Horticulture

ସ୍ୱାବଲମ୍ବୀ ପାଇଁ ପାଳ ଛତୁ ଚାଷ

ପାଳଛତୁ ଚାଷରୁ ଆଶାନୁରୂପ ଅମଳ ମିଳିପାରିବ ବା ଏହାର ଜୈବଦକ୍ଷତା ବୃଦ୍ଧି କରାଯାଇପାରିବ l

29 August, 2024 5:12 PM IST By: Tanushree Mahapatra

ସମଗ୍ର ପୃଥିବୀରେ ଚାଷ କରାଯାଉଥିବା ଖାଦ୍ୟ ଉପଯୋଗୀ ଛତୁମାନଙ୍କ ମଧ୍ୟରେ ପାଳଛତୁ ତୃତୀୟ ଗୁରୁତ୍ୱପୂର୍ଣ ଛତୁ ଭାବରେ ପରିଗଣିତ ହେଉଛି | ପାଳଛତୁ କୁ ଗ୍ରୀଷ୍ମମଣ୍ଡଳୀୟ ଛତୁ ଭାବରେ ଅଭିହିତ କରାଯାଏ | ଆମ ଦେଶରେ ପ୍ରଥମେ ପାଳଛତୁ ୧୯୪୩ ମସିହାରେ ସଫଳ ଭାବେ ଚାଷ କରାଯାଇଥିଲା |ତେବେ , ଓଡିଶା ରେ ପାଳଛତୁ ଚାଷର ବ୍ୟବସାୟୀକରଣ ବିଂଶ ଶତାବ୍ଦୀର ଶେଷ ଦଶକରେ ହୋଇଥିଲା | ଏବେ ପାଳଛତୁ ଚାଷ ତଥା ଉତ୍ପାଦନରେ ଆମ ରାଜ୍ୟ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇପାରିଛି| ତେବେ ଉପଯୁକ୍ତ ଚାଷ ପ୍ରଣାଳୀ ଅବଲମ୍ବନ ତଥା ଉନ୍ନତ ବିହନର ବ୍ୟବହାର ମାଧ୍ୟମ ରେ ପାଳଛତୁ ଚାଷରୁ ଆଶାନୁରୂପ ଅମଳ ମିଳିପାରିବ ବା ଏହାର ଜୈବଦକ୍ଷତା ବୃଦ୍ଧି କରାଯାଇପାରିବ | କେତେଗୁଡିଏ ନିର୍ଦ୍ଧିଷ୍ଟ ଦିଗପ୍ରତି ଆମେ ଦୃଷ୍ଟି ଦେଲେ ସଫଳ ପାଳଛତୁ ଚାଷ ସମ୍ଭବ ହୋଇପାରିବ |

.ଆବଶ୍ୟକୀୟ ଜଳବାୟୁ:-

ତାପମାତ୍ରା:-  ସଫଳ ପାଳଛତୁ ଚାଷ ପାଇଁ ୩୦ ରୁ ୩୫ ଡିଗ୍ରୀ ସେଣ୍ଟୀଗ୍ରେଡ଼ ତାପମାତ୍ରା ଓ ୮୫ ରୁ ୯୫ ପ୍ରତିଶତ ଆପେକ୍ଷିକ ଆଦ୍ରତା ଆବଶ୍ୟକ | ତେବେ ୨୫ ରୁ ୩୮ ଡିଗ୍ରୀ ସେଣ୍ଟୀଗ୍ରେଡ଼ ତାପମାତ୍ରା ମଧ୍ୟରେ ପାଳଛତୁ ଚାଷ କରାଯାଇପାରିବ | ସେଥିପାଇଁ ଆମ ରାଜ୍ୟରେ ପାଳଛତୁ ମାର୍ଚ୍ଚ ମାସଠାରୁ ଅକ୍ଟୋବର ମାସ ମଧ୍ୟରେ ଚାଷ କରାଯାଏ | ତେବେ ଏପ୍ରିଲ ୧୫ ଠାରୁ ଜୁନ ୧୫ ମଧ୍ୟରେ  ତାପମାତ୍ରା ଅତ୍ୟଧିକ ରହୁଥିବାହେତୁ ଛତୁ ଅମଳ ଅପେକ୍ଷାକୃତ ଭାବେ କମିଯାଏ |

ଆଦ୍ରତା :- ଆଶାନୁରୂପ ଅମଳ ପାଇବାପାଇଁ ବାୟୁମଣ୍ଡଳର ଆଦ୍ରତା ୮୫ ରୁ ୯୫ ପ୍ରତିଶତ ରହିବା ଆବଶ୍ୟକ | ତେବେ,ଅପେକ୍ଷାକୃତ ଅଧିକ ତାପମାତ୍ରା ତଥା କମ ଆଦ୍ରତା ରହୁଥିବା ଅଂଚଳମାନଙ୍କ ରେ ଛତୁ ଘର ମଧ୍ୟରେ କୃତ୍ରିମ ଉପାୟରେ ଅଧିକ ଆଦ୍ରତା ତଥା କମ ତାପମାତ୍ରା ରକ୍ଷା କରାଯାଇପାରିଲେ ଉତ୍ପାଦନ ବୃଦ୍ଧି ପାଇପାରିବ |

