହା ପତ୍ରର ଉପର ଅଂଶରେ ମେଞ୍ଚାଏ ଅଣ୍ଡା ଦେଇଥାଏ । ଅଣ୍ଡା ଫୁଟି ଶୂକଟି ଗଛ ଭିତରକୁ ଚାଲିଯାଏ ଓ ପିଲର ମଝି କନ୍ଦାର ମୂଳକୁ କାଟି ଖାଇଯାଏ । ଫଳରେ ମଝି କନ୍ଦଟି ଶୁଖିଯାଏ । ଏହାକୁ ମୃତ ମଞ୍ଜି କହନ୍ତି । ମଲା ମଞ୍ଜ ପତ୍ରଟିକୁ ଧୀରେ ଟାଣି ଦେଲେ ତାହା ବାହାରି ଆସେ ଓ ଏହି ମୂଳରେ ଶୂକ ପୋକଟି ଦେଖୁବାକୁ ମିଳେ । କେଣ୍ଡା ବାହାରିବା ସମୟରେ ଏହି ପୋକ ଆକ୍ରମଣ କଲେ କେଣ୍ଡାଟି ଶୁଖି ଧଳା ପଡ଼ିଯାଏ । ଏହାକୁ ଚାଷୀମାନେ ଚିଲା ମାରିଗଲା ବୋଲି କହନ୍ତି । ଖରିଫ ଓ ରବି ଉଭୟ ଋତୁରେ ଏହି ପୋକ ଧାନ ଫସଲର କ୍ଷତି କରିଥାଏ ।
କାଣ୍ଡବିନ୍ଧା ପୋକ ଦେଖାଯାଉଥିବା ଅଞ୍ଚଳରେ କାଣ୍ଡବିନ୍ଧା ପୋକ ସହଣୀ ଶକ୍ତି ଥିବା ବିହନ ଯଥା ଆଇ.ଆର.୩୬ ଖଣ୍ଡଗିରି, ଘଣ୍ଟେଶ୍ଵରୀ, ଲଲାଟ, କୋଣାର୍କ, ପ୍ରଭୃତି କିସମ ଚାଷ କରାଯିବା ଉଚିତ । ଧାନକଟା ହେଲାପରେ ଜମିକୁ ଖରାଟିଆ,ଚାଷ କଲେ ଧାନ ଗଛ ମୂଳରେ ଅବା କାଣ୍ଡବିନ୍ଧା ପୋକର ଶୂକଗୁଡ଼ିକ ଖରାରେ ନଷ୍ଟ ହୋଇ ଯାଆନ୍ତି ଓ କେତେକଙ୍କୁ ବଗ ପ୍ରଭୃତି ପକ୍ଷୀମାନେ ଖାଇଯାଆନ୍ତି । ତଳି ଉପାଡ଼ିବାର ୫ ଦିନ ପୂର୍ବରୁ ପ୍ରତି ୧୦ ଡେସିମିଲ ତଳି ଘେରାରେ ୧ କି.ଗ୍ରା. କାରଟାପ୍ ହାଇଡ୍ରୋକ୍ଲୋରାଇଡ୍ କିମ୍ବା ୧୨୦୦ ଗ୍ରାମ କାର୍ବୋଫୁରାନ୍ କିମ୍ବା ୮୦୦ ଗ୍ରାମ ଫିପ୍ରୋନିଲ କିମ୍ବା ୫୦୦ ଗ୍ରାମ ଫୋରେଟ୍ ପ୍ରୟୋଗ କଲେ ଧାନ ବିଲରେ କାଣ୍ଡବିନ୍ଧା ଓ ବଙ୍ଗୀ ପୋକର ପ୍ରାଦୁର୍ଭବ ୧ ମାସରୁ ଦେଢମାସ ପର୍ଯ୍ୟନ୍ତ ଦେଖାଯାଏ ନାହିଁ । ନିୟମିତ ପର୍ଯ୍ୟବେକ୍ଷଣ ଓ ଆବଶ୍ୟକ ମୁତାବକ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଚାଷୀ ଭାଇମାନଙ୍କୁ ଏଭଳି ସମସ୍ୟାରୁ ମୁକ୍ତି ମିଳିବ l
