Animal Husbandry

ଗ୍ରୀଷ୍ମଋତୁରେ ମଇଁଷିଙ୍କ ଯତ୍ନ

ବ୍ୟବସାୟିକ ଭିତିରେ ମଇଁଷି ପାଳନ କରୁଥିବା ଦୁଗ୍ଧ ଚାଷୀମାନଙ୍କୁ ବର୍ତ୍ତମାନର ପ୍ରଚଣ୍ଡ ଖରା ନିଶ୍ଚିତ ଭାବରେ ଅସୁବିଧାରେ ପକାଇଦେଇଛି l ଏହି ଗ୍ରୀଷ୍ମ ସମୟରେ ମଇଁଷିମାନଙ୍କ ଦୁଗ୍ଧ ଦେବାର କ୍ଷମତା ହ୍ରାସ ଘଟିବା ସହିତ କେତେ ଗୁଡ଼ିଏ ରୋଗ ଆକ୍ରମଣ କରିବାର ସମ୍ଭାବନା ରହିଛି l ଏହି ବିଷୟବସ୍ତୁ ମାଧ୍ୟମରେ ଆଜି ଆମେ ଗ୍ରୀଷ୍ମ ଋତୁରେ ମଇଁଷିମାନଙ୍କର ଉତ୍ତମ ଲାଳନପାଳନ ଉପରେ ବିଶେଷ ଆଲୋଚନା କରିବା l ଚାଷୀଭାଇମାନେ ନିଜର ମଇଁଷିମାନଙ୍କ ପ୍ରତି ଉପଯୁକ୍ତ ଭାବରେ ଧ୍ୟାନ ଦେଇ ପାରିବେ ଏବଂ ଅଯଥା ସମସ୍ୟାରେ ପଡ଼ିବେ ନାହିଁ l

22 May, 2021 7:39 PM IST By: Sugyan Kumar Nayak

ବ୍ୟବସାୟିକ ଭିତିରେ ମଇଁଷି ପାଳନ କରୁଥିବା ଦୁଗ୍ଧ ଚାଷୀମାନଙ୍କୁ ବର୍ତ୍ତମାନର ପ୍ରଚଣ୍ଡ ଖରା ନିଶ୍ଚିତ ଭାବରେ ଅସୁବିଧାରେ ପକାଇଦେଇଛି l ଏହି ଗ୍ରୀଷ୍ମ ସମୟରେ ମଇଁଷିମାନଙ୍କ ଦୁଗ୍ଧ ଦେବାର କ୍ଷମତା ହ୍ରାସ ଘଟିବା ସହିତ କେତେ ଗୁଡ଼ିଏ ରୋଗ ଆକ୍ରମଣ କରିବାର ସମ୍ଭାବନା ରହିଛି l ଏହି ବିଷୟବସ୍ତୁ ମାଧ୍ୟମରେ ଆଜି ଆମେ ଗ୍ରୀଷ୍ମ ଋତୁରେ ମଇଁଷିମାନଙ୍କର ଉତ୍ତମ ଲାଳନପାଳନ ଉପରେ ବିଶେଷ ଆଲୋଚନା କରିବା l ଚାଷୀଭାଇମାନେ ନିଜର ମଇଁଷିମାନଙ୍କ ପ୍ରତି ଉପଯୁକ୍ତ ଭାବରେ ଧ୍ୟାନ ଦେଇ ପାରିବେ ଏବଂ ଅଯଥା ସମସ୍ୟାରେ ପଡ଼ିବେ ନାହିଁ l

