କୃଷକ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁରରୁ ପିଏମ୍ କିଷାନର ୧୯ତମ କିସ୍ତି ଜାରି କରିଛନ୍ତି । ଏହି ଅବସରରେ ସେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କୁ ଶ୍ରୀ ମୋଦୀ ଆଭାଷୀ ଭାବେ ସ୍ୱାଗତ କରିଥିଲେ। ମହାକୁମ୍ଭର ପବିତ୍ର ସମୟରେ ମନ୍ଦରାଚଳ ମାଟିରେ ପାଦ ରଖିବା ଏକ ବଡ଼ ସୌଭାଗ୍ୟ ବୋଲି ସେ କହିଛନ୍ତି। ଏହି ସ୍ଥାନରେ ଆଧ୍ୟାତ୍ମିକତା, ଐତିହ୍ୟ ସହିତ ବିକଶିତ ଭାରତର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଥିଲେ।
ଏହା ସହିଦ ତିଲକା ମାଝୀଙ୍କ ଭୂମି ତଥା ରେଶମ ସହର ଭାବେ ପ୍ରସିଦ୍ଧ ବୋଲି ଶ୍ରୀ ମୋଦୀ କହିଥିଲେ। ବାବା ଅଜଗାଇବିନାଥଙ୍କ ପବିତ୍ର ଭୂମିରେ ଆଗାମୀ ମହାଶିବରାତ୍ରି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏଭଳି ପବିତ୍ର ମୁହୂର୍ତ୍ତରେ ପିଏମ୍ କିଷାନର ୧୯ତମ କିସ୍ତି ପ୍ରଦାନ କରି ସେ ଭାଗ୍ୟବାନ ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରାୟ ୨୨,୦୦୦ କୋଟି ଟଙ୍କା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।
ବିହାରର ପ୍ରାୟ ୭୫ ଲକ୍ଷ କୃଷକ ପରିବାର ପିଏମ୍ କିଷାନ ଯୋଜନାର ହିତାଧିକାରୀ ଥିଲେ, ଯାହାର ୧୯ତମ କିସ୍ତି ଆଜି ପ୍ରଦାନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ବିହାରର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୬୦୦ କୋଟି ଟଙ୍କା ସିଧାସଳଖ ଜମା ହୋଇଛି। ସେ ବିହାର ଏବଂ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ଆସିଥିବା ସମସ୍ତ କୃଷକ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।
ଭୂମିହୀନ ଏବଂ କ୍ଷୁଦ୍ର କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ପଶୁପାଳନକୁ ପ୍ରୋତ୍ସାହିତ କରୁଛନ୍ତି । ପଶୁପାଳନ ଗାଁରେ "ଲଖପତି ଦିଦି" ସୃଷ୍ଟି କରିବାରେ ସହାୟକ ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ବିହାରର ହଜାର ହଜାର ଜୀବିକା ଦିଦିଙ୍କ ସମେତ ସମଗ୍ର ଦେଶରେ ପ୍ରାୟ ୧.୨୫ କୋଟି ଲଖପତି ଦିଦି ସୃଷ୍ଟି ହୋଇଛନ୍ତି ବୋଲି ସେ ଆଲୋକପାତ କରିଥିଲେ । "ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଦୁଗ୍ଧ ଉତ୍ପାଦନ ୧୪ କୋଟି ଟନ୍ରୁ ୨୪ କୋଟି ଟନ୍କୁ ବୃଦ୍ଧି ପାଇଛି, ଯାହା ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି", ଏହି ସଫଳତାରେ ବିହାରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ବିହାରର ସମବାୟ ଦୁଗ୍ଧ ସଂଗଠନଗୁଡ଼ିକ ଦୈନିକ ୩୦ ଲକ୍ଷ ଲିଟର କ୍ଷୀର କ୍ରୟ କରନ୍ତି, ଯାହା ଫଳରେ ବିହାରର ଗୋପାଳନ କରୁଥିବା ଚାଷୀ, ମା' ଏବଂ ଭଉଣୀମାନଙ୍କ ଆକାଉଣ୍ଟକୁ ବାର୍ଷିକ ୩,୦୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର ହେଉଛି।
ବଜେଟରେ ବିହାରର କୃଷକ ଏବଂ ଯୁବକମାନଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ବିହାର ପୂର୍ବ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ଓ ଉଦ୍ୟୋଗ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ସେ ଘୋଷଣା କରିଥିଲେ । ଏହାବ୍ୟତୀତ ରାଜ୍ୟରେ କୃଷି କ୍ଷେତ୍ରରେ ୩ଟି ନୂତନ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସେଥିମଧ୍ୟରୁ ଗୋଟିଏ କେନ୍ଦ୍ର ଭାଗଲପୁରରେ ଜରଡାଲୁ ପ୍ରଜାତିର ଆମ୍ବକୁ କେନ୍ଦ୍ର କରି ଖୋଲାଯିବ ଏବଂ ଅନ୍ୟ ଦୁଇଟି କେନ୍ଦ୍ର ମୁଙ୍ଗେର ଓ ବକ୍ସରରେ ପ୍ରତିଷ୍ଠା କରାଯାଇ ଟମାଟୋ, ପିଆଜ ଓ ଆଳୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। କୃଷକମାନଙ୍କ ପାଇଁ ଲାଭଦାୟକ ନିଷ୍ପତ୍ତି ନେବାରେ ସରକାର କୌଣସି ପନ୍ଥା ଛାଡ଼ୁନାହାନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।