ବାର୍ଡ଼ ଫ୍ଲୁ ବା ପକ୍ଷୀମାନଙ୍କ ସର୍ଦ୍ଦି ଜନିତ ରୋଗ ବା avian influenza ଏକ ଭୁତାଣୁ ଜନିତ ରୋଗ ଯାହାକି କିଛି ପ୍ରଜାତିର ପକ୍ଷୀ ମାନଙ୍କ କ୍ଷେତ୍ରରେ ମହାମାରୀର ରୂପ ନେଉଛି l ବର୍ତ୍ତମାନ ପୁରୀ ଜିଲ୍ଲାର ସତ୍ୟବାଦୀ ଓ ପିପିଲି ବ୍ଲକରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକରେ ଏଣ୍ଡର ବାଲିଆ ପଞ୍ଚାୟତରେ ଏହି ବାର୍ଡ଼ ଫ୍ଲୁ ର ଭୁତାଣୁ କୁକୁଡ଼ା ମାନଙ୍କ ଭିତରେ ଚିହ୍ନଟ କରାଯାଇଛି l ପ୍ରାଣୀସମ୍ପଦ ରୋଗ ଅନୁସନ୍ଧାନର ବିଶେଷଜ୍ଞମାନେ ଏହିସବୁ ଅଞ୍ଚଳରୁ ଆକ୍ରାନ୍ତ କୁକୁଡ଼ା ମାନଙ୍କର ନମୁନା ସଂଗ୍ରହ କରି ଉତ୍ତରପ୍ରଦେଶ ସ୍ଥିତ ଭୋପାଲର ଉଚ୍ଚ ନିରାପତ୍ତା ପ୍ରାଣୀରୋଗ ପ୍ରତିଷ୍ଠାନକୁ ପଠାଇଥିଲେ ଏବଂ ବାର୍ଡ଼ ଫ୍ଲୁ ଭୁତାଣୁ ଚିହ୍ନଟ ହୋଇଛି l
ବାର୍ଡ଼ ଫ୍ଲୁ ନିରାକରଣ ପାଇଁ ପଦକ୍ଷେପ
ଏହି ରୋଗର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର , ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ତଥା ପ୍ରାଣୀସମ୍ପଦ ବିକାଶ ବିଭାଗ ବିକାଶ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି l ସଂକ୍ରମିତ ଅଞ୍ଚଳର ୧ କି.ମି ବ୍ୟାସାର୍ଦ୍ଧ ଭିତରେ ରହିଥିବା କୁକୁଡ଼ା ଫାର୍ମରୁ କୁକୁଡ଼ା ମରାଯିବା ସହିତ ସମସ୍ତ ଫାର୍ମଙ୍କୁ ବ୍ଲିଚିଙ୍ଗ ପାଉଡର , ସୋଡିୟମ ହାଇପୋକ୍ଲୋରାଇଡ ଓ ଫର୍ମାଲିନ ଦ୍ୱାରା ବିଶୋଧନ କରାଯାଉଛି l ସଂକ୍ରମଣ ଯେପରି ଅନ୍ୟ ସ୍ଥାନକୁ ନ ବ୍ୟାପେ l ସେ ଦିଗରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି l କୁକୁଡ଼ା ସଂକ୍ରମିତ ଅଞ୍ଚଳର ୧ ରୁ ୧୦ କି.ମି ଭିତରେ ପ୍ରତି ସପ୍ତାହରେ ନିୟମିତ ସର୍ବେକ୍ଷଣ କରିବାକୁ ବିଭାଗୀୟ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି l ବାର୍ଡ଼ ଫ୍ଲୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ଉପରେ କଟକଣା ଜାରି କରାଯାଇଛି l ଏହି ରୋଗର ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ କରାଯାଉଛି l
ରୋଗ ସଂକ୍ରମଣର କାରଣ
