ରୋଗପୋକ ଦମନ ପାଇଁ ବିଭିନ୍ନ ଔଷଧ ସବୁ ବ୍ୟବହାର କରାଯାଇଥାଏ । ତେବେ ଏହି ଔଷଧ ବ୍ୟବହାର କରିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
୧. ପୋକ ପାଇଁ ବ୍ୟବହାର କରାଯାଉଥିବା ଔଷଧକୁ କ୍ଷାରୀୟ ଦ୍ରବ୍ୟ ସହିତ ମିଶାଇ ବ୍ୟବହାର କରିବେ ନାହିଁ । ଏହାଦ୍ୱାରା ପୋକ ପାଇଁ ବ୍ୟବହାର ହେଉଥିବା ବିଷର ଗୁଣ ନଷ୍ଟ ହୁଏ । ଉଦାହରଣ ସ୍ୱରୂପ ବୋର୍ଡସ ଦ୍ରବଣ ବା ଚୂନ ଗନ୍ଧକ ଦ୍ରବଣକୁ କୌଣସି କୀଟନାଶକ ଔଷଧ ସହ ମିଶାଇ ବ୍ୟବହାର କରିବା ଅନୁଚିତ୍ । କେବଳ ଡି.ଡି.ଟି., ଆଲଡ୍ରିନ୍, ଡାଇଆଲ୍ଡ୍ରିନ୍, ନିକୋଟିନ୍ ସଲଫେଟ୍କୁ ବ୍ୟବହାର କରାଯାଇପାରେ ।
୨. କଖାରୁ, ଲାଉ, କାକୁଡ଼ି, ଜହ୍ନି ଓ ଏହି ଜାତୀୟ ଅନ୍ୟାନ୍ୟ ଫସଲ ଗୁଡ଼ିକରେ ଡି.ଡି.ଟି., ବି.ଏଚ୍.ସି., ଗାମାକ୍ସିନ୍ ବା ଲିଣ୍ଡେନ୍ ଇତ୍ୟାଦି ପ୍ରୟୋଗ କରନ୍ତୁ ନାହିଁ; କାରଣ ଏଗୁଡ଼ିକ ପତ୍ରକୁ ନଷ୍ଟ କରନ୍ତି ।
୩. ଉଇ ମାରିବା ସକାଶେ ଆଳୁ, କନ୍ଦମୂଳ ଇତ୍ୟାଦି ଫସଲ କରିବା ପୂର୍ବରୁ ମାଟିରେ ଗାମାକ୍ସିନ୍ ପରିବର୍ତ୍ତେ ଆଲଡ୍ରିନ୍ ଗୁଣ୍ଡ ପ୍ରୟୋଗ କରନ୍ତୁ ।
୪. ଘର ନିକଟ ବାଡ଼ି ବଗିଚାରେ ପାରାଥିଅନ୍ (ଫଲିଡଲ), ଟିଇପିପି, ଡେମେଟନ୍, ଟ୍ରିଥିଅନ୍, ମେଭିନଫସ୍, ବ୍ରୋମାଇଡ, ଡି.ଡି. ଡାଇସିଷ୍ଟନ୍ ଇତ୍ୟାଦି ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ଏହି ବିଷଗୁଡ଼ିକ ବହୁ ମାତ୍ରରେ ବାଷ୍ପୀଭୂତ ହୋଇ ଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଘରେ ରହୁଥିବା ଲୋକମାନଙ୍କର କ୍ଷତି ଘଟାଇପାରେ ।
୫. ଗଛରେ ଫଳ ଥିବା ଅବସ୍ଥାରେ ଡି.ଡି.ଟି., ଆଲଡ୍ରିନ୍, କ୍ଲେରଡେନ୍, ହାଇଏଲ୍ଡ୍ରିନ୍ ଟକ୍ସଫିନ୍, ଲେଡରଆରସିନେଟ୍, ଗାମାକ୍ସିନ୍ ଇତ୍ୟାଦି ପକାଇବା ଉଚିତ୍ ନୁହେଁ ।