ଗ୍ରୀଷ୍ମ ଋତୁରେ ମଇଁଷିମାନଙ୍କର ଦେହର ଉତ୍ତାପ ବୃଦ୍ଧି ଘଟେ ଓ ମଇଁଷି ଅସହ୍ୟ ଯନ୍ତ୍ରଣା ଅନୁଭବ କରେ । ଉତ୍ତାପ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମଇଁଷିର ପାକୁଳି ବନ୍ଦ ହୋଇଯାଏ । ଖାଇବାକୁ ଇଚ୍ଛା ପ୍ରକାଶ କରେ ନାହିଁ । ଜୋରରେ ନିଶ୍ଵାସ ନିଏ । ପାଟିରୁ ଲାଳ, ଆଖି ଓ କାନରୁ ପାଣି ବହେ । ମଇଁଷି ଅଧିକ ପାଣି ପିଏ ମାତ୍ର ଖାଇବା ବନ୍ଦ କରିଦିଏ । ଖାଇବା କମିଯିବା ଦ୍ଵାରା ମଇଁଷିର ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ କମିଯାଏ । ଗ୍ରୀଷ୍ମ ଦିନେ ଶୀତ ଦିନ ଅପେକ୍ଷା ତିନିଗୁଣ ପରିମାଣର ଜଳ ଦେହରୁ ନିଶ୍ଵାସ ଓ ଝାଳ ଦ୍ଵାରା ବାହାରିଯିବା ଦ୍ଵାରା ମଇଁଷିର ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ମଇଁଷିର ଚମଡ଼ା କଳା ଏବଂ ଚମଡ଼ାରେ ଅଳ୍ପ ସଂଖ୍ୟକ ଲୋମ ଓ ଲୋମଗ୍ରନ୍ଥା ଥିବାରୁ ଗ୍ରୀଷ୍ମ କାଳରେ ସୂର୍ଯ୍ୟର ଉତ୍ତାପ ଅଧିକ ଗ୍ରହଣ କରିଥାଏ । ଏହା ବ୍ୟତୀତ ମଇଁଷିର ଝାଳ ନିର୍ଗତ ପ୍ରକ୍ରିୟା ନିମ୍ନମାନର ହେଉଥିବା ଯୋଗୁଁ ଦେହରୁ ଉତ୍ତାପ ବିକିରଣ ଠିକ୍ ଭାବରେ ହୋଇପାରେ ନାହିଁ । ଏଣୁ ମଇଁଷି ସର୍ବଦା ଅସୁସ୍ଥି ଅନୁଭବ କରେ ।

