Animal Husbandry

ବର୍ଷା ଋତୁରେ କୁକୁଡ଼ାମାନଙ୍କ ଯତ୍ନ, ଆସନ୍ତୁ ଜାଣିବା !!

ସମସ୍ତଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ, ଅପପୃଷ୍ଟି ଦୂର କରିବାରେ ଓ ବେରୋଜଗାରଙ୍କୁ ରୋଜଗାର ଯୋଗାଇବାରେ କୁକୁଡ଼ା ଚାଷର ଭୂମିକା ଉଲ୍ଲେଖନୀୟ ଅଟେ । କିନ୍ତୁ ଏହି ବର୍ଷା ଦିନରେ ହେଉଥିବା ଅସୁବିଧା ଯୋଗୁ ଅନେକ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୁଅନ୍ତି।

09 July, 2021 5:20 PM IST By: Sugyan Kumar Nayak

ସମସ୍ତଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ, ଅପପୃଷ୍ଟି ଦୂର କରିବାରେ ଓ ବେରୋଜଗାରଙ୍କୁ ରୋଜଗାର ଯୋଗାଇବାରେ କୁକୁଡ଼ା ଚାଷର ଭୂମିକା ଉଲ୍ଲେଖନୀୟ ଅଟେ । କିନ୍ତୁ ଏହି ବର୍ଷା ଦିନରେ ହେଉଥିବା ଅସୁବିଧା ଯୋଗୁ ଅନେକ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୁଅନ୍ତି। ତେଣୁ ବର୍ଷାଋତୁ କାଳୀନ ସମସ୍ୟାକୁ ଧ୍ୟାନରେ ରଖି ସଠିକ ପଦକ୍ଷେପ ନେଲେ ଏହି ସମସ୍ୟାକୁ ସମାଧାନ କରିପାରିବା। କୁକୁଡ଼ା ପାଳନ କରି ଗ୍ରାମାଞ୍ଚଳ ମାନଙ୍କରେ ଚାଷୀ ମାନେ ବହୁତ ଲାଭବାନ ହେଉଛନ୍ତି । କିନ୍ତୁ କୁକୁଡା ପାଳନ କରୁଥିବା ଚାଷୀ ବର୍ଷା ଋତୁରେ କେତେକ ପରିଚାଳନାଜନିତ ପରିବର୍ତନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ l 

ବର୍ଷା ଆରମ୍ଭ ହେବା ପୂର୍ବରୁ କୁକୁଡା ଘର ଛାତର ମରାମତି କରିବା ଆବଶ୍ୟକ । ଛାତରେ କିଛି କଣା, ଫାଙ୍କ ଆଦି ବନ୍ଦ କରିବା ଦରକାର । ଛପର କିମ୍ବା ଛଣତିଆରି ଛାତ ହୋଇଥିଲେ ସେଥିରେ ପଲିଥିନ ଘୋଡାଇବା ଦରକାର। କୁକୁଡା ଘରର ଚଟାଣରେ ଫାଙ୍କା ଗାତକୁ ମଧ୍ୟ ବନ୍ଦ କରିବା ଦରକାର । କୁକୁଡା ଘର ସାଧାରଣତଃ ଭୂମିଠୁ ସାମାନ୍ୟ ଉପରେ ତିଆରି କରା ଯାଇଥାଏ କିନ୍ତୁ ଯଦି ଆପଣଙ୍କର କୁକୁଡା ଘର ଖାଲୁଆ ଜାଗାରେ ଅବସ୍ଥିତ ତେବେ ଯେପରି ଘର ମଧ୍ୟକୁ ପାଣି ନ ପଶେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ । କୁକୁଡା ଘର ଚାରିପଟେ ଉଠିଥିବା ଅନାବନା ଘାସ, ଲଟା, ବୁଦାକୁ ସଫା କରିଦେବା ଦରକାର ।

