ଦେଶର କୃଷି କ୍ଷେତ୍ର ପାଇଁ ବଡ ଖୁସି ଖବର । ଚାଷୀଙ୍କ ଆୟ ବୃଦ୍ଧି ସହିତ ବଢୁଛି ରପ୍ତାନି(Agricultural Exports) । ଚଳିତ ଆର୍ଥିକ ବର୍ଷ 2022-23ର ପ୍ରଥମ ତ୍ରୈମାସିକରେ ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି(Agricultural Exports) 14 ପ୍ରତିଶତ ବୃଦ୍ଧି ପାଇଛି । ମୋଟ ରପ୍ତାନି 5,987 ମିଲିୟନ ଡ଼ଲାର ରହିଛି । ଗତ ବର୍ଷ ରପ୍ତାନି 5256 ମିଲିୟନ ଡଲାର ରହିଥିଲା ।
2022-23ରେ ସରକାର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ (APEDA) ଅଧୀନରେ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ପାଇଁ 23.56 ବିଲିୟନ ଡ଼ଲାରର ରପ୍ତାନି ଲକ୍ଷ୍ୟ ସ୍ଥିର କରିଥିଲେ । ଏଥିରେ ଚା, କଫି, ମସଲା, କପା ଏବଂ ସାମୁଦ୍ରିକ ରପ୍ତାନି ବାଦ ଦିଆଯାଇଛି ।
ତାଜା ଫଳ ଏବଂ ପନିପରିବା ରପ୍ତାନିରେ 8.6 ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ଶସ୍ୟ ଏବଂ ବିଭିନ୍ନ ପ୍ରକ୍ରିୟାକୃତ ଖାଦ୍ୟର ପଦାର୍ଥ ତ୍ରୈମାସିକରେ 36.4 ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଅନ୍ୟ ଶସ୍ୟର ରପ୍ତାନି ଏପ୍ରିଲ-ଜୁନ୍ 2021ରେ 237 ମିଲିୟନ ଡ଼ଲାରରୁ ଏପ୍ରିଲ-ଜୁନ୍ 2022ରେ 306 ମିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ସେହିପରି ମାଂସ ଓ ଦୁଗ୍ଧ ରପ୍ତାନି ଏପ୍ରିଲ-ଜୁନ୍ 2021ରେ 1,023 ମିଲିୟନ ଡ଼ଲାରରୁ ଏପ୍ରିଲ-ଜୁନ୍ 2022 ରେ 1,120 ମିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।
ଚାଉଳ ରପ୍ତାନିରେ 2022-23 ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ 13 ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ମାଂସ, ଦୁଗ୍ଧ ଉତ୍ପାଦ ରପ୍ତାନିରେ 9.5 ପ୍ରତିଶତ ଏବଂ ଅନ୍ୟ ଶସ୍ୟର ରପ୍ତାନିରେ 29 ପ୍ରତିଶତ ବୃଦ୍ଧି ଘଟିଛି ।
କୃଷି ରପ୍ତାନି ମୂଲ୍ୟ ଶୃଙ୍ଖଳାର ପ୍ରମୁଖ ହିତାଧିକାରୀଙ୍କ ସହଯୋଗରେ ରପ୍ତାନୀର ଏକ ଆବଶ୍ୟକୀୟ ଇକୋସିଷ୍ଟମ ସୃଷ୍ଟି କରି ଚଳିତ ଆର୍ଥିକ ବର୍ଷରେ ଭାରତର କୃଷି ତଥା ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନିର ଅଭିବୃଦ୍ଧି ବଜାୟ ରଖିବାକୁ ଲକ୍ଷ୍ୟ ରହିଥିବା APEDA ଅଧ୍ୟକ୍ଷ ଏମ ଅଙ୍ଗାମୁଥୁ କହିଛନ୍ତି ।
2021-22ରେ, ଭାରତର କୃଷିଜାତ ଦ୍ରବ୍ୟ ରପ୍ତାନି 19.92 ପ୍ରତିଶତ ବୃଦ୍ଧି ପାଇ 50.21 ବିଲିୟନ ଡ଼ଲାରରେ ପହଞ୍ଚିଛି । ଭାରତରେ ବିଭିନ୍ନ ଦେଶରେ କୃଷି ଏବଂ ଖାଦ୍ୟ ପଦାର୍ଥ ଉପରେ ଅନଲାଇନ ଗ୍ରାହକ-ବିକ୍ରେତା ବୈଠକ ଆୟୋଜନ କରି ଭାରତରେ ପଞ୍ଜୀକୃତ ଭୌଗୋଳିକ ସୂଚକାଙ୍କ (ଜିଆଇ) ଥିବା ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।
ରପ୍ତାନି ହେବାକୁ ଥିବା ଉତ୍ପାଦଗୁଡିକର ଗୁଣବତ୍ତା ପ୍ରମାଣପତ୍ର ନିଶ୍ଚିତ କରିବାକୁ, ସରକାର ବିଭିନ୍ନ ଉତ୍ପାଦ ପାଇଁ ପରୀକ୍ଷଣର ସେବା ଯୋଗାଇବାକୁ ଭାରତରେ 220ଟି ଲାବୋରେଟୋରୀକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ସେପଟେ ଚାଷୀଙ୍କ ଆୟରେ 125-272 ପ୍ରତିଶତ ବୃଦ୍ଧି ହୋଇଥିବା ICAR ରିପୋର୍ଟ ପ୍ରକାଶ ପାଇଥିଲା । ଚାଷୀଙ୍କ ମୋଟ ଆୟ 125-272 ପ୍ରତିଶତ ମଧ୍ୟରେ ବୃଦ୍ଧି ପାଇଥିବାବେଳେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ ଭଳି ରାଜ୍ୟ ଚାରି ବର୍ଷରେ 200 ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରିଛନ୍ତି । ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ନାଗାଲାଣ୍ଡ ଭଳି ରାଜ୍ୟ, ପଶୁପାଳନ ହେଉଛି କୃଷି ଆୟର ମୁଖ୍ୟ ସ୍ରୋତ । ସେହିପରି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଓ ଓଡିଶାର ଚାଷୀମାନଙ୍କ ପାଇଁ ମତ୍ସ୍ୟଚାଷ ଆୟର ମୁଖ୍ୟ ଉତ୍ସ ଥିଲା ।