ଦିନର ଅତ୍ୟଧିକ ଉତ୍ତାପ ସମୟରେ ଅର୍ଥାତ୍ ସକାଳ ୧୦/୧୧ଟା ଠାରୁ ୩/୪ଟା ପର୍ଯ୍ୟନ୍ତ ମଇଁଷିକୁ ନଦୀ ବା ପୋଖରୀ ପାଣିରେ ରଖିବା ଉଚିତ୍ । ଏହି ସମୟରେ ଏମାନଙ୍କୁ ଛାଇ ସ୍ଥାନରେ ବା ଗୁହାଳରେ ରଖିବା ଆବଶ୍ୟକ । ଗ୍ରୀଷ୍ମ ଋତୁରେ ମଇଁଷିମାନଙ୍କୁ ଦିନରେ ୨-୩ ଥର ଗାଧୋଇଦେବା ଦ୍ଵାରା ଏମାନଙ୍କର ସ୍ୱାସ୍ଥ୍ୟ ଭଲ ରହେ । ଗୁହାଳରେ ଥିବାବେଳେ ଦିନକୁ ୨-୩ ଥର ଭଲ ଭାବେ ପାଣି ଢାଳି ଗାଧୋଇ ଦେବା ଉଚିତ୍ । ଗୁହାଳ ଝରକାରେ ଓଦା ଅଖା, ବାନ୍ଧି ଗୁହାଳକୁ ଥଣ୍ଡା ରଖିବା ଉଚିତ୍ । ଗୁହାଳରେ ପଙ୍ଖା ଲଗାଇ ଗୁହାଳର ପରିବେଶ ଥଣ୍ଡା ରଖାଯାଇପାରେ । ଏହାଦ୍ଵାରା ମଇଁଷି ବହୁତ ଆରାମ ପାଇଥାଏ । ପରିଷ୍କାର ଥଣ୍ଡା ପାଣି ଦିନକୁ ୩-୪ ଥର ପିଇବା ପାଇଁ ଦେବା ଉଚିତ୍ । ଗୁହାଳ ଚତୁଃପାର୍ଶ୍ୱରେ ବଡ଼ ବଡ଼ ସବୁଜ ଗଛ ଲଗାଇବା ଉଚିତ୍ । ଏହା ଗରମ ପବନକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ ଓ ଗୁହାଳକୁ ଥଣ୍ଡା ରଖେ । ଯଥେଷ୍ଟ ପରିମାଣ ସବୁଜ ଘାସ ଖାଇବାକୁ ଦେବା ଉଚିତ୍ ।    ମଇଁଷିକୁ ରାତିରେ ବା ସନ୍ଧ୍ୟା ସମୟରେ ଘାସ ବା ନଡ଼ା ଇତ୍ୟାଦି ଖାଇବାକୁ ଦେବା ଦରକାର । ଏହାଦ୍ଵାରା ମଇଁଷି ଅଧିକ ଖାଦ୍ୟ ଖାଇ ଅଧିକ ଦୁଗ୍ଧ ଦେଇଥାଏ । ଦିନରେ ଅତ୍ୟଧିକ ଉତ୍ତାପ ଯୋଗୁଁ ମଇଁଷିମାନେ ଭଲଭାବେ ଚାରିପାରନ୍ତି ନାହିଁ । ଏଣୁ ସକାଳ ଓ ଉପରବେଳା ଥଣ୍ଡା ସମୟରେ ଚରିବାକୁ ଛାଡ଼ିବା ଉଚିତ୍ । ରାତିରେ ମଇଁଷିକୁ ଗୁହାଳରେ ନ ରଖି ବାହାରେ ରଖିବା ଭଲ । ମଇଁଷିର ଆବଶ୍ୟକ ହେଉଥାଏ ଦାନାକୁ ଏକାଥରକେ ନ ଖୁଆଇ ଭାଗ ଭାଗ କରି ୨ ବା ୩ ଥରରେ ଖୁଆଇବା ଉଚିତ୍।

ମଇଁଷି ମାନଙ୍କର ରୋଗ ହେଲେ ଚାଷୀକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ମଇଁଷି ରୋଗାକ୍ରାନ୍ତ ହେଲେ ତାହାର ଦେହର ଉତ୍ତାପ, ନିଶ୍ଵାସ ପ୍ରଶ୍ଵାସ ହାର ଓ ନାଡ଼ି ଚାଳନା ହାରରେ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନକୁ ଦେଖି । ଆମେ ମଇଁଷି ରୋଗାକ୍ରାନ୍ତ ବୋଲି କହିଥାଉ ଓ ରୋଗର ଅନ୍ୟସବୁ ଲକ୍ଷଣ ଦେଖା ରୋଗ ନିର୍ଣ୍ଣୟ କରିଥାଉ ।

ସାହାଣା ବା ଗଳାଫୁଲା

ଏହା ମଇଁଷି ମାନଙ୍କର ଏକ ସଂକ୍ରାମକ ରୋଗ । ବର୍ଷାଋତୁର ପ୍ରଥମ ଅସରା ବର୍ଷା ପରେ ପରେ ଏହି ରୋଗର ପ୍ରାଦୁର୍ଭାବ ସାଧାରଣତଃ ଦେଖାଯାଏ । ସାହାଣା ବା ଗଳାଫୁଲାର ଲକ୍ଷଣ ଗୁଡ଼ିକ ହେଲା ଯେ ଦେହରେ ଅତ୍ୟଧିକ ତାତି ରହିବ, ଗଳା, ଛାତି ଓ ଓଳମରେ ଗରମ ଓ କଷ୍ଟଦାୟକ ଫୁଲା ଦେଖାଯିବ, ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବ, ପାଟିରୁ ଲାଳ ବୋହିବ, ଜିଭ ବାହାରକୁ ବାହାରି ଆସିବ ଏବଂ ଝାଡ଼ା ହେବ । ନିଃଶ୍ଵାସ ବନ୍ଦ ହୋଇ ମୃତ୍ୟୁ ଘଟିବ । ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ପ୍ରତିଷେଧକ ଟୀକା ଦେବା ଦରକାର ।