୬. ସର୍ବାଙ୍ଗଭେଦୀ ଦାନାଦାର ଔଷଧକୁ ଫସଲ ଅମଳର ୬ ସପ୍ତାହ ପୂର୍ବରୁ ବ୍ୟବହାର କରିବା ଉଚିତ୍ । କାରଣ ଔଷଧ ପକାଇବାର ୩ ସପ୍ତାହ ପର୍ଯ୍ୟନ୍ତ ଗଛରେ ବିଷର ମାତ୍ରା ରହେ ।
୭. ଫସଲରେ ମାଲାଥିଅନ୍, କାରବାରିଲ୍, ଏଣ୍ଡୋସଲଫାନ୍ ଓ ଏଣ୍ଡ୍ରିନ୍ ବ୍ୟବହାର କରିଥିଲେ ଅନ୍ତତଃ ପକ୍ଷେ ୩, ୭, ୭, ୧୫ ଓ ୨୧ ଦିନ ପରେ ଅମଳ କରି ବା ପରିବା ହୋଇଥିଲେ ତୋଳି ବ୍ୟବହାର କରିବା ଉଚିତ୍ ।
୮. ଟାଣ ଖରା ହେଉଥିôବା ବେଳେ ଗଛରେ ଗନ୍ଧକ ପକାନ୍ତୁ ନାହିଁ । ଏହାଦ୍ୱାରା ଗଛର ପତ୍ର, ଫୁଲ ଓ ଫଳଗୁଡ଼ିକ ଝଡ଼ିଯାଏ ।
୯. ଗଛରେ ଫୁଲ ହୋଇଥିବା ଅବସ୍ଥାରେ ପାରାଥିଅନ୍ କିମ୍ବା ରୋଗର୍ ବ୍ୟବହାର କରନ୍ତୁ ନାହିଁ । ଏହା ପରାଗ ସଙ୍ଗମରେ ବାଧା ଦିଏ ଓ ଗଛରେ ଫଳ କମ୍ ଧରେ । ଫୁଲ ଅବସ୍ଥାରେ ଯଦି ଔଷଧ ପକାଇବା ନିହାତି ଜରୁରୀ ହେଲା, ତେବେ ସକାଳ ଓଳି ନ ପକାଇ ଉପର ଓଳି ପକାଇବେ ।
୧୦. ଅତ୍ୟଧିକ ଖରା ବା ଜଳ ଅଭାବରୁ ଗଛ ଝାଉଁଲିବା ଅବସ୍ଥାରେ ଥିଲେ ତୈଳ ଜାତୀୟ ଦ୍ରବ୍ୟ ଯଥା:- ଡିଜେଲ୍ ଦ୍ରବଣ ଇତ୍ୟାଦି ଛିଞ୍ଚିବା ନିଷେଧ ।
୧୧. ବାୟୁମଣ୍ଡଳର ଉତ୍ତାପ ୭୦ ଡ୍ରିଗୀ ଫାରେନ୍ହିଟ୍ରୁ କମ୍ ହେଲେ ଜଉକୋପକୁ ମାରିବା ସକାଶେ ପାରାଥିଅନ୍ ଭଲ କାମଦିଏ ନାହିଁ ।
୧୨. ଥଣ୍ଡା ପାଗ ଅପେକ୍ଷା ଖରାଟିଆ ପାଗରେ ନିକୋଟିନ୍ ସଲଫେଟ୍ ପୋକକୁ ମାରିବା ପାଇଁ ଖୁବ୍ ଭଲ କାମ ଦିଏ ।
୧୩. କିରୋସିନ ଓ ତୁତିଆ (କପର ସଲଫେଟ୍)କୁ କେବେହେଲେ ସିଧା ସଳଖ ଗଛ ଉପରେ ପ୍ରୟୋଗ କରିବା ଉଚିତ୍ ନୁହେଁ, କାରଣ ପତ୍ର ଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଏ ।
୧୪. ଔଷଧ ଟିଣ ବା ବୋତଲ ଖୋଲିବା ପୂର୍ବରୁ ତା’ ଉପରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ଭଲ ଭାବରେ ପଢ଼ି, ଟିଣକୁ ବା ଠିପିକୁ ଛୁରୀ ସାହାଯ୍ୟରେ ଖୋଲିବ ।
