ମଙ୍ଗଳବାର ଦିନ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କ ପାଇଁ ତିନୋଟି ନୂତନ ସେବା ଆରମ୍ଭ କରିଛନ୍ତି । ଯେଉଁଥିରେ କିସାନ୍ ଋଣ ପୋର୍ଟାଲ୍ , ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ୍ ମାନୁଆଲ୍ ଏବଂ କେସିସି ଦ୍ୱାର ରୁ ଦ୍ୱାର ଅଭିଯାନ ଅନ୍ତର୍ଭୁକ୍ତ କରାଯାଇଛି |ଅଧିକରୁ ଅଧିକ କୃଷକଙ୍କୁ କିସାନ କ୍ରେଡିଟ୍ କାର୍ଡ ସୁବିଧା ଯୋଗାଇବା ପାଇଁ ଏହି ଅଭିଯାନ ୧ ଅକ୍ଟୋବରରୁ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବ ।
ତିନିମାସ ଧରି ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ପିଏମ କିସାନ ଯୋଜନାର ହିତାଧିକାରୀଙ୍କ ପାଇଁ କେସିସି ଗଠନ କରାଯିବ । ଏହି କାର୍ଯ୍ୟକ୍ରମରେ ସୀତାରମଣ କହିଛନ୍ତି ଯେ ଦ୍ୱାରରୁ ଦ୍ୱାର କେସିସି ଅଭିଯାନର ସଫଳତା ପାଇଁ ବ୍ୟାଙ୍କଗୁଡିକ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ । କେସିସି ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଆବଣ୍ଟନ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୯,୦୦୦ କୋଟିରୁ ଅଧିକ ପ୍ରିମିୟମ ରାଶି ବିରୋଧରେ କୃଷକମାନଙ୍କୁ ୧,୪୦,୦୦୦ କୋଟିରୁ ଅଧିକ ବୀମା ରାଶି ବଣ୍ଟନ କରାଯାଇଛି ।
ତେବେ ଚାଷୀ ହେଉଛି ଦେଶର ଆର୍ଥିକ ମେରୁଦଣ୍ଡ l ଯାହାକୁ ନେଇ ସରକାର ସର୍ବଦା ତତ୍ପର l ଚାଷୀଙ୍କ ପାଇଁ ସରକାର ସମସ୍ତ ସୁବିଧା ଯୋଗାଉଛନ୍ତି ଯାହାର ଚାଷୀ ସିଧାସଳଖ ସୁବିଧା ଉଠାଇପାରୁଛନ୍ତି l ତେଣୁ ଏବେ କିଷାନ କ୍ରେଡିଟ୍ କାର୍ଡ ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆହୁରି ସହଜ କରିଛନ୍ତି । ଆଉ ଚାଷୀଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ l ସରକାରୀ ତଥ୍ୟ ଅନୁଯାୟୀ, ଏଣିକି ଚାଷୀ ଏହି କାର୍ଡ ଆବେଦନ କରିବାର ୧୪ ଦିନ ମଧ୍ୟରେ ସେମାନଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ । ସେହିପରି କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା ମଧ୍ୟ କରାଯାଇଛି ।
ଯେଉଁଥିରେ ସରକାର ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି l ତେବେ ମନ୍ତ୍ରାଳୟର ଘୋଷଣା ଅନୁସାରେ କିଷାନ କ୍ରେଡିଟ କାର୍ଡର କାଗଜପତ୍ର ଉପରେ ଲାଗୁ ହେଉଥିବା ଅତିରିକ୍ତ ଚାର୍ଜକୁ ମଧ୍ୟ ହଟାଇ ଦିଆଯାଇଛି । ଯାହା ଗରିବ ଚାଷୀଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାରୁ ବଞ୍ଚିତ କରିବ l ଚାଷୀଙ୍କ ପାଇଁ ଏହି ଆବେଦନ ପ୍ରକ୍ରିୟାକୁ ସରଳୀକରଣ ମଧ୍ୟ କରାଯାଇଛି । ତେବେ ଚାଷୀଙ୍କୁ ଏ ସଂପର୍କରେ ଅଧିକ ସଚେତନ କରିବା ପାଇଁ ପ୍ରଚାର ମଧ୍ୟ କରାଯାଉଛି । ଯେପରି ଚାଷୀ କୌଣସି ଠକାମୀର ଶିକାର ନ ହୁଅନ୍ତି l
ତେବେ କିସାନ କ୍ରେଡିଟ କାର୍ଡ ଆବେଦନ ପାଇଁ ଆହୁରି ସହଜ କରାଯିବ ଆବଶ୍ୟକ କାଗଜପତ୍ରକୁ । ଚାଷୀଙ୍କୁ ଆବେଦନ ପତ୍ର ସହ ଏକ ପାସପୋର୍ଟ ସାଇଜ ଫଟୋ, ନିଜ ଜମି କାଗଜପତ୍ର, ପାନ କିମ୍ବା ଆଧାର କାର୍ଡ ଇତ୍ୟାଦି ଓ ଠିକଣା ପ୍ରମାଣପତ୍ର ଭୋଟର ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ପ୍ରମାଣ ଏସବୁ ମୁଖ୍ୟତଃ ଆବଶ୍ୟକ ହୋଇଥାଏ ।
ସୂଚନାଯୋଗ୍ୟ ଯେ କିଷାନ କ୍ରେଡିଟ୍ କାର୍ଡ ଯୋଜନା ହେଉଛି ଏକ ସରକାରୀ ଯୋଜନା ଯାହା କୃଷକମାନଙ୍କୁ ଅତିରିକ୍ତ ଋଣ ଦେବା ପାଇଁ ୧୯୯୮ ମସିହାରେ ଆରମ୍ଭ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ତରଫରୁଏହାକୁ ଆରମ୍ଭ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ କୃଷକ ଭାଇମାନେ ନିଜ ଚାଷ ଜମି ପାଇଁ ଋଣ ପାଆନ୍ତି । ଏହାବ୍ୟତୀତ ଯୋଗ୍ୟ କୃଷକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ଏକ ସଞ୍ଚୟ ଖାତା ମଧ୍ୟ ପ୍ରଦାନ କରାଯାଏ । ଯେଉଁଥିରେ ଚାଷୀ ଅର୍ଥ ସଞ୍ଚୟ କରିପାରିବେ l ଯେଉଁଥିରେ ଚାଷୀଙ୍କୁ ଭଲ ଦରରେ ସୁଧ ମଧ୍ୟ ମିଳୁଛି ।