ବର୍ଷା ଦିନରେ କୁକୁଡ଼ାମାନଙ୍କର ଖାଦ୍ୟର ପରିଚାଳନା ଏକ ଜରୁରୀ ବିଷୟ ଅଟେ। ବର୍ଷା ଋତୁରେ ଅଧିକ ବର୍ଷା ଯୋଗୁ ଜଳବାୟୁରେ ଆର୍ଦ୍ରତା ପରିମାଣ ବଢିଯାଏ ଫଳରେ କୁକୁଡ଼ାମାନଙ୍କ ଖାଦ୍ୟରେ କବକ ବଢିବା ଆରମ୍ଭ କରିଦିଏ। ଏହାର ଫଳସ୍ୱରୂପ କୁକୁଡ଼ା ଏହି ଦାନା ଖାଇଲେ ସେମାନଙ୍କର ଖାଦ୍ୟ ଖାଇବା ପରିମାଣ କମିଯାଏ l ସେମାନେ ଝଡ଼ି ଯାଆନ୍ତି, ଶରୀରର ବୃଦ୍ଧି ବାଧାପ୍ରାପ୍ତ ହୁଏ,କୁକୁଡ଼ାଙ୍କ ଯକୃତରେ ଟ୍ୟୁମର ହେବା ସହ କୁକୁଡ଼ା ମୃତ୍ୟୁବରଣ କରନ୍ତି । ତେଣୁ ଏଥି ପ୍ରତି ଧ୍ୟାନ ଦେବାକୁ ପଡେ। ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ସାଧାରଣତଃ ବର୍ଷା ଦିନରେ ବାହାରୁ ଦାନା କିଣନ୍ତୁ ନାହିଁ । ଆଗରୁ ଦାନା କିଣି ବର୍ଷା ଦିନ ପାଇଁ ରଖନ୍ତୁ l ରଖିଥିବା ଦାନାକୁ ମଝିରେ ମଝିରେ ଖରାରେ ଦେଲେ କବକ ହେବେ ନାହିଁ। କୁକୁଡ଼ା ଦାନା ରଖାଯାଉଥିବା ଗୋଦାମ ଗୃହର ବି ସଠିକ ଯତ୍ନ ନେବାକୁ ହୁଏ। ସେ ଗୃହରେ ଯେପରି ପାଣି ପ୍ରବେଶ କରିବ ନାହିଁ ସେଥିଲାଗି ଧ୍ୟାନ ଦେବାକୁ ପଡିବ । କୁକୁଡ଼ା ଦାନାକୁ ଭୂମିରେ ନ ରଖି ଇଟା କିମ୍ବା କାଠ ପଟା ଉପରେ ରଖିଲେ ଭୂମିରୁ ଆର୍ଦ୍ରତା ଶୋଷି ପାରି ନଥାଏ । ମୂଷା ଭଳି ଦାନାକୁ ଖାଇଦେଉଥିବା ପ୍ରାଣୀଙ୍କୁ ଗୋଦାମ ଗୃହରୁ ବାହାର କରିଦେବା ଦରକାର। ବର୍ଷାଦିନରେ ପରିବେଶର ତାପମାତ୍ରା ହଠାତ କମିଯିବାରୁ ସେମାନଙ୍କ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅଧିକ କ୍ୟାଲୋରି ଖାଦ୍ୟ ଦରକାର କରନ୍ତି। ସେଥି ପାଇଁ ବାହାରେ ଚରୁଥିବା କୁକୁଡ଼ାମାନେ ଘାସ ଓ ଅନ୍ୟାନ୍ୟ ପୋକଜୋକ ଖାଇ ବଢୁଥିବା କୁକୁଡ଼ାମାନଙ୍କୁ ଏହି ଋତୁରେ ଦାନା ଦେବା ଦରକାର । ଖାଦ୍ୟରେ ଜୀବାଣୁ ପରିମାଣ କମ କରିବା ଓ ପରଜୀବୀ ରୋଗରୁ ମୁକ୍ତି ପାଇଁ ଦାନା ପ୍ରସ୍ତୁତି ସମୟରେ ଟିକେ ବର୍ଦ୍ଧିତ ପରିମାଣରେ ଆଣ୍ଟିବୟୋଟିକସ ଓ ପରଜୀବୀ ନିରୋଧକ ମିଶାଇ ଦେବା ଦରକାର । ବର୍ଷା ଋତୁରେ ସାଧାରଣତଃ ବିଶୁଦ୍ଧ ପାନୀୟ ଜଳ ମିଳିବା କଷ୍ଟ କର ହୋଇଥାଏ । ତେଣୁ ଆମକୁ ଦୂଷିତ ପାଣି କୁ ବିଶୋଧନ କରିକି ଦେବା ଆବଶ୍ୟକ । ଖାଦ୍ୟ ଦେବା ପାତ୍ର ଓ ପାଣି ପାତ୍ର କୁ ସଫା କରିକି ବ୍ୟବହାର କରିବା ଆବଶ୍ୟକ । କୁକୁଡ଼ାମାନଙ୍କୁ ଡିପ ଲିଟର ବ୍ୟବସ୍ଥା ଅନୁସାରେ ଭୂମିରେ ଅଗାଡି ପକାଇକି ରଖନ୍ତି । କୁକୁଡ଼ା ରହୁଥିବା ଘରର ଚଟାଣରେ ଚୂନ ଛିଞ୍ଚି ତାହା ଉପରେ ନୂଆ ଅଗାଡି ପକାଇବା ଦରକାର । ବର୍ଷା ଋତୁରେ ମେଘ ଘୋଡାଉଥିବାରୁ ଆଲୋକର ପରିମାଣ କମିଯାଏ। ଏହା ଫଳରେ ଅଣ୍ଡା ଦେଉଥିବା କୁକୁଡ଼ାଙ୍କ ଅଣ୍ଡା ଦେବା ପରିମାଣ କମିଯାଏ। ଏହା ଛଡା ଚିଆଁ ରହୁଥିବା ଗୃହରେ ତାପମାତ୍ରା ନିୟନ୍ତ୍ରଣ କରିବା ଲାଗି ବିଦ୍ୟୁତ ଲାଇଟ ଦେବା ଆବଶ୍ୟକ ।ସାଧାରଣତଃ ୨୫-୪୦ ୱାଟ ର ବିଦ୍ୟୁତ ଲାଇଟ ବ୍ୟବହାର କରାଯାଏ। ବର୍ଷା ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢିଯିବାରୁ ଅନେକ ଭୂତାଣୁ ,ଜୀବାଣୁ ଓ ପରଜୀବୀଙ୍କ ପ୍ରାଦୁର୍ଭାବ ବଢିଯାଏ । ତେଣୁ ଏହି ସମୟରେ କୁକୁଡ଼ାଙ୍କୁ ବିଭିନ୍ନ ରୋଗ ହୁଏ। ଏହାର ଫଳରେ ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ। ଏହି ଋତୁରେ ହେଉଥିବା ରୋଗଗୁଡିକ ହେଉଛି–

