Horticulture

ସପେଟା ଚାଷ

ସପେଟା ଗୋଟିଏ ସୁସ୍ୱାଦୁ ଫଳ । ଏଥିରେ ଶ୍ୱେତସାର, ସ୍ନେହସାର, ପୃଷ୍ଟିସାର, ଅନେକ ଭିଟାମିନ୍ ଓ ଧାତବ ଲବଣ ରହିଛି । ଏହାର ଫଳ ରସରୁ ଚୁଇଙ୍ଗମ ଓ ଜାମ୍ ଇତ୍ୟାଦି ପ୍ରସ୍ତୁତ କରାଯାଏ । ଭାରତର ସମୁଦ୍ର କୂଳବର୍ତ୍ତୀ ରାଜ୍ୟ ମାନଙ୍କରେ ଏହାର ବହୁଳ ଚାଷ କରାଯାଉଛି । ଉତ୍ପତ୍ତି: ଏହା ମେକ୍ସିକୋ ଦେଶର ଫଳ । ପର୍ତ୍ତୁଗୀଜ ମାନଙ୍କ ଦ୍ୱାରା ଏହା ଆମ ଦେଶକୁ ଆସିଥିଲା ।

16 December, 2020 5:04 PM IST By: KJ Staff

ସପେଟା ଗୋଟିଏ ସୁସ୍ୱାଦୁ ଫଳ । ଏଥିରେ ଶ୍ୱେତସାର, ସ୍ନେହସାର, ପୃଷ୍ଟିସାର, ଅନେକ ଭିଟାମିନ୍ ଓ ଧାତବ ଲବଣ ରହିଛି । ଏହାର ଫଳ ରସରୁ ଚୁଇଙ୍ଗମ ଓ ଜାମ୍ ଇତ୍ୟାଦି ପ୍ରସ୍ତୁତ କରାଯାଏ । ଭାରତର ସମୁଦ୍ର କୂଳବର୍ତ୍ତୀ ରାଜ୍ୟ ମାନଙ୍କରେ ଏହାର ବହୁଳ ଚାଷ କରାଯାଉଛି ।

ଉତ୍ପତ୍ତି: ଏହା ମେକ୍‌ସିକୋ ଦେଶର ଫଳ । ପର୍ତ୍ତୁଗୀଜ ମାନଙ୍କ ଦ୍ୱାରା ଏହା ଆମ ଦେଶକୁ ଆସିଥିଲା ।

ଜଳବାୟୁ: ସପେଟା ଗ୍ରୀଷ୍ମ ମଣ୍ଡଳୀୟ ଫଳ ଓ ସମୁଦ୍ର ଉପକୁଳବର୍ତ୍ତୀ ଆଦ୍ର ଔ ଉଷ୍ଣ ଜଳବାୟୁରେ ଖୁବ୍ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ । ଏହା ୧୨୦ରୁ ୨୫୦ ସେମି ବାର୍ଷିକ ବର୍ଷା ଦରକାର କରିଥାଏ । ଅଧିକ ଉତ୍ତାପ ଯଥା ୪୫ଂ ସେଣ୍ଟିଗ୍ରେଡ୍‌ରୁ ଅଧିକା ହେଲେ ଗଛରୁ ଫୁଲ ଝଡ଼ିପଡ଼େ । ସପେଟା ୧୦ ରୁ ୩୫ ସେଣ୍ଟିଗ୍ରେଡ୍ ଉତ୍ତାପରେ ଭଲ ହୁଏ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ଚାଷ ଖୁବ୍ ଭଲ ଭାବରେ ହୋଇପାରିବ ।

