କୋଳଥ ଚାଷ l ଏହା ଏକ ମରୁଡ଼ି ସହଣୀ ଚାଷ l ମାଟିରେ ଥିବା ଜଳୀୟଅଂଶରେ କୋଳଥ ଚାଷ ଭଲ ହୋଇପାରେ l ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ମହାରାଷ୍ଟ୍ର ଭଳି ରାଜ୍ୟରେ ଏହି ଚାଷ କରାଯାଇଥାଏ l ଏହା ଏକ ପୁଷ୍ଟିସାରରେ ଭରପୁର ଥିବା ଡାଲି ଜାତୀୟ ଫସଲ l କୋଳଥ ଡାଲି ଚାଷରେ ମରୁଡ଼ି ସହନଶୀଳତା କ୍ଷମତା ରହିଛି l ଉପକୂଳବର୍ତ୍ତୀ ଜିଲ୍ଳାମାନଙ୍କରେ ଏହି ଫସଲ ଶୀତଦିନେ ଚାଷ କରାଯାଏ । ଏହି ଫସଲ ଚାଷ କଲେ ମାଟିର ଉର୍ବରତା ବଢ଼ାଇଥାଏ l
ମୃତ୍ତିକା
ବାଲିଆ ଓ ପଟୁ ଦୋରସା ମାଟିରେ କୋଳଥ ଡାଲି ଚାଷ ଭଲ ହୁଏ l ପାଣି ଜମୁଥିବା ଅଞ୍ଚଳରେ କୋଳଥ ଚାଷ ନଷ୍ଟ ହୋଇଥାଏ କିମ୍ବା ଭଲ ହୋଇ ନଥାଏ l
ଉନ୍ନତ କିସମ
ଡିଏସ୍୧-୨
ଡିଏସ୍ ୨-୨ (ଉର୍ମି)
ସିଓ-୧
ପିଡିଏମ୍-୧
ଏଚ୍ପିକେ-୨
ବିହନ ବୁଣିବ
୧ ଏକର ଜମିରେ ୨୦ କି.ଗ୍ରା. ବିହନ ଦରକାର । ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନରେ ତିନିଗ୍ରାମ ଥିରାମ ମିଶାଇ ବିଶୋଧନ କରନ୍ତୁ । ବିହନକୁ ଜୀବାଣୁ କଲଚର ସହ ଗୋଳାଇ ବୁଣିଲେ ଗଛକୁ ଯବକ୍ଷାର ସାର ମିଳିଥାଏ । ବୁଣିବା ପୂର୍ବରୁ ଜମିକୁ ହଳ କରି ମାଟି ଗୁଣ୍ଡ କରନ୍ତୁ । ବିହନକୁ ଧାଡ଼ିଧାଡ଼ି କରି ବୁଣାଯାଇପାରେ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଦୂରତା ରହିବା ଆବଶ୍ୟକ l ଓଡ଼ ଚାଷ ବେଳେ ଜମିରେ ପ୍ରାୟ ୨୦ କ୍ୱିଣ୍ଟାଲ ଗୋବରଖତ ମିଶାଇଲେ ଅଧିକ ଅମଳ ମିଳିଥାଏ ।
ଖତସାର
ବୁଣିବା ବେଳେ ଏକର ପିଛା ୫ କି.ଗ୍ରା. ଯବକ୍ଷାରଜାନ ଓ ୧୦ କି.ଗ୍ରା. ଫସଫରସ ପ୍ରୟୋଗ କରିବା ଆବଶ୍ୟକ। ଏଥିପାଇଁ ଏକର ପ୍ରତି ୨୨ କି.ଗ୍ରା. ଡିଏପି ଏବଂ ୨ କି.ଗ୍ରା. ୟୁରିଆ ପ୍ରୟୋଗ କରିବା ମଧ୍ୟ ଆବଶ୍ୟକ ହୋଇଥାଏ । ଏହା ବଦଳରେ ଆପଣ ଏକର ପ୍ରତି ୧୮ କି.ଗ୍ରା. ଗ୍ରୋମୋର ଓ ୩୧ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ମଧ୍ୟ ବ୍ୟବହାର କରିପାରିବେ । ହିସାବ କରି ଅନ୍ୟାନ୍ୟ ସାର ବ୍ୟବହାର କରନ୍ତୁ । ସୁବିଧା ଥିଲେ ଶୀତଦିନେ କୋଳଥ ଫସଲରେ ପାଣି ମଡ଼ାଇବା ଆବଶ୍ୟକ । ଏହି ଫସଲ ହାରାହାରି ୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ଜଳ ଆବଶ୍ୟକ କରିଥାଏ ।
ଜଳସେଚନ ଓ ଅମଳ
କୋଳଥ ଚାଷରେ ଅଧିକ ପାଣି ଆବଶ୍ୟକ ହୋଇନଥାଏ l ଫସଲରେ ଫୁଲ ହୋଇଥିବା ସମୟରେ ଜଳସେଚନ କରିବା ଦ୍ୱାରା ଭଲ ଅମଳ ହୋଇଥାଏ l ଛୁଇଁ ଗୁଡିକ ପାକଳ ହୋଇଗଲେ ଜାଣିବେ ଯେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇସାରିଛି l ଭଲ ଫସଲ ହୋଇଥିଲେ ଏକ ଏକର ଜମିରେ ହାରାହାରି ୫ ରୁ ୬ କ୍ୱିଣ୍ଟାଲ ଅମଳ ମିଳିଥାଏ । ଏହି ଫସଲରେ ପାଉଁଶିଆ ରୋଗ, ସାହେବୀ ରୋଗ ଭଳି ରୋଗ ଦେଖିବାକୁ ମିଳେ l ଫସଲ ରୋଗପୋକ ରୋକିବାକୁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରନ୍ତୁ l
Read more