Government Schemes

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଡବଲ ବୋନସ୍

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା l କେନ୍ଦୁପତ୍ର ତୋଳାଳୀ ଝିଅଙ୍କ ବାହାଘରରେ ମିଳିବ ସରକାରୀ ସହାୟତା l

12 February, 2024 10:36 AM IST By: Tanushree Mahapatra

ଗତକାଲି ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି l କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାରୀ ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁରେ ୫୦ ପ୍ରତିଶତ ବୋନସ୍‌ ମିଳିବ । ଯାହା ଅନେକ ଦିନରୁ ଦାବି ହୋଇଆସୁଥିଲା l

ଘୋଷଣା ହୋଇଥିବା ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ । ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ସଳଖ ଜମା ହେବ ବୋଲି କୁହାଯାଇଛି । ସରକାରୀ ଘୋଷଣା ସୂଚନା ଅନୁଯାୟୀ  କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇନସେନଟିଭ ବ୍ୟବସ୍ଥା ମଧ୍ୟ କରାଯାଇଛି । ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଦିଆଯିବା ନେଇ କୁହାଯାଇଛି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦୁ ପତ୍ର ପ୍ରତି ବିଡା ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି । ଯାହା ଏହି ହିତାଧିକାରୀଙ୍କୁ ଅନେକ ଲାଭ ପ୍ରଦାନ କରିବ, ଦାବି ଅନୁଯାୟୀ ପୂରଣ ହୋଇଛି ଆଶା l କୋଡିଏ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୧ ଟଙ୍କା ୪୦ ପଇସାରୁ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଚାଳିଶ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ ଯେ, ସେହିପରି ସାମୟିକ କର୍ମଚାରୀମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ସରକାର ଗତକାଲି ଗ୍ରହଣ କରିଛନ୍ତି। ସେମାନଙ୍କର ଟିଏ ଏବଂ ସାଇକେଲ ଭତ୍ତାରେ ମଧ୍ୟ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ତେବେ କେନ୍ଦୁପତ୍ର ତୋଳାଳିମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ନିଜେ ସାମିଲ ହୋଇପାରିବେ । ପୂର୍ବରୁ ଏହି ବୟସ ସୀମା ୬୦ ବର୍ଷ ଥିଲା ଯାହାକୁ ବୃଦ୍ଧି କରାଯାଇଛି । ସବୁଠାରୁ ବଡ଼ କଥା ଘୋଷଣା ଅନୁଯାୟୀ ଆଗାମୀ ଅପ୍ରେଲ ମାସରୁ ଆରମ୍ଭ ହେଉଥିବା ନୂତନ ଫସଲ ଋତୁରେ କେନ୍ଦୁପତ୍ର ତୋଳାଳି ପରିବାରକୁ ଦୁଇଟି ଝିଅ ବାହାଘର ପାଇଁ ସହାୟତା ରାଶି ମିଳିବ । ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।

ତେବେ ନିକଟରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ସମ୍ବଲପୁର ଜିଲ୍ଲା ଗସ୍ତ ଥିଲେ l ଏହି ଅବସରରେ ରେଢ଼ାଖୋଲ ସଭାରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କିତ ଭିଡିଓ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, କେନ୍ଦୁପତ୍ର ହିତାଧିକାରୀମାନଙ୍କ ମଧ୍ୟରୁ ଶତକଡା ୮୦ ଭାଗ ମହିଳା ଏବଂ ୯୫ ପ୍ରତିଶତରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହିସବୁ ପଦକ୍ଷେପ ଦ୍ବାରା ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ଉପକାର ପାଇବେ l ରାଜ୍ୟ ସରକାର ଏଥିପାଇଁ ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ଦିଆଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)