ଚଟୁଆ ଫୁଲା ବା ବଜବଜିଆ

ସାଧାରଣତଃ ଦୁଇ ବର୍ଷରୁ କମ୍ ବୟସର ବାଛୁରୀମାନଙ୍କୁ ଏହି ରୋଗ ହୁଏ । ଏହି ରୋଗ ହେଲେ ଦେହରେ ତାତି ରହେ ଓ ଚଟୁଆ ଫୁଲିଯାଏ । ଏହାକୁ ହାତରେ ଚିପିଲେ କଡ଼ମଡ଼ ଶବ୍ଦ ହୋଇଥାଏ । ଚର୍ମର ରଙ୍ଗ ମଳିନ ପଡ଼ିଯାଏ, ଶୁଖିଯାଏ ଓ ଫାଟିଯାଏ । ଏହା ଏକ ପ୍ରକାର ଜୀବାଣୁ (କ୍ଲସଟ୍ରିଡିୟମ୍ ଚୋଉଭି) ଦ୍ଵାରା ହୋଇଥାଏ । ପ୍ରତିବର୍ଷ ବର୍ଷା ଋତୁ ପୂର୍ବରୁ ପ୍ରତିଷେଧକ ଟୀକା ଦେବା ଦରକାର ।

ଫାଟୁଆ

ଏହି ରୋଗ ଏକ ଅତୀବ ସଂକ୍ରମକ ଭୁତାଣୁ ଜନିତ ରୋଗ ଓ ଦ୍ଵିଖୁରା ବିଶିଷ୍ଟ ପ୍ରାଣୀ ଯଥା : ଗୋରୁ, ମଇଁଷି, ଛେଳି, ମେଣ୍ଢା ଓ ଘୁଷୁରୀଙ୍କ ଠାରେ ଦେଖାଯାଏ । ସଂକ୍ରମିତ ପଶୁର ପ୍ରଧାନ ଲକ୍ଷଣ ଗୁଡ଼ିକ ହେଲା ଯେ, ଦାନ୍ତ କଡ଼ମଡ଼ କରିବା, ପାଟିରୁ ଫେଣ ବାହାରିବା, ଗୋଡ଼ କଚାଡ଼ିବା, ଗୋଡ଼ର ଖୁରା ସନ୍ଧି ଓ ପାଟି ଭିତରେ ଘାଆ ଦେଖାଯାଏ । ଏହି ରୋଗ ହେଲେ କ୍ଷୀର ଉତ୍ପାଦନ କମିଯାଏ । ରୋଗ ଭଲ ହେବାପରେ ମଧ୍ୟ ଚିରଦିନ ପାଇଁ ଉତ୍ପାଦିକା ଶକ୍ତି ହ୍ରାସ ପାଇଥାଏ । ପଶୁମାନଙ୍କୁ ୫ ରୁ ୬ ମାସ ଅନ୍ତରରେ ଥରେ ଲେଖାଏଁ ପ୍ରତିଷେଧକ ଟୀକା ଦେବା ଦରକାର ।

