ଭିତରକନିକା ଅଭୟାରଣ୍ୟ ମଧ୍ୟରେ ରହିଥିବା ଗ୍ରାମଗୁଡ଼ିକରେ କୁମ୍ଭୀର ଆକ୍ରମଣ ଘଟଣା ଦିନକୁ ଦିନ ଅଧିକ ହେବାରେ ଲାଗିଛି l ଗତ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଶ୍ରୀରାମପୁର ଗ୍ରାମର ଜନୈକ କୃଷକ, ବସନ୍ତ ପରିଡ଼ା (ବୟସ ୪୫ ବର୍ଷ) ବିଲରେ କାମ ସାରି ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ଅଳ୍ପ ପାଣିରୁ ତାଙ୍କୁ କୁମ୍ଭୀର ଘୋଷାଡ଼ି ନେଇଥିଲା l ତାଙ୍କର କ୍ଷତବିକ୍ଷତ ମୃତ ଦେହକୁ ଶନିବାର ଅପରାହ୍ନରେ ନଦୀରୁ ଉଦ୍ଧାର କରାଯାଇଥିଲା l
ଶ୍ରୀରାମପୁରର ସରପଞ୍ଚ, ଶ୍ରୀଯୁକ୍ତ ବିରଞ୍ଚିନାରାୟଣ ଦାସ ଜଣାଇଛନ୍ତି ଯେ, ବ୍ୟକ୍ତିଜଣକ ଆଣ୍ଠୁଏ ପାଣିରେ ଗାଧୋଇବା ସମୟରେ ଏହି ଦୁର୍ଘଟଣା ଘଟିଥିଲା l ପାଖରେ ଥିବା ଲୋକମାନେ ହୋ ହାଲ୍ଲା କରିଥିଲେ ମଧ୍ୟ ତାଙ୍କୁ କୁମ୍ଭୀର ଗଭୀର ଜଳକୁ ଟାଣି ନେଇଥିଲା l ଭିତରକନିକା ଅଭୟାରଣ୍ୟର ଡିଭିଜନାଲ ଫରେଷ୍ଟ ଅଫିସର, ଜେ.ଡି. ପତି କହିଛନ୍ତି ଯେ, ଘଟଣାର ତଦନ୍ତ ସାରିବା ପରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କର ପରିବାର ବର୍ଗଙ୍କୁ ଜଙ୍ଗଲ ବିଭାଗ ତରଫରୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ l
ଗତ ତିନିମାସ ମଧ୍ୟରେ ଏହା ହେଉଛି ଚତୁର୍ଥ ଘଟଣା l ଜୁଲାଇ ୨୭ ତାରିଖରେ ଶିଶୁଆ ଗ୍ରାମର ହରିହର ସ୍ୱାଇଁ (ବୟସ ୪୮ ବର୍ଷ) କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଛନ୍ତି l ଜୁନ ୧୨ ତାରିଖରେ ଭିତରକନିକା ନିକଟବର୍ତ୍ତୀ ଭେକ୍ଟା ଗ୍ରାମର ଜନୈକ ମହିଳା ଉମାରାଣୀ ପାତ୍ର (ବୟସ ୪୫ ବର୍ଷ) ନାଳ ଭିତରେ ମାଛ ମାରିବା ସମୟରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଛନ୍ତି l ସେହିପରି ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ଧଳ (ବୟସ ୫୨ ବର୍ଷ) ନାମକ ବ୍ୟକ୍ତି ଜୁନ ୧୪, ୨୦୨୧ରେ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ସମୟରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଛନ୍ତି l ଏହା ପରଠାରୁ ନଦୀକୂଳ ଅଂଚଳର ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି l