News

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କଲା ଓଡ଼ିଶା

ଏହି ସମନ୍ୱିତ ଯୋଜନାଗୁଡ଼ିକ ଦ୍ୱାରା ଗୋଟିଏ କାର୍ଡ ଜରିଆରେ ଓଡ଼ିଶାର ପାଖାପାଖି ସାଢ଼େ ଚାରି କୋଟି ଲୋକ ଉପକୃତ ହେବେ।

14 January, 2025 10:58 AM IST By: Tanushree Mahapatra

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍.ଏଚ୍.ଏ.) ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଏକ ବୁଝାମଣା ପତ୍ର (ଏମ୍.ଓ.ୟୁ.) ସ୍ୱାକ୍ଷର କରିବା ପରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍-ଜେଏୱାଇ) ଲାଗୁ କରିବାରେ ଓଡ଼ିଶା ୩୪ତମ ରାଜ୍ୟ ହୋଇପାରିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନଏଚଏ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲଏସ ଚାଙ୍ଗସାନ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ୱତ୍ଥୀ ଏସ ଏମଓୟୁରେ ସ୍ୱାକ୍ଷର କରିଥିଲେ।

ସ୍ୱାକ୍ଷର ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ସହିତ ମିଶି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍-ଜେଏୱାଇ) କାର୍ଯ୍ୟକାରୀ କରାଯିବ। ଏହା ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିବ। କେନ୍ଦ୍ର ସରକାରଙ୍କ ସହାୟତାରେ ୬୭.୮ ଲକ୍ଷ ପରିବାର ସହିତ ମୋଟ ପାଖାପାଖି ୧ କୋଟି ୩ ଲକ୍ଷ ପରିବାର ଏହି ସମ୍ମିଳିତ ଯୋଜନା ଅଧୀନରେ ଆସିବେ।

ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ, ‘‘ଆମ ରାଜ୍ୟର ଲୋକମାନେ, ଯେଉଁମାନେ ପୂର୍ବରୁ ପ୍ରାୟ ୯୦୦ ପାନେଲଭୁକ୍ତ ଡାକ୍ତରଖାନାରେ ଚିକିତ୍ସା ପାଉଥିଲେ, ବର୍ତ୍ତମାନ ୨୯ ହଜାର ରୁ ଅଧିକ ସରକାରୀ ଏବଂ ବେସରକାରୀ ପାନେଲଭୁକ୍ତ ଡାକ୍ତରଖାନାରେ ନଗଦବିହୀନ ଏବଂ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇପାରିବେ।’’ ସେ କହିଥିଲେ ଯେ ଏହି ସମନ୍ୱିତ ଯୋଜନାଗୁଡ଼ିକ ଦ୍ୱାରା ଗୋଟିଏ କାର୍ଡ ଜରିଆରେ ଓଡ଼ିଶାର ପାଖାପାଖି ସାଢ଼େ ଚାରି କୋଟି ଲୋକ ଉପକୃତ ହେବେ।

ସେ ଆହୁରି ମଧ୍ୟ କହିଥିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବସର କାରଣ ଏହା ଓଡ଼ିଶାର ୮୬ ପ୍ରତିଶତ ଜନସଂଖ୍ୟାର ସ୍ୱାସ୍ଥ୍ୟ ସ୍ଥିତିରେ ପରିବର୍ତ୍ତନ ଆଣିବ। ଏହି ଯୋଜନା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରଗତିଶୀଳ ବିକାଶକୁ ଆହୁରି ଡିଜିଟାଲ୍ କରିବ।

Read more:

ଗୋପ୍ରଜନନ, ଗିଫ୍ଟ ମିଲ୍କ ଏବଂ ବଜାର ସହାୟତାର ଭର୍ଚୁଆଲ ଶୁଭାରମ୍ଭ

ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