News

ଚାଷୀ ରାଜନୀତି ଘନେଇଲା : ମୁହାଁମୁହିଁ ସ୍ଥିତିରେ ବିଜେଡି-ବିଜେପି

ଭୁବନେଶ୍ବର : ଚାଷୀ ପ୍ରସଙ୍ଗ ନେଇ ବିଜେଡି-ବିଜେପି ବିବାଦ କ୍ରମଶଃ ତେଜିବାରେ ଲାଗିଛି। ଧାନ କିଣା ଅବ୍ୟବସ୍ଥା କ୍ଷେତ୍ରରେ ସରକାରଙ୍କ ବିରୋଧରେ ମାଳମାଳ ଅଭିଯୋଗ ଆଣି ବିଜେପି ସମ୍ବଲପୁର ଆର୍‌ଡିସି କାର୍ଯ୍ୟାଳୟ ଘେରାଉ କରିବାକୁ ଘୋଷଣା କରିଛି। ସେପଟେ ବିଜେଡି ଏହାର ଜବାବ ଦେଇ କହିଛି ଯେ କୃଷି ଆଇନ୍ ବିରୋଧରୁ ନଜର ହଟାଇବାକୁ ବିଜେପି ଏଭଳି ଘେରାଉ ଡାକରା ଦେଇଛି। ସେମାନଙ୍କର ଏହା ଏକ ରାଜନୈତିକ ଷଡ଼୍‌ଯନ୍ତ୍ର। ଗତ ଦୁଇ ଦିନ ଧରି ଉଭୟ ଦଳ ଚାଉଳ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇ ରହିଥିବା ବେଳେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ ବିଜେଡିର ଜବାବ ରାଜ୍ୟ ରାଜନୀତିରେ ଉଷ୍ମତା ଭରି ଦେଲାଣି।

21 January, 2021 3:28 PM IST By: KJ Staff

ଭୁବନେଶ୍ବର : ଚାଷୀ ପ୍ରସଙ୍ଗ ନେଇ ବିଜେଡି-ବିଜେପି ବିବାଦ କ୍ରମଶଃ ତେଜିବାରେ ଲାଗିଛି। ଧାନ କିଣା ଅବ୍ୟବସ୍ଥା କ୍ଷେତ୍ରରେ ସରକାରଙ୍କ ବିରୋଧରେ ମାଳମାଳ ଅଭିଯୋଗ ଆଣି ଆସନ୍ତାକାଲି ବିଜେପି ସମ୍ବଲପୁର ଆର୍‌ଡିସି କାର୍ଯ୍ୟାଳୟ ଘେରାଉ କରିବାକୁ ଘୋଷଣା କରିଛି। ସେପଟେ ବିଜେଡି ଏହାର ଜବାବ ଦେଇ କହିଛି ଯେ କୃଷି ଆଇନ୍ ବିରୋଧରୁ ନଜର ହଟାଇବାକୁ ବିଜେପି ଏଭଳି ଘେରାଉ ଡାକରା ଦେଇଛି। ସେମାନଙ୍କର ଏହା ଏକ ରାଜନୈତିକ ଷଡ଼୍‌ଯନ୍ତ୍ର। ଗତ ଦୁଇ ଦିନ ଧରି ଉଭୟ ଦଳ ଚାଉଳ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇ ରହିଥିବା ବେଳେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ ବିଜେଡିର ଜବାବ ରାଜ୍ୟ ରାଜନୀତିରେ ଉଷ୍ମତା ଭରି ଦେଲାଣି।

