Animal Husbandry

ଚିଙ୍ଗୁଡ଼ି ଚାଷରେ ଏମିତି ଲାଭ !!

ମାଛ ଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷରେ ଅଧିକ ପରିମାଣର ଲାଭ ମିଳିଥାଏ l ଠିକ୍ ସେହିପରି ଭାବରେ ଚିଙ୍ଗୁଡ଼ି ଚାଷରେ ପରିଶ୍ରମ ଏବଂ ଆର୍ଥିକ ନିବେଶ ମଧ୍ୟ ଅଧିକ ପରିମାଣର ହୋଇଥାଏ l ଜଣେ ଚିଙ୍ଗୁଡ଼ି ଚାଷୀ ନିଜର ଉତ୍ପାଦିତ ଚିଙ୍ଗୁଡ଼ିକୁ ସ୍ଥାନୀୟ ବଜାରକୁ ଯୋଗାଇବା ସଙ୍ଗେ ସଙ୍ଗେ ବିଦେଶକୁ ରପ୍ତାନୀ କରି ବେଶ ଲାଭବାନ ହୋଇପାରନ୍ତି l ସାରା ବର୍ଷ ଚିଙ୍ଗୁଡ଼ିର ଚାହିଦା ଏବଂ ଦର ବେଶ ଉଚ୍ଚା ରହିଥାଏ l ମଧୁର ଜଳରେ ଲାଭଜନକ ଉପାୟରେ ଚିଙ୍ଗୁଡ଼ି ଚାଷ ବିଷୟରେ କିଛି ଉପାଦେୟ ତଥ୍ୟକୁ ଆଜି ଏଠାରେ ଉପସ୍ଥାପନା କରାଯାଉଛି l

25 May, 2021 5:33 PM IST By: Sugyan Kumar Nayak

ମାଛ ଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷରେ ଅଧିକ ପରିମାଣର ଲାଭ ମିଳିଥାଏ l ଠିକ୍ ସେହିପରି ଭାବରେ ଚିଙ୍ଗୁଡ଼ି ଚାଷରେ ପରିଶ୍ରମ ଏବଂ ଆର୍ଥିକ ନିବେଶ ମଧ୍ୟ ଅଧିକ ପରିମାଣର ହୋଇଥାଏ l ଜଣେ ଚିଙ୍ଗୁଡ଼ି ଚାଷୀ ନିଜର ଉତ୍ପାଦିତ ଚିଙ୍ଗୁଡ଼ିକୁ ସ୍ଥାନୀୟ ବଜାରକୁ ଯୋଗାଇବା ସଙ୍ଗେ ସଙ୍ଗେ ବିଦେଶକୁ ରପ୍ତାନୀ କରି ବେଶ ଲାଭବାନ ହୋଇପାରନ୍ତି l ସାରା ବର୍ଷ ଚିଙ୍ଗୁଡ଼ିର ଚାହିଦା ଏବଂ ଦର ବେଶ ଉଚ୍ଚା ରହିଥାଏ l ମଧୁର ଜଳରେ ଲାଭଜନକ ଉପାୟରେ ଚିଙ୍ଗୁଡ଼ି ଚାଷ ବିଷୟରେ କିଛି ଉପାଦେୟ ତଥ୍ୟକୁ ଆଜି ଏଠାରେ ଉପସ୍ଥାପନା କରାଯାଉଛି l

ମଧୁର ଜଳ ଚିଙ୍ଗୁଡ଼ି ସାଧାରଣରେ ଗଲଦା, ଭୀମକାୟ ବା ଗଜା ଚିଙ୍ଗୁଡ଼ି ନାମରେ ପରିଚିତ । ଅପେକ୍ଷାକୃତ ଅଧିକ ସୁସ୍ୱାଦୁ ହୋଇଥିବାରୁ ଦେଶ ବିଦେଶରେ ଏହାର ଚାହିଦା ବୃଦ୍ଧି ପାଉଛି । ସେହି ଅନୁପାତରେ ଗ୍ରାହକମାନେ ଅଧିକ ମୂଲ୍ୟ ଦେଇ ଏହି ଚିଙ୍ଗୁଡ଼ି କିଣୁଛନ୍ତି । ତେଣୁ ମଧୁର ଜଳ ଚିଙ୍ଗୁଡ଼ି ଚାଷ ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭପ୍ରଦ ହୋଇଛି । ମଧୁର ଜଳ ବ୍ୟତୀତ ଅଳ୍ପ ଲବଣାକ୍ତ ଜଳରେ ମଧ୍ୟ ଏହା ଚାଷ ହୋଇପାରିବ । ଏହି ଚିଙ୍ଗୁଡ଼ି ମିଶ୍ରିତ ଚାଷ ବା ଏକକ ଭାବେ ଚାଷ କରାଯାଇଥାଏ । ଅଳ୍ପ ଲବଣାକ୍ତ ଜଳରେ ଏକକ ଚିଙ୍ଗୁଡ଼ି ଚାଷ କିମ୍ବା ମଧୁର ଜଳରେ ବିଶେଷ କରି ପୋଖରୀରେ ରୋହୀ, ଭାକୁଡ଼, ମିରିକାଳି ଓ ବିଲାତି ରୋହି ମାଛ ସହ ମିଶ୍ରିତ ଚିଙ୍ଗୁଡ଼ି ଚାଷ କରାଯାଇପାରିବ ।