ଜଂଗଲୀ ପକ୍ଷୀଙ୍କ ଠାରେ ପ୍ରାକୃତିକ ଭାବେ H5N ଭୁତାଣୁ ରହିଥାଏ । ସେମାନଙ୍କଠାରୁ କୁକୁଡ଼ା , ବତକଙ୍କୁ ଏହି ରୋଗ ବ୍ୟାପିଥାଏ। ତେଣୁ ଜଂଗଲୀ ପଶୁପକ୍ଷୀ କିମ୍ବା ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଏହି ରୋଗ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଏ । ଅନ୍ୟାନ୍ୟ ଦେଶ ବା ରାଜ୍ୟର ସଂକ୍ରମିତ ପକ୍ଷୀ ବା କୁକୁଡ଼ା ଦ୍ଵାରା ମଧ୍ୟ ବାର୍ଡ ଫ୍ଲୁ ରୋଗର ଆଶଙ୍କା ଦେଖାଯାଇଥାଏ । ସଂକ୍ରମିତ ପକ୍ଷୀଙ୍କ ପାଟିରୁ ନିର୍ଗତ ଲାଳ ଓ ମଳ ଦ୍ଵାରା ପାଣି , ମାଟି , ବାୟୁ ଓ ଖାଦ୍ୟ ମାଧ୍ୟମରେ ଏହି ରୋଗ ବ୍ୟାପିଥାଏ । ଯେ କୌଣସି ପରିବାହକ ଯାନ ସହିତ ମଣିଷ ମାଧ୍ୟମରେ ମଧ୍ୟ ଏହି ରୋଗ ବ୍ୟାପିବାର ଆଶଙ୍କା ଥାଏ ।
ବାର୍ଡ ଫ୍ଲୁ ରୋଗର ଭୂତାଣୁ ହେଉଛି ଏକ ଖଣ୍ଡ ବିଖଣ୍ଡିତ ଆରଏନ୍ଏ ଗଣସୂତ୍ର ଯୁକ୍ତ H5N ଭୁତାଣୁ , ଏହା ଅର୍ଥୋମିକ୍ସୋ ପରିବାର ଅନ୍ତର୍ଗତ ତଥା ଇନଫ୍ଲୁଏଞ୍ଜା - ଏ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହି ଭୁତାଣୁ ର ଗଣସୂତ୍ର ଖଣ୍ଡ ବିଖାଣ୍ଡିତ ଥିବାରୁ ଏହା ସହଜରେ ରୂପ ପରିବର୍ତ୍ତନ କରିଥାଏ । H ଓ N ହେଉଛି ଭୁତାଣୁ ଶରୀରରେ ଥିବା ଦୁଇ ପ୍ରକାରର ପ୍ରୋଟିନ l ଯଥା ବିଭିନ୍ନ ଶ୍ରେଣୀର ଇନଫ୍ଲୁଏନଜା ଭୁତାଣୁମାନଙ୍କର ଶରୀରରେ ୧୬ ପ୍ରକାରର ହେମାଗ୍ଲୁଟିନିନ ଓ ୯ ପ୍ରକାରର ନ୍ୟୁରାମିନିଡେଜ୍ ଦେଖିବାକୁ ମିଳିଥାଏ । ତେଣୁ ୧୪୪ ପ୍ରକାରର ଭୁତାଣୁ ସୃଷ୍ଟି ହୋଇପାରିବାର ସମ୍ଭାବନା ଅଛି।
ରୋଗ ସଂକ୍ରମଣ ସମୟ
ଏହି ରୋଗର ଭୂତାଣୁ କୁକୁଡ଼ା ଦେହରେ ପ୍ରବେଶ କରିବା ପରଠାରୁ ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ସାଧାରଣତଃ ୩ ରୁ ୭ ଦିନ ସମୟ ନେଇଥାଏ ।
ରୋଗର ଲକ୍ଷଣ
ଏହି ରୋଗ ଦେଖାଯିବା ମାତ୍ରେ କୁକୁଡ଼ା ଗୁଡ଼ିକ ଅତ୍ୟଧିକ ଦୁର୍ବଳ , ଟାଆଁସିଆ ପରଯୁକ୍ତ ଦେଖାଯାନ୍ତି। ପତଳା ଝାଡ଼ା ହୁଏ । ପ୍ରାପ୍ତ ବୟସ୍କ କୁକୁଡ଼ା ମାନଙ୍କ ଚୂଳ, ୱାଟଲ ଏବଂ ଆଖି ଚାରିପାଖ ଫୁଲିଯାଏ । କୁକୁଡ଼ା ମାନଙ୍କ ମୁହଁ ବା ମୁଣ୍ଡ ଫୁଲିଯାଏ। ଚୁଳର ଅଗ୍ରଭାଗ ନୀଳ ପଡ଼ିବା ସହିତ ରକ୍ତ ଛିଟିକା ପରି ଦେଖାଯାଏ । ରୋଗାକ୍ରାନ୍ତ କୁକୁଡ଼ାମାନେ ଲତଲଚିଆ ଖୋଳପା ବିହୀନ ଅଣ୍ଡା ଦେଇଥାନ୍ତି ଏବଂ ହଠାତ୍ ଅଣ୍ଡା ଦେବା ବନ୍ଦ କରିଦିଅନ୍ତି । ଏହି ରୋଗରେ ଏକ ସମୟରେ ବହୁତ କୁକୁଡ଼ା ମୃତ୍ୟୁବରଣ କରିଥାନ୍ତି ।
