ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ କୃଷକମାନଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ କରିପାରୁଥିବା ଏକ ଉନ୍ନତ ଧରଣର ଏଗ୍ରୀ ମଲ୍ ସ୍ଥାପନ କରାଯିବ l କୃଷି ଅଧିକାରୀମାନେ ଜଣାଇଛନ୍ତି ଯେ, ଏହା ଚଳିତ ବର୍ଷ ସେପ୍ଟେମ୍ବର ୧୫ ରେ ସ୍ଥାପନ କରାଯିବ l ଜିଲ୍ଲା ପ୍ରଶାସନ ଏବଂ ORMASର ମିଳିତ ସହଯୋଗରେ ଏହି ଏଗ୍ରୀ ମଲ୍ ସ୍ଥାପନ କରାଯିବ l ଏହାର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ସମଲେଶ୍ୱରୀ ସମ୍ବଲପୁର କୃଷକ ଉତ୍ପାଦନକାରୀ କମ୍ପାନୀ ଲିମିଟେଡ ବହନ କରିବ l
କୁଚିଣ୍ଡା ଉପ-ଜିଲ୍ଲାପାଳ ଏଗ୍ରୀ ମଲ୍ ସ୍ଥାପନ ନିମନ୍ତେ କୁଚିଣ୍ଡା ବସ ଷ୍ଟାଣ୍ଡ ନିକଟରେ କୋଠା ଯୋଗାଇଛନ୍ତି l ଏହି କୃଷି ଏଗ୍ରୀ ମଲ୍ ସ୍ଥାପନ ହେବା ଫଳରେ କୃଷକମାନେ ଗୋଟିଏ ଛାତ ତଳେ ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ l ସୁଲଭ ଦରରେ କୃଷିଜାତ ସାମଗ୍ରୀ ବିକା କିଣା କରିପାରିବେ, ଉତ୍ତମ ବିହନ କିଣି ପାରିବେ, ଏବଂ ଉପଯୁକ୍ତ ମୂଲ୍ୟରେ କୃଷି ଉପକରଣ ପାଇପାରିବେ l ଏହା ବ୍ୟତୀତ ଏଗ୍ରି ମଲରେ ଶୀତଳ ଭଣ୍ଡାର ବ୍ୟବସ୍ଥା ରହିବ l ଏହା ଫଳରେ କୃଷକମାନେ ନିଜର ଫଳ ପନିପରିବାକୁ ଦୀର୍ଘ ଦିନ ଧରି ଗଚ୍ଛିତ କରିପାରିବେ l ଏହି ଭଳି ଏଗ୍ରି ମଲ୍ ସ୍ଥାପନ କରିବା ଦ୍ୱାରା ଏହି ଅଞ୍ଚଳର କୃଷକମାନେ ଆର୍ଥିକ ଲାଭ ପାଇପାରିବେ l