Agripedia

ମାଣ୍ଡିଆ ଚାଷରେ ଏହି ରୋଗପୋକ ହେଲେ କ'ଣ କରିବେ ?

ମାଣ୍ଡିଆ ଚାଷ l ଯାହା ବର୍ତ୍ତମାନ ଘରେ ଘରେ ପରିଚିତ l ମାଣ୍ଡିଆ ଆଉ କେବଳ ଜାଉ ରେ ସୀମିତ ହୋଇ ରହିନାହିଁ l ମାଣ୍ଡିଆରୁ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଉଛି l ଯାହାକୁ ଛୋଟ ରୁ ବଡ଼ ସମସ୍ତେ ପସନ୍ଦ କରୁଛନ୍ତି l ମାଣ୍ଡିଆ ଚାଷ ସେପରି କୌଣସି ଏକପ୍ରକାର ପାଣିପାଗ ଆବଶ୍ୟକତା କରେ ନାହିଁ l ଯେ କୌଣସି ପାଣିପାଗ କିମ୍ବା ମାଟିରେ ମାଣ୍ଡିଆ ଚାଷ କରି ହବ l

15 April, 2025 4:40 PM IST By: Tanushree Mahapatra

ମାଣ୍ଡିଆ ଭାରତରେ ଚାଷ କରାଯାଉଥିବା ଏକ ପ୍ରମୁଖ କ୍ଷୁଦ୍ର ଶସ୍ୟ । ଏହା ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମୂଖ୍ୟ ଖାଦ୍ୟ । ମାଣ୍ଡିଆ ଶସ୍ୟରେ ପ୍ରଚୁର ପରିମାଣରେ ଖଣିଜ ଲବଣ ରହିଥାଏ । ଏଥୁରେ କ୍ୟାଲସିୟମ୍, ଲୌହ, ପୁଷ୍ଟିସାର, ତନ୍ତୁର ମାତ୍ରା ଅଧିକ ଥିବା ସହିତ ଗ୍ଲୁଟେନ ଆଦୌ ନଥାଏ । ଚର୍ବିଜାତୀୟ ପଦାର୍ଥର ମାତ୍ରା ମଧ୍ୟ କମ୍ ଥାଏ । ଅଧିକ ତନ୍ତୁ ଜାତୀୟ ପଦାର୍ଥ ଥ‌ିବାରୁ ଏହା କୋଷ୍ଟକାଠିନ୍ୟ କରେ ନାହିଁ । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ମଧୁମେ, ଉଚ୍ଚ ରକ୍ତଚାପ, ଆଜମା, ଯକୃତ ଓ ହୃଦୟ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଉପଯୋଗୀ ।

ମାଣ୍ଡିଆ ଚାଷ l ଯାହା ବର୍ତ୍ତମାନ ଘରେ ଘରେ ପରିଚିତ l ମାଣ୍ଡିଆ ଆଉ କେବଳ ଜାଉ ରେ ସୀମିତ ହୋଇ ରହିନାହିଁ l ମାଣ୍ଡିଆରୁ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଉଛି l ଯାହାକୁ ଛୋଟ ରୁ ବଡ଼ ସମସ୍ତେ ପସନ୍ଦ କରୁଛନ୍ତି l ମାଣ୍ଡିଆ ଚାଷ ସେପରି କୌଣସି ଏକପ୍ରକାର ପାଣିପାଗ ଆବଶ୍ୟକତା କରେ ନାହିଁ l ଯେ କୌଣସି ପାଣିପାଗ କିମ୍ବା ମାଟିରେ ମାଣ୍ଡିଆ ଚାଷ କରି ହବ l ଏହି ଚାଷ କରିବାକୁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି l ପୁରୁଷଙ୍କ ସହିତ ମହିଳା ମଧ୍ୟ ମାଣ୍ଡିଆ ଚାଷ କରି ସଫଳ ହେଉଛନ୍ତି l ତେବେ ଏହି ଚାଷରେ ମଧ୍ୟ କିଛି ରୋଗପୋକ ଦେଖିବାକୁ ମିଳେ ଯାହାର ଆଲୋଚନା ନିମ୍ନରେ କରାଯାଇଛି l

ମହିଷା ରୋଗ

ଏହା ଏକ ପ୍ରକାର କବକ ଆକ୍ରମଣ ଦ୍ୱାରା ହୋଇଥାଏ l ଏହି ରୋଗ ମାଣ୍ଡିଆ ତଳି ରୋଇବା ଠାରୁ ଆରମ୍ଭ କରି ମାଣ୍ଡିଆ ଅମଳ ହେବା ସମୟ ମଧ୍ୟରେ ହୋଇପାରେ l ଏହି ରୋଗ ହେଲେ ପତ୍ରରେ ନୀଳ ରଙ୍ଗର ଛୋଟ ଚିତା ଦାଗ ଦେଖାଯାଇଥାଏ l ସେହି ଦାଗ ଗୁଡିକ ପରେ କାକୁଡ଼ି ଆକୃତି ହୋଇଥାଏ l ମଝିଅଂଶ ପାଉଁଶିଆ ଓ ଚାରିପାଖ ବାଦାମିରଙ୍ଗ ଦେଖାଯାଏ l ତଳି ସମୟରେ ଏହି ରୋଗ ହେଲେ ଫସଲ ପୋଡ଼ିଗଲା ପରି ଦେଖାଯାଏ l ମାଣ୍ଡିଆ ରୁଆ ହେବା ପରେ ଏହି ରୋଗ ହେଲେ ପତ୍ରରେ ଲମ୍ବାଳିଆ ଦାଗ ହୋଇଯାଏ , ପତ୍ର ଶୁଖିଯାଏ , ଗଣ୍ଠି ଗୁଡ଼ିକ କଳା ପଡ଼ିଯାଏ , କେଣ୍ଡା କଳା ପଡ଼ି ଶୁଖିଯାଏ l

