Farm Mechanization

ସେ ଜଣେ ଭିନ୍ନ ଗୁରୁ: ଗୁରୁଚରଣ ପ୍ରଧାନ

କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ l ଏହି କଥାଟିକୁ ପ୍ରମାଣିତ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ ବ୍ଲକ ଅନ୍ତର୍ଗତ ତଳିତା ଗ୍ରାମର ଗୁରୁଚରଣ ପ୍ରଧାନ l ସେ ନିଜେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ବହୁମୁଖୀ ମେସିନ, ଯାହା କୃଷକମାନଙ୍କର ବହୁତ ହିତ ସାଧନ କରିପାରିବ l ଗୋଟିଏ ସମୟରେ ଏକାଧିକ କାମ କରିପାରୁଥିବା ଏକ ମେସିନ l ବର୍ତ୍ତମାନର ଯୁବପିଢ଼ି ଛୋଟ ଛୋଟ ବିଫଳତାରେ ହତାଶ ହୋଇଯାଉଥିବ ବେଳେ, ଶ୍ରୀଯୁକ୍ତ ଗୁରୁଚରଣ ଆଜି ସମାଜରେ ଅନ୍ୟମାନଙ୍କ ପାଇଁ ଜଣେ ଉଦାହରଣ ହୋଇଯାଇଛନ୍ତି l

15 March, 2021 4:24 PM IST By: Sugyan Kumar Nayak

କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ l ଏହି କଥାଟିକୁ ପ୍ରମାଣିତ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ ବ୍ଲକ ଅନ୍ତର୍ଗତ ତଳିତା ଗ୍ରାମର ଗୁରୁଚରଣ ପ୍ରଧାନ l ସେ ନିଜେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ବହୁମୁଖୀ ମେସିନ, ଯାହା କୃଷକମାନଙ୍କର ବହୁତ ହିତ ସାଧନ କରିପାରିବ l ଗୋଟିଏ ସମୟରେ ଏକାଧିକ କାମ କରିପାରୁଥିବା ଏକ ମେସିନ l ବର୍ତ୍ତମାନର ଯୁବପିଢ଼ି ଛୋଟ ଛୋଟ ବିଫଳତାରେ ହତାଶ ହୋଇଯାଉଥିବ ବେଳେ, ଶ୍ରୀଯୁକ୍ତ ଗୁରୁଚରଣ ଆଜି ସମାଜରେ ଅନ୍ୟମାନଙ୍କ ପାଇଁ ଜଣେ ଉଦାହରଣ ହୋଇଯାଇଛନ୍ତି l ବାରମ୍ବାର ଚେଷ୍ଟା କରି ନିଜେ ଏକ ଉନ୍ନତ ଧରଣର କୃଷି ମେସିନ ପ୍ରସ୍ତୁତ କରିଛନ୍ତି l ଏଥି ନିମନ୍ତେ ସେ ଧନ୍ୟବାଦର ପାତ୍ର ଅଟନ୍ତି l ନିଜର ସ୍ୱତନ୍ତ୍ର କାରିଗରୀ ନିମନ୍ତେ ସେ ଅନେକ ବାର ବିଭିନ୍ନ ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ହାସଲ କରିଛନ୍ତି l

