ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସମସ୍ତ ଧାନ ମଣ୍ଡିଗୁଡିକରେ ଧାନକ୍ରୟ ସମୟରେ ଦେଖାଯାଇଥିବା ଅରାଜକତା ପରିସ୍ଥିତି ଯୋଗୁଁ ଚଳିତବର୍ଷ ଧାନକିଣାରେ ବ୍ୟାପକ ଅନିୟମିତତା ଚାଲିଛି। ଧାନକ୍ରୟରେ ସ୍ୱଚ୍ଛତା ଆଣିବା ପାଇଁ ଗଠନ ହୋଇଥିବା ଧାନ କ୍ରୟ କମିଟି ଏବଂ ଜିଲ୍ଲାସ୍ତରୀୟ ସ୍କାର୍ଡ ଟିମ୍ ଗୁଡିକ ନିଜ ଦାୟିତ୍ୱ ସଠିକ୍ ଭାବରେ ତୁଳାଉନଥିବା ମଧ୍ୟ ଦୃଷ୍ଟିକୁ ଆସିଛି। ଏହାର ଫାଇଦା ଉଠାଇ ଦଲାଲ ,ମିଲ୍ଲର୍ସ ଏବଂ ପ୍ୟାକ୍ସ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନକଲି ଭାଗଚାଷୀଙ୍କ ନାଁରେ ପ୍ରତ୍ୟହ ହଜାର ହଜାର କ୍ୱିଂଟାଲ ଧାନକିଣା ଯାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତମାନ ପ୍ରତିଦିନ ମଣ୍ଡିରେ ଚାଷୀଙ୍କ ବଦଳରେ ଦଲାଲମାନେ କେବଳ ଧାନ ବିକ୍ରି କରୁଥିବା ନଜରକୁ ଆସିଛି। ବାହାର ଜିଲ୍ଲାରୁ ଶହ ଶହ କ୍ୱିଂଟାଲ ଧାନ ଅଣାଯାଇ ଦଲାଲ ଖୋଲାଖୋଲି ମଣ୍ଡିରେ ଧାନ ବିକ୍ରି କରୁଥିବାବେଳେ ଜିଲ୍ଲା ସ୍କ୍ୱାର୍ଡ କମିଟି ପାଖରେ ଏ ଖବର ନଥିବା ସେମାନଙ୍କ କାର୍ଯ୍ୟକଳାପ ଓ ସ୍ୱଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ପ୍ରକାଶ ଯେ, ଚଳିତବର୍ଷ ଧାନକ୍ରୟ ପାଇଁ ବ୍ଲକର ୧୩ଟି ପ୍ୟାକ୍ସ ଜରିଆରେ ୧୯ଟି ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। ଚଳିତବର୍ଷ ଧାନବିକ୍ରି ପାଇଁ ୯ ହଜାର ୨୨୨ ଜଣ ଚାଷୀ ପଞ୍ଜିକରଣ କରିଥିବା ସୂଚନା ମିଳିଛି। ଜଳସେଚିତ ଜମି ଥିବା ଚାଷୀ ଏକରକୁ ୧୯ କ୍ୱିଂଟାଲ ଏବଂ ଅଣ ଜଳସେଚିତ ଜମି ପାଇଁ ୧୨ କ୍ୱିଂଟାଲ ଧାନ ଚାଷୀ ବିକ୍ରି ପାଇଁ ସୁବିଧା କରାଯାଇଛି। ଏହା ସତ୍ୱେ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀ ଚିହ୍ନଟ ପାଇଁ ଏକ ୭ଜଣିଆ ଧାନ କ୍ରୟ କମିଟି ସାଙ୍ଗକୁ ତଦାରଖ ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡଗଠନ କରାଯାଇ ଧାନବିକ୍ରି ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହା ପରେ ବି ବ୍ଲକରେ ସମସ୍ତ ପଂଚାୟତରେ ଧାନ ବେପାରୀମାନେ ସ୍ଥାନୀୟ ପ୍ୟାକ୍ସ ସଂପାଦକ ଏବଂ ଡାଟାଏଂଟ୍ରି ଅପରେଟରକୁ ହାତ କରି ଆଟ ଜମିକୁ ଜଳସେଚିତ ଜମି ଦର୍ଶାଇ,ଜମିହୀନ ,ଭୁମିହୀନ ,କମ ପରିମାଣର ଜମିଥିବା ଲୋକଙ୍କ ନାଁରେ ନକଲୀ ଭାଗ ଚାଷୀ ଭାବରେ ନାମ ପଞ୍ଜିକରଣ କରି ଗଳାବାଟ ସାହାଯ୍ୟରେ ବେପାରୀମାନେ ପ୍ରତ୍ୟହ ଶହ ଶହ କ୍ୱଂଟାଲ ଧାନ ବିକ୍ରି କରୁଥିବା ଅଭିଯୋଗ ହେଉଛି। ରାତି ଅଧିଆ ଟ୍ରକ ସାହାଯ୍ୟରେ ମଣ୍ଡି ପୂର୍ବରାତିରୁ ମିଲ୍ଲର୍ସକୁ ଧାନ ଦିଆଯାଇ ପରେ ପ୍ୟାକ୍ସ ଅଧିକାରୀଙ୍କୁ ଧରି ଫଲ୍ସଏଂଟ୍ରି କରାଯାଉଥିବା ଜଣାପଡିଛି। ପ୍ରକୃତ ଚାଷୀ ପାଇଁ ଖୋଲାଯାଉଥିବା ଧାନମଣ୍ଡିରେ ଏଭଳି ଅରାଜକତା ଯୋଗୁଁ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀସଂଖ୍ୟା କମ୍ ନଜରକୁ ଆସୁଥିବାବେଳେ ବେପାରୀଙ୍କ ସଂଖ୍ୟା ସବୁ କ୍ରୟଦିନ ଦେଖିବାକୁ ମିଳୁଛି। ଅନ୍ୟପଟେ ମଣ୍ଡିଗୁଡିକରେ ଧାନକ୍ରୟ ସମୟରେ ଆର.ଏମ.ସି କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ବିନା ପରୀକ୍ଷାରେ ଧାନ କ୍ରୟ କରାଯାଉଛି। ଏହାର ଫାଇଦା ଉଠାଇ ମିର୍ଲ୍ଲସ ମନଇଛା କ୍ୱିଂଟାଲକୁ ୩ରୁ ୪କେ.ଜି ଧାନ କଟନୀ କରି ବେଶ ଲାଭବାନ ହେଉଥିବା ବେଳେ ଚାଷୀ କ୍ଷତି ସହୁଛି। ଅନ୍ୟପଟେ ବଢିଆ ଜମିରେ ବନ୍ୟାରେ ଧାନ ଫସଲ ଅନେକ ଚାଷୀଙ୍କ ଧୋଇ ନେଇଥିବାବେଳେ ସେହି ଚାଷୀଙ୍କ କାର୍ଡକୁ ବେପାରୀ ଭାଡାରେ ଆଣି ବାହାର ଜିଲ୍ଲାରୁ ଶହ ଶହ କ୍ୱିଂଟାଲ ଧାନ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି। ଧାନକ୍ରୟରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ରରେ ସି.ସି.ଟିଭି ଲଗାଇବା ନିୟମ ରହିଥିଲେ ମଧ୍ୟ କ୍ୟାମେରା ଲଗାଯାଉ ନ ଥିବାରୁ ମଣ୍ଡିରେ ଚାଷୀ ତୁଳନାରେ ଦଲାଲ ସକ୍ରିୟ ହୋଇ ଉଠୁଛନ୍ତି। ମିର୍ଲ୍ଲସ ବ୍ୟାଗରେ ଧାନକିଣା ଯିବା ବଦଳରେ ଚାଷୀ ବ୍ୟାଗକୁ ମିର୍ଲ୍ଲସ ନେଇ ସେ ପଇସା ଫେରାଉନଥିବା ମଧ୍ୟ ଅଭିଯୋଗ ହେଉଛି। ବିଶେଷକରି ବ୍ଲକର ମଥୁରା, ସାମ୍ପୋଚ୍, ତିଲେଶ୍ୱର, ରାମଗଡ, ହରଭଙ୍ଗା, ବାମଣ୍ଡା, ସରସରା , ପୁରୁଣାକଟକ, ଲୁଣିବାହାଲ, ଆଡେଣିଗଡ, କୁଶଙ୍ଗ, ରାମଗଡ ଭଳି ମଣ୍ଡିରେ ଏଭଳି ଧାନବିକ୍ରି ବହୁସଂଖ୍ୟାରେ ଚାଲିଥିବା ଅଭିଯୋଗ ହେଉଛି। ମନଇଚ୍ଛା ନକଲୀ ଭାଗ ଚାଷୀଙ୍କ ନାମ ପଞ୍ଜିକରଣ ଯୋଗୁଁ ପ୍ରତିବର୍ଷ ଚାଷୀ ପଞ୍ଜିକରଣ ସଂଖ୍ୟାରେ କୌଣସି ତାଳମେଳ ରହୁଥିବା ଦେଖିବାକୁ ମିଳୁଛି। ମଣ୍ଡି ପରିଚାଳନାରେ ଅରଜକତା ଓ ଅବ୍ୟବସ୍ଥା ମଧ୍ୟରେ ଧାନକ୍ରୟ କରାଯାଉଥିବାରୁ ବେପାରୀମାନେ ମନଇଚ୍ଛା ମିଲ୍ଲର୍ସକୁ ଧାନ ଦେଇ ସଂପାଦକଙ୍କୁ କ୍ୱିଂଟାଲ ପିଛା ଶହେରୁ ଦେଢଶହ ହାତ ଗୁଞ୍ଜା ଦେଇ ଫଲ୍ସ ଏଂଟ୍ରି କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏଭଳି ଅବ୍ୟବସ୍ଥା ପ୍ରତି ପ୍ରଶାସନିକ ସ୍କାର୍ଡ ଧାନ କ୍ରୟ କମିଟି ଚେୟାରମ୍ୟାନଙ୍କ ନଜର ନପଡିବା ବିଭାଗୀୟ କାର୍ଯ୍ୟକଳାପପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି। ଏଠି ପ୍ରଶ୍ନଉଠୁଛି ଯେ, ଯଦି ପ୍ରତିବର୍ଷ ଚାଷୀ ଏବଂ ଭାଗଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଉଛି ତାହା ହେଲେ ବ୍ଲକର କୃଷିବିଭାଗ ରିପୋର୍ଟ ସହିତ ଧାନ ଚାଷ ଜମିର ପରିମାଣ ସଂଖ୍ୟା ସେହି ଅନୁସାରେ ବୃଦ୍ଧି ପାଇବା ଏବଂ କୃଷି ବିଭାଗ ରିପୋର୍ଟ ସହିତ ଜଳସେଚିତ ଏବଂ ଅଣ ଜଳସେଚିତ ଜମିର ହାର ତାଳମେଳ ରହୁନଥିବା ଲକ୍ଷ୍ୟ କଲେ ବ୍ଲକରେ ଧାନକିଣାରେ ଏକ ବଡ ଧରଣର ରାକେଟ ଚାଲିଥିବା ସ୍ପଷ୍ଟ ପ୍ରମାଣ ମିଳୁଛି। ଯାହାର ଫାଇଦା ଉଠାଇ ଚାଷୀଙ୍କ ନାଁରେ ବେପାରୀ, ଦଲାଲ, ମିଲ୍ଲର୍ସ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଥିବା ବେଳେ ପ୍ରକୃତଚାଷୀ ଏଥିରୁ ବାଦ୍ ପଡୁଥିବା ଦେଖିବାକୁ ମିଳୁଛି। ଏସବୁ ସତ୍ୱେ ଦାୟିତ୍ୱରେ ଥିବା ପ୍ରଶାସନିକ କର୍ମଚାରୀ ସବୁ ଜାଣି ନ ଜାଣିଲା ପରି ଚୁପ୍ ବସିବା ଘଟଣା ଧାନକିଣା ଦୁର୍ନୀତିକୁ ଏକପ୍ରକାର ପ୍ରତ୍ସୋହନ ଯୋଗାଉଥିବା କୁହାଯାଉଛି। ଏଣୁ ଚଳିତବର୍ଷ ପ୍ରତି ପ୍ୟାକ୍ସ ଅଧିନରେ ହୋଇଥିବା ନକଲୀ ଭାଗଚାଷୀଙ୍କ ନାମ ପଞ୍ଜିକରଣଗୁଡିକର ଅସଲି ତଦାରଖ ସହିତ ଧାନକ୍ରୟ ସମୟରେ ପ୍ରତି ମଣ୍ଡିରେ ଅଚାନକ ଚଢଉ କରାଗଲେ ମିଲ୍ଲର୍ସ,ଦଲାଲ୍ ଏବଂ ପ୍ୟାକ୍ସ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ଧାନକିଣା ଦୁର୍ନୀତିର ଗୁମର ଫିଟିପାରନ୍ତା ବୋଲି ଚାଷୀ ମହଲରୁ ଦାବି ହେଉଛି।