News

ଝାରସୁଗୁଡ଼ା ଜିଲ୍ଲାରେ ମରୁଡ଼ି ପରିସ୍ଥିତି, ଉଠା ଜଳସେଚନ ଅଚଳ !!

ଝାରସୁଗୁଡ଼ା ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତ ବର୍ଷ ବୃଷ୍ଟି ହୀନତା ଚାଷ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ଜଳ ସଂକଟ କେବଳ ଚାଷ ପାଇଁ ନୁହେଁ ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି। ଗାଁ ଗଣ୍ଡାରେ ଥିବା ବନ୍ଧଗୁଡ଼ିକ ଏବେ ଶୁଖିଲା ପଡ଼ିଛି। ଯେଉଁ ଜଳଉତ୍ସଗୁଡ଼ିକ ଏବେ

11 September, 2021 11:32 AM IST By: Sugyan Kumar Nayak

ଝାରସୁଗୁଡ଼ା ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତ ବର୍ଷ ବୃଷ୍ଟି ହୀନତା ଚାଷ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ଜଳ ସଂକଟ କେବଳ ଚାଷ ପାଇଁ ନୁହେଁ ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି। ଗାଁ ଗଣ୍ଡାରେ ଥିବା ବନ୍ଧଗୁଡ଼ିକ ଏବେ ଶୁଖିଲା ପଡ଼ିଛି। ଯେଉଁ ଜଳଉତ୍ସଗୁଡ଼ିକ ଏବେ

ବର୍ଷାଜଳରେ ଉଛୁଳି ଉଠିବା କଥା, ସେଠାରେ ମାଟି ଦେଖାଯାଉଛି। ଜିଲ୍ଲାରେ ଥିବା ଇବ୍‌ନଦୀ, ଭେଡେନ୍‌ ନଦୀ, ଖେରୁଆଳ ନଦୀରେ ଏ ବର୍ଷ ବନ୍ୟାଜଳ ପ୍ରବାହିତ ହୋଇନାହିଁ। ଚଳିତ ବର୍ଷ ଜିଲ୍ଲାରେ ଗୋଟିଏ ମଧ୍ୟ ବଡ଼ ବର୍ଷା ହୋଇ ନଥିବା ପାଣିପାଗ ବିଭାଗ ରେକର୍ଡରୁ ଜଣା ପଡ଼ିଛି। ଅଗଷ୍ଟ ମାସରେ ପ୍ରବଳ ବର୍ଷା ହେଉଥିବା ବେଳେ ଏହି ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ସେପ୍ଟେମ୍ବର ମାସ ଦ୍ଵିତୀୟ ସପ୍ତାହ ହୋଇଯାଇଥିଲେ ମଧ୍ୟ ଗୋଟିଏ ମଧ୍ୟ ଭଲ ବର୍ଷା ହୋଇ ନାହିଁ। ପାରମ୍ପରିକ ଜଳସେଚନ ବ୍ୟବସ୍ଥା କେବେ ଠାରୁ ବନ୍ଦ ହୋଇଗଲାଣି। ବିଲରେ ଧାନ ବୁଣିଥିବା ଚାଷୀ ବିଭିନ୍ନ ଉପାୟରେ ଜଳସେଚନ କରି ଧାନଗଛ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ସଫଳ ହୋଇପାରୁ ନାହଁନ୍ତି l ଚଳିତ ମାସ ୬୦ ପ୍ରତିଶତରୁ ମଧ୍ୟ କମ୍‌ ବର୍ଷା ହୋଇଥିବାରୁ ଏହା କୌଣସି କାମରେ ଆସି ନଥିଲା।

ଏଭଳି ପରିସ୍ଥିତିରେ ଜିଲ୍ଲାରେ ଥିବା ଉଠା ଜଳସେଚନ କେନ୍ଦ୍ରଗୁଡ଼ିକ ଚାଷୀଙ୍କୁ ବରଦାନ ସଦୃଶ ହେବା କଥା। ମାତ୍ର ଜିଲ୍ଲାର ଉଠା ଜଳସେଚନଗୁଡ଼ିକ ସବୁବେଳେ ସମସ୍ୟା ଭିତରେ ପଡ଼ି ରହୁଥିବା ଦେଖା ଯାଇଛି। କେଉଁ ଉଠା ଜଳସେଚନ କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ତ ଆଉ କେଉଁ କେନ୍ଦ୍ର ଦୀର୍ଘ ବର୍ଷରୁ ସଂପୂର୍ଣ୍ଣ ଖରାପ ହୋଇପଡ଼ିଛି। ଜିଲ୍ଲା ଉଠା ଜଳସେଚନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଥିବା ମୋଟ ୩୮୪ ଗୋଟି ଉଠା ଜଳସେଚନ କେନ୍ଦ୍ର ମଧ୍ୟରୁ ୪୯ଟି ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିବା ବେଳେ ୩୩୫ଟି ଚଳିବା ଅବସ୍ଥାରେ ରହିଛି। ୧୯୨ଟି କେନ୍ଦ୍ର ଏବେ ଚାଲୁଥିବା ବେଳେ ୧୭ଟି କେନ୍ଦ୍ର ପ୍ରସ୍ତୁତ ଥିବା ଓ ଆଗକୁ କାର୍ଯ୍ୟକ୍ଷମ ହେବା କୁହାଯାଇଛି। ଜିଲ୍ଲାର ୪୭ଟି କେନ୍ଦ୍ରରେ ବିଦ୍ୟୁତ୍‌ ଯୋଗାଣରେ ସମସ୍ୟା ଯୋଗୁଁ ଏହା ଅଚଳ ହୋଇ ପଡ଼ିଛି। ଅନ୍ୟାନ୍ୟ ୭୫ଟି ଉଠାଜଳସେଚନ କେନ୍ଦ୍ରରେ ବିଭିନ୍ନ ସମସ୍ୟା ରହିଥିବା ଜଣାଯାଇଛି । ଅଚଳ ହୋଇପଡ଼ିଥିବା ଉଠାଜଳସେଚନ କେନ୍ଦ୍ରଗୁଡ଼ିକୁ ସଚଳ କରିବାକୁ ସାଧାରଣରେ ଦାବି ହେଉଛି l