News

ଆରମ୍ଭ ହେଲା ଦିବ୍ୟ କଳା ମେଳା କାର୍ଯ୍ୟକ୍ରମ

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୧୧ ପର୍ଯ୍ୟନ୍ତ ଚାଲିବ ।

06 July, 2024 12:02 PM IST By: Tanushree Mahapatra

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବି.ଏଲ. ବର୍ମାଙ୍କ ଦ୍ୱାରା ଆଜି ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ଠାରେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ଉନ୍ନୟନ ନିଗମ (ଏନ୍ଏଚ୍ଏଫଡିସି) ସହଯୋଗରେ ଭୁବନେଶ୍ୱରରେ ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର ଓ ଶିଳ୍ପୀଙ୍କ ପ୍ରତିଭା ଓ କାରିଗରୀ କୌଶଳକୁ ସମ୍ମାନ ଜଣାଇ ‘ଦିବ୍ୟ କଳା ମେଳା’ ଆୟୋଜନ କରାଯାଉଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୧୧ ପର୍ଯ୍ୟନ୍ତ ଚାଲିବ ।

କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମା ତାଙ୍କ ଅଭିଭାଷଣରେ କହିଥିଲେ, ‘‘ଆଜି ଆମେ ‘ସାମର୍ଥ୍ୟ’ ପ୍ରଦର୍ଶନ କରୁଛୁ। ‘ଦିବ୍ୟ କଳା ମେଳା’ରେ ଅଂଶଗ୍ରହଣ କରୁଥିବା ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନେ ସେମାନଙ୍କର ଅନନ୍ୟ ଏବଂ ମୂଲ୍ୟବାନ ଦକ୍ଷତା, ପ୍ରତିଭା ଏବଂ ଉଦ୍ୟମିତା ଜରିଆରେ ସୀମାତୀତ ପ୍ରଦର୍ଶନ କରୁଛନ୍ତି। ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗୀତ, ନୃତ୍ୟ ଏବଂ ଅଭିବ୍ୟକ୍ତିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କେବଳ ଆମର ମନୋରଞ୍ଜନ କରୁ ନାହିଁ ବରଂ ଆମକୁ ସେମାନଙ୍କର ଉତ୍ସାହ ଓ ସମର୍ପଣ ଦ୍ୱାରା ପ୍ରେରଣା ଦେଉଛି । ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗ ଜନଙ୍କ ସହିତ ସର୍ବଦା ଭାବପ୍ରବଣପୂର୍ଣ୍ଣ ସମ୍ପର୍କ ରଖିଛନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ଦେଶର ସାମଗ୍ରିକ ସଶକ୍ତୀକରଣ ପାଇଁ ସମାଜର ପ୍ରତ୍ୟେକ ବର୍ଗର ସଶକ୍ତୀକରଣ ଜରୁରୀ ବୋଲି ବିଶ୍ୱାସ କରି ସେମାନଙ୍କୁ ସଶକ୍ତ କରିବା । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅଧୀନରେ ଆମ ସରକାର ଦିବ୍ୟାଙ୍ଗଜନଙ୍କୁ ଉପକୃତ କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି’, ସେ କହିଥିଲେ।

ଶ୍ରୀ ବର୍ମା କହିଥିଲେ, ‘‘ପ୍ରଥମ ଥର ଓଡ଼ିଶାରେ, ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ଆମେ ଏହି ଚମତ୍କାର ଦିବ୍ୟ କଳା ମେଳା ଓ ନିଯୁକ୍ତି ମେଳା ଆୟୋଜନ କରୁଛୁ। ସମାବେଶୀ ବିକାଶ ଓ ଏକ ସଶକ୍ତ ସମାଜ ଗଠନ କରିବା ଲାଗି ଏସବୁ ପ୍ରତିଭା ସମ୍ପନ୍ନ ଉଦ୍ୟୋଗୀଙ୍କୁ ସ୍ୱାଗତ କରିବା, ପ୍ରଶଂସା କରିବା ଓ ସମ୍ମାନିତ କରିବା ଆମର କର୍ତ୍ତବ୍ୟ।’’

ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉପ ମହାନିର୍ଦ୍ଦେଶକ ଶ୍ରୀ କିଶୋର ବି. ସୁରୱଡ଼େ କହିଥିଲେ, ‘‘ଆମର ଉଦ୍ଦେଶ୍ୟ ହେଉଛି ଏକ ସମାବେଶୀ ସମାଜ ଗଠନ କରିବା ଯେଉଁଠାରେ ଆମ ଦେଶର ଦିବ୍ୟାଙ୍ଗ ବ୍ୟକ୍ତିମାନେ ସେମାନଙ୍କ ବିକାଶ ପାଇଁ ସମାନ ସୁଯୋଗ ପାଇବେ, ସେମାନଙ୍କର ଶାରୀରିକ, ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସଶକ୍ତୀକରଣ ହୋଇପାରିବ, ଯାହା ଦ୍ୱାରା ସେମାନେ ଉତ୍ପାଦକ, ନିରାପଦ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ ।

ସୂଚନାଯୋଗ୍ୟ, ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ମେଳାରେ ପ୍ରାୟ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହୋଇଛି । ଆଗନ୍ତୁକମାନେ ଏଠାରେ ବିଭିନ୍ନ ବର୍ଗର ବ୍ୟାପକ ଉତ୍ପାଦ ପାଇପାରିବେ ।

ଅଧିକ ପଢ଼ନ୍ତୁ

Da Hike: ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜସ୍ଥାନ ନଗୋରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)