ଆଲୋକ :- ପାଳଛତୁ ଫିମ୍ପିର ଅଭିବୃଦ୍ଧି ଓ ପ୍ରଜନନ ପାଇଁ ଅଧିକ ଆଲୋକ ଦରକାର | ତେବେ, ଛତୁ ପଟାଳି ଉପରେ ସିଧାସଳଖ ସୂର୍ଯ୍ୟକିରଣ ପଡିବା ଅନୁଚିତ |

ଅମ୍ଳତା :- ଚାଷ କରାଯାଉଥିବା ମାଧ୍ୟମର (ନଡା) ଅମ୍ଳତା ୬ ରୁ ୭ ମଧ୍ୟରେ ରହିବା ଆବଶ୍ୟକ | ଏହା ଫଳରେ ଛତୁଫିମ୍ପି ର ବୃଦ୍ଧି ଭଲ ହୁଏ ଓ ପ୍ରତିଦ୍ବନ୍ଦୀ ଫିମ୍ପିମାନଙ୍କର ବୃଦ୍ଧି କମିଯାଏ |

ବାୟୁ ଚଳପ୍ରଚଳ :- ଅଧିକ ଅମଳ ପାଇବାପାଇଁ ଛତୁଚାଷ କରାଯାଉଥିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ବାୟୁ ଚଳପ୍ରଚଳ କରୁଥିବା ଆବଶ୍ୟକ |

ନଡା ଆଦ୍ରତା :- ନଡାର ଜଳୀୟ ଅଂଶ ୬୫ ପ୍ରତିଶତ ରହିବା ଉଚିତ | ନଚେତ ପ୍ରତିଦ୍ବନ୍ଦୀ ଫିମ୍ପିମାନଙ୍କର ଅଭିବୃଦ୍ଧି ଘଟେ |

. ପରିଷ୍କାର ପରିଚ୍ଛନ୍ନତା :- ଛତୁ ଘର ମଧ୍ୟରେ ଯଥା ସମ୍ଭବ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରାଯିବା ଦରକାର |

ନଚେତ ପ୍ରତିଦ୍ବନ୍ଦୀ ଫିମ୍ପିମାନଙ୍କର ସଂକ୍ରମଣ ବୃଦ୍ଧିପାଏ ଓ ଅମଳ କମିଯାଏ |

. ଉନ୍ନତମାନର ଛତୁ ବିହନ ସଂଗ୍ରହ :- ଛତୁ ଚାଷ ପାଇଁ ବିଶ୍ୱସ୍ତ ସୂତ୍ରରୁ ଉନ୍ନତମାନର ଛତୁ ବିହନ ସଂଗ୍ରହ କରିବା ଉଚିତ | ପଲଛତୁର ଫିମ୍ପିରୁ ଏକାଧିକ ମାଧ୍ୟ୍ୟମରେ ସାତଦିନ ମଧ୍ୟରେ ବିହନ ପ୍ରସ୍ତୁତ କରାଯାଇପାରେ | ତେବେ ଚକ ପାଉଡର ବା ଜିପସମ ମିଶ୍ରିତ ( ଦୁଇ ପ୍ରତିଶତ ହିସାବରେ ) ସିଝା ଗହମ ବିହନ ତିଆରି ପାଇଁ ସର୍ବୋଉତ୍କୃଷ୍ଟ ବୋଲି ଜଣାଯାଇଛି | ଦାନା ମାଧ୍ୟମରେ କବକ ଜାଲବିସ୍ତାର୭ ଦିନ ମଧ୍ୟରେ ସମ୍ଭବ ହୋଇଥାଏ |ଏହାର ପ୍ରାୟ ଏକ ସପ୍ତାହ ପରେ ସେଥିରେ ଏକ ପ୍ରକାର ଦୈହିକ ପରିବର୍ତନ ହୁଏ ଓ ବିହନ ଟି ଇଷତ ଲାଲ ଦେଖାଯାଏ | ଏହି ସମୟରେ ବିହନ ବ୍ୟବହାର ଉପଯୋଗୀ ହୁଏ ଓ ଅଧିକ ଅମଳ ଦେଇଥାଏ | ଭଲ ଅମଳ ପାଇବାପାଇଁ ଛତୁ ମଞ୍ଜି ପ୍ରସ୍ତୁତିଠାରୁ ୩୦ ଦିନ ମଧ୍ୟରେ ବ୍ୟବହାର କରାଯିବ ଦରକାର | ତେବେ , ବିହନ ଉପୋଯୋଗୀତାର ଶେଷସୀମା ପ୍ରାୟ ୬୦ ଦିନ | ମଞ୍ଜି ବୋତଲରେ କୌଣସି ପ୍ରତିଦ୍ବନ୍ଦୀ ଫିମ୍ପିର ଉପସ୍ଥିତି ନ ଥିବା ଉଚିତ |ଫିମ୍ପିର ଅଭିବୃଦ୍ଧି ନିୟମିତ ତଥା ଉନ୍ନତମାନର ହେବା ଆବଶ୍ୟକ |

. ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ :- ପାଳଛତୁ ଚାଷ ପାଇଁ ଧଳାମୂଳିଆ , ଦେଶୀ ଧାନ କିସମ ର ବେଙ୍ଗଳା ପଡି ନ ଥିବା ଟାଣ ନଡ଼ା ସଂଗ୍ରହ କରନ୍ତୁ | ନଡ଼ା ରୋଗ , ପୋକ ସଂକ୍ରମିତ ହୋଇଥିଲେ ପରବର୍ତ୍ତୀ ଅବସ୍ଥାରେ ପଟାଳିରେ ସମସ୍ୟା ସୃଷ୍ଟି ହୋଇଥାଏ | ପଟାଳି ପ୍ରସ୍ତୁତି ପୂର୍ବରୁ ଆବଶ୍ୟକୀୟ ନଡ଼ା କୁ ୮ ରୁ ୧୨ ଘଣ୍ଟା ପରିଷ୍କାର ପାଣିରେ ଭିଯାନ୍ତୁ | ଏହାପରେ ନଡ଼ା କୁ ଭୌତିକ ବା ରାସାୟନିକ ପ୍ରଣାଳୀରେ ବିଶୋଧନ କରାଯିବା ଆବଶ୍ୟକ | ଏ କ୍ଷେତ୍ରରେ ଗରମ ବାଷ୍ପ ଦ୍ୱାରା ନଡ଼ା କୁ ଏକ ଘଣ୍ଟା ପର୍ଯ୍ୟନ୍ତ ବିଶୋଧନ କରାଯାଇପାରେ ବା ପ୍ରତି ୧୦୦ ଲିଟର ପାଣିରେ ୧୦୦ ମିଲି ଫର୍ମାଲିନ ଓ ୧୦ ଗ୍ରାମ କାରବେଣ୍ଡାଜିମ (ବାଭିଷ୍ଟିନ ) ମିଶାଇ ଉକ୍ତ ଦ୍ରବଣ ରେ ନଡ଼ା କୁ ଭିଜାଇ ଦିଆଯାଇପାରେ | ନଡ଼ା ରୁ ଅଧିକ ପାଣି ନିଗାଡ଼ି ଦିଅନ୍ତୁ | ନଡ଼ା ର ଆଦ୍ରତା ୬୫ ପ୍ରତିଶତ ରକ୍ଷା କରିବା ଆବଶ୍ୟକ | ପାଳଛତୁ ବେଡ଼ ର ଆୟତନ ୮ ଘନ ଫୁଟ ରଖନ୍ତୁ | ଗୋଟିଏ ବେଡ଼ ବା ପଟାଳି ପାଇଁ ୧୦ ବର୍ଗଫୁଟ ସ୍ଥାନ ଏବଂ ୧୦ କିଲୋଗ୍ରାମ ଶୁଖିଲା ନଡ଼ା ଆବଶ୍ୟକ | ଛତୁ ଘରେ ଭାଡ଼ି ପ୍ରସ୍ତୁତ କରି ସେଥିରେ ଦୁଇଟି ବା ତିନୋଟି ସ୍ତରରେ ପଟାଳି ପ୍ରସ୍ତୁତ କରାଯାଇପାରିବ | ପ୍ରତ୍ୟେକ ପଟାଳି ପାଇଁ ଏକ ବୋତଲ ମଞ୍ଜି (୩୦୦ ଗ୍ରାମ ) ଆବଶ୍ୟକ | ପଟାଳିରେ ତିନୋଟି ସ୍ତର ରେ ମଞ୍ଜି ପକାନ୍ତୁ | ପ୍ରଥମ ଓ ଦ୍ଵିତୀୟ ସ୍ତରରେ ମଞ୍ଜି ଖଣ୍ଡ ଗୁଡିକ ନଡ଼ା ର ପାର୍ଶ୍ୱରୁ ୩/୪ ଇଂଚ ଭିତରକୁ ଓ ଚାରିପଟେ ୩/୪ ଇଂଚ ବ୍ୟବଧାନରେ ରଖନ୍ତୁ | ମଞ୍ଜି ଖଣ୍ଡ ଗୁଡିକ ଉପରେ ସ୍ୱଳ୍ପ ପରିମାଣରେ ଡ଼ାଲିଗୁଣ୍ଡ ବା ଗହମ ଚୋକଡ ବିଞ୍ଚି ଦିଅନ୍ତୁ |ଚୋପାଲଗା ବୁଟର ଖଦଡ଼ ଗୁଣ୍ଡ ଏଥିପାଇଁ ସର୍ବୋଉତ୍କୃଷ୍ଟ | ତେବେ ତୃତୀୟ ସ୍ତରରେ ମଞ୍ଜି ଗୁଡିକ ପାର୍ଶ୍ୱରେ ତଥା ମଧ୍ୟ ଭାଗରେ ପକାନ୍ତୁ ଓ ସେଥିରେ ଡାଲି ଗୁଣ୍ଡ ଦିଅନ୍ତୁ | ପ୍ରତ୍ୟେକ ପଟାଳି ପିଛା ୨୫୦ ଗ୍ରାମ ଡାଲି ଗୁଣ୍ଡ ବ୍ୟବହାର କରନ୍ତୁ |ପଟାଳି ର ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ତର ରେ ୬ ଇଂଚ ତଥା ଚତୃର୍ଥ ସ୍ତରରେ ମୋଟେଇ ୨/୩ ଇଂଚ ରହିବ ଦରକାର| ପଟାଳି ପ୍ରାଟାଉଟ ହୋଇ ସାରିବା ପରେ ଧଳା ପଲିଥିନରେ ତାହାକୁ ଘୋଡାଇ ଦିଅନ୍ତୁ | ନଡ଼ା ର ତାପମାତ୍ରା ତଥା ଆଦ୍ରତା ରକ୍ଷା କରିବା ପାଇଁ ଏହାକୁ କାଢ଼ ଆସିବା ପର୍ଯ୍ୟନ୍ତ ଘୋଡାଇ ଦିଆଯାଇପାରେ | ତେବେ ଏପ୍ରିଲ ବା ମଇ ମାସରେ ଦିନରେ ଅତ୍ୟଧିକ ଗରମ ହେଉଥିବା ସମୟରେ ପଟାଳି ରୁ ପଲିଥିନ ଜରି ବାହାର କରିଦେବା ଉଚିତ l

