ଓଡ଼ିଶାର ମାଛ ଆବଶ୍ୟକତାକୁ ବର୍ତ୍ତମାନ ସୁଦ୍ଧା ପଡ଼ୋଶୀ ରାଜ୍ୟରୁ ମାଛ କିଣାଯାଇ ପୂରଣ କରାଯାଉଛି l ତେଣୁ, ଓଡ଼ିଶାରେ ମାଛ ଉତ୍ପାଦନ କମ ହେଉଛି ଏହା ସୁସ୍ପଷ୍ଟ ଅଟେ l ଏହି ଆବଶ୍ୟକତାର ମୁକାବିଲା ପାଇଁ ଏକ ନୂତନ ପ୍ରଜାତିର ମାଛ ବିଷୟରେ ବୈଜ୍ଞାନିକମାନେ ଗବେଷଣା କରି ସଫଳ ହୋଇଛନ୍ତି ଏବଂ ଏହାର ନାମ ହେଉଛି ''ଗିଫଟ୍ ଟିଲାପିଆ" l ଏହି ମାଛ କଉ ମାଛ ପ୍ରଜାତିର କିନ୍ତୁ ଏହା କଉ ମାଛ ଠାରୁ ତୁଳନାତ୍ମକ ଭାବରେ ଉନ୍ନତ ଧରଣର ଅଟେ l ଆସନ୍ତୁ ଆଜି ଆମେ ଏଠାରେ ଏହି ''ଗିଫଟ୍ ଟିଲାପିଆ" ମାଛ ଚାଷ ସମ୍ପର୍କରେ କିଛି ସବିଶେଷ ଆଲୋଚନା କରିବା l
ଆମ ରାଜ୍ୟରେ ପୂର୍ବରୁ କଉ ମାଛ ସମସ୍ତେ ଜାଣନ୍ତି । କଉ ମାଛ ପୋଖରୀରେ ଛାଡ଼ିଲେ, ତାହାର ଅସମ୍ଭବ ବଂଶବୃଦ୍ଧି ହେତୁ ପୋଖରୀ ଭର୍ତି ହୋଇଯାଏ । ତାହାର ଆକୃତି କ୍ଷୁଦ୍ର ହେତୁ ବଜାର ଚାହିଦା ମଧ୍ୟ କମ୍ । କଉ ମାଛର ଉନ୍ନତ ପ୍ରଜାତି ହେଉଛି ‘ଗିଫଟ୍ ଟିଲାପିଆ' । ଗତ କିଛି ବର୍ଷ ଧରି ପୃଥିବୀର ବିଭିନ୍ନ ଦେଶରେ ଏହି ମାଛର ବହୁଳ ଉତ୍ପାଦନ ଓ ଚାହିଦା ରହିଥିବା ପରିଲକ୍ଷିତ ହୋଇଛି । ଏହି ମାଛ ଅଧିକ ମାଂସଯୁକ୍ତ ଏବଂ ମଝିରେ ଏକ ମାତ୍ର କଣ୍ଟା ହେତୁ ଲୋକଙ୍କ ପ୍ରିୟ ହୋଇପାରିଛି । ସରକାରୀ ସୂଚନା ଅନୁସାରେ ଚଳିତ ବର୍ଷ ରାଜ୍ୟର ମାଛ ଉତ୍ପାଦନ ଏବଂ ମତ୍ସ୍ୟଜାତ ଦ୍ରବ୍ୟ ବିଦେଶକୁ ରପ୍ତାନୀରେ ମଧ୍ୟ ଅଭିବୃଦ୍ଧି ଘଟିଛି l ଓଡ଼ିଶାରେ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଅନେକ ସମ୍ଭାବନା ରହିଛି । ରାଜ୍ୟ ମତ୍ସ୍ୟ ବିଭାଗ ବିଶ୍ଵସ୍ତରୀୟ ସଂଗଠନ ‘ୱାର୍ଲଡ ଫିସ୍' ସହିତ ଏକ ଚୁକ୍ତି ମାଧ୍ୟମରେ ମାଛ ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ କେତେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତନ୍ମଧ୍ୟରୁ ଏକ ସ୍ଵତନ୍ତ୍ର ମାଛ ଗିଫଟ୍ ଟିଲାପିଆ ଉତ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିପାଇଁ ୱାର୍ଲଡ ଫିସ୍ ସଂଗଠନ ବୈଷୟିକ ସହାୟତା ପ୍ରଦାନ ପୂର୍ବକ ଏହାର ଉତ୍ପାଦନ ବୃଦ୍ଧି ଓ ବିକ୍ରି ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି । ନୂତନ ବୈଜ୍ଞାନିକ ପଦ୍ଧତିରେ ଏହି ଗିଫଟ୍ ଟିଲାପିଆ ମାଛର ଜାଆଁଳ ପ୍ରସ୍ତୁତ କରାଯାଉଛି ।
