News

5G spectrum auction: ୧,୫୦,୧୭୩ କୋଟି ଟଙ୍କା ଟପିଲା 5G ସ୍ପେକ୍ଟ୍ରମ ନିଲାମୀ

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ଏବଂ ସେପ୍ଟେମ୍ବର/ଅକ୍ଟୋବର ସୁଦ୍ଧା 5G ସେବା ଦେଶରେ ଉପଲବ୍ଧ ହେବ ବୋଲି ଜଣାପଡିଛି ।

02 August, 2022 3:23 PM IST By: Shuvanshu Kar

ଦେଶରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସକୁ ଦୂରସଞ୍ଚାର ଉଦ୍ୟୋଗ(Telecom Industry) ଜଗତର ବିପୁଳ ସମର୍ଥନ । 5G ସ୍ପେକ୍ଟ୍ରମ ନିଲାମୀ(5G spectrum auction )ରୁ ଏହା ପ୍ରମାଣିତ ହୋଇଛି । କେନ୍ଦ୍ର ସରକାର ୭୨,୦୯୮ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମୀ ପାଇଁ ଜାରି କରିଥିଲେ, ଏଥିମଧ୍ୟରୁ ୫୧,୨୩୬ ମେଗାହର୍ଜ (ମୋଟ୍‌ ସ୍ପେକ୍ଟ୍ରମର ୭୧%) ସ୍ପେକ୍ଟ୍ରମ ୧,୫୦,୧୭୩ କୋଟି ଟଙ୍କାରେ ବିକ୍ରି ହୋଇଛି ।

ମେସର୍ସ ଆଦାନୀ ଡାଟା ନେଟୱର୍କସ୍‌ ଲିମିଟେଡ ୨୬ ଗିଗାହର୍ଜ ଏମଏମ ୱେଭ ବ୍ୟାଣ୍ଡରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି । ମେସର୍ସ ଭାରତୀ ଏୟାରଟେଲ ଲିମିଟେଡ ୯୦୦, ୧୮୦୦, ୨୧୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ୧୯,୮୬୭.୮ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି । ମେସର୍ସ ରିଲାଏନ୍ସ ଜିଓ ଇନଫୋକମ୍‌ ଲିଃ ୭୦୦, ୮୦୦, ୧୮୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ମୋଟ୍‌ ୨୪,୭୪୦ ମେଗାହର୍ଜ ସ୍ପେକ୍ଟ୍ରମ ପାଇଛି । ମେସର୍ସ ଭୋଡାଫୋନ ଆଇଡିଆ ଲିଃ ୧୮୦୦, ୨୧୦୦, ୨୫୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜରେ ମୋଟ୍‌ ୬,୨୨୮ ମେଗାହର୍ଜ ସ୍ପେକ୍ଟ୍ରମ କ୍ରୟ କରିଥିବା ସୂଚନା ମିଳିଛି ।

ମୋଟ୍‌ ବିଡ୍‌ ବା ନିଲାମୀରୁ ୧,୫୦,୧୭୩ କୋଟି ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ଏଥିରେ ଆଦାନୀ ଡାଟା ନେଟୱର୍କର ୨୧୨ କୋଟି ଟଙ୍କା, ଭାରତୀ ଏୟାରଟେଲ ଲିଃର ୪୩,୦୪୮ କୋଟି ଟଙ୍କା, ରିଲାଏନ୍ସ ଜିଓ ଇନଫୋକମର ୮୮,୦୭୮ କୋଟି ଟଙ୍କା ଏବଂ ଭୋଡାଫୋନ ଆଇଡିଆ ଲିମିଟେଡ ୧୮,୭୯୯ କୋଟି ଟଙ୍କା ସାମିଲ ରହିଛି ।

ବାର୍ଷିକ କିସ୍ତି ହିସାବରେ ସୁଧ ଦର ୭.୨% ରଖାଯାଇଥିବା ବେଳେ ନିଲାମୀରେ ଅଂଶଗ୍ରହଣ କରିଥିବା କେତେକ ଅଂଶଗ୍ରହଣକାରୀ ଅଧିକ ଅପଫ୍ରଣ୍ଟ ପେମେଣ୍ଟ (ପ୍ରକଳ୍ପ ଆରମ୍ଭ ପୂର୍ବରୁ ସେବା ପାଇବା ପାଇଁ ଆଂଶିକ ବା ସମ୍ପୂର୍ଣ୍ଣ ଅର୍ଥ ପରିଶୋଧ) କରିପାରିବେ ।

ପ୍ରଥମ ଥର ପାଇଁ ୬୦୦ ମେଗାହର୍ଜ ବ୍ୟାଣ୍ଡ ନିଲାମୀ ପାଇଁ ରଖାଯାଇଥିଲା । କିନ୍ତୁ ଏହି ବ୍ୟାଣ୍ଡ ପାଇଁ କୌଣସି ବିଡ୍‌ (ନିଲାମ ଡାକ) ପ୍ରାପ୍ତ ହୋଇନଥିଲା । ବର୍ତ୍ତମାନ ସୁଦ୍ଧା ମୋବାଇଲ ଟେଲିଫୋନୀ ପାଇଁ ୬୦୦ ମେଗାହର୍ଜ ବ୍ୟାଣ୍ଡର ଡିଭାଇସ ଇକୋସିଷ୍ଟମ ବିକଶିତ ହୋଇନାହିଁ । ଆସନ୍ତା କିଛି ବର୍ଷ ମଧ୍ୟରେ, ଏହି ବ୍ୟାଣ୍ଡ ହୁଏତ’ ଗୁରୁତ୍ବପୂର୍ଣ୍ଣ ହୋଇପାରେ ।

୭୦୦ ମେଗାହର୍ଜରେ 5G ଇକୋସିଷ୍ଟମ୍‌ ଖୁବ୍‌ ଭଲ ଭାବେ ବିକଶିତ ହୋଇଛି । ଏହାର ଏକ ବଡ଼ ସେଲ ଆକାର ରହିଛି ଏବଂ ଏଥିପାଇଁ କମ୍‌ ଭିତ୍ତିଭୂମି ଆବଶ୍ୟକ ହୋଇଥାଏ । ଏହି ବ୍ୟାଣ୍ଡ ଅଧିକ ରେଞ୍ଜ ଏବଂ ଭଲ କଭରେଜ୍‌ ପ୍ରଦାନ କରିଥାଏ । ମେସର୍ସ ରିଲାଏନ୍ସ ଜିଓ ସର୍ବଭାରତୀୟ ସ୍ତରରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି ।

ଅପରେଟରମାନେ ୩୩୦୦ ମେଗାହର୍ଜ ବ୍ୟାଣ୍ଡରେ ବର୍ତ୍ତମାନର 4G କ୍ଷମତା ବଢ଼ାଇବା ଏବଂ 5G ସେବା ପ୍ରଦାନ କରିପାରନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ଏବଂ ସେପ୍ଟେମ୍ବର/ଅକ୍ଟୋବର ସୁଦ୍ଧା 5G ସେବା ଦେଶରେ ଉପଲବ୍ଧ ହେବ ବୋଲି ଜଣାପଡିଛି ।

5g spectrum auction: ପ୍ରଥମ ଥର ସାମ୍ନାସାମ୍ନି ହେବେ ଅମ୍ବାନୀ-ଅଦାନୀ

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ 6G

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)