ଜୈବ ଇନ୍ଧନ କ୍ଷେତ୍ରରେ ସଦ୍ୟତମ ବିକାଶ ସହିତ ତାଳମେଳ ରକ୍ଷା କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସଂଶୋଧିତ ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନାକୁ ଅନୁମୋଦନ କରାଯାଇଛି ।
ସଂଶୋଧିତ ପ୍ରସ୍ତାବରେ ଏହି ଯୋଜନାକୁ ୫ ବର୍ଷ ଅର୍ଥାତ୍ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାର ସମୟସୀମା ବୃଦ୍ଧି କରାଯାଇଛି ଏବଂ ଏହାର ପରିସରରେ ଲିଗ୍ନୋସେଲୁଲୋସିକ୍ ଫିଡଷ୍ଟକ୍ ରୁ ଉତ୍ପାଦିତ ଉନ୍ନତ ଜୈବ ଇନ୍ଧନ ଯଥା କୃଷି ଓ ଜଙ୍ଗଲ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ, ସିନ୍ଥେସିସ୍ (ସିନ୍) ଗ୍ୟାସ୍, ଶୈବାଳ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି। ‘‘ବୋଲ୍ଟ ଅନ୍’’ ପ୍ଲାଣ୍ଟ ଏବଂ ‘‘ବ୍ରାଉନଫିଲ୍ଡ ପ୍ରୋଜେକ୍ଟ’’ ମଧ୍ୟ ବର୍ତ୍ତମାନ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଓ ନିଜ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଯୋଗ୍ୟ ହେବେ ।
ଏକାଧିକ ଜ୍ଞାନକୌଶଳ ଏବଂ ଏକାଧିକ ଫିଡଷ୍ଟକକୁ ପ୍ରୋତ୍ସାହିତ କରିବା ପାଇଁ, ବର୍ତ୍ତମାନ ଏହି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଅଭିନବତା ରହିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଦିଆଯିବ ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କ କୃଷି ବର୍ଜ୍ୟ ସାମଗ୍ରୀ ପାଇଁ ଲାଭଦାୟକ ଆୟ ପ୍ରଦାନ କରିବା, ପରିବେଶ ପ୍ରଦୂଷଣର ମୁକାବିଲା କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତର ଇନ୍ଧନ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାରେ ଯୋଗଦାନ କରିବା । ଏହା ଉନ୍ନତ ଜୈବ ଇନ୍ଧନ ପ୍ରଯୁକ୍ତିଗତ ବିକାଶକୁ ସମର୍ଥନ କରିବା ସହିତ ମେକ୍ ଇନ୍ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରେ । ଏହା ୨୦୭୦ ସୁଦ୍ଧା ଶୁଦ୍ଧ-ଶୂନ୍ୟ ଜିଏଚଜି ନିର୍ଗମନ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଜୀ-ବନ୍ ଯୋଜନା ମାଧ୍ୟମରେ ଉନ୍ନତ ଜୈବ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏକ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ଶକ୍ତି କ୍ଷେତ୍ର ପ୍ରତି ରହିଥିବା ସମର୍ପଣକୁ ପ୍ରତିଫଳିତ କରେ ।
ପୃଷ୍ଠଭୂମି :
ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁଥିରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିଥାନ୍ତି । ଇବିପି କାର୍ଯ୍ୟକ୍ରମ ଅଧୀନରେ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୧୩-୧୪ରେ ପେଟ୍ରୋଲ ସହିତ ଇଥାନଲ୍ ର ମିଶ୍ରଣ ୩୮ କୋଟି ଲିଟର ଥିବା ବେଳେ ୨୦୨୨-୨୩ରେ ଏହା ୫୦୦ କୋଟି ଲିଟରରୁ ଅଧିକକୁ ବୃଦ୍ଧି ପାଇଛି। ୨୦୨୪ ଜୁଲାଇ ମାସରେ ମିଶ୍ରଣ ପ୍ରତିଶତ ୧୫.୮୩% ଛୁଇଁଛି ଏବଂ ଚଳିତ ଇଏସୱାଇ ୨୦୨୩-୨୪ରେ ସମୁଦାୟ ମିଶ୍ରଣ ପ୍ରତିଶତ ୧୩% ଅତିକ୍ରମ କରିଛି।
୨୦୨୫-୨୬ ଶେଷ ସୁଦ୍ଧା ୨୦% ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ଓଏମସି ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ଆକଳନ ମୁତାବକ, ୨୦% ମିଶ୍ରଣ ହାସଲ କରିବା ପାଇଁ ଇଏସୱାଇ ୨୦୨୫-୨୬ ରେ ୧୧୦୦ କୋଟି ଲିଟରରୁ ଅଧିକ ଇଥାନଲ୍ ଆବଶ୍ୟକ ହେବ । ଏଥିପାଇଁ ମିଶ୍ରଣ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ୟାନ୍ୟ ବ୍ୟବହାର (ପୋଟେବଲ, ରାସାୟନିକ, ଔଷଧ ଇତ୍ୟାଦି) ପାଇଁ ୧୭୫୦ କୋଟି ଲିଟର ଇଥାନଲ୍ ଡିଷ୍ଟିଲେସନ୍ କ୍ଷମତା ସ୍ଥାପନ କରିବା ଆବଶ୍ୟକ ।
ଇଥାନଲ ମିଶ୍ରଣ ଲକ୍ଷ୍ୟ ପୂରଣ କରିବା ପାଇଁ ସରକାର ଦ୍ୱିତୀୟ ପିଢ଼ିର (୨ଜି) ଇଥାନଲ (ଉନ୍ନତ ଜୈବ ଇନ୍ଧନ) ଭଳି ବିକଳ୍ପ ଉତ୍ସ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଅତ୍ୟାଧୁନିକ ଜୈବ ଇନ୍ଧନ ଜ୍ଞାନକୌଶଳ ବ୍ୟବହାର କରି ଅତିରିକ୍ତ ବାୟୋମାସ୍ /କୃଷି ବର୍ଜ୍ୟବସ୍ତୁ ଯେଉଁଥିରେ ସେଲୁଲୋଜିକ୍ ଏବଂ ଲିଗ୍ନୋସେଲୁଲୋସିକ୍ ଅଂଶ, ଶିଳ୍ପ ବର୍ଜ୍ୟବସ୍ତୁ ଇତ୍ୟାଦି ରହିଛି ତାହାକୁ ଇଥାନଲରେ ରୂପାନ୍ତରିତ କରାଯାଇପାରିବ ।
ଦେଶରେ ଟୁ-ଜି ଇଥାନଲ୍ କ୍ଷମତାକୁ ପ୍ରୋତ୍ସାହିତ କରିବା ଏବଂ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଟୁ-ଜି ବାୟୋ-ଇଥାନଲ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ୦୭.୦୩.୨୦୧୯ରେ ‘‘ପ୍ରଧାନମନ୍ତ୍ରୀ ଜୀ-ବନ୍ (ଜୟବ ଇନ୍ଧନ- ଭାତବରଣ ଅନୁକୂଳ ନିବାସ) ଯୋଜନା” ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଏହି ଯୋଜନା ଅଧୀନରେ ହରିୟାଣାର ପାନିପତ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ୱାରା ସ୍ଥାପିତ ପ୍ରଥମ ଟୁ-ଜି ଇଥାନଲ ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ୧୦ ଅଗଷ୍ଟ ୨୦୨୨ ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିପିସିଏଲ୍, ଏଚପିସିଏଲ୍ ଓ ଏନ୍ ଆର୍ ଏଲ୍ ପକ୍ଷରୁ ବରଗଡ଼ (ଓଡ଼ିଶା), ଭଟିଣ୍ଡା (ପଞ୍ଜାବ) ଏବଂ ନୁମାଲିଗଡ଼ (ଆସାମ)ରେ ପ୍ରତିଷ୍ଠା କରାଯାଉଥିବା ଅନ୍ୟ ଟୁ-ଜି ବାଣିଜ୍ୟିକ ପ୍ରକଳ୍ପ ଗୁଡ଼ିକ ମଧ୍ୟ ଶେଷ ହେବାକୁ ଯାଉଛି।
ଅଧିକ ପଢ଼ନ୍ତୁ