News

ଜଷ୍ଟିସ ୟୁୟୁ ଲଳିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ! ନାଁ ସୁପାରିଶ କଲେ CJI ରମଣା

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ପରବର୍ତ୍ତୀ ଉଦୟ ଉମେଶ ଲଲିତଙ୍କ ନାଁ ସୁପାରିଶ କରିଛନ୍ତି ଏନ.ଭି ରମଣା ।

04 August, 2022 5:01 PM IST By: Shuvanshu Kar

ଆସନ୍ତା ଅଗଷ୍ଟ 26ରେ ଅବସର ଗ୍ରହଣ କରିବାକୁଯାଉଛନ୍ତି ଭାରତର ପ୍ରଧାନ ବିଚାରପତି (CJI) ଏନ.ଭି ରମଣା(NV Ramana)​ । ଏହାପୂର୍ବରୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ପରବର୍ତ୍ତୀ ଉଦୟ ଉମେଶ ଲଲିତଙ୍କ ନାଁ ସୁପାରିଶ କରିଛନ୍ତି ଏନ.ଭି ରମଣା । ଯଦି ଜଷ୍ଟିସ ରାମଣାଙ୍କ ସୁପାରିଶକୁ ଗ୍ରହଣ କରିନିଆଯାଏ, ତେବେ ଜଷ୍ଟିସ ଉଦୟ ଉମେଶ ଲଲିତ ହେବେ ଦେଶର 49 ତମ ପ୍ରଧାନ ବିଚାରପତି ।

ଜଷ୍ଟିସ୍ ୟୁୟୁ ଲଳିତ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଅଟନ୍ତି । 9 ନଭେମ୍ବର 1957ରେ ୟୁୟୁ ଲଳିତଙ୍କ ଜନ୍ମ । ଜଷ୍ଟିସ ଉଦୟ ଉମେଶ ଲଲିତ ମହାରାଷ୍ଟ୍ରର ଜଣେ ଜଣାଶୁଣା ଆଇନଜୀବୀ ରହିସାରିଛନ୍ତି । ସେ ଜୁନ୍ 1983ରେ ଆଇନଜୀବୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଲଳିତ ଡିସେମ୍ବର 1985 ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରିଥିଲେ ଏବଂ ଏହାର ଏକ ବର୍ଷ ପରେ ଅର୍ଥାତ 1986ରେ ରାଜଧାନୀ ଦିଲ୍ଲୀରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ସହ ମଧ୍ୟ କାମ କରିଛନ୍ତି ।

ଜଷ୍ଟିସ ଲଳିତ ଏପ୍ରିଲ 2004ରେ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଅଧିବକ୍ତା ହୋଇଥିଲେ। ଏହା ପରେ ସେ ଅନେକ ପଦବୀରେ କାମ କରିଛନ୍ତି । 13 ଅଗଷ୍ଟ 2014ରେ ଜଷ୍ଟିସ ଲଳିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ।

ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ୍ ଲଳିତ ଅନେକ ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିଥିବା ଖଣ୍ଡପୀଠରେ ସାମିଲ ରହିଛନ୍ତି । 22 ଅଗଷ୍ଟ 2017ରେ, ସେ ଜଣେ ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଯାହାକି ତିନ ତଲାକ ପ୍ରଥା ଉପରେ ରୋକ ଲଗାଇବା ନେଇ ରାୟ ଶୁଣାଇଥିଲେ ।

30 ଏପ୍ରିଲ 2021ରେ, ଜଷ୍ଟିସ ଲଳିତଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଦେଶଦ୍ରୋହ ମାମଲାରେ ଆଇପିସିର ଧାରା 124A ର ବୈଧତା ଉପରେ କେନ୍ଦ୍ରକୁ ବିଜ୍ଞପ୍ତି ଜାରି କରିଥିଲା । ଏହି ମାମଲାରେ ମଣିପୁର ସାମ୍ବାଦିକ କିଶୋରଚନ୍ଦ୍ର ୱାଙ୍ଗଖେମଚା ଏବଂ ଛତିଶଗଡ ସାମ୍ବାଦିକ କହ୍ନେୟାଲାଲ ଶୁକ୍ଳାଙ୍କ ଆବେଦନ ଶୁଣାଣି କରିବାକୁ କୋର୍ଟ ରାଜି ହୋଇଥିଲେ।

ନିକଟରେ ଜଷ୍ଟିସ୍ ଲଳିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅବମାନନା ମାମଲାରେ 4 ମାସ ଦଣ୍ଡିତ କରିଛନ୍ତି। କୋର୍ଟ ମଧ୍ୟ ମାଲ୍ୟାଙ୍କ ଉପରେ ଜୋରିମାନା ଲଗାଇଛନ୍ତି ଏବଂ ଏହାକୁ ଅମାନ୍ୟ କଲେ ତାଙ୍କୁ ଦୁଇ ମାସ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।

ଶିଶୁଙ୍କ ଉପରେ ଯୌନ ଶୋଷଣକୁ ରୋକ ଲଗାଇବା ପାଇଁ ଜଷ୍ଟିସ୍ ଲଳିତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଥିଲେ । ତାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ସ୍ପଷ୍ଟ କରିଥିଲେ ଯେ ଯୌନ ଉଦ୍ଦେଶ୍ୟ ସହିତ ଶରୀରର ଯେକୌଣସି ଅଂଶକୁ ସ୍ପର୍ଶ କରିବା ହେଉଛି POCSO ଆକ୍ଟର ଏକ ମାମଲା ।

ଜଷ୍ଟିସ୍ ଲଳିତଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଦ୍ୱାରା ଏସସି / ଏସଟି ଉତ୍ପୀଡନ ଆକ୍ଟ ଅନୁଯାୟୀ ତୁରନ୍ତ ଗିରଫ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅଧିନିୟମ ଅନୁଯାୟୀ ଆସୁଥିବା ଅଭିଯୋଗ ଉପରେ ପ୍ରାଥମିକ ଅନୁସନ୍ଧାନ ପରେ ହିଁ ଏକ ମାମଲା ପଞ୍ଜିକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପରେ କେନ୍ଦ୍ର ସରକାର ଆଇନ ବଦଳାଇ ତୁରନ୍ତ ଗିରଫଦାରୀକୁ ପୁନଃସ୍ଥାପିତ କରିଥିଲେ ।

10 ଜାନୁୟାରୀ 2019ରେ ଜଷ୍ଟିସ୍ ୟୁ ୟୁ ଲଳିତ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା 5 ଜଣିଆ ଖଣ୍ଡପୀଠରୁ ନିଜକୁ ଅଲଗା କରିନେଇଥିଲେ । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ସେ ଅଯୋଧ୍ୟା ବିବାଦ ସହ ଜଡିତ ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଓକିଲ ଭାବରେ ହାଜର ହୋଇଥିଲେ ।

ଖାଉଟି ଅଭିଯୋଗର ଶୀଘ୍ର ବିଚାର ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)