ପତ୍ରକୃମି ରୋଗ

ଏହି ରୋଗର କୃମି ସାଧାରଣତଃ ପୋଖରୀ, ଗାଡ଼ିଆ, ନଈନାଳ ଥିବା ଅଞ୍ଚଳମାନଙ୍କରେ ଦେଖାଯାଆନ୍ତି । କାରଣ ଗେଣ୍ଡାମାନଙ୍କ ଦ୍ଵାରା ସାଧାରଣତଃ ଏହି ରୋଗ ଗୋଟିଏ ଆକ୍ରାନ୍ତ ପଶୁଠାରୁ ଗୋଟିଏ ସୁସ୍ଥ ପଶୁକୁ ସଂକ୍ରମିତ ହୋଇଥାଏ । ଏହାର ପ୍ରଧାନ ଲକ୍ଷଣ ହେଲା ଯେ ତରଳ ଝାଡ଼ା ଏବଂ ବେକ, ତଳ ଫୁଲିବା । ଝାଡ଼ା ପରୀକ୍ଷା ଦ୍ଵାରା ଏହି ରୋଗକୁ ଚିହ୍ନଟ କରାଯାଇଥାଏ । ଔଷଧ ଦେଲେ ରୋଗ ଭଲ ହୁଏ । ମାତ୍ର ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ଗେଣ୍ଡା ବଂଶ ନଷ୍ଟ କରିବା ଓ ପଶୁମାନଙ୍କୁ ନଈକୂଳ, ଗାଡ଼ିଆ ବା ପୋଖରୀ କୂଳକୁ ଚରିବାକୁ ନ ଛାଡ଼ିବା ।

ଟିଙ୍କ ଓ ଉଙ୍କୁଣୀ

ଶରୀରର ଚର୍ମରେ ଲାଗିଥିବା ପରାଙ୍ଗ ଜୀବୀ ଗୁଡ଼ିକ ହେଲେ – ଟିଙ୍କ, ଉଙ୍କୁଣୀ, ମଶା, ମାଛି, ଡାଆଁସ, କୁକୁର ମାଛି ପ୍ରଭୃତି । ଟିଙ୍କମାନେ ଶରୀରର ରକ୍ତ ଶୋଷି ନିଅନ୍ତି ଏବଂ ରୋଗ ପରିବହନ କରନ୍ତି । ଟିଙ୍କ ଓ ଉଙ୍କୁଣୀ ପଶୁମାନଙ୍କୁ ବିବ୍ରତ କରନ୍ତି, ଯାହାଫଳରେ ସେମାନେ ଅଶ୍ଵସ୍ତି ବୋଧ କରନ୍ତି ଓ ସେମାନଙ୍କଠାରୁ ଉତ୍ପାଦନ କମିଯାଏ । ଓଜନ ମଧ୍ୟ କମିଯାଏ । ଉଙ୍କୁଣୀମାନେ ଚର୍ମରୋଗ ଓ କବକ ରୋଗ କରନ୍ତି । ଡାଆଁସ ଓ ମାଛିମାନେ ରକ୍ତ ଶୋଷନ୍ତି ଏବଂ ରୋଗର ବାହାକ ଭାବରେ କାର୍ଯ୍ୟ କରନ୍ତି । ଏହି ପରାଙ୍ଗଜୀବୀମାନଙ୍କୁ ଗାମାକ୍ସିନ୍, ଡିଡିଟି, ଆସୁନ୍ଟଲ, ମାଲାଥିଅନ୍, ବ୍ୟୁଟେକ୍ସ ପ୍ରଭୃତି ପାଉଡର ସିଞ୍ଚି ନିୟନ୍ତ୍ରଣ କରାଯାଇପାରିବ । ଗୁହାଳରେ ମଧ୍ୟ ଏହାକୁ ସ୍ପ୍ରେ କରାଯାଇ ଏମାନଙ୍କୁ ବିଲୋପ କରାଯାଇପାରିବ।

ରୋଗର ଟୀକା  କିପରି ଦିଆଯିବ, ବର୍ଷର କେଉଁ ସମୟରେ ଦିଆଯିବ ସେ ସମ୍ପର୍କରେ ପଶୁ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଦରକାର l ଗଳାଫୁଲା ବା ସାହାଣା, ଚଟୁଆ ଫୁଲା ବା ବଜବଜିଆ, ବୃସେଲୋସିସ୍ (ଗର୍ଭପାତ ରୋଗ) ଓ ଯକ୍ଷ୍ମା ରୋଗ ପାଇଁ ପଶୁ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତିଷେଧକ ବ୍ୟବସ୍ଥା କରାଇନେବା ଦରକାର ।