ବାର୍ଡ ଫ୍ଲୁ ରୋଗରେ ମୃତ୍ୟୁହାର
କୁକୁଡ଼ାଙ୍କଠାରେ ଏହି ରୋଗର ପ୍ରଥମ ଲକ୍ଷଣ ପ୍ରକାଶ ପାଇବାର ୨ ରୁ ୧୨ ଦିନ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ କୁକୁଡ଼ା ମୃତ୍ୟୁମୁଖରେ ପଡ଼ିଥାଆନ୍ତି ଏବଂ ମୃତ୍ୟୁହାର ଶତକଡ଼ା ୧୦୦ ଭାଗ ଅଟେ ।
ନମୁନା ସଂଗ୍ରହ
ଜୀବନ୍ତ ତଥା ଆକ୍ରାନ୍ତ କୁକୁଡ଼ା ମାନଙ୍କର ମଳ , ଲାଳ ଓ ରକ୍ତ ନମୁନା ସଂଗ୍ରହ କରି ପଠାଯାଏ । ମୃତ କୁକୁଡ଼ାଙ୍କ ଫୁସଫୁସ୍ ଟ୍ରାକିଆ, ଅନ୍ତନଳୀ ଇତ୍ୟାଦି ବାର୍ଡ ଫ୍ଲୁ ପରୀକ୍ଷା ପାଇଁ ପଠାଯାଏ ।
ପ୍ରତିଷେଧକ ଟୀକା
ଯେହେତୁ ଏହି ରୋଗର ଭୂତାଣୁ ଖଣ୍ଡ ବିଖଣ୍ତିତ ଅବସ୍ଥାରେ ଥାଏ ଏବଂ ଅବିଳମ୍ବେ ରୂପ ବଦଳାଏ, ତେଣୁ ଏଥିପାଇଁ ସମ୍ପୂର୍ଣ୍ଣ ଫଳପ୍ରଦ ଟୀକା ପ୍ରସ୍ତୁତ କରିବା ସମ୍ଭବ ନୁହେଁ ।
ମଣିଷ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା
ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସିଲେ ମଣିଷକୁ ଏହି ରୋଗ ହେବାର ଆଶଙ୍କା ଥାଏ କିନ୍ତୁ ମଣିଷ ଠାରୁ ମଣିଷ କୁ ସଂକ୍ରମଣ ହେବାର ଆଶଙ୍କା ବହୁତ କମ୍। ଯେଉଁମାନେ କୁକୁଡ଼ା ଫାର୍ମରେ କାମ କରୁଛନ୍ତି , ଯେଉଁମାନେ କୁକୁଡ଼ା ମାରୁଛନ୍ତି ଓ କୁକୁଡ଼ା ମାରୁଥିବା ଲୋକଙ୍କର ଡାକ୍ତରୀ ପରୀକ୍ଷା କରୁଛନ୍ତି , ସେମାନେ ବାର୍ଡ ଫ୍ଲୁ ଦ୍ଵାରା ସଂକ୍ରମିତ ହେବାର ଆଶଙ୍କା ଥାଏ ।
ଏହି ଭୁତାଣୁ ୭୦ ଡିଗ୍ରୀ ସେଲସିୟସ୍ ଉତ୍ତାପରେ ଅଧ ଘଣ୍ଟାରେ ମରିଯା'ନ୍ତି । ଆମ ଭାରତୀୟ ଖାଦ୍ୟ ରାନ୍ଧିବା ଶୈଳୀ ଅନୁସାରେ ମାଂସ , ଅଣ୍ଡା ଆଦି ସିଝାଇ ରାନ୍ଧି ଖାଇଥା'ନ୍ତି । ଆମ ରାନ୍ଧିବା ପ୍ରଣାଳୀ ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ରୁ ଉର୍ଦ୍ଧ୍ବ ରହୁଥିବାରୁ କୁକୁଡ଼ା ମାଂସ ଓ ଅଣ୍ଡା ଆଦି ଭଲ ଭାବରେ ସିଝାଇ ରାନ୍ଧି ଖାଇଲେ ଫ୍ଲୁ ହେବାର ଆଶଙ୍କା ସମ୍ଭାବନା ନ ଥାଏ ।
