Horticulture

ଲାଭଦାୟକ କଦଳୀ ଚାଷ

ଆମ ରାଜ୍ୟର ଜଳବାୟୁ କଦଳୀ ଚାଷ ପାଇଁ ଅନୁକୂଳ । ଏହା ଉଭୟ ପରିବା ଓ ଫଳ ରୂପେ ବ୍ୟବହୃତ ହୋଇଥାଏ । କଦଳୀଚାଷ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରିବ । କିନ୍ତୁ ଉର୍ବର ଗଭୀର ପଟୁମାଟି, ଦୋରସା ଓ ନିଗିଡ଼ା ମାଟି କଦଳୀ ଚାଷ ପାଇଁ ଉପଯୁକ୍ତ । ପୋଖରୀହୁଡାମାନଙ୍କରେ ଚାଷକରି ଖୁବ୍ ଅଳ୍ପ ଯତ୍ନରେ ଭଲ ଲାଭ ମିଳିପାରୁଛି । ଏହି ଫସଲକୁ ରକ୍ଷା କରିବା ନିମନ୍ତେ କ୍ଷେତ୍ର ଚାରିପଟେ ବାଡ଼ ଦେବା ଆବଶ୍ୟକ । ଚମ୍ପା, କର୍ପୁର-ଚକ୍ରକେଳି ଉଭୟ କିସମ ଡେଙ୍ଗା ଓ ଅଳ୍ପ ବୃଷ୍ଟିପାତ ଅଞ୍ଚଳରେ ଚାଷ ହୋଇପାରେ । ସେହିପରି ବାମନ ଜାତୀୟ କିସମ ରୋବଷ୍ଟା ଓ ୱାର୍ଫି କାଭେଣ୍ଡିସ, ପବନ ସହ୍ୟ କରିପାରେ । ପରିବା ଶ୍ରେଣୀର ଭଲ କିସମ ହେଲା ବନ୍ତଳ, ବତିଶା ଓ ବିରୁପାକ୍ଷୀ ପାହାଡ଼ିଆ ଜାଗାରେ ଚାଷ ହୋଇପାରିବ ।

16 December, 2020 4:55 PM IST By: KJ Staff

ଆମ ରାଜ୍ୟର ଜଳବାୟୁ କଦଳୀ ଚାଷ ପାଇଁ ଅନୁକୂଳ । ଏହା ଉଭୟ ପରିବା ଓ ଫଳ ରୂପେ ବ୍ୟବହୃତ ହୋଇଥାଏ । କଦଳୀଚାଷ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରିବ । କିନ୍ତୁ ଉର୍ବର ଗଭୀର ପଟୁମାଟି, ଦୋରସା ଓ ନିଗିଡ଼ା ମାଟି କଦଳୀ ଚାଷ ପାଇଁ ଉପଯୁକ୍ତ । ପୋଖରୀହୁଡାମାନଙ୍କରେ ଚାଷକରି ଖୁବ୍ ଅଳ୍ପ ଯତ୍ନରେ ଭଲ ଲାଭ ମିଳିପାରୁଛି । ଏହି ଫସଲକୁ ରକ୍ଷା କରିବା ନିମନ୍ତେ କ୍ଷେତ୍ର ଚାରିପଟେ ବାଡ଼ ଦେବା ଆବଶ୍ୟକ । ଚମ୍ପା, କର୍ପୁର-ଚକ୍ରକେଳି ଉଭୟ କିସମ ଡେଙ୍ଗା ଓ ଅଳ୍ପ ବୃଷ୍ଟିପାତ ଅଞ୍ଚଳରେ ଚାଷ ହୋଇପାରେ । ସେହିପରି ବାମନ ଜାତୀୟ କିସମ ରୋବଷ୍ଟା ଓ ୱାର୍ଫି କାଭେଣ୍ଡିସ, ପବନ ସହ୍ୟ କରିପାରେ । ପରିବା ଶ୍ରେଣୀର ଭଲ କିସମ ହେଲା ବନ୍ତଳ, ବତିଶା ଓ ବିରୁପାକ୍ଷୀ ପାହାଡ଼ିଆ ଜାଗାରେ ଚାଷ ହୋଇପାରିବ । କଦଳୀ ବଂଶବିସ୍ତାର ଅଙ୍ଗୀୟଜନନ ମାଧ୍ୟମରେ ହୋଇଥାଏ । ସିଙ୍ଗାପୁଆ, ପାଣିପୁଆ ଓ ପେଷୀପୋଷଣ ପୁଆ ମଧ୍ୟରୁ ଶେଷଟି ସର୍ବୋତ୍କୃଷ୍ଟ । ଗଛ ଲଗାଇବା ନିମନ୍ତେ ୫୦ ସେମି ଚଉଡ଼ା, ୫୦ ସେମି ଗଭୀର ଆକାରରେ ଗାତ ଖୋଳି ମାସେ ଖରାରେ ଶୁଖାଇ ତା\'ପରେ ବାହାରେ ପଡ଼ିଥିବା ମାଟିରେ ପ୍ରାୟ ୩୦ ଗ୍ରାମ୍ ଦାନାଦାର ବିଷ ମିଶାଇ ଗାତକୁ ପୋତି ଦିଆଯାଏ । ଗଛ ଚାରିପଟେ ମନ୍ଦା କରି ପାଣି ଦିଆଯାଏ ।

