କୁକୁଡ଼ା ପରି ମୁକ୍ତାଙ୍ଗନ ରେ କୃଷିଭିତ୍ତିକ ପକ୍ଷୀପାଳନ ଦୃଷ୍ଟିରୁ ବତକ ଚାଷ ଏକ ଲାଭଦାୟକ ଏବଂ ଉପଯୁକ୍ତ ପକ୍ଷୀ ପାଳନ ବ୍ୟବସାୟ |
ଏହାର ଉପାଦେୟତା :
- ବତକ ବୈଜ୍ଞାନିକ ଦୃଷ୍ଟିକୋଣରୁ କୁକୁଡ଼ା ଅପେକ୍ଷା ଅଧିକ ଅମଳ କ୍ଷମ ଏବଂ ଅନ୍ୟତମ ବୃହଦ ଅଣ୍ଡା ଉତ୍ପାଦନକାରୀ ପକ୍ଷୀ ହିସାବରେ ବିବେଚିତ|
- ସାଧାରଣତଃ ଆମ ଦେଶରେ ବତକ ପାଳନ ଉଭୟ ମାଂସ ଓ ଅଣ୍ଡା ଉଦେଶ୍ୟରେ କରାଯାଏ |
- ଏହାର ମାଂସ ଓ ଅଣ୍ଡା ସୁସ୍ୱାଦୁ ,ପୃଷ୍ଟିକର ଏବଂ ଗୁଣଯୁକ୍ତ ଅଟେ |
- କୁକୁଡ଼ା ପାଳନ ତୁଳନାରେ ବତକ ପାଳନ ସୁବିଧା ଏବଂ ସହଜରେ ହୋଇପାରେ |
- ସର୍ବସାଧାରଣ ବିଶେଷରେ ବତକ ରେ ଗରିବ ଶ୍ରମିକ ବର୍ଗ ,ଭୂମିହୀନ ,ନାମମାତ୍ରକ ଚାଷୀ ମୁଖ୍ୟତ ମହିଳାମାନେ ଅଧିକ ଲାଭବାନ ହୋଇପାରିବେ |
- ଏଥି ଲାଗି ମୂଳଧନ ଆବଶ୍ୟକତା ବହୁତ କମ |ଏପରିକି ସର୍ବନିମ୍ନ ମୁଲ୍ୟାକରଣ ୨ ରୁ ୪ ହଜାର ଟଙ୍କା ପୁଞ୍ଜିନିବେଶ ଦ୍ୱାରା ବତକ ଚାଷ ଆରମ୍ଭ କରାଯାଇପାରିବ |
- ଦେଶୀ କୁକୁଡ଼ା ଏବଂ ଦେଶୀ ବତକ ମଧ୍ୟରେ ତୁଳନାତ୍ମକ ଭାବରେ ଅନୁସନ୍ଧାନ କଲେ ଜଣାପଡେ ଯେ ବତକ କୁକୁଡ଼ା ଅପେକ୍ଷା ୪୦ ରୁ ୫୦ ମୁଣ୍ଡପିଛା ଅଧିକ ଅଣ୍ଡା ଦେଇପାରେ |
- ବତକ ଅଣ୍ଡା କୁକୁଡ଼ା ଅଣ୍ଡା ଠାରୁ ହାରାହାରି ୫ ରୁ ୨୦ ଗ୍ରାମ ଅଧିକ ଓଜନ ହୋଇଥାଏ ଏବଂ ଆକର୍ଷଣୀୟ ତଥା ଲୋଭନୀୟ ଦିଶେ |
- ଗୋଟିଏ ଦେଶୀ ବତକ ହାରାହାରି ୧୦୦ ରୁ ୧୩୦ ଅଣ୍ଡା ଦେଇପାରେ |ଏହା ମଧ୍ୟ କୁକୁଡ଼ା ଚାଷ ଠାରୁ ଅଧିକ ଦିନ ସମାନୁପାତିକ ଭାବରେ ଅଣ୍ଡାଦେଇ ଚାଲିଥାଏ |
- ଏହା ଦେଖାଯାଇଛି ଯେ ,ବତକ ଚାଷ ନିମନ୍ତେ ଅତ୍ୟଧିକ ବ୍ୟୟବହୁଳ ଘରର ଆବଶ୍ୟକତା ନଥାଏ ,ତଥା ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ତିଆରି କରିବା ପାଇଁ ଦରକାର ହୁଏ ନାହିଁ|