ମୃତ୍ତିକା: ସପେଟା ପାଇଁ ଭଲରୂପେ ଜଳ ନିଷ୍କାସିତ ହୋଇପାରୁଥିବା ଦୋରସା, ଦୋରସା ବାଲିଆ, ପଟୁମାଟି ଓ ସମୁଦ୍ର ଉପକୁଳବର୍ତ୍ତୀ ଦୋରସା, ବାଲିଆ ଓ ନାଲି ଲାଟେରାଇଟ୍ ମାଟି ବେଶ୍ ଉପଯୁକ୍ତ । ବେଶି ପଥୁରିଆ ଓ କ୍ଷୀର, କୃଷ୍ଣ କାର୍ପାସ ମୃତ୍ତିକାରେ ଏହା ଭଲ ବଢ଼େନି । ସପେଟା ଗଛର ଚେର ଗୁଡ଼ିକ ବେଶି ଗଭୀରକୁ ଯାଏ ନାହିଁ । ତେଣୁ ମାଟିର ଗଭୀରତା ଅତି କମ୍‌ରେ ୧ ମିଟର ହେବା ଆବଶ୍ୟକ ।

କିସମ :ସପେଟାରେ ଅନେକ କିସମ ଅଛି । ତା ଭିତରେ କ୍ରିକେଟ୍ ବିଲ୍‌, କାଳିପତି, ବାରମାସ, ଛତ୍ରି, ଦ୍ୱାର ପୁଡି, ବାଙ୍ଗାଲୋର, କିର୍ତ୍ତିକାର୍ତ୍ତି, ପାଲା, ସିଓ୧, ସିଓ୨, ଓ.ପି.କେ.ଏମ୍‌.-୧ ଇତ୍ୟାଦି ।

ଏ ମଧ୍ୟରୁ ଓଡ଼ିଶାରେ କ୍ରିକେଟ୍‌ବଲ୍‌, ବାରମାସର, କାଳିପତି, ସିଓ-୧, ପିକେମ୍‌-୧ ଇତ୍ୟାଦି ଭଲ ହେଉଛି ।

କ୍ରିକେଟ୍ ବଲ୍‌ :ଏହାର ପତ୍ର ଫିକା ସବୁଜ ରଙ୍ଗ ହୋଇଥାଏ ଓ ଫଳଗୁଡ଼ିକ ବଡ଼ ଆକାର ଧାରଣ କରେ । ଏହାର ଫଳ ଗୋଲାକାର । ଏହାର ମାଂସଳ  ଶସ ଖଦଡ଼ିଆ ଓ କମ୍ ମିଠାଯୁକ୍ତ । ଏହି କିସମ ଶୁଷ୍କ ଜଳବାୟୁରେ ଭଲ ଫଳିଥାଏ ।

କାଳିପତି : ପତ୍ର ଗୁଡ଼ିକ ଗାଢ଼ ସବୁଜ ରଙ୍ଗର । ଏହି କିସମର ଡାଳ ପ୍ରସାରିତ ହୋଇ ବଢ଼ିଥାଏ । ଫଳ ଗୁଡ଼ିକ ଅଣ୍ଡାକୃତି ଓ କମ୍ ମଞ୍ଜିଯୁକ୍ତ । ଫଳ ଡାଳରେ ଗୋଟିକିଆ ହୋଇ ଫଳେ ଓ ଏହାର ମାଂସଳ ଶସ ବହୁତ ମିଠା ହୋଇଥାଏ ।

ଛତ୍ରି : ଏହାର ଶାଖା ଗୁଡ଼ିକ ବ୍ୟାପକ ଭାବେ ପ୍ରସାରିତ ହୋଇ ଛତା ସଦୃଶ ଆକୃତି ସୃଷ୍ଟି କରିଥାଏ । ପତ୍ର ଗୁଡ଼ିକ ଫିକା ସବୁଜ ରଙ୍ଗର ଓ ଫଳ କାଳିପତି ପରି, କିନ୍ତୁ କାଳପତି ଠାରୁ ନିକୃଷ୍ଟ ଧରଣର ।

