ସମ୍ବଲପୁର ନିକଟସ୍ଥ ହୀରାକୁଦ ବନ୍ଧ ବିଷୟରେ ସମସ୍ତଙ୍କୁ ଉଣା ଅଧିକେ ଜଣା ଅଛି l ପର୍ଯ୍ୟଟକମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ବନ ବିଭାଗ ଏଠାରେ 'ହୀରାକୁଦ କୄଜ୍' ନାମରେ ଏକ ନୌବିହାର ପ୍ରକଳ୍ପ ହାତକୁ ନେବାକୁ ଯାଉଛି l ଏହି ପ୍ରକଳ୍ପ ସହିତ ଆଉ ଗୋଟିଏ ନୂଆ ପୃଷ୍ଠା ଯୋଡି ହେବାକୁ ଯାଉଛି, ତାହା ହେଉଛି 'ବ୍ୟାଟ୍ ଆଇଲ୍ୟାଣ୍ଡ' ଭ୍ରମଣ l
ଏହି ସ୍ଥାନଟି ହୀରାକୁଦ ଡ୍ୟାମର ଜିରୋ ପଏଣ୍ଟ ଠାରୁ ୧୦ କିଲୋମିଟର ଦୂରରେ ଏବଂ ଡେବ୍ରିଗଡ ଇକୋ-ଟୁରିଜିମ କେନ୍ଦ୍ର ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ l ପର୍ଯ୍ୟଟକମାନେ ହୀରାକୁଦ ଡ୍ୟାମର ଜିରୋ ପଏଣ୍ଟ ଠାରୁ ୧୦ ମିନିଟ ଡଙ୍ଗାରେ ଯାଇ ସେଠାରେ ଥିବା ମହୁଲତାଳୁ ଗାଁରେ ପହଞ୍ଚି ପାରିବେ l ମହୁଲତାଳୁ ଗାଁରେ ୨୦ ରୁ ୨୫ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି l ଖରା ଦିନେ ମହୁଲତାଳୁ ଗାଁ ଠାରୁ ପାଦରେ ଚାଲି କରି ଏହି 'ବ୍ୟାଟ୍ ଆଇଲାଣ୍ଡ'ରେ ପହଞ୍ଚି ହେବ l ପାଖାପାଖି ଦୁଇ ହେକ୍ଟର ଅଞ୍ଚଳରେ ଏହି ବ୍ୟାଟ ଆଇଲାଣ୍ଡ ରହିଛି l ଗ୍ରୀଷ୍ମ ଋତୁରେ ଜଳ ସ୍ତର କମିଯିବା ପରେ ଏହି ଟାପୁକୁ ପାଦରେ ଚାଲି କରି ମଧ୍ୟ ଯାଇ ହେବ ଏବଂ ବାଦୁଡ଼ିମାନଙ୍କୁ ଦେଖିହେବ l ଏହି ଟାପୁଟି ଅତ୍ୟନ୍ତ ଗହଳିଆ ଅଟେ ଏବଂ ଛାୟାପ୍ରଦ ଗଛଗୁଡ଼ିକରେ ପୁରିରହିଛି l ଏଠାରେ ସିଧାସଳଖ ସୂର୍ଯ୍ୟକିରଣ ପଡୁନାହିଁ କହିଲେ ଚଳେ l ଯେଉଁଥି ପାଇଁ ବାଦୁଡ଼ିମାନେ ନିଜର ବାସସ୍ଥାନ ପାଇଁ ଏହି ପରିବେଶଟିକୁ ବାଛି ନେଇଛନ୍ତି l ଏହି ସ୍ଥାନରେ ବାଦୁଡ଼ିମାନଙ୍କୁ ପ୍ରଚୁର ଖାଦ୍ୟ ମଧ୍ୟ ମିଳୁଛି ତେଣୁ ହଜାର ହଜାର ସଂଖ୍ୟାରେ ବାଦୁଡ଼ି ଏଠାରେ ଦେଖାଯାଉଛନ୍ତି l
ପର୍ଯ୍ୟଟକମାନେ ନୌବିହାର କରିବା ସଙ୍ଗେ ସଙ୍ଗେ ଏଠାରେ ଏକ ଟାପୁରେ ଶହ ଶହ ସଂଖ୍ୟାରେ ରହିଥିବା ବାଦୁଡ଼ିମାନଙ୍କୁ ମଧ୍ୟ ଦେଖିପାରିବେ l ଏଥି ପାଇଁ ବନ ବିଭାଗ ଅଳ୍ପ କଟକଣା ରଖିଛି l ବାଦୁଡ଼ିମାନଙ୍କୁ ହରକତ ନକରି ଦୂରରୁ ବାଇନୋକୁଲାର ମାଧ୍ୟମରେ ଦେଖାଯାଇପାରିବ ବୋଲି ବନ ବିଭାଗ ଅଧିକାରୀ ଜଣାଇଛନ୍ତି l ଏହି 'ବ୍ୟାଟ୍ ଆଇଲାଣ୍ଡ'ର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଦାୟିତ୍ୱ ସେଠାରେ ରହୁଥିବା ୧୨ଟି ମତ୍ସ୍ୟଜୀବୀ ପରିବାରମାନଙ୍କୁ ଦିଆଯାଇଛି ବୋଲି ହୀରାକୁଦର ଜଙ୍ଗଲ ବିଭାଗ ଅଧିକାରୀ, ଶ୍ରୀଯୁକ୍ତ ଅଂଶୁପ୍ରଜ୍ଞା ଦାସ ଜଣାଇଛନ୍ତି l ପର୍ଯ୍ୟଟକମାନେ ଟୁର ଗାଇଡ଼ମାନଙ୍କ ସାହାଯ୍ୟରେ ବାଇନୋକୁଲାର ନେଇ ବାଦୁଡ଼ିମାନଙ୍କୁ ଦେଖି ଆନନ୍ଦ ଉପଭୋଗ କରିପାରିବେ l ଖୁବ ଶୀଘ୍ର ଏହି 'ବ୍ୟାଟ୍ ଆଇଲ୍ୟାଣ୍ଡ' ହୀରାକୁଦ ପର୍ଯ୍ୟଟନର ଏକ ଆକର୍ଷଣୀୟ ଅଂଶ ହେବାକୁ ଯାଉଛି l