ବିଜେପି ପକ୍ଷରୁ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଛିଡ଼ା କରିଛନ୍ତି। କହିଛନ୍ତି, ରାଜ୍ୟ ସରକାରଙ୍କ ଧାନମଣ୍ଡିରେ ସର୍ବନିମ୍ନ ଭିତ୍ତିଭୂମିର ବ୍ୟବସ୍ଥା ନାହିଁ। ମଣ୍ଡି ଗୁଡିକରେ ଚଟାଣ, ପାନୀୟ ଜଳ, ପାଲ, ମାପ ଓଜନ ବିଜୁଳି ଆଦି ସୁବିଧା ନାହିଁ। କେନ୍ଦ୍ର ସରକାର ଦେଉଥିବା ଧାନ ଅଖା, ସୁତୁଲି, ଶ୍ରମିକ ଖର୍ଚ୍ଚ, ଯାତାୟତ ଖର୍ଚ୍ଚକୁ ଚାଷୀଙ୍କ ପାଖରେ ପହଁଚାଯାଉନାହିଁ। ରାଜ୍ୟ ସରକାର ତୁରନ୍ତ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରନ୍ତୁ ଓ କେଉଁ ଜିଲ୍ଲାରୁ କେତେ ଧାନ କିଣାଯିବ ତାହା ଜିଲ୍ଲା ଡିଏଲ୍‌ପିସି ମାଧ୍ୟମରେ ଲକ୍ଷ୍ୟଧାର୍ଯ୍ୟ କରାଯାଉ। କେବଳ ସେତିକି ନୁହେଁ, ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ବିଣ୍ଟାଲ ଓ ଜଲସେଚିତ ଜମିରୁ ୧୯ କ୍ବିଣ୍ଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ସମସ୍ତ ଉତ୍ପାଦିତ ଧାନକୁ ସରକାର କିଣିବା ଦରକାର। ସେହିଭଳି ଚଳିତ ଖରିଫ ଋତୁରେ ଯେଉଁସବୁ ଟୋକନ୍‌ ଅଚଳ ହୋଇଛି, ତାକୁ ପୁନଃ କାର୍ଯ୍ୟକ୍ଷମ କରିବା, ମଣ୍ଡିରେ ପଡିଥିବା ଧାନକୁ ଉଠାଇବା, କଟ୍‌ନି ଛଟ୍‌ନି ବନ୍ଦ କରିବା, କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପଠାଇବା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ବିଜେପି କହିଛି, ଏବେ ବି ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁନାହାନ୍ତି। ଏଫଏକ୍ୟୁ ଆଳରେ କଟ୍‌ନି ଛଟ୍‌ନିରେ ୧୦ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି। କେନ୍ଦ୍ରସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଞ୍ଚିତ ହେଉଛନ୍ତି। କୃଷକ ସମ୍ମାନ ନିଧି ଯୋଜନାରେ ରାଜ୍ୟ ସରକାର ପ୍ରଥମ କିସ୍ତିରେ ୪୦ଲକ୍ଷ ଚାଷୀଙ୍କ ତାଲିକା ଅର୍ଥ ଦେଇଥିବାବେଳେ ଏହା ଏବେ କମି ୧୦ ଲକ୍ଷରେ ପହଞ୍ଚିଛି। ସେହିଭଳି ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ଅନ୍ୟପଟେ ରାଜ୍ୟ ସରକାର ମିଲରମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି। ଏହା ବିରୋଧରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର ଅଧୀନରେ ଥିବା ୩୫ଟି ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀର ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହି ବିକ୍ଷୋଭରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରି ତଥା ସାଂସଦ ତଥା ବିଜୟ ପାଲ ସିଂ ତୋମର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ପଷ୍ଟିମ ଓଡିଶାର ସମସ୍ତ ବିଜେପି ସାଂସଦ ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ପ୍ରମୁଖ ଯୋଗଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ। ଏହାର ତୁରନ୍ତ ଜବାବ ଦେଇଛି ବିଜେଡି। ବିଧାୟକ ପ୍ରତାପ ଦେବ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ରର କୃଷି ଆଇନ୍‍କୁ ଏବେ ସାରା ଦେଶରେ ବିରୋଧ ବଢିବାରେ ଲାଗିଛି। ଓଡିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି। ରାଜ୍ୟସଭାରେ ଧ୍ୱନି ମତରେ ବିଲ୍‍ ପାସ୍ କରାଇ କେନ୍ଦ୍ର ସରକାର ଅଡୁଆରେ ପଡ଼ିଥିବାବେଳେ ସେଥିରୁ ନଜର ହଟାଇବା ପାଇଁ ଏବେ ଷଡଯନ୍ତ୍ର ଆରମ୍ଭ ହୋଇଛି। ଏହାର ଫଳସ୍ୱରୂପ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହକୁ ଆଳ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଆର୍‌ଡିସି ଅଫିସ ଘେରାଉ ଘୋଷଣା କରିଛି।

ଶ୍ରୀ ଦେବ କହିଛନ୍ତି ଯେ, ରାଜ୍ୟ ସରକାର ୨୦୦୩-୦୪ ବେଳକୁ ୧୦ରୁ ୧୧ଲକ୍ଷ ମେଟ୍ରିକ୍ ଟନ୍‍ ଧାନ ସଂଗ୍ରହ କରୁଥିବାବେଳେ ଏବେ ୬୫ରୁ ୭୦ଲକ୍ଷ ମେଟ୍ରିକ୍ ଟନ୍‍ ଧାନ ସଂଗ୍ରହ କରୁଛନ୍ତି। ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୨୫ରୁ ୨୬ଲକ୍ଷ ମେଟ୍ରିକ୍ ଟନ୍‍ ଚାଉଳ ଆବଶ୍ୟକ ପଡୁଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଯେତିକି ଧାନ ସଂଗ୍ରହ ହୋଇଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୨୫ ପ୍ରତିଶତ ଅଧିକ ରହିଛି। ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ଅଛି। ତେଣୁ ସରକାର ଧାନ ଉଠାଉ ନାହାନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି ସେଥିରେ କୌଣସି ସତ୍ୟତା ନାହିଁ। ବିଜେଡି କହିଛି, ରାଜ୍ୟ ସରକାର ଧାନ ସଂଗ୍ରହ କ୍ଷେତ୍ରରେ ଟୋକନ ବ୍ୟବସ୍ଥା ଦ୍ୱାରା ଯେଉଁ ସ୍ୱଚ୍ଛତା ନୀତି ଆପଣେଇଛନ୍ତି ତାହା ଦ୍ୱାରା ମଧ୍ୟସ୍ଥି ବ୍ୟବସ୍ଥାର ପରିସମାପ୍ତି ଘଟିଛି। ହେଲେ ଏକ ରାଜନୈତିକ ଚିନ୍ତାଧାରାରେ ସରକାରଙ୍କୁ କାଠଗଡାରେ ଛିଡ଼ା କରାଇବା ପାଇଁ ବିଜେପି ସବୁବେଳେ ଉଦ୍ୟମ କରୁଛି। ଯଦି କୃଷି ଆଇନ୍‍କୁ ଚାଷୀ ବୁଝିପାରୁ ନାହାନ୍ତି ତେବେ ଭାରତ ସରକାର ତାଙ୍କୁ ବୁଝାନ୍ତୁ। ହେଲେ ତାହା ନକରି ରାଜ୍ୟ ସରକାର ଏୟା କଲେ ସେୟା କଲେ ବୋଲି ବିଜେପି ନେତାମାନେ କହି ବୁଲୁଛନ୍ତି। ବିଜେପି ନେତାମାନେ ସରକାରଙ୍କ ଧାନ କିଣା କଥା ଚିନ୍ତା ନ କରି କେନ୍ଦ୍ରର କୃଷି ଆଇନ୍‍ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବା ପାଇଁ ଶ୍ରୀ ଦେବ ପରାମର୍ଶ ଦେଇଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)