Agripedia

ବ୍ୟବସାୟିକ ଭିତ୍ତିରେ ଶିମ୍ବ ଚାଷ ଦେବ ଅଧିକ ଲାଭ

ସେହିଭଳି ବୁଦା କିସମ ଧାଡ଼ିକୁ ଧାଡ଼ି ୬୦ ସେ.ମି ଓ ଗଛକୁ ଗଛ ୩୦ ସେ.ମି ବ୍ୟବଧାନରେ ଟ୍ରେଞ୍ଚ ଖୋଳି ଲଗାଯିବା ଉଚିତ l ଜୁଲାଇ ମାସରେ ଶିମ୍ବ ବିହନ ଲଗାଇବା ଉଚିତ ଯାହାକି ଶୀତ ଦିନରେ ଠିକ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥିବ l

19 December, 2024 5:20 PM IST By: Tanushree Mahapatra

ଶିମ୍ବ ଲତା ଜାତୀୟ ଚାଷ l ଏହା ଏକ ଶୀତଦିନିଆ ଫସଲ l ଶିମ୍ବ ଗଛ ବଡ଼ ହେଉଥିବା ସମୟରେ ଅଧିକ ଆର୍ଦ୍ରତା ଓ ଉତ୍ତାପ ଦରକାର କରିଥାଏ। ବ୍ୟବସାୟିକ ଭିତ୍ତିରେ ଶିମ୍ବ ଚାଷ କରି ଚାଷୀ ସ୍ୱାବଲମ୍ବୀ ହୋଇପାରିବେ। କାରଣ ଏହା ସମସ୍ତ ଅଞ୍ଚଳ ପ୍ରାୟତଃ ଚାଷ ହୋଇପାରିବ l ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ପାଇବେ ଚାଷୀ l ଗଛରେ ଫଳ ଧରିବା ସମୟରେ ଅଳ୍ପ ଆର୍ଦ୍ରତା ଓ ଉତ୍ତାପ ଅଧିକ ଆବଶ୍ୟକ ହୋଇଥାଏ l ବିଭିନ୍ନ ପ୍ରକାର ମାଟିରେ ଶିମ୍ବ ଚାଷ କରାଯାଇପାରେ l କିନ୍ତୁ, ନିଗିଡ଼ା, ଉର୍ବର , ଦୋରସା ମାଟି ଅଧିକ ଭଲ ଅମଳ ଦିଏ l ଧ୍ୟାନ ରଖିବା ଉଚିତ ଅମ୍ଳତା ୫.୦ ରୁ ୯.୦ ମାଟିରେ ବହଳ ଚାଷ ହୁଏ ଶିମ୍ବ l

ଶିମ୍ବର ଭିନ୍ନ ଭିନ୍ନ କିସମ :-

୧) ବୁଦା କିସମ :- ସେଓ - ୧ , ସିଓ - ୨ , ସିଓ -୧୦ , ଆଇ.ଆଇ.ଏଚ.ଆର -୧,୨ l ଏହି କିସମ ଫସଲ ବୁଦା ପରି ହୋଇଥାଏ l

୨) ଲତା କିସମ :- ପୁସା ଶିମ୍ବ -୧ , ଆର୍ଲିପ୍ରଲିଫିକ୍, ପୁସା ଶିମ୍ବ- ୩ l ଏହି କିସମରେ ଲତା ଅଧିକ ହୋଇଥାଏ ଗଛ ଗୁଡ଼ିକ l

ଏକର ପ୍ରତି ବୁଦା ଶିମ୍ବ ବୁଣିବା ପାଇଁ ୮ ରୁ ୧୦ କି.ଗ୍ରା. ଏବଂ ଲତା ଜାତୀୟ ବିହନ ୪ ରୁ ୫ କି.ଗ୍ରା.ବିହନ ଆବଶ୍ୟକ l ବିହନକୁ କାର୍ବେଣ୍ଡାଜିମ୍ ରେ ବିଶୋଧନ କରିବା ଆବଶ୍ୟକ l

ବିହନ ବୁଣିବା ପ୍ରଣାଳୀ :- ଜମିକୁ ୨ ରୁ ୩ ଥର ଓଡ଼ ଚାଷ କରି ଲତା ଜାତୀୟ ଶିମ୍ବକୁ ୧.୫ ମିଟର ବ୍ୟବଧାନରେ ୧ ଫୁଟ ଲମ୍ବ, ଓସାର ଓ ଗଭୀର ଗାତ ଖୋଳି ଏକର ପ୍ରତି ୨ ଟନ କମ୍ପୋଷ୍ଟ , ମୂଳସାର ଏବଂ ଉପର ମାଟି ପୂରଣ କରି ପ୍ରତି ମନ୍ଦାରେ ୩ ରୁ ୪ ତି ମଞ୍ଜି କିମ୍ବା ବିହନ ୨ ରୁ ୩ ସେ.ମି ଗଭୀରରେ ପୋତାଯାଏ l