ପାଲା : ଏହି ଫଳ ଛୋଟ ଅଣ୍ଡା ଆକୃତିର । ପେନ୍ଥା ପେନ୍ଥା ହୋଇ ବହୁତ ଫଳେ । ଫଳ ବହୁତ ମିଠା ।

ବାରମାସୀ : ଏହାର ଫଲ ଗୋଲ । ମଝିଲା ସାଇଜର ଫଳ ଓ ଫଳରେ ୨ ରୁ ୮ ଯର୍ଯ୍ୟନ୍ତ ମଞ୍ଜି ରହେ ।

ସିଓ-୧ : ଏହା ଶଙ୍କର ଜାତୀୟ । ଫଳ ମଝିଲା ସାଇଜର ଏବଂ ଫଳର ଓଜନ ପ୍ରାୟ ୧୨୫ ଗ୍ରାମ୍ । ଫଳ ମିଠା ଓ ଗଛ ଲଗାଇବାର ୪ ବର୍ଷ ପରେ ଫଳେ ।

ପି.କେ.ଏମ୍‌-୧ : ଏହି ଗଛର ଆକୃତି ଛୋଟ । ଫଳ ମିଠା ଓ ବହୁତ ଫଳେ ।

ବଂଶବିସ୍ତାର :ସାଧାରଣତଃ ଯୋଡ଼ କଲମି ଦ୍ୱାରା ଏହାର ବଂଶ ବିସ୍ତାର କରାଯାଏ । କ୍ଷିରି କୋଳି ଗଛରେ ସପେଟା ଗଛ କଲମି କରାଯାଏ । ସପେଟାରେ ପାଶ୍ୱର୍ କଲମି ଓ ବଡିଙ୍ଗ ଓ ଗୁଟି କଲମି ମଧ୍ୟ କରାଯାଏ ।

ଜମି ପ୍ରସ୍ତୁତି ଓ ଚାରା ରୋପଣ : ଗଛ ଲଗାଇବା ପୂର୍ବରୁ ଜମିକୁ ଭଲ ରୂପେ ହଳ କରି ମଇ ଦେଇ ସମତୁଲ କରି ଦେବା ଉଚିତ୍ । ବଗିଚାରେ ଚାରିପଟେ ବାୟୁ ନିରୋଧକ ଗଛ ଲଗାଯିବା ଆବଶ୍ୟକ । ଉର୍ବର ମାଟିରେ ୮ ରୁ ୧୦ ମିଟର ବ୍ୟବଧାନରେ ଓ ଅନୁର୍ବର ମାଟିରେ ୭-୮ ମିଟର ବ୍ୟବଧାନରେ ୧ ମିଟର୍‍ x୧ ମିଟର x‍ ୧ ମିଟର ଗାତ କରି ପ୍ରତି ଗାତରେ ୨ ଟୋକେଇ ଖତ ସହ ୨ କେଜି ଜୈବିକ ସାର ଓ ୫୦ ଗ୍ରାମ୍ କ୍ଲୋରୋପାଇରିଫସ୍ ଗୁଣ୍ଡ ଦେଇ ବର୍ଷା ଆରମ୍ଭରେ ଗଛ ଲଗାଇବ । ଗଛକୁ ସିଧା ଭାବରେ ପୋତି ଏହାକୁ ଖୁଣ୍ଟି ତାର ଦ୍ୱାର ଉତ୍ତମରୂପେ ଆଶ୍ରୟ ଦେବ । ଗଛ ଲଗାଇବା ବେଳେ କଲମି ଗଛର ଯୋଡ଼ ଯେପରି ମାଟି ଉପରେ ୨୦ ସେମି ଉଚ୍ଚରେ ରହେ ତାହା ଦେଖିବ ।