୧୫. ଔଷଧ ମିଶ୍ରଣ ତିଆରି କରିବା ପାଇଁ ପରିଷ୍କାର ପାଣି ନେବ । ପ୍ରଥମେ ଅଳ୍ପ ପାଣିରେ ଔଷଧ ମିଶାଇ ତା’ପରେ ଦରକାର ମୁତାବକ ପାଣି ମିଶାଇ, ଛାଣିକରି ସ୍ପ୍ରେୟରରେ ଭର୍ତ୍ତି କରିବ । ଔଷଧ ହାତରେ ନ ଗୋଳାଇ ସଦାବେଳେ କାଠିରେ ଗୋଳାଇବ ।
୧୬. ଔଷଧ ଯେପରି ଦେହ, ହାତରେ ନ ଲାଗେ, ସେଥିପାଇଁ ଯତ୍ନବାନ୍ ହେବ । ଔଷଧ ପକାଇଲା ବେଳେ ଗ୍ଲୋଭ ବ୍ୟବହାର କରିବା ଭଲ । ଚଷମା ପିନ୍ଧିବା ଉଚିତ୍, କାରଣ ଆଖିରେ ଔଷଧ ପଡ଼ିବାର ଭୟ ଥାଏ । ସେହିପରି ଔଷଧ ପକାଇଲାବେଳେ ନାକରେ ଗାମୁଛା ବାନ୍ଧିବେ ।
୧୭. ଗଛ ଉପରେ କାକର ପଡ଼ିଥିବା ବେଳେ ପାଣିଆ ଔଷଧ ପକାଇବ ନାହିଁ । ଏହି ସମୟରେ ଗୁଣ୍ଡ ଔଷଧ ପକାଇଲେ ଭଲ କାମ ଦିଏ । ବର୍ଷା ହେବାର ସମ୍ଭାବନା ଥିଲେ କିମ୍ବା ଜୋର୍ରେ ପବନ ବହୁଥିଲେ ଔଷଧ ପକାଇବ ନାହିଁ । ଟାଣ ଖରା ହେଉଥିବାବେଳେ ମଧ୍ୟ ଔଷଧ ପକାଇବା ମନା ।
୧୮. ପବନ ଯେଉଁ ଦିଗକୁ ବହୁଛି ତା’ର ବିପରୀତ ଦିଗକୁ ଔଷଧ ପକାଇବ । ଏହାଦ୍ୱାରା ଦେହରେ ଔଷଧ ପଡ଼େ ନାହିଁ ।
୧୯. ଔଷଧ ପକାଇଲା ବେଳେ ଯଦି ଯନ୍ତ୍ର ମୁହଁରେ ମଇଳା ଲାଗିଯାଏ, ତାକୁ ନ ଫୁଙ୍କି, ଖଣ୍ଡିଏ ସରୁ କାଠି ସାହାଯ୍ୟରେ ସଫା କରିବା ଯନ୍ତ୍ରର ମୁହଁଟିକୁ ଖୋଲି ପାଣିରେ ଭଲ କରି ଧୋଇ ଦେବ ।
୨୦. ଔଷଧ ପକାଇ ସାରିବା ପରେ ସ୍ପ୍ରେୟର, ବାଲ୍ଟି, ଲୁଗାପଟା ଇତ୍ୟାଦିକୁ ନଈ, ପୋଖରୀ, କେନାଲ୍ରେ ନ ଧୋଇ ବାହାରେ ଧୋଇବ । ଗୋଡ଼ ହାତକୁ ୨-୩ଥର ଭଲ କରି ସାବୁନରେ ସଫା କରିବ ।
୨୧. ଔଷଧ ସରିଯିବା ପରେ ଖାଲି ବୋତଲ ବା ଟିଣକୁ ଅନ୍ୟ କୌଣସି କାମରେ ବ୍ୟବହାର ନ କରି ନଷ୍ଟ କରିଦେବ ବା ପୋତି ଦେବ ।
୨୨. ବଡ଼ ଫଳ ଗଛରେ ଔଷଧ ପକାଇବାକୁ ହେଲେ ଫୁଟ୍ ସ୍ପ୍ରେୟର ବା ଗେଟାର ସ୍ପେୟର ବ୍ୟବହାର କରିବ । ସେ ସ୍ପ୍ରେୟରର ନୋଜଲ ବଦଳାଇ ଯଦି ଟ୍ରିପଲ୍ ଆକ୍ସନ୍ ନୋଜଲ ଲଗାନ୍ତି ତାହାହେଲେ ୩୦ ଫୁଟ ଉଚ୍ଚତାକୁ ସୁବିଧାରେ ପକାଇ ହେବ ।ଗୋଟିଏ କଥା ମନେ ରଖିବେ- ଥରେ ସ୍ପ୍ରେୟର ବ୍ୟବହାର କରି ସାରିବା ପରେ ଭଲ ଭାବରେ ତାକୁ ଧୋଇ ରଖିବେ ।