ଛତୁ ସ୍ଵାଦରେ ଯେମିତି ସ୍ୱତନ୍ତ୍ର ଠିକ୍ ସେହିପରି ପୌଷ୍ଟିକ ଗୁଣରେ ସମୃଦ୍ଧ ଅଟେ l ସହର ହେଉ ବା ଗାଁ ସମସ୍ତଙ୍କର ପସନ୍ଦ ଛତୁ ତରକାରୀ l ଏହାକୁ ଆଖିରେ ରଖି ବିଭିନ୍ନ ପ୍ରକାରର ଛତୁ ବଜାରରେ ବର୍ଷ ସାରା ଉପଲବ୍ଧ ହେଉଛି l ଏହି ଛତୁଚାଷ କରି ମହିଳା ଏବଂ ପୁରୁଷମାନେ ଉପଯୁକ୍ତ ଭାବରେ ଜୀବିକା ଅର୍ଜନ କରିପାରୁଛନ୍ତି l ଦିନକୁ ଦିନ ଛତୁର ବଜାର ଚାହିଦା ବୃଦ୍ଧି ହେଉଛି l ଏଥି ନିମନ୍ତେ ଉନ୍ନତ ପଦ୍ଧତିରେ ଏବଂ ବ୍ୟବସାୟିକ ଭିତିରେ ଛତୁ ଚାଷ କରିବା ଜରୁରୀ ଅଟେ l ଆଜି ଆମେ ଲାଭଜନକ ଉପାୟରେ ପାଳଛତୁ ଚାଷ ବିଷୟରେ ସବିଶେଷ ଆଲୋଚନା କରିବା l
ଆବଶ୍ୟକ ସାମଗ୍ରୀ: ପାଳଛତୁ ଚାଷ ନିମନ୍ତେ ନିମ୍ନଲିଖିତ ସାମଗ୍ରୀଗୁଡ଼ିକ ଆବଶ୍ୟକ ହୋଇଥାଏ l
ଆବଦ୍ଧ ସ୍ଥାନ- ଉତ୍ତମ ଭାବରେ ବାୟୁ ଚଳାଚଳ କରୁଥିବା ଏବଂ ଆବଦ୍ଧ ଘର ପାଳଛତୁ ଚାଷ ପାଇଁ ଉପଯୁକ୍ତ ହୋଇଥାଏ l ଯେପରି ଏହା ମଧ୍ୟକୁ ସିଧାସଳଖ ସୂର୍ଯ୍ୟ କିରଣ ପ୍ରବେଶ ନ କରେ କିମ୍ବା ଅଧିକ ବେଗରେ ପବନ ନ ବହେ l ଛତୁଚାଷର କୋଠରୀ ଅଳ୍ପ ମାତ୍ରାରେ ଆଲୋକିତ ହେବା ଦରକାର l
ନଡ଼ା- ଛତୁର ପଟାଳୀ ପ୍ରସ୍ତୁତ କରିବା ପାଇଁ ନଡ଼ାର ଆବଶ୍ୟକତା ପଡ଼ିଥାଏ l ଏହି ନଡ଼ାର ଶଯ୍ୟା ମଧ୍ୟରେ ଛତୁର ମଞ୍ଜି ରଖାଯାଇ ଥାଏ l ଏଥି ନିମନ୍ତେ ଧଳା ମୂଳିଆ ଭଲ ନଡ଼ା ଦରକାର ହୁଏ l ଗୋଟିଏ ଛତୁ ଭାଡ଼ି ପାଇଁ ୨୫ ରୁ ୩୦ ବିଡ଼ା ଦରକାର ହେବ l
ବିହନ ବା ଛତୁ ମଞ୍ଜି- ଛତୁ ମଞ୍ଜି ବୋତଲ ଆକାରରେ ବଜାରରେ ମିଳେ l ଏହାକୁ ସ୍ପନ କୁହାଯାଏ l ବୋତଲ ଭିତରୁ ସ୍ପନ ବାହାର କରାଯାଇ ଛତୁର ବେଡ଼ରେ ରଖାଯାଏ l