- ଆମ ରାଜ୍ୟ ପରି ଅନେକ ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କରେ ବତକ ପାଳନ ବହୁ ଆବୃତ |
- ବିଶେଷ କରି ସନ୍ତସନ୍ତିଆ ଜାଗା ଏବଂ ପଡିଆ ସ୍ଥାନ ମଧ୍ୟ ବତକ ପାଳନ ପାଇଁ ସୁନ୍ଦର ଭାବରେ ବ୍ୟବହାର କରାଯାଇପାରିବ ,ଯେଉଁଠି ଅନ୍ୟ କୌଣସି ପଶୁ ପକ୍ଷୀ ପାଳନ କରି କିଛି ଆମଦାନୀ କରିବା କଷ୍ଟ ହୋଇଥାଏ |
ବହୁ ସମୟରେ ଦେଖାଯାଇଛି ମୁକ୍ତାଙ୍ଗନ ପକ୍ଷୀ ପାଳନ ସକାଶେ କୁକୁଡ଼ା ଅପେକ୍ଷା ବତକ ପାଳନ ଅଧିକ ଏବଂ ବହୁଳ ଭାବରେ ଲାଭକାରୀ ଏବଂ ପ୍ରଯୁର୍ଯ୍ୟ |ବତକ ପାଳନ ରୁ ବାହାରୁଥିବା ବର୍ଜ୍ୟବସ୍ତୁ ତଥା ବତକ ଖତ ମତ୍ସ୍ୟ ପାଳନ ପାଇଁ ଏକ ଲାଭକାରୀ ଏବଂ ଦରକାରୀ ଅଙ୍ଗ ହିସାବରେ ଅତିସୁନ୍ଦର ଭାବରେ ସାମିଲ କରାଯାଇପାରିବ |ମାଛ ଏବଂ ଧାନ ଚାଷ ସହିତ ବତକ ଚାଷର ଏକତ୍ରିତ କୃଷିରେ ବିଶେଷ ଯୋଗ୍ୟତା ଅଛି |ବତକମାନେ ଚାଷ ଜମିରୁ ଅଦରକାରୀ ପୋକ ,ପରଜୀବୀ ,ଝୀଂଟିକା ,ଗେଣ୍ଡା ,ବେଙ୍ଗଫୁଲା ଇତ୍ୟାଦି ସଂଗ୍ରହ କରି ଖାଦ୍ୟ ରୂପେ ବ୍ୟବହାର କରନ୍ତି |ବତକ ମାଛ ପୋଖରୀରୁ ଅନାବନା ଦଳ ଯଥା ଆଜୋଲା ,ଲେମନିଆ ଇତ୍ୟାଦି ଦଳକୁ ଖୁବ ସୁଚାରୁରୂପେ ଖାଦ୍ୟ ଭାବରେ ବ୍ୟବହାର କରନ୍ତୁ |ଯାହାଦ୍ୱାରା ତାଙ୍କର ସମୁଦାୟ ଖାଦ୍ୟ ର ଚାହିଦା ବହୁ ପରିମାଣରେ ଖର୍ଚ୍ଚ ବଂଚାଇଥାଏ |ଆଜିକାଲି ମିଳୁଥିବା ଆନ୍ତର୍ଜାତିକ ଅଣ୍ଡାଦିଆ ବତକ ପ୍ରଜାତିମାନେ ହାରାହାରି ବର୍ଷରେ ୩୦୦ ରୁ ଉର୍ଧ ଅଣ୍ଡା ଦେଇପାରନ୍ତି |
ଏହାର ଅଣ୍ଡାରେ ଉଭୟ ପୃଷ୍ଟିସାର ଓ ସ୍ନେହସାର ସହିତ ଜୀବସାର ଓ ଖଣିଜ ଲବଣ ମଧ୍ୟ ଆବଶ୍ୟକ ପରିମାଣରେ ରହିଛି |ସମସ୍ତ କୋଣରୁ କୁକୁଡ଼ା ଠାରୁ ବତକ ଅଣ୍ଡା ଅଧିକ ଉପାଦେୟ ଏବଂ ପୃଷ୍ଟିକର |ଏହା ବ୍ୟତୀତ ଏଥିରେ ପୃଷ୍ଟିସାର ଓ ୧୦% ଖଣିଜ ଲବଣ ଭିଟାମିନ ନିହାତି ପକ୍ଷରେ ଅଧିକ ଥାଏ |ତେଣୁ ମାଧ୍ୟାନ ଭୋଜନ ରେ କୁକୁଡ଼ା ଅପେକ୍ଷା ବତକ ଅଣ୍ଡା ସାମିଲ କଲେ ତାହା ଅଧିକ ଶ୍ରେୟସ୍କର ହେବ |