ଅମଳ :- ମଞ୍ଜି ପ୍ରୟୋଗ ର ୧୦ ଦିନ ପରେ ଛତୁ ଫିମ୍ପି ଅଗରେ ଗଣ୍ଠିମାନ ସୃଷ୍ଟି ହୁଏ ଓ ଏଗୁଡିକ ୪/୫ ଦିନ ପରେ କଢ ରେ ପରିଣତ ହୁଏ | ସାଧାରଣତଃ,କଢ ଅବସ୍ଥାରେ ଛତୁ ଅମଳ କରାଯିବା ଉଚିତ | ଛତୁ ର ଖାଦ୍ୟସାର , ସ୍ୱାଦ ବା ଗନ୍ଧ,ରୋଗପୋକ ସଂକ୍ରମଣ ତଥା ସଂରକ୍ଷଣ ମନ ଦୃଷ୍ଟିରୁ କଢ ଅବସ୍ଥା ଭଲ | କଢ ଅବସ୍ଥା ରେ ଛତୁ ର ଚାହିଦା ସର୍ବାଧିକ |ପ୍ରଥମ ପର୍ୟାୟ ରେ ଶତକଡା ୮୦ଭାଗ ତଥା ଏକ ସପ୍ତାହ ପରେ ଦ୍ଵିତୀୟ ପର୍ଯ୍ୟାୟରେ ଶତକଡା ୨୦ ଭାଗ ଅମଳ ମିଳେ| ତେବେ ବ୍ୟବସାୟିକ ଭିର୍ତ୍ତିରେ ଛତୁ ଚାଷ କରାଯାଉଥିଲେ ପ୍ରଥମ ପର୍ୟାୟ ଅମଳ ପାଇବା ପରେ ପଟାଳି ଗୁଡିକୁ ବାହାର କରିଦିଆଯାଇପାରେ | ଏହାଦ୍ୱାରା ପ୍ରତ୍ୟେକ ମାସ ରେ ଆମେ ଦୁଇଟି ଫସଲ ପାଇପାରିବା l 

ଆଲେଖ୍ୟ :-

ଡଃ.ବିପିନ କୁମାର ପ୍ରଧାନ

ଉପ ନିର୍ଦେଶକ ସମ୍ପ୍ରସାରଣ

ସମ୍ପ୍ରସାରଣ  ଶିକ୍ଷା ନିର୍ଦେଶାଳୟ

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର -୭୫୧୦୦୩