Government Schemes

ସୁଭଦ୍ରା ଯୋଜନାରେ ହେବ ବଡ଼ ପରିବର୍ତ୍ତନ !

ସୁଭଦ୍ରା ଯୋଜନାରେ ଚଳିତ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ଆମର ମାଆ ଭଉଣୀମାନେ ବିଶେଷ ଉପକୃତ ହେବେ ।

18 February, 2025 5:22 PM IST By: Tanushree Mahapatra

ଚଳିତ ଆର୍ଥିକ ବର୍ଷ ପାଇଁ ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି, ସିଏମ କିଷାନ ପାଇଁ ୨୦୨୦ କୋଟି ଟଙ୍କା ଓ ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ ଚାଷଙ୍କ ଆୟକୁ ବଢାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବ । ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ୨୯୬୦ କୋଟି ଶିକ୍ଷା କ୍ଷେତ୍ରକୁ ଉନ୍ନତି କରିବ । ସୁଭଦ୍ରା ଯୋଜନାରେ ଚଳିତ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ଆମର ମାଆ ଭଉଣୀମାନେ ବିଶେଷ ଉପକୃତ ହେବେ ।

ଓଡ଼ିଶା ପୋଷଣ ମିଶନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ରାଜ୍ୟରେ ଅପପୃଷ୍ଟି ହାର ହ୍ରାସ ପାଇବ । ପର୍ଯ୍ୟଟନ କ୍ଷେତ୍ରରେ ୮୨୦ କୋଟି ଟଙ୍କା ଓଡ଼ିଶାରେ ପର୍ଯ୍ୟଟକ ସୁବିଧା ଓ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବ । ହୀରାକୁଦ – ଦେବ୍ରିଗଡ- ସମ୍ବଲପୁର ଅଞ୍ଚଳକୁ ସମନ୍ୱିତ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ । ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।

ସେହିପରି ବଜେଟରେ ଉପସ୍ଥାପିତ ହୋଇଥିବା ୧୬ଟି ନୂଆ ଯୋଜନାର ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ବଜେଟରେ ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି, ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶହୀଦ ଲକ୍ଷ୍ମଣ ନାଏକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି, ବକୁଳ ବନର ଉନ୍ନତି ପାଇଁ ୫୦ କୋଟି, ଅଟଳ ବସ ଷ୍ଟାଣ୍ଡ୍ ପାଇଁ ୧୨୬୬ କୋଟି, ସମୃଦ୍ଧ ସହର ପାଇଁ ୪୦୮ କୋଟି ଟଙ୍କା, ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

 

ଏହି ସବୁ ବ୍ୟବସ୍ଥା ଦ୍ୱାରା ଅପାର ସମ୍ଭାବନାର ଅଞ୍ଚଳ ଓଡ଼ିଶାର ପର୍ଯ୍ୟଟନକୁ ବଡ଼ ଗତି ମିଳିବ । ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ହେବ । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଅଭିବୃଦ୍ଧି ହେବ । ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ ଅଭିବୃଦ୍ଧି ଅଧିକ ମଜଭୂତ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।