ଗୋଲମରିଚ ଏକ ବ୍ୟବସାୟିକ ମସଲା ଜାତୀୟ ଚାଷ । ଏହା କୋରାପୁଟ, କନ୍ଧମାଳ ଓ କେନ୍ଦୁଝରରରେ ଚାଷ ହେଉଥିଲେ ମଧ୍ୟ ଏହାକୁ ଆମ ରାଜ୍ୟର ସବୁ ଜିଲ୍ଲାରେ ଚାଷ କରାଯାଇପାରିବ । ଏହି ଗଛ ୮ରୁ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ ଓ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭଲ ଫଳ ଦେଇଥାଏ । ଏମିତିକି ଏହି ଗଛ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ ।
ଯେଉଁଠି ୧୦ରୁ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ଅନୁଭୂତ ହେଉଥିବ ସେଠି ଏହି ଗୋଲମରିଚ ଚାଷ କରାଯାଇ ପାରିବ । ନିଗିଡ଼ା, ବାଲିଆ ଦୋରସା, ନାଲି ଦୋରସା, ନଈକୂଳିଆ ବାଲି ମାଟି, ଲାଲ କାଙ୍କର ମାଟି, ଗୋଲମରିଚ ଚାଷ ପାଇଁ ଖୁବ୍ ଭଲ । ଗୋଲ ମରିଚ ଏକ ପିପରାସି ପରିବାରର ପୁଷ୍ପଜାତୀୟ ଭାଇନ । ଏହା ତାହାର ଫଳ (ଗୋଲମରିଚ) ପାଇଁ ଚାଷ କରାଯାଏ ଓ ଏହି ଫଳକୁ ଶୁଖାଇ ମସଲା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ ।
ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି । ଏହା ଶରୀର ବହୁ ସମସ୍ୟା ଦୂର କରେ ।
ଗୋଲମରିଚ କିସମ ମଧ୍ୟରେ ପାନିଭ, ଶୁଭକରା, ଶ୍ରୀକରା, ପଞ୍ଚମୀ, ପୌର୍ଣ୍ଣମୀ, ଗିରିମୁଣ୍ଡା, ଶକ୍ତି ଇତ୍ୟାଦି ଅନ୍ୟତମ ।
ଗୋଲମରିଚ ଗଛ ମାଡ଼ିବା ପାଇଁ ଆଉ ଏକ ଆଶ୍ରୟ ଗଛର ଆବଶ୍ୟକତା ଥାଏ । ଯେଉଁ ଚାଷୀମାନେ ଗୋଲମରିଚ ଚାଷ କରିବାକୁ ଚାହୁଁଛନ୍ତି ସେମାନେ ନଡ଼ିଆ, ଗୁଆ, କମଳା, ତେନ୍ତୁଳି କିମ୍ବା ଆମ୍ଭ ଗଛ ମୂଳରେ ଜୁଲାଇରୁ ଅଗଷ୍ଟ ମାସ ଭିତରେ ଗୋଲମରିଚ ଚାରା ରୋପଣ କରନ୍ତୁ ।
ଏକକ ଫସଲ ଭାବେ ଗୋଲମରିଚ ଚାଷ କରୁଥିଲେ ହେକ୍ଟର ପ୍ରତି ୧୬ ଶହଟି ଆଶ୍ରୟ ବୃକ୍ଷ ଅଢ଼େଇ ମିଟର ଗୁଣନ ଅଢ଼େଇ ମିଟର ବ୍ୟବଧାନରେ ଲଗାନ୍ତୁ ।
ଆଶ୍ରୟ ଗଛ ମୂଳରୁ ୩୦ ସେଣ୍ଟିମିଟର ଛାଡ଼ି, ବଡ଼ ଆଶ୍ରୟ ଗଛ ହୋଇଥିଲେ ଦେଢ଼ ଶହ ସେଣ୍ଟିମିଟର ଛାଡ଼ି ଆଶ୍ରୟ ଗଛର ଉତ୍ତର ପଟେ ବୁଦା ପ୍ରତି ୨ରୁ ୪ ଟି ଚାରା ମନ୍ଦା କରି ଲଗାନ୍ତୁ ।
ଗଛ ଲଗାଇଲା ବେଳେ ଦେଢ଼ ଫୁଟ ଲମ୍ବା, ଦେଢ଼ ଫୁଟ ଗଭୀରରେ ଉପର ମାଟିରେ ଗୋବର ଖତ, ନିମ୍ବ ପିଡ଼ିଆ ଗୋଟିଏ କେଜି, ଟ୍ରାଇକୋଡାମା ୫୦ ଗ୍ରାମ, ସିରମନାସ ୫୦ ଗ୍ରାମ, ଆଣ୍ଟି କନ୍ସାଟିୟମ ୫୦ ମିଲିଲିଟର, କେଏମବି ଆଦି ମିଶାଇ ସେଥିରେ ଗଛଟିକୁ ଲଗାନ୍ତୁ ।
ଏହା ଜଳସେଚନ ଉପରେ ଆଧାରିତ । ଯଦି କୌଣସି କାରଣରୁ ବର୍ଷା କମ୍ ହୁଏ ତେବେ ଆବଶ୍ୟକ ହେଲେ ଗୋଲ ମରିଚ ଫସଲରେ ଜଳସେଚନ କରାଯିବା ଉଚିତ୍ । ଫଳଗୁଡିକ ନରମ ପ୍ରକୃତିର ହୋଇଥିବାରୁ କୀଟ ପୋକ ଶୀଘ୍ର ଧରିଥାଏ । ଏହାର ପ୍ରତିରୋଧ ପାଇଁ, ଗର୍ତ୍ତରେ କିରୋସିନ, ଲିମ୍ବ ପତ୍ର ସହ ଉଷୁମ ଜଳ ମିଶ୍ରିତ କରି ସ୍ପ୍ରେ କରାଯିବା ଉଚିତ୍ ।