କଦଳୀ ଗଛ ଅଧିକ ଖାଦ୍ୟ ଗ୍ରହଣ କରିଥାଏ । ଭଲ ଫସଲ ପାଇଁ ଗଛ ପ୍ରତି ୩୦୦ ଗ୍ରାମ୍ ଯବକ୍ଷାରଯାନ, ୧୦୦ ଗ୍ରାମ୍ ଫସ୍‌ଫରସ୍ ଓ ୩୦୦ ଗ୍ରାମ୍ ପଟାସିୟମ୍ ପ୍ରଥମ ଫସଲରେ ଦିଆଯିବା ଜରୁରୀ । ଗଛ ୨ ମାସର ହୋଇଗଲେ ୧୫୦ ଗ୍ରାମ୍‌, ୪ମାସର ହୋଇଗଲେ ୨୫୦ ଗ୍ରାମ୍ ଏବଂ ୬ମାସର ହୋଇଗଲେ ୨୫୦ ଗ୍ରାମ୍ ଯବକ୍ଷାରଜାନ ଦିଆଯାଏ । ପଟାସ ସାରକୁ ପ୍ରଥମ ୨ମାସରେ ୨୫୦ ଗ୍ରାମ୍ ଏବଂ ୬ ମାସରେ ୨୫୦ ଗ୍ରାମ୍ ଦିଆଯାଇଥାଏ । ଶୀତଦିନେ ୧୦ ଦିନ ବ୍ୟବଧାନରେ ଓ ଗ୍ରୀଷ୍ମ ଦିନେ ୫ଦିନ ବ୍ୟବଧାନରେ ପାଣି ଦେବା ଉଚିତ । ଏହି ଫସଲରେ ଅନବରତ ଭାବେ ପୁଆ ବାହାରେ । ପ୍ରଥମ ଅଳମ ବେଳକୁ ପୁଆଟି ୩ମାସର ହେବା ଜରୁରୀ । ଗଛ ପତ୍ର ପାଚିଲେ ସେସବୁକୁ କାଟି ସଫା କରିବା ଆବଶ୍ୟକ । କଦଳୀ ଫସଲର ପୋକ ମଧ୍ୟରେ କାଣ୍ଡବିନ୍ଧା, ଜଉପୋକ ଓ ସୂତ୍ରକୀଟ ଏବଂ ରୋଗ ମଧ୍ୟରେ ଝାଉଁଳା ରୋଗ, ପତ୍ରଦାଗ ଓ ପତ୍ରଗୋଛା ରୋଗ ବିଶେଷ ଭାବେ ପରିଲକ୍ଷିତ ହୋଇଥାଏ । କାଣ୍ଡବିନ୍ଧା ଓ ଜଉପୋକ ନିୟନ୍ତ୍ରଣ ନିମନ୍ତେ ଗଛପ୍ରତି ୨୦ ଗ୍ରାମ୍ ଫୋରେଟ୍ ଦାନାଦର ବ୍ୟବହାର କରାଯାଏ । ଝାଉଁଳା ରୋଗ ଦେଖାଦେଲେ କାଣ୍ଡ ଫାଟିବା ଦେଖାଦିଏ ଓ ସମ୍ପୂର୍ଣ୍ଣ ଗଛକୁ ନଷ୍ଟ ହୋଇଯାଏ । ଏହାର ଦମନ ନିମନ୍ତେ କଦଳୀ ଗଛର ମୂଳକୁ ୦.୨ ପ୍ରତିଶତ ବାଭିଷ୍ଟିନ ବା କାବେଣ୍ଡାଜିମ୍ ଦ୍ରବଣରେ ୩୦ମିନିଟ୍ ବୁଡ଼ାଇ ରଖି ଗଛ ଲଗାଇବା ଉଚିତ । ପତ୍ରଦାଗ ରୋଗରେ ଆକ୍ରାନ୍ତ ପତ୍ରର ଅଧିକାଂଶ ଭାଗ ଶୁଖିଯାଏ ଏବଂ ନିରାକରଣ ନିମନ୍ତେ ୧ ଗ୍ରାମର ବାଭିଷ୍ଟିନ୍‌, ୧ଗ୍ରାମ୍ କାଲିକ୍‌ସିନ୍ ଓ ୨ମିଲି ଟିପଲ ପ୍ରତି ଲିଟରର ମିଶ୍ର କରି ଏକ ମାସ ବ୍ୟବଧାନରେ ୨ଥର ସିଞ୍ଚନ କରିବା ଉଚିତ । କଦଳୀ ୧୨ରୁ ୧୪ ମାସ ମଧ୍ୟରେ କାନ୍ଦି / ଫଳ ଦେଇଥାଏ । ପ୍ରଥମ ୬ମାସରେ ଫୁଲ ଓ ପର ତିନିମାସ ପରେ ଫଳ ପାକଳ ହୁଏ । ଦ୍ୱିତୀୟ ବର୍ଷ ଫସଲ ପ୍ରଥମ ବର୍ଷ ଅମଳର ୭ରୁ ୧୦ ମାସ ମଧ୍ୟରେ ହୋଇଥାଏ । ଫଳ ପାକଳ ହୋଇଗଲେ ଗଛରୁ କାଟି ନେଇ ପଚାଇବା ଦରକାର । ପାଚିଲା କଦଳୀ କାଟିବାର ୭ ଦିନ ପୂର୍ବରୁ ପାଣି ଦେବା ବନ୍ଦ କରିବା ଉଚିତ୍ ।

