Jobs

ନିଯୁକ୍ତି ସୃଷ୍ଟି ସରକାରଙ୍କ ପ୍ରମୁଖ ଫୋକସ୍...

ଦେଶର ପ୍ରଗତି ପାଇଁ ସାମର୍ଥ୍ୟ ନିର୍ମାଣ ଏବଂ ପ୍ରତିଭାର ବିକାଶ ମୂଳଦୁଆ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସମସ୍ତ ଅଂଶୀଦାରମାନଙ୍କୁ ଆଗକୁ ବଢ଼ିବା ଏବଂ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ଆବଶ୍ୟକତା ଅନୁଯାୟୀ ଏହି କ୍ଷେତ୍ରରେ ଅଧିକ ନିବେଶ କରିବା ପାଇଁ ଅନୁରୋଧ କରିଥିଲେ।

06 March, 2025 11:21 AM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ୱେବିନାରର ବିଷୟବସ୍ତୁ "ଜନତା, ଅର୍ଥନୀତି ଏବଂ ନବସୃଜନରେ ନିବେଶ" ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହା ବିକାଶିତ ଭାରତ ପାଇଁ ରୋଡମ୍ୟାପକୁ ବ୍ୟାଖ୍ୟା କରେ। ସେ କହିଥିଲେ ଯେ ଚଳିତ ବର୍ଷର ବଜେଟ୍ ଏହି ବିଷୟବସ୍ତୁକୁ ବ୍ୟାପକ ସ୍ତରରେ ପ୍ରତିଫଳିତ କରୁଛି ଏବଂ ଭାରତର ଭବିଷ୍ୟତ ପାଇଁ ଏକ ବ୍ଲୁପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି।

ଭିତ୍ତିଭୂମି, ଶିଳ୍ପ, ଲୋକ, ଅର୍ଥନୀତି ଏବଂ ନବସୃଜନ କ୍ଷେତ୍ରରେ ନିବେଶକୁ ସମାନ ପ୍ରାଥମିକତା ଦିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ପ୍ରଗତି ପାଇଁ ସାମର୍ଥ୍ୟ ନିର୍ମାଣ ଏବଂ ପ୍ରତିଭାର ବିକାଶ ମୂଳଦୁଆ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସମସ୍ତ ଅଂଶୀଦାରମାନଙ୍କୁ ଆଗକୁ ବଢ଼ିବା ଏବଂ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ଆବଶ୍ୟକତା ଅନୁଯାୟୀ ଏହି କ୍ଷେତ୍ରରେ ଅଧିକ ନିବେଶ କରିବା ପାଇଁ ଅନୁରୋଧ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଦେଶର ଆର୍ଥିକ ସଫଳତା ପାଇଁ ଏହା ଅପରିହାର୍ଯ୍ୟ ଏବଂ ପ୍ରତ୍ୟେକ ସଙ୍ଗଠନର ସଫଳତାର ଆଧାରକୁ ଗଠନ କରିଥାଏ।

ଚିକିତ୍ସା କ୍ଷେତ୍ର ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି ବଜେଟରେ ୧୦,୦୦୦ ନୂତନ ମେଡିକାଲ ସିଟ୍ ଯୋଡ଼ିବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଚିକିତ୍ସା କ୍ଷେତ୍ରରେ ୭୫,୦୦୦ ସିଟ୍ ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଲିମେଡିସିନ୍ ସୁବିଧାର ସମ୍ପ୍ରସାରଣ ଉପରେ ସେ ଆଲୋକପାତ କରିଥିଲେ। ଅନ୍ତିମ ମାଇଲ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ଡେ-କେୟାର କର୍କଟ କେନ୍ଦ୍ର ପ୍ରତିଷ୍ଠା ଏବଂ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ଲୋକମାନଙ୍କ ଜୀବନ ଉପରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ପକାଇବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରୟାସ ଦ୍ୱାରା ଯୁବକମାନଙ୍କ ପାଇଁ ଅନେକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରିବା ଲାଗି ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ବଜେଟ୍ ଘୋଷଣାଗୁଡ଼ିକର ଲାଭ ସର୍ବାଧିକ ସଂଖ୍ୟକ ଲୋକଙ୍କ ନିକଟରେ ପହଞ୍ଚିପାରିବ।

ଅର୍ଥବ୍ୟବସ୍ଥାରେ ନିବେଶ ବିଷୟରେ ଆଲୋଚନା କରିବା ସମୟରେ ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ଭାରତର ଜିଡିପିର ୧୦ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ କରିବାର କ୍ଷମତା ରହିଛି ଏବଂ କୋଟି କୋଟି ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର କ୍ଷମତା ରହିଛି। ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସେ ବଜେଟରେ ଅନେକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। "ପର୍ଯ୍ୟଟନ ଉପରେ ଧ୍ୟାନ ଦେଇ ସାରା ଦେଶରେ ୫୦ଟି ସ୍ଥାନର ବିକାଶ କରାଯିବ", ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଗନ୍ତବ୍ୟସ୍ଥଳରେ ହୋଟେଲଗୁଡ଼ିକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରିବା ଦ୍ୱାରା ପର୍ଯ୍ୟଟନର ସହଜତା ବୃଦ୍ଧି ପାଇବ ଏବଂ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ପାଇବ।

ନିଯୁକ୍ତି ସୃଷ୍ଟି ହେଉଛି ସରକାରଙ୍କ ପ୍ରମୁଖ ଫୋକସ୍ କ୍ଷେତ୍ର ମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ସରକାର ନିଯୁକ୍ତି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି। ଏହି ୱେବିନାର ସରକାର, ଶିଳ୍ପ, ଶିକ୍ଷା ଜଗତ ଏବଂ ନାଗରିକମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ, ଯାହା ବଜେଟ ଘୋଷଣାଗୁଡ଼ିକୁ ଫଳପ୍ରଦ ପରିଣାମରେ ପରିଣତ କରିବାରେ ସହାୟକ ହେବ। ନାଗରିକମାନଙ୍କୁ ସଶକ୍ତ କରିବା, ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଇ ଏହି ଆଲୋଚାର ଉଦ୍ଦେଶ୍ୟ ହେଉଛି ନିରନ୍ତର ଏବଂ ସମାବେଶୀ ଅଭିବୃଦ୍ଧି; ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ; ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଥିବା ଏକ କୁଶଳୀ, ସୁସ୍ଥ ମାନବସମ୍ବଳ ସୃଷ୍ଟି କରିବା।

Read more 

ଏଥର ମିଳିବ ଜେନେରିକ୍ ପ୍ରାଣୀ ଚିକିତ୍ସା-ପଶୁ ଔଷଧି...

ସଂଶୋଧିତ ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