ଶରୀରର ପାଇଁ ଶାଗର ଉପାଦେୟତା ଅନେକ ରହିଛି l ଶାଗରେ ସମସ୍ତ ପ୍ରକାରର ଧାତବ ଲବଣ ଏବଂ ଭିଟାମିନ ପ୍ରଚୁର ପରିମାଣରେ ରହିଛି l ଯଦି ଆମେ ଉପଯୁକ୍ତ ପରିମାଣର ଶାଗ ଆମର ଭୋଜନରେ ଗ୍ରହଣ କରିବା ତେବେ କୌଣସି ପ୍ରକାରର ଆମିଷ ଖାଦ୍ୟ ଗ୍ରହଣ କରିବାର କିଛି ଆବଶ୍ୟକ ନାହିଁ l ଶାଗରୁ ହିଁ ଆମେ ସମସ୍ତ ପ୍ରକାରର ପୋଷକତତ୍ତ୍ୱ ପାଇପାରିବ l ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ପ୍ରତିଦିନ ଆବଶ୍ୟକ ପରିମାଣରେ ଶାଗ ଖାଇଲେ ଝାଡ଼ା ପରିଷ୍କାର ହୁଏ । ଅନେକ ସବୁଜ ଶାଗରେ କ୍ୟାରୋଟିନ୍ ଥାଏ। ଯାହାକି ଦେହ ଭିତରେ ଭିଟାମିନ A ରେ ପରିଣତ ହୋଇଥାଏ । ବୈଜ୍ଞାନିକମାନଙ୍କ ମତରେ ଶାଗରେ ଭିଟାମିନ୍ A, B, C, K, ଚୂନ, ଲୌହ, ପଟାସ, ଫସ୍ଫରସ୍ ପ୍ରଭୃତି ଧାତବ ଲବଣ ମଧ୍ୟ ରହି ଥାଏ ।
ଶାଗ ଫସଲକୁ ଅମଳ ପରେ ପରେ ଖାଦ୍ୟ ପାଇଁ ବ୍ୟବହାର କରିବା ଉଚିତ୍ । ଶାଗକୁ କାଟି ଅଧିକ ସମୟ ରଖିଲେ ହେଁ ରୁ ଭିଟାମିନ୍ ବି ନଷ୍ଟ ହୋଇଯାଏ । ଅଧିକ ଶିଝାଇ ଦେଲେ ଶାଗରୁ ଖାଦ୍ୟସାର ନଷ୍ଟ ହୋଇଯାଏ । ପ୍ରତ୍ୟେକ ଲୋକ ପ୍ରତିଦିନ କିଛି ନା କିଛି ଶାଗ ଖାଇବା ଉଚିତ୍ । ଆମ ରାଜ୍ୟରେ ଖଡ଼ା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ । ଖରାଦିନେ ଖଡ଼ା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ୟତଃ ଚାଷ ହୋଇଥାଏ । ସଜନା ଶାଗ ମଧ୍ୟ ଚାଷ କରାଗଲାଣି। ପଞ୍ଜାବ ଓ ଉତ୍ତର ପ୍ରଦେଶରେ ସୋରିଷକୁ ମଧ୍ୟ ଶାଗ ପାଇଁ ଚାଷ କରାଯାଏ । ଗରିବ ଲୋକ ମାନଙ୍କ ପାଇଁ ଶାଗ ଏକ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବନାହିଁ ।
ଢିପ ଓ ନିଗିଡ଼ା ମାଟିରେ ଶାଗ ଭଲ ହୁଏ । ବିଲରେ ପାଣି ଜମି ରହିଲେ ଶାଗ ଫସଲ ଭଲ ହୁଏ ନାହିଁ । ଦୋରସା ମାଟି ଶାଗ ପାଇଁ ଖୁବ୍ ଉପଯୁକ୍ତ । ତେବେ ଶାଗ ଫସଲ ପ୍ରଚୁର ଖତ ଆବଶ୍ୟକ କରେ । ଶାଗ ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା ଉଚିତ୍ । ଲୁହା