ଏବେ ଅଗଷ୍ଟ ମାସ ଶେଷ ହୋଇ ସେପ୍ଟେମ୍ବର ମାସ ଆରମ୍ଭ ହେବ l ଧୀରେ ଧୀରେ ଆମର ପରିପାର୍ଶ୍ଵିକ ତାପମାତ୍ରାରେ ହ୍ରାସ ଘଟିବ ଏବଂ ଆମେ ସମସ୍ତେ ନିଜ ନିଜର ବ୍ୟବସ୍ଥା ସେହି ଅନୁସାରେ କରିବା l କିନ୍ତୁ ଆମେ ରଖିଥିବା ଗୃହପାଳିତ ପଶୁମାନେ ଏହି ଶୀତ ଦିନରେ ବହୁତ ଅସୁବିଧାର ସାମ୍ନା କରିଥାଆନ୍ତି l ଶୀତଦିନ ପ୍ରାରମ୍ଭରୁ ଆମ୍ଭେମାନେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ l ଆସନ୍ତୁ ଆଜି ଆଲୋଚନା କରିବା ଶୀତ ଦିନରେ ଆମେ କିପରି ଭାବରେ ଗାଇଗୋରୁମାନଙ୍କର ଉପଯୁକ୍ତ ଯତ୍ନ ନେଇପାରିବା l ଶୀତଦିନେ ଜଳବାୟୁର ଉତ୍ତାପ ହ୍ରାସ ହେବା ସହିତ ଆର୍ଦ୍ରତା ହ୍ରାସ ଯୋଗୁଁ ପ୍ରାଣୀମାନେ ବିଭିନ୍ନ ସମସ୍ୟାର ସାମ୍ନା କରିଥାଆନ୍ତି l ବିଶେଷତଃ ଏହି ଦିନେ ପ୍ରାଣୀଙ୍କର ବାସଗୃହ, ଖାଦ୍ୟ, ପ୍ରଜନନ, ଲାଳନପାଳନରେ ଯନ୍ତ୍ର ଓ ସ୍ଵାସ୍ଥ୍ୟ ପ୍ରତି ଯତ୍ନଶୀଳ ହେଲେ, ସେମାନଙ୍କୁ ଶୀତଦିନେ ସୁରକ୍ଷା ଯୋଗାଇ ଦେବା ସହିତ ସେମାନଙ୍କଠାରୁ ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ବିଶେଷ ଲାଭବାନ ହୋଇପାରିବା l
ଗୋରୁ ଗୁହାଳ, ଛେଳିମେଣ୍ଢାଙ୍କ ଘର, କୁକୁଡ଼ା ଘର ସର୍ବଦା ଶୁଖିଲା ଓ ସଫା ସୁତୁରା ରଖନ୍ତୁ। ଘରର ଲମ୍ବ ପୂର୍ବ-ପଶ୍ଚିମ ହୋଇ ରହିଲେ ଶୀତଦିନେ ଦକ୍ଷିଣା-ଉତ୍ତରା ବାୟୁ ଚଳାଚଳ ଯୋଗୁ କୁକୁଡା ଘରର ଲିଟର ଓ ଗୋରୁଙ୍କ ଗୁହାଳ ଶୁଖିଲା ରହିବ । ଅଧିକ ଶୀତ ଯୋଗୁ ଶ୍ଵାସନଳୀ ଜନିତ ସଂକ୍ରମଣ ଯୋଗୁ ଛେଳି ମେଣ୍ଢା ନିମୋନିଆ ରୋଗରେ ଶିକାର ହୁଅନ୍ତି । ତେଣୁ ଛେଳିମେଣ୍ଢା ରହୁଥିବା ଘରେ ରାତିରେ ଘରର ଉତ୍ତାପ ବଢ଼ାଇବା ଲାଗି ରୁମ୍ ହିଟର ବ୍ୟବସ୍ଥା ରହିଲେ ଭଲ । ଛେଳିଙ୍କ ଗୁହାଳର ସମସ୍ତ ଝରକାକୁ ଶୀତ ପଡ଼ିଲେ ବନ୍ଦ ରଖନ୍ତୁ । ଆଉ ଏହି ଦିନେ ଛେଳି ମେଣ୍ଢାଙ୍କୁ ଭାଡ଼ି ଉପରେ କିମ୍ବା ବାଲିଗୁହାଳରେ ରଖିଲେ ଭଲ । କାରଣ ସେମାନଙ୍କଠାରୁ ନିର୍ଗତ ମଳ ମୂତ୍ର ଭାଡ଼ି ତଳକୁ ପଡ଼ିଯିବ ବା ବାଲିରେ ଶୋଷି ହୋଇଯିବ । ଫଳରେ ସେମାନେ ସର୍ବଦା ଶୁଖିଲା ଚଟାଣରେ ରହିପାରିବେ । ସେହିପରି ଗୁହାଳର ସମସ୍ତ ଖୋଲା ସ୍ଥାନକୁ ଅଖା ବା ପଲିଥିନ ଟାଙ୍ଗି ଭଲଭାବେ ନିବୁଜ କରନ୍ତୁ ଏବଂ ଶୀତ କମିଗଲେ ଦିନବେଳେ ଏହାକୁ ଉପରକୁ ଟେକିଦିଅନ୍ତୁ । ଗୋରୁ ଗୁହାଳ ଭିତର ଓ ବାହାର ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଗୁହାଳ ଘରେ ଅଳିଆ ଆବର୍ଜନା ରଖଲେ ଟିଙ୍କ ଓ ଉକୁଣୀ ହେବାର ଆଶଙ୍କା ଅଧିକ ଥାଏ । ଗୁହାଳେ ଗୋରୁଙ୍କୁ ଗହଳିରେ ନ ରଖି ଆବଶ୍ୟକ ସଂଖ୍ୟକ ରଖନ୍ତୁ । ନଚେତ ଏହି ଗହଳି ଯୋଗୁ ଟିଙ୍କ ଉକୁଣୀଙ୍କ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଏକକୋଷୀ ପ୍ରାଣୀ ରୋଗ ଯଥା; ଥେଇଲେରିଆ, ରକ୍ତ ପରିସ୍ରା ଆଦି ରୋଗ ସହିତ ବିଭିନ୍ନ ଜୀବାଣୁଜନିତ ରୋଗ, ଯଥା-ସାହାଣା, ଆନ୍ଥ୍ରାକ୍ସ, ଅଢ଼େଇଆ ରୋଗ ଦେଖା ଦେବାର ଆଶଙ୍କା ରହିଥାଏ । ସେହିପରି ଗୁହାଳର ଚଟାଣ ଯଦି ଓଦା ବା ସନ୍ତସନ୍ତିଆ ସହିତ କଚ୍ଚା ରହେ ତେବେ ଏହି ଦିନେ ଗାଈଙ୍କର ସଂକ୍ରମଣ ଯୋଗୁ ପହ୍ନାଁ ପ୍ରଦାହ ରୋଗ ସୃଷ୍ଟି ହୁଏ । ତେଣୁ ଅଧିକ ଉତ୍ପାଦନକ୍ଷମ ସଙ୍କର ପ୍ରଜାତିର ଗାଈ ଲାଗି ଗୁହାଳର ଚଟାଣ ସିମେଣ୍ଟ କଂକ୍ରିଟ ହେବା ସହିତ ଅଳ୍ପ, ଢାଲୁ ଓ ଖଦଖଦଡିଆ ରଖନ୍ତୁ । କୁକୁଡ଼ା ଘର ଚଟାଣ ମଧ୍ୟ ସିମେଣ୍ଟରେ ନିର୍ମିତ କରନ୍ତୁ ।
ସାଧାରଣତଃ ଶୀତଦିନେ ବାହ୍ୟ ପରିବେଶର ଉତ୍ତାପ ପ୍ରାଣୀଙ୍କ ଶରୀରର ଉତ୍ତାପଠାରୁ ବହୁତ କମ୍ ରହୁଥୁବାରୁ ତାହା ପ୍ରାଣୀଙ୍କ ଶରୀର ଉପରେ ଏକ ଚାପ ସୃଷ୍ଟି କରିବା ସହିତ ମାନସିକ ଉତ୍ତେଜନା ସୃଷ୍ଟି କରେ । ଶୀତ ପ୍ରକୋପର ପ୍ରଭାବ ସହିତ ଆର୍ଦ୍ରତା କମିଯିବା ଯୋଗୁ ପ୍ରାଣୀଙ୍କ ଶରୀର ଏହା ଗ୍ରହଣ କରିବାକୁ ସକ୍ଷମ ହୋଇ ନ ଥାଏ । ପ୍ରାଣୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନରେ ବାଧାପ୍ରାପ୍ତ ହୁଏ ଓ ଏହା ପରିପ୍ରକାଶ ହୁଏନାହିଁ । ଯାହା ଫଳରେ ବିଭିନ୍ନ ସଂକ୍ରାମକ ରୋଗ ପ୍ରାଣୀଙ୍କୁ ଶୀତଦିନେ ସହଜରେ ଧରିଥାଏ । ତେଣୁ ଶୀତଦିନେ ନବଜାତ ବାଛୁରୀ, ସ୍ୱଳ୍ପ ବୟସ୍କ ବାଛୁରୀ, ରୋଗାକ୍ରାନ୍ତ, ଦୁଗ୍ନ ଦେଉଥିବା ଓ ବୟସ୍କ ଗୋରୁଙ୍କ ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ଋତୁରେ ସକାଳେ କୁହୁଡି ସହିତ ଘାସ ପତ୍ରରେ ପଡ଼ିଥିବା କାକର ଗୋରୁଙ୍କ ପାଇଁ ବହୁ ରୋଗର କାରଣ ହୋଇଥାଏ । ସୂର୍ଯ୍ୟୋଦୟ ପୂର୍ବରୁ କୌଣସିମତେ ଗୋରୁଙ୍କୁ ବାହାରକୁ ଚରିବାକୁ ଛାଡନ୍ତୁନାହିଁ। ଏଥିସହିତ ଅତ୍ୟଧିକ ଶୀତ ଯୋଗୁ ଗୋରୁ ଖାଦ୍ୟ ଖାଇବା କମାଇ ଦିଅନ୍ତି । ଫଳରେ ଗୋରୁଙ୍କଠାରେ ଖାଦ୍ୟାଭାବ ଜନିତ ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଏହି ଖାଦ୍ୟ ଭାବରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁ ବିଭିନ୍ନ ରୋଗ ଧରିବାର ଆଶଙ୍କା ବଢେ । ଗୋରୁଙ୍କୁ ଉତ୍ତାପ ଶକ୍ତି ପ୍ରଦାୟକ ତନ୍ତୁ ଜାତୀୟ ଖାଦ୍ୟ ଯଥା- ଘାସ, ନଡ଼ା, ପାଳ, କୁଣ୍ଡା, ଚୋକଡ଼, ଡାଳପତ୍ର, ମକାଗଛ ପତ୍ର ଓ କାଣ୍ଡ ଇତ୍ୟାଦି ଖାଇବାକୁ ଦିଅନ୍ତୁ । ବର୍ଷାପାଣି ପଡ଼ି ଭିଜିଥିବା ଦାନା, କୁଣ୍ଡା, ପିଡିଆ ଇତ୍ୟାଦି ଶୀତଦିନ ପର୍ଯ୍ୟନ୍ତ ଗଚ୍ଛିତ ରହିଥିଲେ, ତାହା ପିଠାପରି ହୋଇଯାଏ ବା ଫିମ୍ପି ମାରିଯାଏ । ଏଥିରେ ଆସ୍ପରଜିଲସ୍ ନାମକ କବକ ବା ଫିମ୍ପିରୁ ନିର୍ଗତ ଆଫଲା ଟକ୍ସିନ୍ ଉକ୍ତ ଖାଦ୍ୟରେ ବିଷ ସୃଷ୍ଟି କରେ । ସେହିପରି ପଚା ନଡା ବା ଫିମ୍ପିମରା ନଡ଼ାରେ ମଧ୍ୟ ସେହିପରି ଘଟେ । ତେଣୁ ଏସବୁ ଦାନା ବା ଖାଦ୍ୟକୁ ଖରାରେ ଭଲଭାବେ ଶୁଖାଇ ଖାଇବାକୁ ଦିଅନ୍ତୁ । କାରଣ ସୂର୍ଯ୍ୟକିରଣ ଏକ ବିଶୋଧକ ବା ବିଷନାଶକ ଭାବେ କାର୍ଯ୍ୟକରେ । ସେହିଭଳି