ବର୍ତ୍ତମାନ କୃଷିକ୍ଷେତ୍ରରେ ଜୈବିକ ଖତର ବ୍ୟବହାରକୁ ଧୀରେ ଧୀରେ ବ୍ୟାପକ କରାଯାଉଛି l ଗାଈ, ମଇଁଷିଙ୍କ ଗୋବରକୁ ସାଧାରଣତଃ ଖତ ଭାବରେ ବ୍ୟବହାର କରାଯାଉଥିବା ବେଳେ ଛେଳିମାନଙ୍କର ମଳକୁ ମଧ୍ୟ ବ୍ୟବହାର କରାଯାଉଛି l କେତେକ ସ୍ଥାନରେ ଏହାକୁ 'ଲେଣ୍ଡି ଖତ' ବୋଲି ମଧ୍ୟ କୁହାଯାଏ l ଏହି ଲେଣ୍ଡି ଖଟର ଉପଯୋଗୀତା କୌଣସି ଗୁଣରେ କମ ନୁହେଁ l ଉଦ୍ୟାନ କୃଷି, ପାକଶାଳା ବଗିଚା ଏବଂ କୃଷି କ୍ଷେତ୍ରରେ ଏହାକୁ ଏକ ଉତ୍ତମ ଜୈବିକ ଖତ ଭାବରେ ପ୍ରୟୋଗ କରାଯାଇପାରିବ l ଏହାର ଉପଯୋଗୀତା ବିଷୟରେ ଆଜି ଏଠାରେ କିଛି ଆଲୋଚନା କରିବା l
ଛେଳି ଖତରେ ପ୍ରଚୁର ପରିମାଣରେ ନାଇଟ୍ରେଜେନ, ଫସଫରସ ଏବଂ ପୋଟାସିୟମ ଥାଏ l ଯାହା ଫଳରେ ଗଛ ପ୍ରଚୁର ପରିମାଣର ପୋଷଣ ପାଇ ଭଲ ଅମଳ ଦେଇପାରେ l ଛେଳି ଖତ ବ୍ୟବହାର କରିବା ଦ୍ୱାରା ମୃତ୍ତିକାର ଜଳ ଧାରଣ କ୍ଷମତା ଅପେକ୍ଷାକୃତ ଭାବରେ ବୃଦ୍ଧି ପାଇଥାଏ l ଗାଈ ଖତ ତୁଳନାରେ ଏହା ଅଧିକ ଶୁଷ୍କ ଅଟେ ଏବଂ ଏଥିରେ କମ ଦୁର୍ଗନ୍ଧ ହୋଇଥାଏ l ଛେଳି ଖତ ମାଟିରେ ଭଲ ଭାବରେ ମିଶିଯାଇପାରେ l ହିସାବରୁ ଜଣାପଡିଛି ଯେ ଛେଳି ଖତରେ ଅଧିକ ପରିମାଣରେ ନାଇଟ୍ରୋଜେନ ରହିଛି l ଏକ ଟନ ଛେଳି ଖତରେ ୨୨ ପାଉଣ୍ଡ ନାଇଟ୍ରୋଜେନ ରହିଥାଏ l
ତୁଳନାତ୍ମକ ଭାବରେ ଛେଳି ଖତରେ ଅଳ୍ପ ଖର୍ଚ୍ଚ ହୋଇଥାଏ ଏବଂ ଏହା ସମ୍ପୂର୍ଣ ପ୍ରାକୃତିକ ଜୈବିକ ଖତ ଅଟେ l ଚେରରେ ଯଥେଷ୍ଟ ପରିମାଣର ଅମ୍ଳଜାନ ପହଞ୍ଚାଇବାରେ ଛେଳି ଖତ ସହାୟକ ହୋଇଥାଏ l ମୃତ୍ତିକାର ଉର୍ବରତାକୁ ଦୃଷ୍ଟିରେ ରଖି ଛେଳି ଖତକୁ ସାର ସହିତ ମିଶାଇ ପ୍ରୟୋଗ କରାଯାଇ ପାରିବ l
ଛେଳି ଖତର କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ଏହା ସହିତ ଡାଳ ପତ୍ର, ରୋଷେଇର ବର୍ଜ୍ୟ ସାମଗ୍ରୀକୁ ମଧ୍ୟ ମିଶାଯାଇପାରିବ l କମ୍ପୋଷ୍ଟ କରିବା ନିମନ୍ତେ ଘର ଏବଂ ପାନୀୟ ଜଳର ଉତ୍ସ ଠାରୁ ଦୂରତା ରକ୍ଷା କରିବା ଦରକାର l ଏହା ଦ୍ୱାରା ଦୁର୍ଗନ୍ଧ ହେବାର ସମ୍ଭାବନା ରହେ ନାହିଁ ଏବଂ ଜଳ ଦୂଷିତ ହେବାର ସମ୍ଭାବନା ମଧ୍ୟ ରହେ ନାହିଁ l
ଖାଇବା ପାଇଁ କରାଯାଉଥିବା ପନିପରିବା ଫସଲ କିମ୍ବା ଫଳମୂଳରେ ଛେଳି ଖତ ପ୍ରୟୋଗ କରିବା ପୂର୍ବରୁ ଏହା ଭଲ ଭାବରେ କମ୍ପୋଷ୍ଟ ହୋଇଥିବା ଦରକାର l ବେଳେ ବେଳେ ଏହା ମାଧ୍ୟମରେ ମଧ୍ୟ ଖାଦ୍ୟ ସାମଗ୍ରୀ ସଂକ୍ରମିତ ହୋଇଥାଏ l କେତେକ କ୍ଷେତ୍ରରେ ଛେଳି ଖତ ପ୍ରୟୋଗ ଦ୍ୱାରା ଅଧିକ ଅନାବନା ଗଛ ସୃଷ୍ଟି ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି l ବିହନ ବୁଣିବାର ଯଥେଷ୍ଟ ପୂର୍ବରୁ ଏହି ଛେଳି ଖତ ପ୍ରୟୋଗ କରି ଜମିକୁ ଭଲ ଭାବରେ ଚାଷ କରିଲେ ଉପଯୁକ୍ତ ଲାଭ ମିଳିପାରିବ l