ନିୟମିତ ପୋକ ସର୍ବେକ୍ଷଣ କରି ସେଗୁଡ଼ିକର ସଂଖ୍ୟା ଆର୍ଥିକ ନିୟନ୍ତ୍ରଣ ସୀମାରେଖାରେ ପହଞ୍ଚିଲେ ଉପଯୁକ୍ତ କୀଟନାଶକ ପ୍ରୟୋଗ କରିବାକୁ ପଡ଼ିଥାଏ । ପିଲା ଦେବା ସମୟରେ ଶତକଡ଼ା ୫ ଭାଗ ମଞ୍ଜକିଳା ଦେଖାଗଲେ କିମ୍ବା ବର୍ଗମିଟର ପ୍ରତି ଗୋଟିଏ ମେଞ୍ଚା ଅଣ୍ଡା ଦେଖାଗଲେ କିମ୍ବା ଫୁଲ ବାହାରିବା ସମୟରେ ପ୍ରତି ଗୋଟିଏ ମେଞ୍ଚା ଅଣ୍ଡା ଦେଖାଗଲେ କିମ୍ବା ଫୁଲ ବାହାରିବା ସମୟରେ ପ୍ରତି ବର୍ଗମିଟରରେ ଗୋଟିଏ ମା ପୋକର ଉପସ୍ଥିତି ଦେଖା ହେଲେ ଆର୍ଥିକ ନିୟନ୍ତ୍ରଣ ସୀମାରେଖା ପହଞ୍ଚିଲା ବୋଲି ଜାଣିବାକୁ ହେବ । ଏହି ପରିସ୍ଥିତିରେ ଏକର ପ୍ରତି ୪୦୦ ମି.ଲି. ମନୋକ୍ରୋଟେଫସ୍ କିମ୍ବା କୁଇନାଲ ଫସ୍ କିମ୍ବା କେତ୍କାର ପାଇରିଫସ୍ କିମ୍ବା ୨୦୦ ଲିଟର ପାଣିରେ ଗୋଳାଇ ପତ୍ର ଉପରେ ସିଞ୍ଚନ କରନ୍ତୁ କିମ୍ବା ଦାନାଦାର ବିଷ ଯଥା କାରଟପ୍ ଏକରକୁ ୧୦ କି.ଗ୍ରା. କିମ୍ବା ଫିପ୍ରୋନିଲ ୮ କି.ଗ୍ରା. କିମ୍ବା କାର୍ବଫ୍ୟୁରାନ ୧୨ କି.ଗ୍ରା. ହିସାବରେ ପ୍ରୟୋଗ କରି କାଣ୍ଡବିନ୍ଧା ପୋକକୁ ଦମନ କରନ୍ତୁ ।
ଏବେ ଫେରୋମୋନ୍ ଯନ୍ତା ବ୍ୟବହାର କରି କାଣ୍ଡବିନ୍ଧା ପୋକକୁ ଫଳପ୍ରଦ ଭାବରେ ନିୟନ୍ତ୍ରଣ କରାଯାଇ ପାରୁଛି । ଧାନ ବିଲରେ ୨୦ ମିଟର ବ୍ୟବଧାନରେ ଫେରୋମୋନ୍ ଯନ୍ତା ଲଗାଇ ଦେଲେ ପୋକର ପୁରୁଷ ପ୍ରଜାତିମାନେ ଆକୃଷ୍ଟ ହୋଇ ଏହି ଯନ୍ତା ଭିତରେ ପଡ଼ିଯାଆନ୍ତି । ଏଣୁ ମାଈ ପୋକଗୁଡ଼ିକ ସଙ୍ଗମ ଅଭାବରୁ ଅଣ୍ଡା ଦେଇ ପାରନ୍ତି ନାହିଁ କିମ୍ବା ଯେଉଁ ଅଣ୍ଡା ଦିଅନ୍ତି ସେଗୁଡ଼ିକ ଫୁଟେ ନାହିଁ। ଏହି ଉପାୟରେ ସେମାନଙ୍କର ବଂଶବିସ୍ତାରକୁ ନିୟନ୍ତ୍ରଣ କରାଯାଇପାରିବ । ଏକର ପ୍ରତି ୮ ଟି ଫେରୋମୋନ୍ ଯନ୍ତା ବ୍ୟବହାର କରିବାକୁ ହେବ l