କୁକୁଡାଙ୍କୁ ଫିମ୍ପିମରା ବା ଗମୁରା ମାରିଥିବା ପୁରୁଣା ଦାନା ନ ଦେଇ ସର୍ବଦା ସଦ୍ୟ ପ୍ରସ୍ତୁତ (୧୫ ଦିନ ମଧ୍ୟରେ ପ୍ରସ୍ତୁତ) ଦାନା ଖାଇବାକୁ ଦଅନ୍ତୁ । ଶୀତ ଦିନରେ ପ୍ରାଣୀଙ୍କ ଶରୀରକୁ ଅତ୍ୟଧିକ ଶୀତର ଚାପ ପ୍ରଭାବରୁ ସୁରକ୍ଷା ଲାଗି ସେମାନଙ୍କୁ ଆଣ୍ଟିଷ୍ଟ୍ରେସ୍ ମେଡିସିନ୍ ଯଥା - ଭିଟାମିନ୍ ଏ, ସି. ଇ ସହିତ ମଲ୍ଟି ଭିଟାମିନ୍ ମିଶ୍ରିତ ଧାତବ ଲବଣ ଗୋରୁ ଏବଂ କୁକୁଡାଙ୍କ ଖାଦ୍ୟରେ ଖାଇବାକୁ ଦିଅନ୍ତୁ ।
ସାଧାରଣତଃ, ଶୀତଦିନେ ଗାଈ ହେଉ ବା ଛେଳିମେଣ୍ଢା, ସେମାନେ ଅଧ୍ୟକ ସଂଖ୍ୟାରେ ଗରମ ଆସିବା ସହିତ ସଂଗମିତ ହୁଅନ୍ତି ଏବଂ ଅଧିକ ସଂଖ୍ୟାରେ ମଧ୍ୟ ଛୁଆ ପ୍ରସବ କରିଥାନ୍ତି । ତେଣୁ ନବଜାତ ବାଛୁରୀ ବା ଛେଳି ମେଣ୍ଢା ଛୁଆଙ୍କୁ ଜନ୍ମହେବାର ଅଧଘଣ୍ଟା, ୨ ଘଣ୍ଟା, ୬ ଘଣ୍ଟା ବ୍ୟବଧ୍ୟାନରେ କଷକ୍ଷୀର ଖୁଆଇବା ଭଲ । ଏହି କଷ କ୍ଷୀର ମା’ର ପହ୍ନାଁରୁ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ନିର୍ଗତ ହୋଇଥାଏ, ଯେଉଁଥିରେ ରୋଗ ପ୍ରତିରୋଧକାରୀ ଶକ୍ତି, ଉତ୍ତାପ ଶକ୍ତି, ଭିଟାମିନ୍ ଏବଂ ପୃଷ୍ଟିସାର ମଧ୍ୟ ଭରପୁର ହୋଇ ରହିଥାଏ । ଏହି କଷ କ୍ଷୀର ଖାଇଲେ ସଦ୍ୟଜାତ କଅଁଳ ବାଛୁରୀ ବା ଛେଳିମେଣ୍ଢା ଛୁଆ ସୁସ୍ଥ ସବଳ ହୋଇ ବଢ଼ନ୍ତି ଏବଂ ବିଭିନ୍ନ ରୋଗ ସେମାନଙ୍କୁ ସହଜରେ ସଂକ୍ରମଣ କରିପାରେ ନାହିଁ। ଶୀତଦିନେ ଗାଈ ବା ମା' ଛେଳିର ଶାରୀରିକ ଉତ୍ତାପ କମିଗଲେ, ସେମାନଙ୍କ କ୍ଷୁଧା ଶକ୍ତି କମିଯିବା ସହିତ ବାଛୁରୀ ବା ଛୁଆଙ୍କୁ କ୍ଷୀର ଦେବାକୁ ସକ୍ଷମ ହୋଇ ନ ଥାନ୍ତି । ସେହିପରି ବାଛୁରୀ ବା ଛେଳିଛୁଆ ଶୀତରେ ଠିକ୍ ଭାବରେ ଠିଆ ହୋଇ ମା' କ୍ଷୀର ଖାଇବାକୁ ସକ୍ଷମ ହୋଇ ନ ଥାନ୍ତି । ଫଳରେ ଉଭୟ ମା’ ଓ ଛୁଆ ମୃତ୍ୟୁବରଣ କରିଥାନ୍ତି । ତେଣୁ ସେମାନଙ୍କୁ ଉତ୍ତାପ ପ୍ରଦାନ ବ୍ୟବସ୍ଥା ସହ ପ୍ରସୂତିକାଳୀନ ଯତ୍ନ ନେବା ଆବଶ୍ୟକ ।