ରାଜ୍ୟରେ ସରକାରଙ୍କ କୃଷି ବିଭାଗ ବିଶେଷ କରି ଗ୍ରାମାଞ୍ଚଳରେ ଲୋପ ପାଇଯାଉଥିବା ଲାଭଜନକ କଦଳୀ ଚାଷ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରୋତ୍ସାହନ ଯୋଗାଉଛନ୍ତି । କୃଷି ବିଭାଗର ଗ୍ରାମ ସେବକ ମାନେ ଗାଁ ଗାଁ ବୁଲି କଦଳୀ ଚାଷ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରୁଛନ୍ତି । ନିଜ ବାଡ଼ିବଗିଚା ବ୍ୟତୀତ କିଛି ଚାଷୀ ଜମିରେ ମଧ୍ୟ ସ୍ୱତନ୍ତ୍ର ଭାବରେ ସରକାରଙ୍କ କୃଷି ବିଭାଗରୁ କଦଳୀ ପୁଆ ସଂଗ୍ରହ କରି ଏହି ଚାଷ କରୁଛନ୍ତି । ଚାଷ କାର୍ଯ୍ୟପ୍ରତି ଯୁବସମାଜକୁ ସମ୍ପୃକ୍ତ କରି ଗ୍ରାମାଞ୍ଚଳର ଅର୍ଥନୀତିକୁ ଦୃଢ଼ କରିବାକୁ ହେଲେ ଯୁବବର୍ଗଙ୍କୁ କୃଷି ବିଭାଗ ଦ୍ୱାରା କଦଳୀ ଚାଷ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ, କଦଳୀ ପୁଆ ଯୋଗାଣ, ସାର, କୀଟନାଶକ ଓ ଆନୁସଙ୍ଗିକ ଚାଷ ଉପକରଣ ଯୋଗାଇବା ସହ ବ୍ୟାଙ୍କ ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କଲେ କଦଳୀ ଚାଷ ଗ୍ରାମାଞ୍ଚଳର କୃଷି ଅର୍ଥନୀତିକୁ ବେଶ ସୁଦୃଢ଼ କରିବାରେ ସହାୟକ ହୋଇପାରନ୍ତା ।