ମଣିଷ କ୍ଷେତ୍ରରେ ରୋଗର ଲକ୍ଷଣ ଓ ଚିକିତ୍ସା
ଏହି ରୋଗର ଭୁତାଣୁ ମଣିଷ ଶରୀରରେ ପ୍ରବେଶ କରିବାର ୨ ରୁ ୭ ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ । କଫ , ଡାଇରିଆ , ତଣ୍ଟିଦରଜ୍, କାଶ, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା , ଆଖି ଲାଲ ପଡ଼ିବା , ଲେଞ୍ଜେରା ହେବା, ମୁଣ୍ଡ ବିନ୍ଧିବା , ଦେହ ହାତ ଘୋଳାବିନ୍ଧା ହେବା , ମାଂସପେଶୀରେ ଯନ୍ତ୍ରଣା ନାକ ରୁ ପାଣି ବହିବା ଆଦି ଲକ୍ଷଣ ଦେଖାଯାଏ । ଶରୀରର ତାପମାତ୍ରା ୧୦୪ ଡିଗ୍ରୀ ଉପରେ ରହିବା , ନିମୋନିଆ ହେବାର ସମ୍ଭାବନା ଥାଏ । ମଣିଷଙ୍କଠାରେ ଏହି ରୋଗର ପ୍ରଭାବକୁ କମାଇବା ପାଇଁ ଟାମିଫ୍ଲୁ ଔଷଧ ବ୍ୟବହାର କରାଯାଏ ।
ସତର୍କତା ଓ ସଚେତନତା
ଫାଷ୍ଟ ଫୁଡ୍ ବା ଅଧା ସିଝା କୁକୁଡ଼ା ମାଂସ ଓ ଅଣ୍ଡା ଖାଆନ୍ତୁ ନାହିଁ ।
ସର୍ବଦା କୁକୁଡ଼ା ଘର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ
ସ୍ୱଚ୍ଛ ପରିଷ୍କାର ପାଣି ପିଇବାକୁ ଦିଅନ୍ତୁ
କୁକୁଡ଼ା ମାନଙ୍କୁ ସୁଷମ ଖାଦ୍ୟ ଦିଅନ୍ତୁ
ଠିକ୍ ସମୟ ରେ ପ୍ରତିଷେଧକ ଟୀକା କରଣ କରନ୍ତୁ । ନିୟମିତ ରାଣୀ କ୍ଷେତ ରୋଗର ପ୍ରତିଷେଧକ ଟୀକା ଦିଅନ୍ତୁ ।
ବାହ୍ୟ ପଶୁ ପକ୍ଷୀ ମଣିଷ ମାନଙ୍କର ଫାର୍ମ ଭିତରକୁ ଅବାଧ ପ୍ରବେଶ ନିଷେଧ କରନ୍ତୁ ।
ମୃତ ପକ୍ଷୀଙ୍କୁ ବାହାରେ ନ ଫିଙ୍ଗି ପୋତି ଦିଅନ୍ତୁ କିମ୍ବା ଗଭୀର ଗାତ କରି ମାଟି ତଳେ ପୋତି ଦିଅନ୍ତୁ । ସେହି ସ୍ଥାନରେ ବ୍ଲିଚିଂ ପାଉଡର ପକାନ୍ତୁ ।
କୁକୁଡ଼ା ମାଂସ ଦୋକାନୀମାନେ ଦୋକାନ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ବାହାରୁଥିବା ପର , ଚମଡ଼ା ଏବଂ ବର୍ଜ୍ୟ ବସ୍ତୁ ଗଭୀର ଖାତରେ ପୋତି ଉପରେ ବ୍ଲିଚିଙ୍ଗ ପାଉଡର ପକାନ୍ତୁ ।
Author:
Dr. Lipismita Samal
Asst. Prof.
C.V.Sc.&A.H., OUAT
Bhubaneswar
Read more:
ଲଘୁଚାପ ପ୍ରଭାବ: ଆଜି ୧୦ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା!
୪୦ କୋଟିରୁ ଅଧିକ ଟଙ୍କାର ଚିକିତ୍ସା; ଉପକୃତ ହେଲେଣି ବରିଷ୍ଠ ନାଗରିକ !