ଆମେ ସାଧାରଣ ଭାବରେ ଜାଣିଛେ ଯେ ସମୁଦ୍ର କୂଳରେ ଥିବା ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି l ତାହା ହିଁ ସେମାନଙ୍କ ଜୀବନ ଜୀବିକାର ପ୍ରମୁଖ ଅଙ୍ଗ ହୋଇଆସିଛି l ସମୁଦ୍ର କୂଳରେ ଥିବା ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ଜୀବିକାର ନୂତନ ଆଶା ଆଣିଦେଇଛି ସିଉଇଡ୍ସ ଚାଷ l ଏହି ସିଉଇଡ୍ସ ସମ୍ପର୍କରେ ଆସନ୍ତୁ କିଛି ଆଲୋଚନା କରିବା l
ସିଉଇଡ୍ସ ହେଉଛି ସମୁଦ୍ରରେ ଜାତ ଏକ ସ୍ୱତନ୍ତ୍ର ଧରଣର ଶୈବାଳ କିମ୍ବା ଦଳ l ଏହି ସିଉଇଡ୍ସ ଜୀବନରକ୍ଷାକାରୀ ଔଷଧ ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ପୋଷଣ ସାମଗ୍ରୀ ପ୍ରସ୍ତୁତିରେ ବହୁଳ ମାତ୍ରାରେ ବ୍ୟବହାର ହୁଏ l ତେଣୁକରି ବଜାରରେ ସିଉଇଡ୍ସର ଯଥେଷ୍ଟ ଚାହିଦା ରହିଛି l ଏହି ଚାହିଦାକୁ ଆଖିରେ ରଖି ଏହି ସିଉଇଡ୍ସ ଚାଷକୁ ବ୍ୟାପକ କରିବା ପାଇଁ ଓଡ଼ିଶା ସରକାରଙ୍କର ମତ୍ସ୍ୟ ସମ୍ପଦ ବିଭାଗ ପଦକ୍ଷେପ ଗ୍ରହଣ କରିଛନ୍ତି l ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆଗାମୀ ପାଞ୍ଚ ବର୍ଷରେ ଏହି ସିଉଇଡ୍ସ ଚାଷ ନିମନ୍ତେ ୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି l ଏହି ସିଉଇଡ୍ସ ଚାଷ ଓଡ଼ିଶାର ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ଜୀବିକାର ଏକ ନୂତନ ରାହା ଆଣିଦେବ ବୋଲି ଆଶା ରଖାଯାଇଛି l
ମତ୍ସ୍ୟ ସମ୍ପଦ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ପବିତ୍ର ବେହେରା ଜଣାଇଛନ୍ତି ଯେ, ତାମିଲନାଡ଼ୁରୁ ସିଉଇଡ୍ସ ବିହନ ଅଣାଯାଇଛି l ତାମିଲନାଡୁର ମତ୍ସ୍ୟଜୀବୀମାନେ ସିଉଇଡ୍ସ ଚାଷ କରି ସଫଳତା ହାସଲ କରିଛନ୍ତି l ମତ୍ସ୍ୟଜୀବୀମାନେ କିପରି ଏହି ଚାଷ କରି ଲାଭବାନ ହୋଇପାରିବେ ସେ ସମ୍ପର୍କରେ ସଚେତନତା ଶିବିରଗୁଡ଼ିକ ଆୟୋଜନ କରାଯାଉଛି l ମତ୍ସ୍ୟଜୀବୀମାନଙ୍କୁ ଚାଷ ପ୍ରଣାଳୀ, ବିକ୍ରୟ ପ୍ରକ୍ରିୟା, ରିହାତି ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରାଯାଉଛି l ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପାରାଦ୍ୱୀପର ନୋଳିଆ ସାହି, ବାଲେଶ୍ୱରର ଚାନ୍ଦିପୁର, ସୋନାପୁର, ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ଏବଂ ରାମଚଣ୍ଡୀ ଏବଂ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ କରାଯିବ l ସିଉଇଡ୍ସର ଚାଷ ପ୍ରଣାଳୀ ବିଷୟରେ ସୂଚନା ଦେବାକୁ ଯାଇ ଶ୍ରୀଯୁକ୍ତ ବେହେରା କହିଛନ୍ତି ଯେ, ଏହାକୁ ଜୁଆର ନଥିବା ଅଗଭୀର ସମୁଦ୍ର ଜଳରେ ଚାଷ କରାଯାଇ ପାରିବ l ଜଳର ଲବଣତା ସ୍ତର ସ୍ଥିର ରହିଲେ ଏହା ସିଉଇଡ୍ସ ଚାଷ ନିମନ୍ତେ ଅନୁକୂଳ ହେବ l ଛୋଟ ଛୋଟ ବାଉଁଶ ଭେଳା ପ୍ରସ୍ତୁତ କରି ଏହାକୁ ଚାଷ କରାଯିବ l ଏହା ନିମନ୍ତେ କୌଣସି ଜମି, ମିଠା ଜଳ, ସାର, କିମ୍ବା କୀଟନାଶକର ଆବଶ୍ୟକତା ନାହିଁ l ପ୍ରତି ୪୫ ଦିନରେ ଚାଷୀ ଏହାକୁ ଅମଳ କରିପାରିବେ l
ଅନ୍ୟ ପକ୍ଷରେ ଏହି ସିଉଇଡ୍ସ ଚାଷ ଯୋଗୁଁ ଉପକୂଳ କ୍ଷୟକୁ ରୋକାଯାଇପାରିବ, ଏହା ବିଭିନ୍ନ ସାମୁଦ୍ରିକ ଜଳଜୀବଙ୍କ ଜନ୍ମ ସ୍ଥାନ ହୋଇପାରିବ l ଏହି ସିଉଇଡ୍ସ ଚାଷ ସଫଳ ହୋଇପାରିଲେ ସମୁଦ୍ର କୂଳବର୍ତ୍ତୀ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ଅବସ୍ଥାରେ ବିଶେଷ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରାଯାଉଛି l