Animal Husbandry

ଛେଳିର ବିଭିନ୍ନ ରୋଗ ଓ ତାହାର ନିରାକରଣ

ଅନ୍ତଃ କୃମି ଛେଳିର ପେଟରେ ରହି କ୍ଷତି କରେ l ବାହ୍ୟ କୃମି ଶରୀର ବାହାରେ ରହି ଛେଳିର କ୍ଷତି କରେ l ଏମାନେ ଛେଳି ଶରୀରରୁ ରକ୍ତ ଶୋଷି ନିଅନ୍ତି l ଯାହାଦ୍ୱାରା ଛେଳିର ଶରୀର ଦୁର୍ବଳ ହୋଇଯାଏ ଓ କ୍ଷୀର କମିଯାଏ l

28 November, 2024 10:25 AM IST By: Tanushree Mahapatra

ବର୍ଷର ବିଭିନ୍ନ ଋତୁରେ ଛେଳି ମାନଙ୍କୁ ନାନା ପ୍ରକାର ରୋଗ ହୋଇଥାଏ l ଏହାକୁ କେତେକ ଚାଷୀ ନିଜର ଦେଶୀ ଚିକିତ୍ସା ମାଧ୍ୟମରେ ଠିକ୍ କରିଥାନ୍ତି l ବର୍ତ୍ତମାନ ଯୁଗରେ ଏହି ଦେଶୀ ଚିକିତ୍ସା ବିଲୁପ୍ତପ୍ରାୟ l ପ୍ରତି ଗ୍ରାମରେ ସରକାରୀ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚିପାରୁଛନ୍ତି ଓ ଛେଳିର ଉପଯୁକ୍ତ ଚିକିତ୍ସା ସମ୍ଭବ ହୋଇପାରୁଛି l ଆସନ୍ତୁ ଜାଣିବା, ରୋଗିଣା ଛେଳିର ଲକ୍ଷଣ କ'ଣ ଓ ଏହାକୁ କିପରି ଚିହ୍ନିବେ l

ସାଧାରଣ ରୋଗର ଲକ୍ଷଣ :-

୧) ମୁଣ୍ଡ ତଳକୁ କରି ଠିଆ ହେବା  l

୨) ଗୋଠ ଛଡ଼ା ହୋଇ ଅଲଗା ରହିବା l

୩) ଦୁର୍ବଳ ଓ ମାନ୍ଦା ଦେଖାଯାଏ l

୪) ଥୋଡ଼ିରେ ପାଣି ଜମି ଯାଏ l

୫) ଖାଇବାକୁ ଆଦୌ ଇଚ୍ଛା ନ କରିବା l

୬) ପାକୁଳି ବନ୍ଦ କରିବା l

୭) ରୋମ ଝଡ଼ିବା l

୮) ରୋମ ଠିଆ ହୋଇ ଟାଆଁସିଆ ଦେଖାଯିବା l

୯) ରୋମର ଚିକଣତା କମିଯିବା l

୧୦) ନାକରୁ ସିଂଘାଣି ବାହାରିବା l

୧୧) ପାଟିରେ ଘା' ହେବା l

୧୨) ଜ୍ୱର ହେବା l

୧୩) ନିଃଶ୍ୱାସ ପ୍ରଶ୍ୱାସ ଧୀରେ ଧୀରେ କିମ୍ବା ଜୋର୍ ରେ ନେବା l

୧୪) ନାଡ଼ିର ଗତି ଧୀର ବା ତୀବ୍ର ହେବା l

୧୫) ତରଳ ଝାଡ଼ା ହେବା l

ବର୍ତ୍ତମାନ ଜାଣିବା ଛେଳିକୁ କି ପ୍ରକାର ରୋଗ ହୋଇଥାଏ l

କେତେକ ସାଧାରଣ ରୋଗ :-

୧) ଆନ୍ତ୍ରିକ ବିଷ ରୋଗ :- ଏହା ଜୀବାଣୁ ଦ୍ୱାରା ହୋଇଥାଏ l ପାଗ ପରିବର୍ତ୍ତନ ଓ ଖାଦ୍ୟ ପରିବର୍ତ୍ତନ ଯୋଗୁଁ ଛେଳିର ଅନ୍ତଃନଳୀରେ ଏହି ରୋଗ ହୁଏ l ତରଳ ଝାଡ଼ା /ପେଟ ଯନ୍ତ୍ରଣା /ପାଟିରୁ ଲାଳ ବାହାରିବା /ଗୋଡ଼ ବଙ୍କା ହୋଇଯିବା ଇତ୍ୟାଦି ଏହି ରୋଗର ଲକ୍ଷଣ ଅଟେ l

୨) ବର୍ଷା ଦିନିଆ ରୋଗ :- ଛେଳିର ଖୁରାରେ ପାଣି ଓ କାଦୁଅ ଲାଗିଲେ ଏହି ରୋଗ ହୁଏ l ଖାଦ୍ୟ ନ ଖାଇବା / ଦୁର୍ବଳ ହୋଇଯିବା / ଜ୍ୱର ହେବା / ନାକରୁ ତରଳ ପଦାର୍ଥ ବାହାରିବା / ନିଃଶ୍ୱାସ ଓ ପ୍ରଶ୍ୱାସରେ କଷ୍ଟ ହେବା ଇତ୍ୟାଦି ଏହି ରୋଗର ଲକ୍ଷଣ ଅଟେ l

୩) ଫାଟୁଆ ରୋଗ :- ଭୂତାଣୁ ଦ୍ୱାରା ଏହି ରୋଗ ହୁଏ l ପାଟିରେ / ଜିଭରେ / ଖୁରାରେ ଘା' ହେବା / ଲାଳ ବାହାରି ସୂତା ପରି ଝୁଲିବା / ଖାଦ୍ୟ ନ ଖାଇବା / ଛୋଟେଇ ଚରିବା ଇତ୍ୟାଦି ଏହି ରୋଗର ଲକ୍ଷଣ ଅଟେ l

୪) ଛେଳି ବସନ୍ତ ରୋଗ :- ଏହା ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ ଅଟେ l ଏହା ଖୁବ ଶୀଘ୍ର ରୋଗାକ୍ରାନ୍ତ ଛେଳି ଠାରୁ ଅନ୍ୟ ଛେଳିକୁ ବ୍ୟାପିଥାଏ l ଜ୍ୱର ହେବା / ଦେହରେ ଫୋଟକା ବାହାରିବା / ମୁହଁରେ ଓ ପହ୍ନାରେ ଘା' ହେବା / ଆଖିରୁ ନେଞ୍ଜରା ବାହାରିବା / ନାକରୁ ପାଣି ବାହାରିବା / ନିମୋନିଆ ହେବା ଇତ୍ୟାଦି ଏହି ରୋଗର ଲକ୍ଷଣ ଅଟେ l

୫) ପେଟ ଫମ୍ପା ରୋଗ :- ଏହା ଏକ ସାଧାରଣ ରୋଗ ଅଟେ l ଛେଳିର ପେଟରେ ପବନ ଜମି ରହି ବାହାରକୁ ନ ଆସି ପାରିଲେ ପେଟ ଫୁଲି ଯାଏ l ଅଧିକ ଖାଦ୍ୟ ଗ୍ରହଣ /ଖାଦ୍ୟ ବଦହଜମ ହେବା / ଅପରିଷ୍କାର ଜଳ ପିଇବା ଦ୍ୱାରା ଏହି ରୋଗ ହୁଏ l ପେଟ ଫୁଲି ଯନ୍ତ୍ରଣା ହେବା ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ତଥା ପାଟିରୁ ଲାଳ ବାହାରିବା ଏହି ରୋଗର ଲକ୍ଷଣ ଅଟେ l

୬) ମୁହଁ ଘା' ରୋଗ :- ଏହା ଭୂତାଣୁ ଦ୍ୱାରା ସଂକ୍ରମିତ ହୁଏ l ପାଟି , ମୁହଁ ଓ ନାକରେ ଫୋଟକା ହୋଇ ଘା' ରେ ପରିଣତ ହେବା / ଆଖିରୁ ଲୁହ ବାହାରିବା / ଖାଦ୍ୟ ନ ଖାଇବା / ଶରୀରର ତାପମାତ୍ରା ବଢ଼ିବା ଇତ୍ୟାଦି ଏହି ରୋଗର ଲକ୍ଷଣ ଅଟେ l

୭) ଛେଳି ମଡ଼କ (PPR) ରୋଗ :- ଏହା ସବୁଠାରୁ ମାରାତ୍ମକ ଭୂତାଣୁ ଜନିତ ରୋଗ ଅଟେ l ଆଖିରୁ ପାଣି ବାହାରିବା / ନାକରୁ ସିଂଘାଣି ନିର୍ଗତ ହେବା / ପାଟିରୁ ଲାଳ ବାହାରିବା / ପରିସ୍ରା ହଳଦିଆ ହେବା / ତରଳ ଝାଡ଼ା ହେବା ଇତ୍ୟାଦି ଏହି ରୋଗର ଲକ୍ଷଣ ଅଟେ l ଏହି ରୋଗ ହେଲେ ଛେଳିକୁ ପ୍ରଥମେ ଜ୍ୱର ହୁଏ l ପରେ ପାଟିରେ ଘା' ହୁଏ l ଆଖି , ନାକ , ପାଟିରୁ ତରଳ ପଦାର୍ଥ ବାହାରେ l ନିଃଶ୍ୱାସ ପ୍ରଶ୍ୱାସରେ ବହୁତ କଷ୍ଟ ହୁଏ l ସଂକ୍ରମିତ ଛେଳି ଠାରୁ ଏହି ରୋଗ ଅନ୍ୟାନ୍ୟ ସୁସ୍ଥ ଛେଳି ମାନଙ୍କୁ ବ୍ୟାପିଥାଏ l

୮) ଆନ୍ଥ୍ରାକସ୍ ରୋଗ :- ଏହା ଭୂତାଣୁ ଦ୍ୱାରା ହୋଇଥାଏ l କାଶିବା , ଜ୍ୱର ହେବା , ମାଂସପେଶୀର ଯନ୍ତ୍ରଣା , ଶରୀର ପୀଡ଼ା , ନିଃଶ୍ୱାସରେ କଷ୍ଟ , କାଶରେ ରକ୍ତ ପଡ଼ିବା ଇତ୍ୟାଦି ଏହି ରୋଗର ଲକ୍ଷଣ ଅଟେ l

୯) କୃମି ରୋଗ :- ଅନ୍ତଃ କୃମି ଛେଳିର ପେଟରେ ରହି କ୍ଷତି କରେ l ବାହ୍ୟ କୃମି ଶରୀର ବାହାରେ ରହି ଛେଳିର କ୍ଷତି କରେ l ଏମାନେ ଛେଳି ଶରୀରରୁ ରକ୍ତ ଶୋଷି ନିଅନ୍ତି l ଯାହାଦ୍ୱାରା ଛେଳିର ଶରୀର ଦୁର୍ବଳ ହୋଇଯାଏ ଓ କ୍ଷୀର କମିଯାଏ l ଏହି ରୋଗ ପାଇଁ କୌଣସି ଟୀକାର ବ୍ୟବହାର କରାଯାଏ ନାହିଁ l ବର୍ଷକୁ ୩ ଥର କୃମିନାଶକ ବଟିକା ଦିଆଯାଏ ଯାହା ଉଭୟ ପ୍ରକାରର କୃମି ଦାଉରୁ ଛେଳିକୁ ରକ୍ଷା କରିପାରିବ l କେତେକ କୀଟନାଶକ କୁ ପାଣିରେ ମିଶାଇ ଛେଳିର ଶରୀରରେ ଓ ଛେଳି ଗୁହାଳରେ ସିଞ୍ଚନ କଲେ ବାହ୍ୟ କୃମି ନାଶ ହୁଏ l

ଏବେ ଜାଣନ୍ତୁ ଉପରୋକ୍ତ ବିଭିନ୍ନ ରୋଗର ଚିକିତ୍ସା ଓ ନିରାକରଣ କିପରି କରାଯିବ ? ନିମ୍ନରେ ଦିଆଯାଇଥିବା ସାରଣୀରେ ସବୁ ବିଷୟରେ ତଥ୍ୟ ଦିଆଗଲା l

ରୋଗର ନାମ -ଟୀକା କେଉଁ ମାସରେ ଦିଆଯାଏ - ଟୀକା କେତେ ଓ କିପରି ଦିଆଯାଏ

  1. a) ଆନ୍ତ୍ରିକ ବିଷ ରୋଗ - ଫେବୃଆରୀ - 2.5ml ଚମଡ଼ା ତଳେ , ୧୪ ଦିନ ପରେ ଦ୍ଵିତୀୟ ଥର , ଛଅ ମାସରେ ତୃତୀୟ ଥର
  2. b) ବର୍ଷା ଦିନିଆ ରୋଗ - ଟୀକା ଅନାବଶ୍ୟକ - ଛେଳିକୁ ବର୍ଷାଦିନେ ବାହାରକୁ ଛାଡ଼ିବା ମନା
  3. c) ଫାଟୁଆ ରୋଗ - ଜୁନ - 01 ml ଚମଡ଼ା ତଳେ , ପ୍ରତି ଛଅ ମାସରେ ଥରେ
  4. d) ଛେଳି ବସନ୍ତ ରୋଗ - ସେପ୍ଟେମ୍ବର - 01 ml ଚମଡ଼ା ତଳେ , ବର୍ଷକୁ ଥରେ
  5. e) ପେଟ ଫମ୍ପା ରୋଗ - ଟୀକା ନାହିଁ - ରାଶି ତେଲ କିମ୍ବା ତାଳ ତେଲ 50 ml ଛେଳିକୁ ପିଆଯାଏ
  6. f) ମୁହଁ ଘା' ରୋଗ - ବର୍ଷର ସବୁ ମାସରେ - ଆଣ୍ଟିବାୟୋଟିକ୍ ଟୀକା , 01 ml ଚମଡ଼ା ତଳେ, ଆଣ୍ଟିସେପ୍ଟିକ୍ ମଲମ , ବାୟୋଗ୍ଲିସେରିନ୍ ତରଳ ଘା' ରେ ଲଗାଯାଏ
  7. g) ଛେଳି ମଡ଼କ ରୋଗ (PPR ) - ବର୍ଷର ସବୁ ମାସରେ - 01 ml ଚମଡ଼ା ତଳେ, ଚାରି ମାସର ଛେଳି ଛୁଆକୁ , ପ୍ରତି ତିନି ବର୍ଷରେ ଥରେ ଦିଆଯାଏ
  8. h)ଆନ୍ଥ୍ରାକସ୍ ରୋଗ - ବର୍ଷର ସବୁ ମାସରେ - 01 ml ଚମଡ଼ା ତଳେ, , ବର୍ଷକୁ ଥରେ ଦିଆଯାଏ

ଅତିରିକ୍ତ ସହାୟତା ନିମନ୍ତେ ପଶୁ ଚିକିତ୍ସାଳୟର କର୍ମଚାରୀ ଓ ଡାକ୍ତରଙ୍କ ସହାୟତା ନିଅନ୍ତୁ l

                                   ଯେଉଁ ଚାଷୀଭାଇ ଓ ଭଉଣୀମାନେ ଅତ୍ୟାଧୁନିକ ପ୍ରଣାଳୀରେ ଛେଳିପାଳନ କରିବାକୁ ଚାହୁଁଛନ୍ତି ,ସେମାନେ ମୋ ସହିତ ଯୋଗାଯୋଗ କରିପାରିବେ l ଆମର ଓଡ଼ିଶାର ସମସ୍ତ ଜିଲ୍ଲାରେ କାମ କରାଯାଉଛି l ଛେଳି ଗୁହାଳ ନିର୍ମାଣ + ଘାସ କିଣା ଓ ଲଗାଇବାର ତଥ୍ୟ + ସରକାରୀ ଯୋଜନାର ବିଶେଷ ବିବରଣୀ + ଛେଳି ପ୍ରୋଜେକ୍ଟ ଅନଲାଇନ୍ ଆବେଦନ + ପ୍ରୋଜେକ୍ଟ ରିପୋର୍ଟ + ଛେଳି ଖାଦ୍ୟର ତଥ୍ୟ + ଛେଳି ଯୋଗାଣ +ଛେଳିର ତାଲିମ ଇତ୍ୟାଦି ପାଇଁ ମୋତେ କଲ କରନ୍ତୁ  l 

ସବ୍ୟସାଚୀ ବେହେରା ,

ମୋବାଇଲ - 97769 36261

( ଛେଳି ଉଦ୍ୟୋଗ ସହାୟକ ସଂସ୍ଥାର ମାଲିକ, ନବରଙ୍ଗପୁର )