ଏହି ପ୍ରଜାତିର କୁକୁଡ଼ା ରାଜ୍ୟର କନ୍ଧମାଳ ଓ ବୌଧ ଜିଲ୍ଲାରେ ବହୁଳ ଭାବରେ ଦେଖାଯାନ୍ତି l ବର୍ତ୍ତମାନ ଏହି ପ୍ରଜାତିର କୁକୁଡ଼ାଙ୍କ ସଂଖ୍ୟା ପ୍ରାୟ ୧୨ ଲକ୍ଷ ରହିଛି l ଏହିସବୁ ଅଞ୍ଚଳରେ ଏହି କୁକୁଡ଼ାଙ୍କୁ ଉଭୟ ଅଣ୍ଡା ଓ ମାଂସ ପାଇଁ ବ୍ୟବହାର କରାଯାଏ l ଅନ୍ୟ କୁକୁଡ଼ା ମାଂସ ଅପେକ୍ଷା ଏହା ଅତ୍ୟନ୍ତ ସ୍ୱାଦିଷ୍ଟ l ଉଭୟ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ମୁଖ୍ୟତଃ କନ୍ଧ ସମ୍ପ୍ରଦାୟର ଚାଷୀମାନେ ଏହି କୁକୁଡ଼ା ରଖିଥାନ୍ତି l
ଅଖିଳ ଭାରତୀୟ ସମନ୍ବିତ କୁକ୍କୁଟ ପ୍ରଜନନ ଗବେଷଣା ପ୍ରକଳ୍ପ , ଓୟୁଏଟି ଦ୍ୱାରା କୁକୁଡ଼ା ଗୁଡିକର ଶାରୀରିକ ଗଠନ ,ଖାଦ୍ୟ ଗ୍ରହଣ ପ୍ରଣାଳୀ ଓ ଆବଶ୍ୟକତା , ଉତ୍ପାଦନ କ୍ଷମତା ଆଦି ନିରୂପଣ କରାଯାଇ ଏହାକୁ ପ୍ରଜାତିର ମାନ୍ୟତା ଦେବା ପାଇଁ ICAR ନ୍ୟାସନାଲ ବ୍ୟୁରୋ ଅଫ ଅନିମଲ ଜେନେଟିକ ରିସୋର୍ସସରେ ଆବେଦନ କରାଯାଇଛି l
ଶାରୀରିକ ଗଠନ
ଅନ୍ୟ ଦେଶୀ ପ୍ରଜାତିର କୁକୁଡ଼ା ଭଳି ଏମାନଙ୍କ ଆକାର ଛୋଟ ଓ କମ ଓଜନ ବିଶିଷ୍ଟ l ଏମାନଙ୍କ ଶରୀର ରଙ୍ଗ ନାଲି ଓ କଳା l ବୟସ୍କ ଗଞ୍ଜା ର ଓଜନ ପ୍ରାୟ ୧.୩ - ୧.୬ କି.ଗ୍ରା ହୋଇଥାଏ l ବୟସ୍କ ମାଇଁ କୁକୁଡ଼ାର ଓଜନ ପ୍ରାୟ ୮୦୦ ଗ୍ରାମରୁ ୧.୧ କି.ଗ୍ରା ହୋଇଥାଏ l ଗଞ୍ଜାର ଲମ୍ବ ୩୦ ରୁ ୪୪ ସେ.ମି ହୋଇଥାଏ l ମାଇଁ କୁକୁଡ଼ାର ଲମ୍ବ ୨୮ ରୁ ୩୮ ସେ.ମି ହୋଇଥାଏ l ୭.୫ ମାସରେ ଏମାନେ ପ୍ରାପ୍ତ ବୟସ୍କ ହୋଇଥାନ୍ତି l ଗୋଟିଏ ଥରରେ ୧୨ ରୁ ୨୧ ଟି ଅଣ୍ଡା ଦିଅନ୍ତି l ଏହିପରି ବର୍ଷକୁ ୩ ରୁ ୪ ଥର ଅଣ୍ଡା ଦିଅନ୍ତି l ଅଣ୍ଡାର ଓଜନ ୪୦ ଗ୍ରାମ ହୋଇଥାଏ l ଅଣ୍ଡା ଖୋଳପା ଓଜନ ୫ ଗ୍ରାମ ଏବଂ ଅଣ୍ଡା କେଶର ଓଜନ ୧୧.୫ ଗ୍ରାମ ହୋଇଥାଏ l ଅଣ୍ଡାର ରଙ୍ଗ ଧଳା ହୋଇଥାଏ l ଗୋଟିଏ ଗଞ୍ଜା ସହିତ ୫ ରୁ ୬ ଟି ମାଇଁ କୁକୁଡ଼ା ରହିପାରିବେ l
ଏହି କୁକୁଡ଼ା ଭୂମିରୁ ୩୦ ଫୁଟ ଉଚ୍ଚକୁ ଉଡ଼ିପାରେ l ସେଥିପାଇଁ ହିଂସ୍ରଜନ୍ତୁମାନେ ଏମାନଙ୍କୁ ଧରି ପାରନ୍ତି ନାହିଁ l ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ l ସେଥିପାଇଁ ଏହି କୁକୁଡ଼ା ମାନଙ୍କୁ ରୋଗ କମ ହୋଇଥାଏ l ଏହି କୁକୁଡ଼ା ପାଳନ ପାଇଁ ଚାଷୀଙ୍କୁ ବିଶେଷ କିଛି ଯତ୍ନ ନେବାକୁ ପଡ଼ିନଥାଏ l ଏମାନେ ବାହାରେ ବାଡ଼ି ବଗିଚାରେ ବୁଲି ଖାଦ୍ୟ ସଂଗ୍ରହ କରିଥାନ୍ତି ଏବଂ ସନ୍ଧ୍ୟା ହେଲେ ଆପେ ଘରକୁ ଆସନ୍ତି l ଏମାନଙ୍କୁ ଅଳ୍ପ ଦାନା ଦେବାକୁ ପଡିଥାଏ l
ଏହି କୁକୁଡ଼ାକୁ ପ୍ରଜାତିର ମାନ୍ୟତା ମିଳିଲେ ଏହା ସରକାରଙ୍କ ନଜରକୁ ଆସିବ l ଏମାନଙ୍କୁ ଗୋଟିଏ ଦୁଇଟି ସ୍ଥାନରେ ସୀମିତ ନ ରଖି ସାରା ଓଡ଼ିଶାରେ ଚାଷ କରାଯିବ l ଏହାଦ୍ୱାରା ଚାଷୀମାନେ ବିଶେଷ ଉପକୃତ ହୋଇପାରିବେ ଏବଂ ଅଧିକ ଲାଭବାନ ହୋଇପାରିବେ l ଏହି କୁକୁଡ଼ା ଉପରେ ଅଧିକ ଗବେଷଣାର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ l
Author:
Dr. Lipismita Samal