ଏହି ନୂତନ ପ୍ରଜାତିକୁ ଗୁଣସୁତ୍ର ପରିବର୍ତ୍ତନ କରି ଏବଂ ହରମୋନ୍ ପ୍ରୟୋଗ ମାଧ୍ୟମରେ କେବଳ ଅଣ୍ଡିରା ମାଛ ଜାଆଁଳ ପ୍ରସ୍ତୁତ କରାଯାଉଛି । ଯାହା ଦ୍ଵାରା ଏହି ମାଛ ପୋଖରୀରେ ଅନାବଶ୍ୟକ ବଂଶବୃଦ୍ଧି କରି ପାରିବ ନାହିଁ । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ କେବଳ ପୁରୁଷ ଲିଙ୍ଗ ବିଶିଷ୍ଟ ଗିଫଟ୍ ଟିଲାପିଆ ଚାଷ ପଦ୍ଧତି ଓ ଚାଷ ନିମନ୍ତେ ଏକ ନିର୍ଦ୍ଦେଶନାମା ମାଧ୍ୟମରେ ଏହାର ବହୁଳ ପ୍ରସାର ପାଇଁ ଚେଷ୍ଟା କରିଛନ୍ତି । ଉତ୍ପାଦନକ୍ଷମ ମାଛ ପ୍ରଜାତିର ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି l ଏହି ପ୍ରଜାତି ବିଦେଶାଗତ ଓ ଗୁଣସୁତ୍ର ପରିବର୍ତ୍ତନ ହେତୁ ଚାଷ ନିମନ୍ତେ ଜୈବ ସୁରକ୍ଷା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବାକୁ ହୁଏ । ଏହି ପ୍ରଜାତିର ଉନ୍ନତ ରୋଗମୁକ୍ତ ଜାଆଁଳ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ସ୍ଥିତ ରାଜୀବଗାନ୍ଧି ଜଳକୃଷି ଅନୁଷ୍ଠାନ ମାଧ୍ୟମରେ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ଏହି ମାଛ ଉନ୍ନତି ପଦ୍ଧତି ମାଧ୍ୟମରେ ଏକର ପ୍ରତି ପ୍ରତି ଛଅ ମାସରେ ୪ ମେଟ୍ରିକ ଟନ୍ ମାଛ ଉତ୍ପାଦନ ହୋଇପାରୁଛି ଏବଂ ବର୍ଷରେ ଦୁଇ ଥର ଏହି ମାଛ ଚାଷ କରଯାଉଛି । ଏହି ମାଛ ଚାଷରେ ଉନ୍ନତ ଖାଦ୍ୟ ପ୍ରୟୋଗ କରାଯାଏ ଏବଂ ଅତି ଶୀଘ୍ର ଶରୀର ବୃଦ୍ଧି ହେତୁ ଅଧିକ ଉତ୍ପାଦନ ହୋଇପାରୁଛି । ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟ ୱାର୍ଲଡ ଫିସ୍ ସଂଗଠନ ବୈଷୟିକ ସହାୟତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରାୟ ୩୩ ଏକର ଜଳରାଶିରେ ଏହି ଚାଷ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମ ଦଫାରେ ୨୦,୦୦୦ ଉନ୍ନତ ଜାଆଁଳ ଆଣି ଜଗତସିଂହପୁର ଜିଲ୍ଲାରେ ୪ଟି ପୋଖରୀରେ ଉପଯୁକ୍ତ ସୁରକ୍ଷା ଓ ନୂତନ ପଦ୍ଧତିରେ ଏହି ଚାଷ ଆରମ୍ଭ କରାଯାଇଛି । ଏହି ଉନ୍ନତ ପ୍ରଜାତିର ମାଛ ଚାଷରେ ମୁଖ୍ୟତଃ ଅଧିକ ଉତ୍ପାଦନକ୍ଷମ ମାଛ ଚାଷକୁ ପ୍ରୋତ୍ସାହନ ଦ୍ଵାରା ଉତ୍ପାଦନ ବୃଦ୍ଧି ସହିତ ପ୍ରତ୍ୟେକ ଅଞ୍ଚଳରେ ମାଛ ଉପଲବ୍ଧ ହେବ । ଏହି ଗିଫଟ୍ ଟିଲାପିଆ ଅଧିକ ଉତ୍ପାଦନକ୍ଷମ, ସ୍ଵାଦଯୁକ୍ତ ଏବଂ ଏହି ମାଛର ୫ ମାସ ମଧ୍ୟରେ ଏକ କିଗ୍ରା ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ l ଏହା ଦ୍ୱାରା ଖାଉଟିଙ୍କ ଆଶାପୂରଣ କରିବା ସମ୍ଭବ ହୋଇପାରିବ । ଏହି ମାଛର ଅଧିକ ବ୍ୟବସାୟିକ ଉତ୍ପାଦନ ହେଲେ ରପ୍ତାନୀ ପାଇଁ ମଧ୍ୟ ବିପୁଳ ସୁଯୋଗ ରହିବ ଏବଂ ଓଡ଼ିଶାର ମାଛ ଚାଷୀମାନେ ଲାଭବାନ ହୋଇପାରିବେ ।