ଲଙ୍ଗଳରେ ଏକ ବା ଦୁଇ ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ । ଚାଷ ସମୟରେ ଜମିରେ ଖତ ଦେଲେ ତାହା ମାଟିରେ ଭଲ ଭାବରେ ମିଶିଯାଏ । ଶାଗ ବୁଣିବା ପୂର୍ବରୁ ଏକର ପିଛା ୨୦ କିଲୋଗ୍ରାମ୍ ଯବକ୍ଷାର, ୧୬ କିଲୋଗ୍ରାମ୍ ଫସ୍ଫରସ୍ ଓ ୧୨ କିଲୋଗ୍ରାମ୍ ପଟାସ୍ ସାର ଦେଇ ବୁଣିବା ଉଚିତ୍ । ଏହି ସାର ପାଇବା ପାଇଁ ଏକର ପିଛା ୪୪ କିଲୋଗ୍ରାମ୍ ୟୁରିଆ, ୧୦୦ କିଲୋଗ୍ରାମ୍ ସିଙ୍ଗଲ୍ ସୁପର ଫସ୍ଫେଟ୍ ଓ ୨୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଆବଶ୍ୟକ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ପ୍ରୟୋଗ କରାଯାଇପାରେ । ସବୁ ଫସ୍ଫରସ୍, ଅଧା ଯବକ୍ଷାର ଓ ଅଧା ପଟାସକୁ ମୂଳସାର ହିସାବରେ ଦେବାକୁ ହେବ । ମାଟିରେ ପାଗ ଥାଇ ଶାଗ ମଞ୍ଜି ବୁଣିବା ଉଚିତ୍ । ତେଣୁ ପାଗ ନଥିଲେ ବୁଣିବା ପୂର୍ବରୁ ବିଲରେ ପାଣି ମଡ଼େଇ ପାଗ କରି ମଞ୍ଜି ବୁଣିବା ଉଚିତ୍ । ଶାଗ ମଞ୍ଜି ଛୋଟ ଛୋଟ ହୋଇଥିବା ହେତୁ ତାହାକୁ ଗୁଣ୍ଡ ଖତ ବା ମାଟି ସହିତ ମିଶାଇ କରି ବୁଣାଯାଇପାରେ । ବୁଣିବାର ୧୫ ଦିନ ପରେ ଅବଶିଷ୍ଟ ଯବକ୍ଷାର ଓ ପଟାସ ସାର ପ୍ରୟୋଗ କରିବା ଉଚିତ୍। ଶାଗ ବୁଣିବା ପୂର୍ବରୁ ବିଲରେ ମଇ ଦେଇ ମାଟିକୁ ସମତଳ କରିଦେବା ଉଚିତ୍ । ତାପରେ ସୁବିଧା ଦେଖୁ ପ୍ରତି ୧୦ ଫୁଟ ଚଉଡ଼ାରେ ବିଲରେ ସିଆର ଟାଣି ଦେବା ଆବଶ୍ୟକ । ପରେ ଏହି ସିଆର ଦେଇ ଶାଗ ଫସଲରେ ପାଣି ଦିଆଯାଇ ପାରିବ । ସାଧାରଣତଃ ଖଡ଼ା, କୋଶଳା, ଲେଉଟିଆ ପାଇଁ ଏକର ପ୍ରତି ୨ ରୁ ୩ କିଲୋଗ୍ରାମ୍ ପର୍ଯ୍ୟନ୍ତ ମଞ୍ଜି ଦରକାର ହୋଇଥାଏ । ବିହନକୁ ଥିମ୍ ସହ ମିଶାଇ ବିଶୋଧନ କରିଦେବା ଉଚିତ୍ ।
ଖଡ଼ା ଶାଗ ବର୍ଷର ବାରମାସ ଯାକ ଚାଷ କରାଯାଇପାରିବ । ଲେଉଟିଆ ଶାଗ ଖରାଦିନେ ଓ କୋଶଳା ଶାଗ ନଭେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇ ପାରିବ । ବଥୁଆ, ପାଳଙ୍ଗ, ସୋରିଷ ଶାଗ ମଧ୍ୟ ନଭେମ୍ବର ଠାରୁ ଜାନୁୟାରୀ ଭିତରେ ବୁଣାଯାଇ ପାରିବ । ପୋଇ ଖରା, ବର୍ଷା ଓ ଶୀତ ସବୁ ସମୟରେ ଚାଷ କରାଯାଇ ଥାଏ । ତେବେ ଖରାଦିନେ ବିଲରେ ଅଧ୍ବକ ପରିମାଣରେ ପୋଇ ଚାଷ କରାଯାଏ ଓ ଏଥିରୁ ଅଧିକ ଲାଭ ମିଳିଥାଏ । ମଞ୍ଜି ବୁଣି ସାରିବା ପରେ ମାଟିକୁ ମଇ ଦେଇ ତାହାକୁ ଘୋଡ଼େଇ ଦେବା ଦରକାର । ଗଛ ଉଠିବାର ସପ୍ତାହେ ପରେ ବିଲରୁ ଘାସ ବାଛି ଆବଶ୍ୟକ ଅନୁସାରେ ପାଣି ଦେବା ଉଚିତ୍ । ଶାଗ ଫସଲ ପାଇଁ ଶୀତ ଓ ଖରାଦିନେ ପ୍ରାୟ ପ୍ରତି ସପ୍ତାହରେ ଥରେ ଲେଖାଏଁ ପାଣି ଦେବା ଦରକାର ହୋଇଥାଏ । ପ୍ରାୟ ୨୫ ରୁ ୩୦ ଦିନ ଭିତରେ ଖଡ଼ା ଓ କୋଶଳା ଶାଗ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଲେଉଟିଆ ଶାଗ ୨୫ ରୁ ୩୦ ଦିନ ମଧ୍ୟରେ କାଟିବା ପାଇଁ ଉପଯୁକ୍ତ ହୋଇଥାଏ । ଏହା ପ୍ରତି ୧୦ ରୁ ୧୫ ଦିନରେ ଥରେ ଲେଖାଏଁ କଟାଯାଇପାରେ । ଆଜିକାଲି ଅନେକ ଲୋକ ଉନ୍ନତ ପ୍ରଣାଳୀରେ ସଜନା ଚାଷ କରୁଛନ୍ତି । ଏଥିପାଇଁ ପିକେଏସ୍-୧, ପିକେଏମ୍-୨, ପୁନାମୁରୁଙ୍ଗାଇ, କୋଡ଼ିକାଲ ମୁରୁଙ୍ଗାଇ ଆଦି କିସମ ଚାଷ କରାଯାଇପାରିବ । ବିହନ ଦ୍ବାରା ବା ଡାଳଖଣ୍ଡ ସାହାଯ୍ୟରେ ସଜନାର ବଂଶ ବିସ୍ତାର କରାଯାଇ ପାରିବ । ଧାଡିକୁ ଧାଡ଼ି ୩ ରୁ ୫ ମିଟର ଓ ଗଛକୁ ଗଛ ୩ ରୁ ୫ ମିଟର ଦୂରତାରେ ଗଛ ଲଗାଇବାକୁ ହେବ । ବର୍ଷା ଋତୁ ଆରମ୍ଭରେ ସଜନା ଲଗାଯିବ । ତେବେ ମଞ୍ଜିରୁ ଚାରା କରି ଲଗାଉଥିଲେ ଅନ୍ୟାନ୍ୟ ସମୟରେ ମଧ୍ୟ ଲଗାଯାଇପାରିବ ।
ଶାଗ ଚାଷ ବିଷୟରେ ଏହି କଥାଗୁଡିକୁ ବିଶେଷ ଧ୍ୟାନ ଦିଅନ୍ତୁ ଲ ନିଗିଡ଼ା ଦୋରସା ମାଟିରେ ଶାଗ ଚାଷ କରନ୍ତୁ । ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ । ବିଲରେ ପ୍ରଚୁର ପରିମାଣରେ ଖତ ଦିଅନ୍ତୁ । ପାଣିଦେବା, ଘାସ ବାଛିବା ଓ ଅମଳ କରିବା ପାଇଁ ବିଲକୁ ସୁବିଧା ଅନୁସାରେ ପଟି ପଟି କରି ଦିଅନ୍ତୁ । ସବୁବେଳେ ମାଟିରେ ପାଗ ଥିଲାବେଳେ ମଞ୍ଜି ବୁଣି ମଇ ଦେଇଦିଅନ୍ତୁ । ବିକ୍ରି କରିବାର ଅଳ୍ପ ସମୟ ପୂର୍ବରୁ ବିଲରୁ ଶାଗ କାଟି ବଜାରକୁ ନିଅନ୍ତୁ ।