ଶ୍ରୀଯୁକ୍ତ ଗୁରୁଚରଣ କୁହନ୍ତି, ସେ ନିଜେ ଜଣେ କୃଷକ ଅଟନ୍ତି l ତାଙ୍କର ଏହି ମେସିନଟି ଗୋଟିଏ ଦିନରେ ହୋଇନାହିଁ l ନିଜର ଅନୁଭୂତିକୁ ଉପଯୋଗ କରି ବାରମ୍ବାର ପ୍ରଚେଷ୍ଟା କରି ସେ ଆଜି ଏହି ମେସିନଟି ପ୍ରସ୍ତୁତ କରିପାରିଛନ୍ତି l ଏହି ମେସିନର ମୁଖ୍ୟ ବିଶେଷତା ହେଉଛି ଏହା ଚଳାଇବାକୁ ବିଦ୍ୟୁତ ଶକ୍ତିର ଆବଶ୍ୟକତା ନାହିଁ l ଏହା ସମ୍ପୂର୍ଣ୍ଣ ହସ୍ତଚାଳିତ ଏବଂ କେତେକ କ୍ଷେତ୍ରରେ ପାଦ ଚାଳିତ ଅଟେ l  ଏହାର ମୂଲ୍ୟ ୨୫,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କା ମଧ୍ୟରେ ରହିଛି l ତାଙ୍କର ଉତ୍ସାହ ଏବଂ ଆଗ୍ରହ ଆଗରେ ହାର ମାନିଛି ବୟସ l ସେ କୁହନ୍ତି କୃଷି କାର୍ଯ୍ୟର ଅନୁଭୂତି ହିଁ ତାଙ୍କୁ ଏହିପରି ଏକ ମେସିନ ତିଆରି କରିବା ପାଇଁ ପ୍ରେରଣା ଯୋଗାଇଲା l ଦିନକୁ ଦିନ କୃଷି କାର୍ଯ୍ୟ କରିବା ନିମନ୍ତେ କୃଷି ଶ୍ରମିକର ଅଭାବ ବଢୁଛି l  ଏହି ସମସ୍ୟାର ସମାଧାନ କରିବା ପାଇଁ ସେ ଏହି ଭଳି ଏକ ବହୁମୁଖୀ ମେସିନ ପ୍ରସ୍ତୁତ କରିବାକୁ ମନ ବଳାଇଲେ l ଏହି ମେସିନ ସାହାଯ୍ୟରେ ଜଣେ କୃଷକ ସହଜରେ କାମଗୁଡ଼ିକ କରିପାରିବେ ଏବଂ ଏହା ସହିତ ଲାଭବାନ ହୋଇପାରିବେ l ସାଧାରଣ ବୈଷୟିକ ବିଦ୍ୟାକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ମେସିନଟିରେ ଅନେକଗୁଡ଼ିଏ କାମ କରାଯାଇପାରୁଛି l

  • ଗାଈଗୋରୁଙ୍କୁ ଖାଇବାକୁ ଦେବା ନିମନ୍ତେ ନଡ଼ା, ଘାସ କାଟିବା କାମ କରାଯାଇପାରିବ l ଏହା ସହିତ ଏଥିରେ ସଂଯୁକ୍ତ କରାଯାଇଥିବା ଡାଇନାମୋରୁ ବିଦ୍ୟୁତ ଶକ୍ତି ବାହାର କରାଯାଇପାରୁଛି l

  • ସହଜରେ ମକା ଛଡ଼ା ଯାଇପାରୁଛି l

  • ବିଭିନ୍ନ କୃଷି ଉପକରଣଗୁଡ଼ିକୁ ଧାର କରାଯାଇପାରୁଛି l

  • ଏହି ମେସିନଟିରେ ସହଜରେ ନଡ଼ିଆ କୋରା ଯାଇପାରୁଛି l

  • ବାଦାମ ଏବଂ ଧାନ ଅମଳ କରିବା ପାଇଁ ଏହା ଏକ ଅମଳକାରୀ ଯନ୍ତ୍ର ଭାବରେ ବ୍ୟବହାର କରାଯାଇପାରୁଛି l

  • ଧାନ ଏବଂ ଚାଉଳରୁ ଅଗାଡ଼ି ଏବଂ କୁଣ୍ଡା ଅଲଗା କରିବା ପାଇଁ ଏହାକୁ ବ୍ୟବହାର କରାଯାଉଛି l

  • ଏହି ମେସିନ ସାହାଯ୍ୟରେ ହଳଦୀ ଗୁଣ୍ଡ କରାଯାଇପାରୁଛି l

  • ଏହି ମେସିନରେ ଗୋଟିଏ ଲୁହା ସମା ସଂଯୋଗ କରାଯାଇଛି, ଏହା ଆୟୁର୍ବେଦିକ ଜଡ଼ିବୁଟିକୁ ପେଷିବାରେ ସାହାଯ୍ୟ କରୁଛି l

  • ଏହି ମେସିନରେ ଏପରି ଏକ ରବର ସମା ଲଗାଯାଇଛି ଯାହା ଚାଉଳ ବାହାର କରିବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଏହାର ଉପର ଅଂଶ (ଲାଲ ଅଂଶ)କୁ ସୁରକ୍ଷିତ ରଖିପାରୁଛି l ଏହି ଲାଲ ଚାଉଳ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଉପଯୋଗୀ ଅଟେ l

ଶ୍ରୀଯୁକ୍ତ ଗୁରୁଚରଣ ନିଜର ଇଛା ବ୍ୟକ୍ତ କରି କୁହନ୍ତି, ତାଙ୍କ ମେସିନଟି ବହୁମାତ୍ରାରେ କୃଷକମାନଙ୍କ ନିକଟରେ ପହଞ୍ଚିପାରିଲେ ତାଙ୍କର ଶ୍ରମ ସାର୍ଥକ ହୋଇପାରିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)