ସେହିଭଳି ବୁଦା କିସମ ଧାଡ଼ିକୁ ଧାଡ଼ି ୬୦ ସେ.ମି ଓ ଗଛକୁ ଗଛ ୩୦ ସେ.ମି ବ୍ୟବଧାନରେ ଟ୍ରେଞ୍ଚ ଖୋଳି ଲଗାଯିବା ଉଚିତ l ଜୁଲାଇ ମାସରେ ଶିମ୍ବ ବିହନ ଲଗାଇବା ଉଚିତ ଯାହାକି ଶୀତ ଦିନରେ ଠିକ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥିବ l ଖତସାର ଆବଶ୍ୟକ ଅନୁଯାୟୀ ବ୍ୟବହାର କରନ୍ତୁ l ଭଲ ଜୈବିକ ସାର ବ୍ୟବହାର କରନ୍ତୁ କିମ୍ବା ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହିତ ଆଲୋଚନା କରନ୍ତୁ l

ରୋଗ ପୋକ ପରିଚାଳନା :-

ପତ୍ର ଦାଗ ରୋଗ :- ପତ୍ରରେ ଗୋଲରୁ କୋଣାକାର ମାଟିଆ ରଙ୍ଗର ଚିହ୍ନ ଦେଖାଯାଏ l ଏହାକୁ ନିୟନ୍ତ୍ରଣ କରିବା ପାଇଁ କପର ଅକ୍ସିକ୍ଲୋରାଇଡ ସ୍ପ୍ରେ କରନ୍ତୁ l

ଫଳବିନ୍ଧା ରୋଗ - ଶୂକଗୁଡ଼ିକ ଫୁଲ ଓ ଫଳ ମଧ୍ୟରେ ପଶି ତାହାକୁ ଖାଇଥାନ୍ତି l ଏହାକୁ ନିୟନ୍ତ୍ରଣ କରିବା ପାଇଁ ସହନଶୀଳ ପୁସା ଶିମ୍ବ - ୨ ଲଗାଇବା ଉଚିତ l ବଉଳ ଆସିବା ସମୟରେ ଏବଂ ୧୫ ଦିନ ପରେ ପରେ କ୍ଲୋରୋପାଇରିଫସ ସ୍ପ୍ରେ କରାଯାଏ l

ଜଉପୋକ :- ଏହା ଶିମ୍ବରେ ଲାଗୁଥିବା ମୁଖ୍ୟ ପୋକ l ଅଧିକାଂଶ ଚାଷ ଏହି ପୋକଙ୍କ ପାଇଁ ନଷ୍ଟ ହୋଇଥାଏ l ଦେଖିବାକୁ ଏହି ପୋକ କଳାରଙ୍ଗର l ଗଛର ବିଭିନ୍ନ ସ୍ଥାନରେ ଏହା ଲାଗି ଗଛରୁ ସମସ୍ତ ରସ ଶୋଷି ଖାଇଥାନ୍ତି l ମେଘୁଆ ପାଗରେ ଏହି ପୋକ ଅଧିକ ବଢି଼ଥାନ୍ତି l ୧ ଗ୍ରାମ ଆସିଟାମିପ୍ରିଡ଼ ସହିତ ଥାୟୋମେଥୋକ୍ସମ୍ ୩ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ l ଏହା ନିୟଣଟିରନ ହୋଇଥାଏ ଏହା କରିବା ଦ୍ୱାରା l

ଅମଳ :- ପରିବା ପାଇଁ କଅଁଳ ଅବସ୍ଥାରେ ଶିମ୍ବ ତୋଳିନେବା ଉଚିତ l ବୁଦା କିସମ ଗୁଡ଼ିକ ୬୦ ରୁ ୭୦ ଦିନ ମଧ୍ୟରେ ୨୦ ରୁ ୩୦ କ୍ୱିଣ୍ଟାଲ ଅମଳ ପ୍ରଦାନ କରିଥାଏ l ସେହିପରି ଲତା କିସମ ଗୁଡ଼ିକ ୯୦ ରୁ ୧୨୦ ଦିନରେ ପ୍ରଥମ ଅମଳ ଦେଇ ଏକର ପ୍ରତି ୬୦ ରୁ ୭୦ କ୍ୱିଣ୍ଟାଲ ଅମଳ ଦେଇଥାନ୍ତି l ଧ୍ୟାନ ରଖିବା ଉଚିତ ୭ ଦିନ ବ୍ୟବଧାନରେ ତୋଳିନେବା ଉଚିତ l ଆପଣ ବିହନ ମଧ୍ୟ ଉତ୍ପାଦନ କରିପାରିବେ l ଏହି କିସମ ପାଇଁ ଅଧିକ ଟଙ୍କା ମଧ୍ୟ ଆବଶ୍ୟକ ନାହିଁ l