ଖତସାର : ସପେଟା ଗଛକୁ ବର୍ଷା ଆରମ୍ଭରେ ଥରେ ସାର ଦେବା ଉଚିତ୍ ।  ପ୍ରଥମ ବର୍ଷ ଗଛକୁ ୧୦ କେଜି ଖତ ଓ ୧କେଜି ଜୈବିକ ସାର ଦିଆଯାଏ । ତା’ ପର ବର୍ଷଠାରୁ ବର୍ଷକୁ ୫ କେଜି ଲେଖାଏ ଅଧିକା ଖତ ଓ ଅଧ କେଜି ଲେଖାଏଁ ଜୈବିକ ସାର ବଢ଼ାଇ ବର୍ଷକୁ ୫୦ କେଜି ଖତ ଓ ୫ କେଜି ଲେଖାଏ ଅଧିକା ଖତ ଓ ଅଧ କେଜି ଲେଖାଏଁ ଜୈବିକ ସାର ବଢ଼ାଇ ବର୍ଷକୁ ୫୦ କେଜି ଖତ ଓ ୫ କେଜି ଜୈବିକ ସାର ଦେଇ ଭଲ ଅମଳ ମିଳେ ।

କାଟଛାଣ୍ଟ :ଗଛ ଲଗାଇବାରୁ ୭ ରୁ ୮ ବର୍ଷ ମଧ୍ୟରେ କାଟଛାଣ୍ଟ କରିବାର ଆବଶ୍ୟକତା ପଡ଼େ ନାହିଁ । ଗଛ ମୂଳରୁ ୧ ମିଟର ଉଚ୍ଚଯାଏ ପରିଷ୍କାର ରଖି ୪-୫ ଗୋଟି ଶାଖା ବିଭିନ୍ନ ଦିଗକୁ ବଢ଼ିବାକୁ ଦିଅନ୍ତୁ । କେବଳ କଲମି ଯୋଡ଼ର ତଳଭାଗ ମୂଳ ଗଛରେ ଡାଳ ବଢ଼ିବାକୁ ଦେବେନି ।

ଜଳସେଚନ :ଭଲ ଫଳ ପାଇବା ପାଇଁ ଜଳସେଚନ ଆବଶ୍ୟକତା ଅଛି । ଖରାଦିନେ ୭/୮ ଦିନ ଅନ୍ତରରେ ଓ ଶୀତ ଦିନେ ୧୦/୧୨ ଦିନ ଅନ୍ତରରେ ଜଳସେଚନ କରାଯାଏ । ଗୋଟିଏ ଗଛ ଦିନକୁ ପ୍ରାୟ ୭୦ ଲିଟର ପାଣି ଦରକାର କରିଥାଏ । ବର୍ଷା ଋତୁରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବ ।

ଅନ୍ତଃ ଫସଲ : ସପେଟା ବଗିଚାରେ ୮/୧୦ ବର୍ଷ ପରେ ଫଳ ଧରେ । ବର୍ଷଯାକ ଫଳ ମିଳୁଥିଲେ ମଧ୍ୟ ସେପ୍‌ଟେମ୍ବର-ଅକ୍ଟୋବର ମାସରେ ଓ ପେବୃୟାରୀ-ମାର୍ଚ୍ଚ ମାସରେ ବେଶି ଫଳ ମିଳେ । ଗଛରେ ଫୁଲ ଫୁଟିବା ପୂର୍ବରୁ ଓ ଫଳ ଧାରଣା ପରେ ଏନ୍‌.ଏ.ଏ (ପ୍ଲାନୋଫିକ୍ସ ୧ ମିଲି/୫ଲିଟର ପାଣି) ସ୍ପ୍ରେ କଲେ ଅମଳ ବୃଦ୍ଧି ପାଇଥାଏ । ଭଲ ଯତ୍ନ ନେଲେ ଗୋଟିଏ ଗଛରୁ ୧୫୦୦ ରୁ ୨୫୦୦ ପର୍ଯ୍ୟନ୍ତ ଫଳ ମିଳେ । ହେକ୍ଟର୍ ପିଛା ବର୍ଷକୁ ୧୫ ରୁ ୨୦ ଟନ୍ ଫଳ ମିଳେ ଏବଂ ଆୟ ୩୦ ରୁ ୪୦ ହଜାର ଟଙ୍କା ମିଳେ । ୪୦ ବର୍ଷ ପରେ ଫଳ କମିଯାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)