ପରିଚାଳନା

୧)ଖରାଟିଆ ଚାଷ କରନ୍ତୁ , ଯାହାଦ୍ୱାରା ମାଟିରେ ଥିବା ଫିମ୍ପିର ମଂଜିଗୁଡ଼ିକ ଖରାରେ ମରିଯିବ
୨) ଯବକ୍ଷାରଜାନ ସାର ମାତ୍ରା ଅଳ୍ପ ବ୍ୟବହାର
୩) ଜମିରୁ ଅନାବନା ଘାସ ବାଛନ୍ତୁ
୪) ପୂର୍ବରୁ କରିଥିବା ଫସଲର ଅବଶିଷ୍ଟ ଅଂଶକୁ ନଷ୍ଟ କରନ୍ତୁ
୫) ୨୦୦ ଗ୍ରାମ ବେଲ/ତୁଳସୀ ପତ୍ର ରସକୁ ୧୦ ଲିଟର ପାଣିରେ ଗୋଳାଇ ସପ୍ତାହରେ ଦୁଇ ଥର ପ୍ରୟୋଗ କରନ୍ତୁ
୬)ବିଜାମୃତରେ ବିହନ ବିଶୋଧନ କରନ୍ତୁ
୭) ୧ ଲିଟର ଗୋମୂତ୍ର ଏବଂ ୧୦ ଲିଟର ପାଣି କୁ ଗୋଳାଇ ୭ ଦିନରେ ଠାରେ ସିଞ୍ଚନ କରନ୍ତୁ

ସାଆର ରୋଗ

ଏହା ଏକ କବକ ଜନିତ ରୋଗ l ଅକ୍ଟୋବର ରୁ ଡିସେମ୍ବର ମାସ ମଧ୍ୟରେ ଏହା ଦେଖିବାକୁ ମିଳେ l ଏହି ରୋଗ ହେଲେ ମାଣ୍ଡିଆର ଗର୍ଭାଶୟ ଫୁଲିଯାଏ ଏବଂ ସେଥିରେ ଗାଢ଼ ନୀଳ ରଙ୍ଗର ଫିମ୍ପି ପଡ଼ିଯାଏ l

ପରିଚାଳନା

୧) ବିହନକୁ ୫ ଶତକଡ଼ା ଜିଆ ଜଳ ସାରରେ ବିଶୋଧନ କରନ୍ତୁ
୨) ରୋଗାକ୍ରାନ୍ତ ଗଛ ଗୁଡିକୁ ନଷ୍ଟ କରିଦିଅନ୍ତୁ
୩) ବିହନକୁ ୪ ଘଣ୍ଟା ପାଣିରେ ରଖନ୍ତୁ ଏବଂ ପରେ ଏକ ପଲିଥିନ ପକାଇ ଶୁଖାଇ ଦିଅନ୍ତୁ
୪) ୧ କିଗ୍ରା ସୋରିଷକୁ ୫ ଲିଟର କ୍ଷୀରରେ ମିଶାନ୍ତୁ l ଏହି ମିଶ୍ରଣକୁ ୧୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
୫) ଖରାଦିନିଆ ଚାଷ କରନ୍ତୁ ଓ ଜମିରେ ପାଣି ଦିଅନ୍ତୁ ନାହିଁ

ଉଈ ପୋକ

ମାଣ୍ଡିଆ ରୋପଣ ଠାରୁ ଅମଳ ହେବାର ଯେକୌଣସି ସମୟରେ ଉଈ ପୋକ ଲାଗିଥାଏ l ହାଲୁକା ଦୋରସା ଓ ଶୁଖିଲା ମାଟିରେ ଉଈ ଅଧିକ ଲାଗନ୍ତି l ଉଈ ଗଛ ମୂଳକୁ ନଷ୍ଟ କରୁଥିବାରୁ ଗଛ ଗୁଡ଼ିକ ଭାଙ୍ଗି ଯାଇଥାଏ ମୂଳରୁ l ବେଳେବେଳେ ଗଛର ଚେର ଓ କାଣ୍ଡ ମଧ୍ୟରେ ଉଈ ମାଟି ଦେଖିବାକୁ ମିଳେ l

ପରିଚାଳନା

୧) ନିମ୍ବ ପତ୍ର କିମ୍ବା ମଞ୍ଜିରେ ପ୍ରସ୍ତୁତ ଖତ ଓଡ଼ ଚାଷ ସମୟରେ ମିଶାଇ ହଳ କରନ୍ତୁ
୨) ଜଡ଼ା ପିଡ଼ିଆକୁ ଭଲ ଭାବରେ ଓଡ଼ ଚାଷ ସମୟରେ ମିଶାଇ ହଳ କରନ୍ତୁ
୩) ଅରଖ ପତ୍ରକୁ ଛୋଟ ଛୋଟ ଖଣ୍ଡ କାଟି ପାଣିରେ ବତୁରାନ୍ତୁ ଏବଂ ପରେ ଏହାକୁ ଛାଣି ଉଈ ହେଉଥିବା ସ୍ଥାନରେ ପକାନ୍ତୁ
୪) ଜଳସେଚନ କରନ୍ତୁ
୫) ଉଈ ଲାଗିଥିବା ସ୍ଥାନରେ ପାଉଁଶ ପକାନ୍ତୁ