ଉନ୍ନତମାନର ଜାଆଁଳ କିମ୍ବା ଉଚିତ ଜାଆଁଳ ଚିହ୍ନି ଚାଷ କଲେ ଭଲ ଲାଭ ମିଳିଥାଏ । ଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ସ୍ୱଚ୍ଛ, ଲମ୍ବାଳିଆ ଓ ସରୁ ଦିଶେ କିନ୍ତୁ ଅଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ବେଶୀ ଚଉଡ଼ା ଓ ଅସ୍ୱଚ୍ଛ ହେବା ସହ ଆକାରରେ ଛୋଟ ହୋଇଥାଏ । ଜାତିଆ ଚିଙ୍ଗୁଡ଼ି ଜାଆଁଳର ଗୋଡ଼ଗୁଡ଼ିକ ଶକ୍ତିଶାଳୀ ଓ ସେମାନେ ଶିଘ୍ର ଗତି କରିପାରନ୍ତି । ମୁଣ୍ଡ ଖୋଳପାର ଉଭୟ ପାର୍ଶ୍ୱରେ ୧ରୁ ୮ଟି କଳା ବା ଖଇରିଆ ଅନୁପ୍ରସ୍ତ (ହରାଇଜେଣ୍ଟାଲ) ରେଖା ଥାଏ । ପେଟ ଖୋଳପାରୁ ଉଭୟ ପାଶ୍ୱର୍ରେ କଳା ବା ଖଇରିଆ ବିନ୍ଦୁ ଦେଖାଯାଏ । ରୋହୀ, ଭାକୁଡ଼, ମିରିକାଳି ଓ ବିଲାତି ରୋହି ସହିତ ଚିଙ୍ଗୁଡ଼ି ଚାଷ କରାଯାଇଥାଏ । ଆମ ରାଜ୍ୟର ଚାଷୀମାନେ ପ୍ରାୟତଃ ମିଶ୍ରିତ ଚାଷ କରିଥାନ୍ତି । ଏହାଦ୍ୱାର ଚାଷୀଙ୍କୁ ଚିଙ୍ଗୁଡ଼ିରୁ ବି ଅତିରିକ୍ତ ରୋଜଗାର ମିଳିଥାଏ । ମିଶ୍ରିତ ଚାଷରେ ମିରିକାଳି ଓ ବିଲାତି ରୋହି ଜାଆଁଳ ଆଦୌ ନଛାଡ଼ିବା ଭଲ । ସ୍ଥଳ ବିଶେଷରେ ଏହି ପ୍ରକାରର ଜାଆଁଳ ଯଥା ସମ୍ଭବ କମ୍ ଛଡ଼ାଯାଇପାରେ । ଜଣେ ଚାଷୀ ଏକର ପିଛା ପ୍ରାୟ ୫୦୦୦ ଚିଙ୍ଗୁଡ଼ି ଜାଅଁଳ ସହିତ ୨୦୦୦ ମାଛ ଜାଆଁଳ ଛାଡ଼ିପାରିବେ ।