ରାଣୀକ୍ଷେତ ରୋଗ

ଏହି ରୋଗରେ ପଡିଲେ କୁକୁଡା ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା ,ଚାଲି ନ ପାରିବା, ଥରିବା, ମୁଣ୍ଡ ମୋଡିକି ବସିବା, ଆଖି ଚାରିପାଖରେ ଫୁଲିବା, ସାଗୁଆ ରଙ୍ଗର ଝାଡା ହେବା ଆଦି ଲକ୍ଷଣ ଦେଖାଇ ମରିଯାନ୍ତି ।

ଶ୍ଵାସକ୍ରିୟାଜନିତ ରୋଗ

ଏହି ରୋଗରେ କୁକୁଡ଼ାମାନେ ପତଳା ଝାଡା ହେବା ସହ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ଓ ମରିଯାଆନ୍ତି । ଯଦି କୁକୁଡ଼ାମାନେ ଅଣ୍ଡା ଦେଉଥାନ୍ତି ତେବେ ତାଙ୍କର ଅଣ୍ଡା ଉତ୍ପ।ଦନ କମିଯାଏ ଓ ପତଳା ଖୋଳପା କିମ୍ବା ଫଟା ଖୋଳପାଯୁକ୍ତ ଅଣ୍ଡା ଦିଅନ୍ତି । ସଠିକ ସମୟରେ ଟୀକାକରଣ କରିବା, ଖାଦ୍ୟରେ ତଥା ପାଣିରେ ଆଣ୍ଟିବାୟୋଟିକ କୁକୁଡ଼ାଙ୍କୁ ଦେଇ ଏହି ମାରାତ୍ମକ ରୋଗରୁ କୁକୁଡ଼ାଙ୍କୁ ରକ୍ଷା କରିଯାଇ ପାରିବ।

ବର୍ଷା ସମୟରେ କୁକୁଡ଼ାମାନଙ୍କ ଉପରେ ବିଷଧର ସାପଙ୍କ ଆକ୍ରମଣ ବଢିଯାଏ, ତେଣୁ ସେଥିଲାଗି ଧ୍ୟାନ ଦେବାକୁ ପଡେ। କୁକୁଡା ଖାଦ୍ୟ ଗୋଦାମରେ ବର୍ଷା ଦିନରେ ସାପ ପସିବାର ସମ୍ଭାବନା ରହିଛି l ତେଣୁ ଦାନା କାଢୁଥିବା ସମୟରେ ସଚେତନତା ଅବଲମ୍ବନ କରିବା ଉଚିତ । ବାହାରେ ବୁଲୁଥିବା କୁକୁଡ଼ାମାନଙ୍କୁ ମଧ୍ୟ ସାପ ଆକ୍ରମଣ କରିବା ଦେଖାଯାଏ, ସେଥିଲାଗି ଧ୍ୟାନ ଦେବାକୁ ପଡେ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)