ହରଡ଼ ବା ବୁଟ ଗୁଣ୍ଡ- ଛତୁ ମଞ୍ଜିକୁ ପୃଷ୍ଟିସାର ଯୋଗାଇବା ପାଇଁ ଏହାକୁ ବ୍ୟବହାର କରାଯାଏ l ପ୍ରତ୍ୟେକ ଛତୁ ବେଡ ପିଛା ପ୍ରାୟ ୨୫୦ ଗ୍ରାମ ହରଡ଼ ବା ବୁଟ ଗୁଣ୍ଡ ଦରକାର ହୁଏ l
ଛତୁ ଚାଷର ପଦ୍ଧତି:
ପ୍ରଥମେ ନଡ଼ାକୁ ପାଣିରେ ୧୨ ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ l ଏହା ପରେ ପାଣିରୁ ବାହାର କରି ଆଉ ଥରେ ପରିଷ୍କାର କରି ଧୋଇ ଦିଅନ୍ତୁ l ଏଥିରେ ଲାଗିଥିବା ଅନାବନା ଅଳିଆକୁ ବାହାର କରିଦିଅନ୍ତୁ l ନଡ଼ାର ମୂଳ ଅଂଶକୁ ବିଡ଼ା କରି ଗରମ ପାଣିରେ ବୁଡ଼ାଇ ଦିଅନ୍ତୁ l ନଡ଼ା ଉପରେ ଗରମ ପାଣି ଛାଟିଲେ ମଧ୍ୟ ଉପଯୁକ୍ତ ଫଳ ମିଳିବ ଏବଂ ଏହା ଦ୍ୱାରା ନଡ଼ାରେ ଥିବା ଜୀବାଣୁମାନେ ମଧ୍ୟ ନଷ୍ଟ ହୋଇଯାଆନ୍ତି l ବିଶୋଧିତ ନଡ଼ାକୁ ସିଧାସଳଖ ଭାବରେ ରଖିଦିଅନ୍ତୁ l ଏହା ଫଳରେ ନଡ଼ାରେ ଥିବା ଅତିରିକ୍ତ ପାଣି ନିଗିଡ଼ି ଯିବ l ୨୫ ରୁ ୩୦ ବିଡ଼ା ନଡ଼ା ରଖିବା ପାଇଁ ଗୋଟିଏ ୨ ଫୁଟ ଲମ୍ବ ଓ ୨ ଫୁଟ ଓସାରର କାଠରେ ଭାଡ଼ି କରନ୍ତୁ l ଭୂମି ଠାରୁ ଅଧ ମିଟର ଉଚ୍ଚାରେ ଭାଡ଼ିଟି କରିଲେ ଭଲ ହେବ କାରଣ, ଭାଡ଼ିର ତଳ ଅଂଶରେ ହୋଈଥିବା ଛତୁକୁ ଏହା ଦ୍ୱାରା ତୋଳା ଯାଇପାରିବ l
ଭାଡ଼ିର ଉପରେ ପୂର୍ବ-ପଶ୍ଚିମ କରି ୯ ଇଞ୍ଚ ବହଳର ଭିଜା ନଡ଼ା ବିଛାଇ ଦିଅନ୍ତୁ l ଏହା ଉପରେ ଛତୁ ବିହନ ବୁଣନ୍ତୁ l ଛୋଟ ଛୋଟ ଖଣ୍ଡ କରି ୪-୫ ଇଞ୍ଚ ବ୍ୟବଧାନରେ ଛତୁ ମଞ୍ଜି ରଖିଦିଅନ୍ତୁ l ଛତୁ ବିହନ ଉପରେ ହରଡ଼ ବା ବୁଟ ଗୁଣ୍ଡ ୩ ଭାଗରୁ ୧ ଭାଗ ବୁଣନ୍ତୁ l ଏହା ଉପରେ ଉତ୍ତର-ଦକ୍ଷିଣ କରି ପୁନଶ୍ଚ ଭିଜା ନଡ଼ା ବିଛାଇ ଦିଅନ୍ତୁ l ପୂର୍ବ ଥର ଭଳି ଏହା ଉପରେ ସ୍ପନ ଏବଂ ହରଡ଼ ବା ବୁଟ ଗୁଣ୍ଡ ବୁଣନ୍ତୁ l ଦ୍ଵିତୀୟ ସ୍ତରର ଉପରେ ପୁଣି ଥରେ ପୂର୍ବ-ପଶ୍ଚିମ କରି ୯ ଇଞ୍ଚ ବହଳର ଭିଜା ନଡ଼ା ବିଛାଇ ଦିଅନ୍ତୁ l ପୂର୍ବ ଥର ଭଳି ଏହା ଉପରେ ସ୍ପନ ଏବଂ ହରଡ଼ ବା ବୁଟ ଗୁଣ୍ଡ ବୁଣନ୍ତୁ l ବଳକା ଛତୁ ମଞ୍ଜିକୁ ଭାଡ଼ିର ମଝିରେ ବୁଣି ଦିଅନ୍ତୁ l
ଉପରି ଭାଗରେ ୩ ଇଞ୍ଚିଆ ପରସ୍ତ ନଡ଼ାକୁ ଉତ୍ତର-ଦକ୍ଷିଣ କରି ବିଛାଇ ଦିଅନ୍ତୁ l ଏହି ପରି ଭାବରେ ନଡ଼ା ଗଦାଟିର ଉଚ୍ଚତା ୨.୫ ଫୁଟ ରୁ ୩ ଫୁଟ ମଧ୍ୟରେ ହେବା ଉଚିତ l ଏହାର ଚାରି ପାଖକୁ ଲମ୍ବିଥିବା ନଡ଼ାକୁ କାଟି ଦିଅନ୍ତୁ l ଛତୁ ଭାଡ଼ି କରିବାର ତୃତୀୟ ଦିନ ଠାରୁ ପାଣି ସିଞ୍ଚନ କରିବା ଆରମ୍ଭ କରନ୍ତୁ l ଥରକରେ ୧.୧୫ ଲିଟର ପାଣି ସିଞ୍ଚନ କରନ୍ତୁ l ପାଣିର ପରିମାଣର ଅତ୍ୟଧିକ ହେଲେ ଛତୁ ଅମଳ କମିଯାଇ ଥାଏ l ସମୟ ସମୟରେ ଛତୁ ଭାଡ଼ିରେ କବକ ମାଡିଯାଏ କିମ୍ବା ଗୋବର ଛତୁ ବ୍ୟାପିଯାଏ l ଛତୁର ଭାଡ଼ି ସଜଡ଼ା ସରିଲା ପରେ ଏହାକୁ ପଲିଥିନ ଜରିରେ ଘୋଡାଇ ଦିଅନ୍ତୁ l ୭-୮ ଦିନ ପରେ ପଲିଥିନ ବାହାର କରିଦିଅନ୍ତୁ lପଲିଥିନ ବାହାର କରିବାର ଗୋଟିଏ ଦିନ ପରେ ସ୍ପ୍ରେୟର ସାହାଯ୍ୟରେ ଦିନକୁ ୧-୨ ଥର ପାଣି ସ୍ପ୍ରେ କରନ୍ତୁ l
୧୧- ୧୪ ଦିନ ପରେ ଭାଡ଼ିରେ ଛତୁ ଫୁଟିବା ଆରମ୍ଭ ହୁଏ ଏବଂ ୩-୪ ଦିନ ପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ଫୁଟି ଥାଏ l ଏହା ପରେ ଛତୁ ଫୁଟିବା ହଠାତ ବନ୍ଦ ହୋଇଯାଏ l ପୁଣି ଏକ ସପ୍ତାହ ପରେ ଦ୍ଵିତୀୟ ଥର ପୁଣି ଛତୁ ଫୁଟିବା ଆରମ୍ଭ ହୋଇଯାଏ l ଟିଏ ଭାଡ଼ିରୁ ୨-୩ କି.ଗ୍ରା. ଛତୁ ଅମଳ ହୋଇଥାଏ l ଏହି ପରି ଭାବରେ ଛତୁ ଚାଷ କରିଲେ ଜଣେ ଚାଷୀ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l