ଜାଆଁଳ ୫,୦୦୦ ରୁ ୧୦,୦୦୦ ପର୍ଯ୍ୟନ୍ତ ଚାଷୀଙ୍କୁ ଛାଡ଼ିବାକୁ ହେବ । ଜାଆଁଳର ଲମ୍ବ ଦେଢ଼ ଇଞ୍ଚରୁ ୨ ଇଞ୍ଚ ଓ ହାରାହାରି ୩.୫୦ ଗ୍ରାମ ହୋଇଥିଲେ ପୋଖରୀରେ ଛାଡିଲେ ଭଲ । ଜାଆଁଳଗୁଡ଼ିକରେ ସାନ ବଡ଼ ରହିଲେ ସେମାନେ ପରସ୍ପରକୁ ଖାଇଯିବାର ଆଶଙ୍କା ଥାଏ । ତେଣୁ ଜାଆଁଳଗୁଡ଼ିକ ସମାନ ଆକାରର ହେବା ଆବଶ୍ୟକ । ଜାଆଁଳ ବଢ଼ାଉଥିବା ନର୍ସରୀ ପୋଖରୀରେ ମାଇ ଅଣ୍ଡିରା ଚିଙ୍ଗୁଡ଼ି ଚିହ୍ନଟ କରି ଅଲଗା ରଖାଯାଇଥାଏ । ଜାଆଁଳର ପଞ୍ଚମ ୱାକିଙ୍ଗ୍ ଲେଗ୍ ଦୁଇଟିଯାକ ଯଦି ଲାଗିକି ରହିଥାଏ ତେବେ ଅଣ୍ଡିରା ଓ ଛଡ଼ା ଛଡ଼ା ଥିଲେ ତାହା ମାଇ  ବୋଲି ଜାଣନ୍ତୁ । ଏକ ଏକର ପୋଖରୀରେ ଚାଷ ପାଇଁ ୨୦ ଡିସିମିଲ୍ ନର୍ସରୀ ପୋଖରୀ କରି ଜାଆଁଳ ବଢ଼ାଇବାକୁ ପଡ଼ିଥାଏ ।

ପୋଖରୀକୁ ଶୁଖାଇ ଦୁଇ ଥର ହଳ କରିବାକୁ ପଡ଼ିଥାଏ । ଏହାଦ୍ୱାରା ମାଟି ଭିତରେ ଥିବା ବିଷାକ୍ତ ଅଦରକାରୀ ଗ୍ୟାସ ବାହାରିଯାଏ । ଏହାପରେ ପୋଖରୀରେ ୪ ଫୁଟର ପାଣି ଛାଡ଼ିବା ପରେ ଏକର ପିଛା ୫୦ କିଲୋଗ୍ରାମ ବ୍ଳିଚିଂ ପାଉଡର ପ୍ରୟୋଗ କରିବାକୁ ହେବ । ବ୍ଳିଚିଂ ପାଉଡର ପ୍ରୟୋଗ କରିବାର ୭ ଦିନ ପରେ ଏକର ପିଛା ୫୦ କିଲୋଗ୍ରାମ ଅକ୍ସାଇଡ୍ ଚୂନ ପକାଇବେ । ଏହାର ଠିକ୍ ୩ ଦିନ ପରେ ସନ୍ଧ୍ୟା ସମୟରେ ଏକର ପିଛା ୨୦ କିଲୋଗ୍ରାମ ଡୋଲୋମାଇଟ୍ ବ୍ୟବହାର କରିବେ । ତା’ପର ଦିନ ସକାଳୁ ୟୁରିଆ ସାର ୫ କିଲୋଗ୍ରାମ ଏବଂ ସୁପର ସାର ୧୦ କିଲୋଗ୍ରାମ ପାଣିରେ ପ୍ରୟୋଗ କରିବା ନିତାନ୍ତ ଆବଶ୍ୟକ । ଏହିଭଳି ଉପାୟରେ ଡୋଲୋମାଇଟ୍ ଓ ରାସାୟନିକ ସାର ଥରେ ବା ଦୁଇଥର ପକାଇ ସାରିଲା ପରେ ପୋଖରୀ ପାଣିରେ ଯଥେଷ୍ଟ ପରିମାଣର ପ୍ଳାବକ ସୃଷ୍ଟି ହୋଇ ପାଣି ରଙ୍ଗ ଇଷତ୍ ସବୁଜ ଦେଖାଯାଏ । ଏହାପରେ ପୋଖରୀରେ ଜାଆଁଳ ଛଡ଼ାଯାଇଥାଏ।

ଖାଦ୍ୟ ପରିଚାଳନା

ଚିଙ୍ଗଡ଼ି ଚାଷରେ ଖାଦ୍ୟ ପରିଚାଳନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଚିଙ୍ଗୁଡ଼ି ଚାଷରେ ଏହା ସମୁଦାୟ ଖର୍ଚ୍ଚର ଶତକଡ଼ା ୫୦-୬୦ ଭାଗ ଅର୍ଥ ବିନିଯୋଗ ଆବଶ୍ୟକ କରେ । ଚିଙ୍ଗୁଡ଼ି ସାଧାରଣତଃ ରାତ୍ରିଚର ହୋଇଥିବାରୁ ସେମାନଙ୍କ ଖାଦ୍ୟ ପରିଚାଳନାକୁ ୨ ଭାଗରେ ବିଭକ୍ତ କରି ସକାଳେ ୪୦ ପ୍ରତିଶତ ଏବଂ ସନ୍ଧ୍ୟା ସମୟରେ ୬୦ ପ୍ରତିଶତ ଦିଆଯିବା ଦରକାର । ୨ କିଲୋଗ୍ରାମ ଲେଖାଏଁ ବାଦାମ ପିଡ଼ିଆ, ସୋୟାବିନ୍ ଗୁଣ୍ଡ, ମାଛ ବା ଚିଙ୍ଗୁଡ଼ ଗୁଣ୍ଡ, କାଣ୍ଡିଆ କୁଣ୍ଡା ୪ କିଲୋଗ୍ରାମ, କଡ୍ ମାଛର ତେଲ ୧୦୦ ଗ୍ରାମ, ଭିଟାମିନ୍ ମିନେରାଲ ମିକ୍ସ ୨୦ ଗ୍ରାମ ଆଦିକୁ ଭଲ ଭାବରେ ମିଶାଇ ଗୁଣ୍ଡ କରି ଚିଙ୍ଗୁଡ଼ି ଖାଦ୍ୟ ଭାବେ ବ୍ୟବହାର କରାଯାଏ। ଚିଙ୍ଗୁଡ଼ି ଚାଷ ପାଇଁ ପୋଖରୀରୁ ପୁରୁଣା ପାଣି ବାହାର କରି ପୁନର୍ବାର ଭଲ ପାଣି ଭର୍ତ୍ତି କରିବା ନିହାତି ଜରୁରୀ । ଏକକ ଚାଷ ପଦ୍ଧତିରେ ୩ ମାସ ପରଠାରୁ ପ୍ରତି ୧୫ ଦିନ ବ୍ୟବଧାନରେ ପ୍ରାୟ ୨୦-୩୦ ଭାଗ ପାଣି ପରିବର୍ତ୍ତନ କରିବା ଆବଶ୍ୟକ । ଏହା ଦ୍ୱାରା ପୋଖରୀର ତଳଭାଗ ପରିଷ୍କାର ରହିଥାଏ । ବିଷାକ୍ତ ଗ୍ୟାସ ଏବଂ ଅନ୍ୟାନ୍ୟ ମଇଳା ନିଷ୍କାସନ ହୋଇଥାଏ । ଫଳରେ ଚିଙ୍ଗୁଡ଼ି ସୁସ୍ଥ ରୁହନ୍ତି ଓ ଭଲ ବଢ଼ନ୍ତି ।

ଚିଙ୍ଗୁଡ଼ି ଅମଳ

ଜାଆଁଳ ଛାଡ଼ିବାର ୭ ମାସ ବା ୨୦୦ ଦିନ ଭିତରେ ଅମଳ ଯୋଗ୍ୟ ହୋଇଥାନ୍ତି । ମାତ୍ର ଏହା ପୂର୍ବରୁ ଯଦି ମାଇ ଚିଙ୍ଗୁଡ଼ି ଅଣ୍ଡା ଧରିଯାଏ ଏବଂ ଅଣ୍ଡିରା ଚିଙ୍ଗୁଡ଼ିର ବୁଢ଼ା ଗୋଡ଼ର ଅଗ୍ରଭାଗ ନୀଳ ପଡ଼ିବାର ଦେଖାଯାଏ ତେବେ, ସେମାନଙ୍କୁ ଧରି ବିକ୍ରି କରିଦେବା ଉଚିତ । କାରଣ ଏହାପରେ ସେମାନଙ୍କର ଆଉ ଅଭିବୃଦ୍ଧି ଘଟିନଥାଏ । ୭ ମାସ ଭିତରେ ଚିଙ୍ଗୁଡ଼ିର ଓଜନ ୬୦ ରୁ ୭୦ ଗ୍ରାମ ହୋଇଥାଏ ଏବଂ ଏକର ପ୍ରତି ୪୦୦ ରୁ ୫୦୦ କିଲୋ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)